Unknown

 

 

 

 

 

 

 

 

 

 

 

ନିର୍ମମ ଫଗୁଣ

ବିଜୟ କୁମାର ମିଶ୍ର

 

‘‘ଦୁନିଆର ମହାପଥେ ଯାତ୍ରୀ ଆଜି ଦୁର୍ଦ୍ଦମ ଉତ୍ସାହେ ପାଥେୟ ମୋ ନିର୍ଭୀକତା ଚାଲିଚି ମୁଁ ବାଧାବିଘ୍ନ ଏଡ଼ି ଅନ୍ଧକାର ତମ ମନ୍ତ୍ର ଅହରହ କାନେ କାନେ କି ହେ ପ୍ରବୃତ୍ତି ମୋ ବୃତ୍ତିଚାପେ ଯାଉଅଛି ଅସହାୟେ ଝଡ଼ି ।’’

 

ରବିନାରାୟଣ

 

‘‘ହେ ଶିଶୁ ! ହେ ନବାଗତ ! ଧରଣୀର ହେ ନବ-ଜାତକ ।

କା’ ପ୍ରାଣ ସଙ୍ଖାଳୀ ତୁମେ କାହାର ବା ବିଦଗ୍‍ଧ ଲୋତକ

ହେ ଅଜ୍ଞାତ କା’ର କୋଳେ ଥିଲ ଜନ୍ମି ଲୋକ ଅଗୋଚରେ

ଶୋଇଲ ଏ ରାଜପଥେ ନଥିଲେ କେ ଆଗେ ବା ପଛରେ,

କିଏ ସେହି ଅଭାଗିନୀ ନିହି ପ୍ରାଣେ ନିବିଡ଼ ମମତା

ଧରି ଗର୍ଭେ ଦଶମାସ ଦେଲା ଛାଡ଼ି ଜାଳି ଆତ୍ମଚିତା

ଜୀବନର କି ମୁହୂର୍ତ୍ତେ ଭେଟିବାରେ ଶୁଭ ଅଭିସାରେ

ବାନ୍ଧିଥିଲା ପ୍ରୀତି ଡୋରି ଗଲା ଛିଡ଼ି ନିଠୁର ସଂସାରେ ।

ଜନ୍ମି ତୁମେ କି ଅନ୍ଧାରେ କାହା କୋଳେ ହେଉଛ ପାଳିତ

କିଏ ତୁମ ଜନ୍ମଦାତା ଜାଣିଲେନି ଅବୋଧ ବାଳୁତ,

ଏ ତବ ଧମନୀ ତଳେ ବହେ କା’ର ଶୋଣିତର ଧାରା

ସେ କଥା ନଯିବ ଜଣା ନପଡ଼ିବ କାହିଁ ସେ ତ ଧାରା

ତୁମେ ତ ଜାଣିବ ନାହିଁ, ଜନ୍ମଦାତ୍ରୀ ଜନନୀ କିଏସେ

ତୁମକୁ ଛାଡ଼ିଲା ଯିଏ ପ୍ରାଣେ ରଖି ନମାରିଲା ବିଷେ

ନ ଦେବ କାହାର ପିଣ୍ଡ ତିଳୋଦକ ଦବ ନାହିଁ କା

ନପାଳିବା ମହାଳୟା ନାହିଁ ଦୀପ ଦୀପଦାନ ବେଳେ ।

 

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଉପହାର

 

ସ୍ନେହର କମଳା,

 

ବିଜୟାର ଏ ମଧୁର ଲଗ୍ନରେ ତମପାଇଁ ମୋର ଉପହାର—ମୋର ଲେଖନୀ ତ୍ୱରାନ୍ୱିତ ହେବାପାଇଁ ତମେ ଅହରହ ପ୍ରେରଣା ଦେଇ ଆସିଚ । ତମେ ନାରୀ, ତେଣୁ ବିଚାର କରିବ, ଏ ସମ୍ଭାରର ତଳେ ତଳେ ଅସ୍ପଷ୍ଟ ଗୁଞ୍ଜରଣ କାବ୍ୟ ।

 

ସତରେ ଫଗୁଣଟା ସମୟ ସମୟରେ ବଡ଼ ନିର୍ମମ—ନୁହେଁ ।

 

ସାମାନ୍ୟ କଥନ

 

ପ୍ରତ୍ୟେକ ସୃଷ୍ଟିର ଆଲୋଚନା ଦୁଇଟି ଦୃଷ୍ଟିକୋଣରୁ ପରିଚାଳିତ ହୁଏ । ପୁଣି ପରିଚିତ ବ୍ୟକ୍ତିର ଲେଖା ସଂପର୍କସର୍ତରେ ନିରପେ ମତାମତ ପ୍ରକାଶ ଅବ୍ୟାପାର ହେଲେ ମଧ୍ୟ ସାହିତ୍ୟର ପରଂପର ଦୃଷ୍ଟିରୁ କର୍ତ୍ତବ୍ୟ ।

 

ପାଠକର ଦୃଷ୍ଟିକୋଣରୁ ବିଚାର କଲେ ସରଳଭାଷା, ସୁନ୍ଦର ବିଶ୍ଳେଷଣ ଚିତ୍ତରଞ୍ଜନ କରେ । ସମସ୍ୟା ସଂର୍ପକରେ ଚିନ୍ତା କରିବାକୁ ପ୍ରଛନ୍ନ ଇଙ୍ଗିତ ଦିଏ । ସମାଜର ବିଧାନର ଧାରାରେ ସ୍ୱାକ୍ଷରହୀନ ଶିଶୁର ଭୂମିକା ସମ୍ପର୍କରେ ସଚେତନ କରାଏ ।

 

କିନ୍ତୁ ସାହିତ୍ୟ ସମାଲୋଚକର ଦୃଷ୍ଟିକୋଣରୁ ନାଟକ ସୁଲଭ ସଂଳାପ ଓ ଭାଷା ଭାବଧାରାକୁ ଅନେକ ସ୍ଥଳରେ ଦୁର୍ବଳ ଓ ବିଚ୍ଛିନ୍ନ କରିଚି । ପୁନଶ୍ଚ ବହୁ ପଠନର ପ୍ରଭାବ ହେତୁ ହୁଏତ କେତେକ ବିଶିଷ୍ଟ ସୃଷ୍ଟିର ଅସ୍ପଷ୍ଟ ପ୍ରତିଫଳନ ହୋଇଛି ।

 

ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶପାଇଁ ବିଭିନ୍ନ ରୁଚିର ପାଠକପାଇଁ ବହୁ ସୃଷ୍ଟି ଆବଶ୍ୟକ । ଏ ଯୁଗର ସ୍ରଷ୍ଟା ଓ ପ୍ରକାଶକ ତ୍ୟାଗର ସରଣୀରେ ଉତ୍ତର ପୁରୁଷପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଉଚିତ । ଅନାଗତ ଯୁଗର ପୁଷ୍କଳ ସ୍ୱପ୍ନରେ ମୁଁ ସାହିତ୍ୟ ସଂସଦର ସଭ୍ୟ ଓ ଓଡ଼ିଶାର ତରୁଣ ନାଟ୍ୟକାର ଶ୍ରୀ ବିଜୟକୁମାର ମିଶ୍ରଙ୍କ ‘ନିର୍ମମ ଫଗୁଣ’ ଉପନ୍ୟାସକୁ ସ୍ୱାଗତ କରୁଛି ।

 

ତିଆଡ଼ୀ ସାହି, ପୁରୀ

ଶ୍ରୀମତୀ ଅନୁପମା ମହାପାତ୍ର

୧-୧୦-୧୯୬୨

ସଂପାଦିକା, ମିଥୁନ ପ୍ରକାଶନୀ

 

-ଏକ-

 

ଅମର ଆତ୍ମହତ୍ୟା କରିଚି । ପାଖ ପଡ଼ିଶା ଅମର—ବୟସ ବୋଧହୁଏ ତିରିଶ ପାଖାପାଖି ହବ । ଗୋରା ତକ ତକ ଚେହେରା—ମୁଣ୍ଡରେ କୁଞ୍ଚୁକୁଞ୍ଚୁଆ ବାଳ । ସେଇ ଅମର ଆଜି ନାହିଁ । ସକାଳୁ ଉଠିଲେ ତା’ ମୁହଁରୁ ଶୁଣାଯାଏ ‘ନମସ୍କାର ଆଜ୍ଞା’—ସନ୍ଧ୍ୟା ଅଫିସ୍‍ ଫେରନ୍ତି ଆସୁ ଆସୁ ମୋରି ଘରେ ସେ ଅଟକିଯାଏ । କିନ୍ତୁ କାଲିଠାରୁ ସେ ଆଉ ଆସିବନି । କାଲିଠାରୁ ଆଉ ତା’ ମୁହଁରୁ ଶୁଭିବନି ‘ନମସ୍କାର ଆଜ୍ଞା’ । ସେ ଆତ୍ମହତ୍ୟା କରିଚି । ତା’ ଶବର ପଟୁଆର ଏଇ ଚାଲିଯାଉଚି, ଅଥଚ ତା’ର ଜଣେ ଏତେଦିନର ପରିଚିତ ବନ୍ଧୁ ମୁଁ—ମୂକ ସ୍ଥାଣୁ ଭଳି ଠିଆହୋଇଚି ଝରକା ବାଟେ ଅନେଇ— । ଆଜି ରବିବାର, ଏଇ ଏକ କମ୍ର ସକାଳେ ସେଇ ଯୁବକଟି ଶୋଇପଡ଼ିଚି । ଆଉ ସେ ଉଠିବ ନାହିଁ । ଅମର ଆତ୍ମହତ୍ୟା କରିଚି ।

 

କିନ୍ତୁ କାହିଁକି ସେ ଆତ୍ମହତ୍ୟା କଲା ? ଏତେଦିନ ଧରି ମୁଁ ତାକୁ ଦେଖି ଆସିଚି; ଅଥଚ ଦିନେହେଲେ ମୁହଁ ଶୁଖେଇ ସେ ମୋ’ ଆଗରେ ଠିଆହେଇନି । ତିରିଶ ବର୍ଷର ଅବବାହିତ ଯୁବକ–ଭଲ ଚାକିରି–ଅଥଚ ଏ ସବୁର ମୂଲ୍ୟ ତା’ ପାଖରେ କିଛି ରହିଲାନି—ଖାଲି ମୃତ୍ୟୁର ଦାମ ଦେଇ ସେ ଚାଲିଗଲା ।

 

କିନ୍ତୁ ସେ ଚାଲିଗଲା କାହିଁକି ? କିଏ ଦବ ୟା’ର ଉତ୍ତର ? କାଲି ସନ୍ଧ୍ୟା ପର୍ଯ୍ୟନ୍ତ କେହି ଜାଣି ନ ଥିଲେ ସେ ଏମିତି ମରିବ ବୋଲି । ସବୁଦିନ ଭଳି କାଲି ବି ସେ ଅଫିସ୍‍ ଯାଇଥିଲା—ଅଥଚ ସୋମବାର ଦିନ ସେଇ ସିଟ୍‍ଟାରୁ ଗୋଟାଏ ହସ ହସ ମୁହଁ ଦେଖା-ଯିବନି । ହସି ହସି ସେ ଆଉ କହିବନି, ‘‘ଟିକିଏ ରହନ୍ତୁ ଆଜ୍ଞା, ଏଇ ଫାଇଲଟା ସାରିଦିଏ ?’’

 

କାଲି ଯେତେବେଳେ ଦୁଇଜଣଯାକ ଅଫିସରୁ ଫେରୁଥିଲୁ—ହଠାତ୍‍ ସେ କାହିଁକି ମୋତେ ପଚାରିଥିଲା, ‘‘କହିପାରିବେ ବିନୟ ବାବୁ ! ମଣିଷ ଆତ୍ମହତ୍ୟା କରେ କାହିଁକି ?’’

 

ମୁଁ କିଛି କହି ନ ଥିଲି, ଖାଲି ତା ମୁହଁକୁ ଚାହିଁଥିଲି ।

 

ପୁଣି ସେ ପଚାରିଲା—‘‘କହିଲେନି ଆଜ୍ଞା ।’’

 

କିଛି ଗୋଟାଏ ଉତ୍ତର ନ ଦେବାର ଚାରା ମୋ’ର ନ ଥିଲା । ଓଲଟେଇ ତାକୁ ମୁଁ ପଚାରିଲି—‘‘ଆପଣ କହିପାରିବେ ଅମର ବାବୁ ?’’ ହସିଥିଲା ଅମର, ଠିକ୍‍ ଯେମିତି ଗୋଟାଏ ଉଦ୍‍ଗତ କାନ୍ଦକୁ ଚାପିବାପାଇଁ ସେ ହସିଥିଲା । ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହେଇଥିଲି । ଏଇ ଲୋକଟା—ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଗୋଟାଏ ଶାନ୍ତ ସରଳ ମନ; ଅଥଚ ତା’ରି ଭିତରେ ଭରି ରହିଚି ଅଜସ୍ର କ୍ରନ୍ଦନ । ଅଜସ୍ର ଦୁଃଖ ହୁଏତ ଲହଡ଼ି ମାରୁଥିଲା ତା’ର ଅନ୍ତର ଭିତରେ । ସତରେ ଆଶ୍ଚର୍ଯ୍ୟ.....

 

‘ଦୁର୍ବଳ’—ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ଅମର ଏତିକି କହିଥିଲା । ମୁଁ ତା’ ମୁହଁକୁ ଚାହିଁ ବହୁତ କିଛି ଖୋଜିବାକୁ ଚେଷ୍ଟା କରିଥିଲି, ତା’ଭିତରୁ କିନ୍ତୁ କିଛି ପାଇନଥିଲି । ସେମିତି ଉଦବେଗହୀନ ମୁହଁ—କୁଞ୍ଚିକୁଞ୍ଚି ବାଳ—ସରୁ ନିଶ...ସବୁ ସେମିତି—କିନ୍ତୁ ତଫାତ୍‍ ଭିତରେ ଖାଲି ମୁହଁର ସେଇ ଚିର ପରିଚିତ ହସ ଖଣ୍ଡିକ ଲିଭିଯାଇଥିଲା । ମୁଁ କହିଲି— ‘କାହାକୁ ଆପଣ ଦୁର୍ବଳ ବୋଲି କହୁଚନ୍ତି ଅମର ବାବୁ ?’

 

— ‘ଏଇ ଯୋଉମାନେ ଆତ୍ମହତ୍ୟା କରନ୍ତି ।’ ପୁଣି ସେଇ ହସ ଉକୁଟି ଆସିଲା ତା’ ମୁହଁରୁ । କହିଲା— ‘ସତରେ ସେମାନେ ଦୁର୍ବଳ, ବିନୟ ବାବୁ, ନିହାତି ଦୁର୍ବଳ । କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ସେମାନଙ୍କର ଶକ୍ତି ନାହିଁ—ସାହସ ନାହିଁ; କ’ଣ କହୁଚନ୍ତି ଆପଣ ?’

 

ପୁଣି ପ୍ରଶ୍ନ ! ପୁଣି ସେଇ ପ୍ରଶ୍ନ !! ମୋ’ ମନ ବି କହୁଥିଲା କିଛି ଗୋଟାଏ ଉତ୍ତର ଦବାକୁ-। ହୁଏତ ମୋର ଅନ୍ତର ତା’ର ଏଇ କଥାକୁ ସମର୍ଥନ କରୁନଥିଲା । ଖବରକାଗଜରେ ପଢ଼ି ଆସିଲି ରେଲ ତଳେ ଶୋଇ ଯୁବକର ଆତ୍ମହତ୍ୟା । କୂଅକୁ ଡେଇଁ ପଡ଼ି ଯୁବତୀର ଶେଷ ନିଶ୍ୱାସ ତ୍ୟାଗ । ମୁଁ କହିଲି ଆପଣ ବୁଝିବେନି ଅମର ବାବୁ, ସମୟ ସମୟରେ ମଣିଷର ଏମିତି ଅବସ୍ଥା ଆସେ ଯେତେବେଳେ କେବଳ ଆତ୍ମହତ୍ୟା ଛଡ଼ା ତା’ର ଆଉ କିଛି ଉପାୟ ନ ଥାଏ ।

 

‘ହୁଁ—ଅବସ୍ଥା’—ମୁଁ ତା ମୁହଁକୁ ଚାହିଁଲି । ସେଇ ହସ ହସ ମୁହଁ ତା’ର ଏମିତି କୁତ୍ସିତ ହେଇଆସିଲା ଯେ ମୁଁ ବିଶ୍ୱାସ କରିପାରିଲି ନାହିଁ । ସେଇ ସନ୍ଧ୍ୟା ପ୍ରାୟାନ୍ଧକାରରେ ତା’ ମୁହଁକୁ ଚାହିଁ ବହୁତ କିଛି ଧାରଣା କରିପାରିଲି । ସାରା ମୁହଁଟା ତା’ର ଘୃଣାରେ ଲାଲ ପଡ଼ିଯାଇଥିଲା । ମୁଁ ଡାକିଲି ‘ଅମର ବାବୁ’—

 

ସେ ପ୍ରକୃତିସ୍ଥ ହେଲା ।

 

ପଚାରିଲି— ‘କ’ଣ ହେଲା ଆପଣଙ୍କର ହଠାତ୍‍ ?’

 

ସେ କହିଲା, ‘କିଛି ନୁହେଁ ଚାଲନ୍ତୁ’ । ସେଇ କଥା ସେତକ ଯେମିତି ତା’ ମୁହଁରୁ ଆସୁ ନ ଥିଲା । ଆସୁଥିଲା ଦୂରରୁ—ବହୁତ ଦୂରରୁ । ମୁଁ ତାକୁ କିଛି କହିଲିନି ।

 

ସହରର ରାଜପଥ ଉପରେ ଢଳି ପଡ଼ୁଥିଲା ସନ୍ଧ୍ୟାର ଅନ୍ଧକାର । ପାଖ ଦେଇ ଦୁଇ ଚାରିଟା ରିକ୍‍ସା ଚାଲିଗଲା । ଅମର ଯେମିତି ପାଦ ମିଳେଇ ମୋ’ ସାଙ୍ଗରେ ଚାଲୁଥାଏ । କିନ୍ତୁ ଯୋଉ ହସ ଖୁସି ନେଇ ଅଫିସରୁ ଦୁଇଜଣଯାକ ବାହାରିଥିଲୁ, ସେ ମନର ସନ୍ଧାନ ମୁଁ ପାଇଲିନି । ଆଜି ତିରିଶ ବର୍ଷ ପରେ ଅମର ଯେମିତି ନିଜ ଭିତରେ ଅନେକ କିଛିର ସନ୍ଧାନ ନଉଥାଏ ।

 

ସହରର ରାସ୍ତା ଉପରେ ବିଜୁଳିବତୀର ରୋଷଣୀ—ଆକାଶରେ ବହୁତଗୁଡ଼ାଏ ତାରା ଫୁଟିଲେଣି । ଆଉ ସେମାନଙ୍କ ତଳେ ଆମେ ଦୁଇଟା ଜୀବ ନିହାତି ପରିଚିତ; କିନ୍ତୁ ଅପରିଚିତଙ୍କ ପରି ବାଟ ଚାଲିବାରେ ଲାଗିଚୁ । ଘର ଆମର ପାଖେଇ ପାଖେଇ ଆସୁଚି, ଚାଲିବାର ବାଟ କମି କମି ଆସୁଚି । ଆଉ ଆମେ ଦୁଇ ଜଣ ମୂକ ଅଥର୍ବଙ୍କ ପରି ନୀରବରେ ଆଗେଇ ଚାଲିଚୁ । ଗୋଟାଏ ଲାଇଟ୍‍ ପୋଷ୍ଟ ପାଖେଇ ଆସିଲା । ମୋ’ର ଭାରି ଇଚ୍ଛା ହେଲା ତା’ର ମୁହଁ ଟିକିଏ ଦେଖିବାପାଇଁ, ମୁହଁଟା ତା’ର ରଙ୍ଗା ପଡ଼ିଯାଇଚି । ଆଖି ଦି’ଟା ଢଳ ଢଳ ହଉଚି । ଏଇ ଯେମିତି ଫାଟି ପଡ଼ି ଝରିଯିବ, ବଡ଼ ଦୟା ହେଲା ତାକୁ ଦେଖି—ଏବେ ବି ବିବାହ କରିନି । ଦୁଃଖ ବୁଝିବାକୁ କେହି ତା’ର ନାହିଁ । ହୁଏତ ବିଚାରା ପ୍ରେମ କରିବାକୁ ଯାଇ ଆଘାତ ପାଇଚି କୋଉଠି; କିନ୍ତୁ କିଏ ଏଭଳି ସରଳ କୋମଳ ମନକୁ ବି ଆଘାତ ଦେଇପାରେ ? ଖାଲି ତାକୁ ଛାଡ଼ିଦେଲେ ତା’ ବିଷୟରେ ମୁଁ କିଛି ଜାଣି ନାହିଁ । ବହୁବାର ଚେଷ୍ଟା କରିଚି ଜାଣିବାକୁ—କିନ୍ତୁ ଲୋକଟା ସମସ୍ତ ଛଳନା ଦେଇ ଏଡ଼େଇ ଯାଇଚି ସେଇ ପ୍ରଶ୍ନଟା—ଖାଲି ସେଇ ପ୍ରଶ୍ନଟା—

 

ଡାକିଲି—ଅମର ବାବୁ !

 

ଅମର ରୁମାଲରେ ମୁହଁ ପୋଛି ମୋ’ ଆଡ଼କୁ ଚାହିଁଲା । ଗୋଟାଏ ପଚାଶ ବର୍ଷର ବୁଢ଼ା ପାଖରୁ ଯେମିତି କିଛି ଗୋଟାକର ଆଶ୍ରୟ ସେ ଚାହୁଁଥିଲା । ତା’ର ଏ ଚାହାଣୀର ଅର୍ଥ ମୁଁ ବୁଝିପାରିଲି । ଆହା ବିଚାରା ! କାନ୍ଧରେ ଥରେ ହାତ ପକାଇ ପୁଣି ଡାକିଲି—ଅମରବାବୁ ! ସେ ନିଜେ ମନକୁ ମନ କହିଲା ‘ଆତ୍ମହତ୍ୟା କରିବାର ମୋ’ର ବି ବହୁତ କାରଣ ଥିଲା, କାହିଁ ମୁଁ ତ ଆତ୍ମହତ୍ୟା କରିପାରିନି ! ଜୀବନଟାକୁ ତ ମୁଁ ଶେଷ କରି ଦେଇପାରିନି । ତେବେ କାହିଁକି ଏମାନେ ଆତ୍ମହତ୍ୟା କରିବେ—କାହିଁକି ?’ ଶେଷ ଆଡ଼କୁ ପୁଣି ସେ ଉତ୍ତେଜିତ ହେଇପଡ଼ିଲା । ପୁଣି ଏଭଳି ଗୁଡ଼ାଏ କଥାର ଅବତାରଣା ମୁଁ ଚାହୁଁନଥିଲି । ଦୁଃଖଟାକୁ ମୋର ବଡ଼ ଭୟ । ବରଂ ମୁଁ ତା’ଠାରୁ ଦୂରେଇ ଯିବାକୁ ଚାହେଁ ନିଜର ଶକ୍ତି ଖଟେଇ । ପରିବେଶଟାକୁ କିଛିଟା ହାଲୁକା କରି ଦେବାପାଇଁ ମୁଁ ଗୋଟାଏ ହାଲୁକା କଥାର ଅବତାରଣା କଲି; କିନ୍ତୁ ତା’ର କିଛି ପରିବର୍ତ୍ତନ ହେଲା ନାହିଁ । ପ୍ରଥମରୁ ସେ ଯେ ଗମ୍ଭୀର ଥିଲା, ଟିକିଏ ହେଲେ ବି ତା’ ବଦଳିଲା ନାହିଁ । ବାଧ୍ୟ ହେଇ ମୋତେ ନିରସ୍ତ ହେବାକୁ ପଡ଼ିଲା ।

 

ମାତ୍ର ଗୋଟାଏ ରାତି ବି ଯାଇପାରିଲା ନାହିଁ । ସେ ଆତ୍ମହତ୍ୟା କଲା । କାଲି ସନ୍ଧ୍ୟାରେ ଯୋଉ ଲୋକଟା ଆତ୍ମହତ୍ୟାକାରୀକୁ ‘ଦୁର୍ବଳ’ ବୋଲି କହି ମୁହଁ ଫୁଲେଇଥିଲା ଘୃଣାରେ, ଆଜି ସେଇ ଲୋକଟା ଆତ୍ମହତ୍ୟା କରିଚି ପୁଣି ସ୍ତ୍ରୀ ଲୋକଙ୍କ ଭଳି କଡ଼ରୁ ଦଉଡ଼ି ଓହଳେଇ । ତା’ର ଶବର ପଟୁଆର ଆଉ ଦେଖାଯାଉ ନାହିଁ । ‘ରାମ ନାମ ସତ୍ୟ ହେ’ ଶବ୍ଦ ବହୁତ ବେଳୁ ଲିଭିଗଲାଣି-

 

ବିଚାରା ଅମର ଶେଷରେ ଆତ୍ମହତ୍ୟା ପାଖରେ ଆତ୍ମ ସମର୍ପଣ କଲା !

 

‘ବିନୟ ବାବୁ’

 

ଚମକି ପଡ଼ିଲି, ଏକ ନାରୀ କଣ୍ଠର ଆହ୍ୱାନ । ଫେରି ଚାହିଁଲି, କବିତା । ମୋର ଘର ଆରପାଖକୁ ଯୋଉଘର ସେଇ ଘରେ ରହେ କବିତା, କିନ୍ତୁ ହଠାତ୍‍ ? କବିତା ମୁହଁକୁ ଚାହିଁଲି, ସେଇ ଉଜ୍ଜ୍ୱଳ ସୁନ୍ଦର ମୁହଁ ଉପରେ ନଇଁଆସିଚି ବେଦନାର ନିବିଡ଼ ଅନ୍ଧକାର । ଆଖି ଦୁଇଟା ଫୁଲ ଲାଲ ହେଇଯାଇଚି । ହୁଏତ କାଲି ରାତିରେ ସେ ଶୋଇନି, କାନ୍ଦି କାନ୍ଦି ହୁଏତ ତା’ ଆଖି ଫୁଲିଯାଇଚି । କାହିଁକି ? କାହାପାଇଁ କାନ୍ଦୁଥିଲା କବିତା ? ଅମର ପାଇଁ ? ଏଇ କବିତା—ଅମର ଏଠାକୁ ଆସିବା ଛ’ମାସ ଆଗରୁ ଆସି ଏଠାରେ ରହିଚି । ମାତୃମଙ୍ଗଳ କେନ୍ଦ୍ରରେ ନର୍ସ କବିତା, କୋଡ଼ିଏ ବର୍ଷର ନାରୀ କବିତା ଆଜି କାନ୍ଦୁଚି । ଅସହ୍ୟ ବେଦନାରେ ଗୁମୁରି ଗୁମୁରି କାନ୍ଦୁଚି କବିତା-।’

 

‘ଏ ସାହିରେ ଘର ମିଳିବ ଆଜ୍ଞା !’ ଦି’ବର୍ଷ ତଳେ, ଏମିତି ଗୋଟାଏ ରବିବାର ସକାଳେ ଏଇ କବିତା ଆସି ମୋ’ ପାଖରେ ପହଞ୍ଚିଥିଲା ଘରର ସନ୍ଧାନ ନେବାପାଇଁ, ଆଉରି ବହୁତ କିଛି କହିଥିଲା କବିତା ସେଦିନ । ‘ମୁଁ ଏଠିକି ନୂଆହେଇ ବଦଳିରେ ଆସିଚି, କେନ୍ଦ୍ରରେ ରହିବାକୁ ଜାଗା ନାହିଁ, କିନ୍ତୁ ଡାକ୍ତରଖାନା ପାଖରେ ରହିବାକୁ ହବ । ଦୁଇ ତିନି ମାସ ଭିତରେ ଜଣେ କମ୍ପାଉଣ୍ଡରର ବଦଳି ହେଇଯିବାର ଅଛି । ସେ ଗଲେ ମୁଁ ସେଇଠି ରହିବି—ଅନ୍ତତଃ ଦୁଇ ତିନି ମାସ ପାଇଁ ଯଦି...’

 

ଚେଷ୍ଟା କରିଥିଲି ତା’ ପାଇଁ । ଯୋଗାଡ଼ ବି କରି ଦେଇଥିଲି, କିନ୍ତୁ କବିତା ଆଉ ସେଠୁ ଯାଇପାରିଲା ନାହିଁ । ଦୁଇ ତିନିମାସ ଛାଡ଼ି ଦୁଇ ବର୍ଷ ହେଇଗଲା ପ୍ରାୟ ଆଜିକୁ । କିନ୍ତୁ ସେ ଘର ଛାଡ଼ିନି । ତିନି ମାସ ପରେ କମ୍ପାଉଣ୍ଡରର ଠିକ୍‍ ବଦଳି ହେଇଚି । ତା’ର ଆଠ ମାସ ପରେ ନୂଆହୋଇ ଯୋଗ ଦେଇଥିବା କମ୍ପାଉଣ୍ଡର୍‍ ଇସ୍ତଫା ଦେଇ ଦେଇଛି । କିନ୍ତୁ କବିତା ସେମିତି ରହି ଯାଇଚି ସେଇ ଘରଟାରେ । ସେ ରହିବାର ଠିକ୍‍ ଛ’ମାସ ପରେ ବଦଳି ହେଇ ଆସିଚି ଅମର, ଯିଏ ଆଜି ସେଇ ଘରଟାକୁ ଖାଲି କରି ଦେଇ ଚାଲିଗଲା ।

 

କାହାର ଆକର୍ଷଣ ବାନ୍ଧି ରଖିଥିଲା କବିତାକୁ ?

 

—ଅମରର ??

 

ଆଉ ଆଜି ସେଇ କବିତା କାନ୍ଦୁଚି । ଲୁହ ପୋଛି କବିତା କହିବାକୁ ଆରମ୍ଭ କଲା–‘ଅମର ବାବୁଙ୍କ ଶବ ଉଠିବା ପୂର୍ବରୁ ମୁଁ ତାଙ୍କ ଘରକୁ ଯାଇଥିଲି । ହେଇ ନିଅନ୍ତୁ, ଆପଣଙ୍କ ପାଖକୁ ସେ ଖଣ୍ଡେ ଚିଠି ଦେଇଚନ୍ତି । ଆଉ ଏ ଡାଏରି ଖଣ୍ଡକ ଆପଣଙ୍କୁ ଦେଇ ଦବାକୁ ମୋତେ ଲେଖିଥିଲେ‘—ଡାଏରି ଆଉ ଚିଠି ଖଣ୍ଡକ ବଢ଼େଇ ଦେଲା କବିତା । ଦେଲାବେଳେ ତା’ ହାତ ଥରିଉଠୁଥିଲା । ହଁ ଅମରର ସ୍ମୃତି ତାକୁ ଗ୍ରାସ କରିଚି । ହୁଏତ ତା’ ଚାରିକଡ଼ରେ ଘେରି ରହିଚି ଅମରର ଅଭୁଲା ରୂପ, ମିଠା କଥା ଆଉ ସେଇ ମନଭୁଲା ହସ ।

 

‘ବସ, କବିତା !’

 

କିନ୍ତୁ ସେ ବସିଲାନି । ସେ ଚାହେଁ ନିର୍ଜନତା, ହୁଏତ ପ୍ରାଣ ଭରି କାନ୍ଦିବାକୁ ଚାହେଁ । ଆଉ ସେ ଲୁହ ସାଙ୍ଗରେ ହୁଏତ ସେ ଚାହେଁ ପୋଛିଦେବାକୁ ଅମରର ସବୁ ସ୍ମୃତି, ଯେମିତି ଆସିଥିଲା ଫେରିଗଲା ସେମିତି—

 

କବିତା ଚାଲିଗଲା—

 

ଏମିତି ଅନେକ ଢେର ଉଠେ, ପୁଣି ମିଶିଯାଏ । କିନ୍ତୁ ଦାଗ ରଖିପାରେନି ପାଣି ଭିତରେ । ଅମର ଆସିଥିଲା—ସେ ଚାଲିଗଲା । ଏଇଠି କବିତା ଆସି ଠିଆହେଲା ମୁହୂର୍ତ୍ତେ, କିନ୍ତୁ ଚାଲିଗଲା ବେଳେ ନିଜର ଛାଇକୁ ବି ଗୋଟେଇ ନେଇ ଫେରିଗଲା—ଖାଲି ଢେଉ ଲହରୀ—

 

ମଲାବେଳେ ଲେଖିଯାଇଚି ଅମର ! କ’ଣ ଲେଖିଚି ? ବିବୃତି ? ସଫେଇ ? ନା ହୁଏତ ଆଉ କିଛି ।

 

କିନ୍ତୁ ସଫେଇ ଦେଇଚି ଅମର, ନିଜକୁ ମୁକ୍ତ କରିବା ପାଇଁ ମୋ ପାଖକୁ ଚିଠି ଦେଇଚି । ‘ଶେଷରେ ଆପଣଙ୍କ କଥା ଠିକ୍‍ ହେଲା ବିନୟ ବାବୁ । ଅବସ୍ଥା ପାଖରେ ମୋତେ ମୁଣ୍ଡ ନୋଇଁଦବାକୁ ପଡ଼ିଲା । ମୋତେ ଦୁନିଆ ଆଖିରୁ ଏମିତି ଲୁଚି ଛପି ବିଦାୟ ନବାକୁ ପଡ଼ିଲା । ମୁଁ ଆତ୍ମହତ୍ୟା କଲି ।’

 

କାନ ପାଖରେ ମୋ’ର ଅମର ଯେମିତି ଫିସ୍‍ଫିସ୍ ହେଇ କହି ଦେଇଗଲା—‘ମୁଁ ଶେଷରେ ଆତ୍ମହତ୍ୟା କଲି ବିନୟ ବାବୁ, ଶେଷରେ ମୁଁ ଆତ୍ମହତ୍ୟା କଲି ।’

 

କିନ୍ତୁ ଅମର—ବିଚାରା ଅମର—ସେଇ ଶାନ୍ତ ନିରୀହ ତିରିଶ ବର୍ଷର ଯୁବକ ଅମର—କ’ଣ ଥାଇପାରେ—ଏମିତି ନିଜକୁ ନିଜେ ଶେଷ କରିଦବାର କାରଣ ?

 

‘ବଞ୍ଚିବାର ଋଣ ଶୁଝିବ ମରଣ ଦେଇ’ ସହରର କୌଣସି ଏକ ଦୋକାନର ମାଇକ ଭିତରୁ କରୁଣ ଆର୍ତ୍ତନାଦ । କିନ୍ତୁ ଇଏ ଅମରର କଥା ନୁହେଁ ତ ? ‘ବଞ୍ଚିବାର ଋଣ ଶୁଝିବି ମରଣ ଦେଇ’ ? କିଏ କହୁଚି ? କିଏ କହୁଚି ଏ କଥା ? ଅମର ?

 

ହାତରେ ମୋର ତା’ ଚିଠି, ଝରକା ଉପରେ ଥୁଆ ହେଇଚି ତା’ର ଡାଏରୀ । କ’ଣ କହୁଚି ଏ ଡାଏରୀ ? ବଞ୍ଚିବାର ମୂଲ୍ୟ କେମିତି ମୃତ୍ୟୁରେ ଆଦାୟ ହୁଏ ତା’ର ସଫେଇ ?

 

‘ମୋର ସେ ଡାଏରୀଟି ଆପଣଙ୍କୁ ଦେଇଗଲି ବିନୟ ବାବୁ । ତାକୁ ପଢ଼ିବେ, ତା’ପରେ ବିଚାର କରିବେ ମୁଁ ଠିକ୍‍ କରିଚି କି ନାହିଁ ।’

 

କିନ୍ତୁ ବିଚାର କରି ତ ଆଉ ଫେରେଇହବନି ତାକୁ । ଚିରଦିନ ପାଇଁ ଯିଏ ଆଖି ବୁଜିଚି ସେ ହୁଏତ ଶୁଣିପାରିବ ନାହିଁ ମୋ ବିଚାର ଅବିଚାରର ଫଳାଫଳ । ତେବେ କାହିଁକି ବିଚାର କରିବି-? କାହାର ବିଚାର କରିବି ?

 

‘ଡାଏରୀଟା ପଢ଼ିସାରିଲା ପରେ କେହି ନ ଜାଣନ୍ତୁ, କିନ୍ତୁ ଆପଣ ନିଶ୍ଚୟ ଜାଣିବେ ମୋ’ର ଆତ୍ମହତ୍ୟା କରିବା ବ୍ୟତୀତ ଆଉ କିଛି ଉପାୟ ନ ଥିଲା । ମୁଁ ବଡ଼ ନିରୁପାୟ । ବଞ୍ଚିବାର ଋଣ ମରଣରେ ପରିଶୋଧ କରି ଚାଲିଯାଉଚି ବିନୟ ବାବୁ—

 

ଇତି—ଅମର’

 

ଏଠି ବି ସେଇ କଥା ! ସେଇ ସୁର ! ସେଇ ଆବେଗ ମରିବାପାଇଁ !

 

ରାଜପଥ ଉପରେ ବ୍ୟସ୍ତ ଚଞ୍ଚଳ କେତେଗୁଡ଼ାଏ ମଣିଷ । ଦିଆ ନିଆ, ବିକାକିଣା, ହଟଗୋଳ, ଆଉ ପିଚୁଢ଼ଳା ରାସ୍ତା ଉପରେ ପଡ଼ିରହିଛି ପ୍ରଚଣ୍ଡ ସୂର୍ଯ୍ୟ କିରଣ ।

 

ଗୋଟାଏ ଭାବ ନେଇ ଅମର ଆତ୍ମହତ୍ୟା କଲା । ସେଇ ସଦାଚଞ୍ଚଳ ହାସ୍ୟମୁଖର ମୁହଁ ଲିଭିଗଲା ଚିରଦିନ ପାଇଁ—ଖାଲି ଗୋଟାଏ ଭାବନାକୁ ସମ୍ମାନ ଦେଇ ! ଖିଆଲର ଖେଳନା ହେଇ-!

 

ବିଚାରା ଅମର !

 

-ଦୁଇ-

 

ବାର ବର୍ଷ ତଳେ ମଧୁପୁର ଗାଁରେ ସନ୍ଧ୍ୟା ନୋଇଁ ଆସିଥିଲା ସବୁଦିନ ଭଳି । ଆଉ ସେଇ ସନ୍ଧ୍ୟାର କଳା ମିଟି ମିଟି ଅନ୍ଧାର ତଳେ ଗୋଟାଏ ଅଠର ବର୍ଷର କିଶୋର ମିଶିଯାଇଥିଲା ମରିବାର ସଂକଳ୍ପ ନେଇ । ପୋଖରୀ ହୁଡ଼ାତଳେ ସେଇ ଯୋଉ ବଡ଼ ବରଗଛଟା, ତା’ରି ତଳେ ଶୋଇ ଶୋଇ ସେ ଭାବୁଥିଲା—ସେ ମରିବ, ଖାଲି ଖଣ୍ଡିଏ ଦଉଡ଼ି, ସେତକ ଯୋଗାଡ଼ କରିପାରିଲେ କେଡ଼େ ଆରାମରେ ମରିପାରିବ ସିଏ ! ଏଇ ବରଗଛର ଗୋଟାଏ ଡାଳରୁ ଦଉଡ଼ିଟା ଝୁଲେଇ ଦେଇ ତା’ରି ଭିତରେ ବେକଟା ଗଳେଇ ଦେଇ ଝୁଲିପଡ଼ିବ । ତା’ପରେ ସବୁ ଅଭିଜ୍ଞତା, ଥଟ୍ଟା, ପରିହାସ ସବୁର ଶେଷ ।

 

ନ ହେଲେ ବେକରେ ଗୋଟାଏ ବଡ଼ ପଥର ବାନ୍ଧି ଦେଇ ଚାଲିଯିବ ଏଇ ପୋଖରୀ ମଝିକୁ । ତା’ପରେ ଢେଉ ଆସିବ, ପିଟିହେଇ ଖେଳିଯିବ ତା’ର ଚାରିକଡ଼େ ଆସ୍ତେ ଆସ୍ତେ ନିଃଶ୍ୱାସ ବି ରୁନ୍ଧି ହେଇ ଆସିବ । ଆଖି ତା’ର ଝାପ୍‍ସା ହେଇ ଆସିବ । ଚାରିଆଡ଼ୁ ଘୋଟି ଆସିବ ଅନ୍ଧାର—ଠିକ୍‍ ଏଇ ସନ୍ଧ୍ୟାର ଘନ ଅନ୍ଧକାର ଭଳି ତା’ର ଚାରିପାଖରୁ ଦଉଡ଼ି ଆସିବ ଅନ୍ଧକାର । ସେ ତାରି ଭିତରେ ଲୁଚିଯିବ । ଲୁଚିଯିବ ମଧୁପୁର ଗାଁର ଗୋଟାଏ ଅଠର ବର୍ଷର କିଶୋର । ମଧୁପୁର ଗାଁର ଇତିହାସରୁ ଲିଭିଯିବ ଆଇ:ଏ: ପରୀକ୍ଷା ଦେଇ ଫେରି ଆସିଥିବା ଏଇ ନିରୀହ ପିଲାଟିର ନାଁ ।

 

ତା’ର ଏ ମରିଯିବା ପାଇଁ କେହି ତ କାନ୍ଦିବେ ନାହିଁ । କାହିଁକି କିଏ କାନ୍ଦିବ ? କିଏ ତା’ର ଅଛି—‘ହାୟ ଅମୁ’ ବୋଲି ଦି’ଟୋପା ଲୁହ ଗଡ଼ାଇବା ପାଇଁ ?

 

କିନ୍ତୁ ରେବ ହୁଏତ କାନ୍ଦିବ । ରେବ ! ରେବ ତା’ର କିଏ ? କ’ଣ ଦରକାର ତା’ର ଏ ରେବ କଥା ଭାବିବାରେ ? ପଇଁତିରିଶ ବର୍ଷର ବାଲ୍ୟ ବିଧବା ରେବ ତାକୁ ହୁଏତ ପାଳିଚି—ପୋଷିଚି ? କ’ଣ ମୂଲ୍ୟ ଏଇ ପାଳିବା ପୋଷିବାରେ ?

 

‘ଅମୁ !’ ବଡ଼ ବଡ଼ ଆଖି କରି ଚାହିଁଥିଲା ରେବ । ଆଜି ଅଠର ବର୍ଷ ଧରି ଯୋଉ ଅମୁକୁ ଦେଖିଆସିଚି ସେ ତ ସେ ଅମୁ ନୁହେଁ । ରେବ ଖୁବ୍‍ ଆଶ୍ଚର୍ଯ୍ୟ ହୋଇଯାଇଥିଲା ସେଦିନ । ‘ଇସ୍‍, ଏ ଅମୁଟା କ’ଣ କହୁଚି ?’

 

‘ହଁ ବୋଉ, ମୁଁ ଠିକ୍‍ କହୁଚି । କହ, ଏ ଆଖି ଠରାଠରି, ପରିହାସ, ଥଟ୍ଟା—ୟା’ର ମାନେ କଣ ? କାହିଁକି ଏ ଗାଁ ଲୋକେ ମୋତେ ଏମିତି କରି ଦୟାର ଆଖିରେ ଦେଖିବେ ?’

 

‘ଚୁପ୍‍ କର, ଚୁପ୍‍ କର ଅମୁ !’ ରେବ ତା’ର ସମସ୍ତ ଶକ୍ତି ଦେଇ ଚିତ୍କାର କରି ଉଠିଥିଲା, ଗୋଡ଼ ଆଡ଼ୁ ଯେମିତି ପ୍ରାଣ ତା’ର ଛାଡ଼ି ଯାଉଚି ।

 

‘ଚୁପ୍‍ ମୁଁ କରିପାରିବିନି ବୋଉ । ପିଲାଟି ଦିନରୁ ମୁଁ ଦେଖି ଆସିଚି ଗାଁ ଲୋକେ ତାଙ୍କ ପିଲାମାନଙ୍କୁ ମୋ’ ସାଙ୍ଗରେ ଖେଳିବାକୁ, ମିଶିବାକୁ ଛାଡ଼ନ୍ତି ନାହିଁ । ଦେଖିଲେ ହସନ୍ତି, କାହିଁକି ?’

 

‘ହସୁଥାନ୍ତୁ ସେମାନେ । ସବୁ ହସକୁ ଆଡ଼େଇ ଦେଇ ମୁଁ ଆଜି ତୋତେ ମଣିଷ କରୁଚି । ତା’ପରେ ଦେଖିବୁ ସେ ସବୁ ଠିକ୍‍ ହୋଇଯିବ ।’

 

‘ଠିକ୍‍ ହେଇଯିବ ? ସବୁ ଠିକ୍‍ ହେଇଯିବ ? ଆଜିକୁ ଅଠର ବର୍ଷ ଧରି ଯୋଉମାନେ ହସୁଚନ୍ତି ସେମାନେ ମୁହଁ ବନ୍ଦ କରିଦେବେ ? ମୁଁ ଖାଲି ଗୋଟାଏ ମଣିଷ ହେଇଗଲେ ? ନାଁ ନାଁ ବୋଉ, ସତ କଥା କହ ।’

 

‘କି ସତ କଥା ମୋଠୁ ତୁ ଶୁଣିବୁ ? କ’ଣ ଶୁଣିବୁ ତୁ ମୋଠୁ ?’ ରେବ ରାଗ, ଦୁଃଖ, ଘୃଣାରେ ଚିତ୍କାର କରି ଉଠିଥିଲା । କିନ୍ତୁ ଅମୁ ମନରୁ ତ ଦୂରେଇ ଯାଇ ନ ଥିଲା ସନ୍ଦେହର ମେଘ !

 

ମେଘ ଘୋଟି ଆସିଚି ଆକାଶ ସାରା । ବରଗଛର ଛୋଟ ଛୋଟ ଫାଙ୍କ ଦେଇ ଦେଖାଯାଉଚି ଚେନାଏ ଚେନାଏ ଆକାଶ । ସେଇ ଫାଙ୍କ ଭିତରକୁ ନିରୀକ୍ଷଣ କରୁଥିଲା ଅମର । ଏଇ ଟୁକୁରା ଟୁକୁରା ଦେଖାଯାଉଥିବା ଆକାଶ ଭଳି ତା’ ଜୀବନର କେତେ ଟୁକୁରା ଜାଣନ୍ତି ଦୁନିଆଁ କେତେ ଜଣ ? କଲେଜ ପିଲାଏ ଜାଣନ୍ତି ସେ ମେଧାବୀ, ସେ ନିରୀହ ସେ ଶାନ୍ତଶିଷ୍ଟ ବୋଲି । ପିଲାଦିନର ସାଙ୍ଗ ସାଥୀମାନେ ଜାଣନ୍ତି ଅମର ଆସିଲେ ଲୁଚେଇ ଲୁଚେଇ ହସିବେ । ଆଉ ଗାଁ ଲୋକେ ଜାଣନ୍ତି ଅମରର ଜନ୍ମ ଜାତକ ।

 

ଚମକି ପଡ଼ିଲା ଅମର । ବରଗଛର ପାଚିଲା ଫଳ କେଇଟା ପୋଖରୀରେ ପଡ଼ିଲା ଟବ୍‍ ଟାବ୍‍ । ପାଖ ତାଳଗଛରୁ ବାଦୁଡ଼ିଗୁଡ଼ାକ କେଁ କେଁ କରି ଉଡ଼ିଗଲେ ଆକାଶରେ ସିଆର କାଟି କାଟି-। ତଳ ମାଟିଟା ଓଦାଳିଆ । ତାରି ଭିତରେ ହୁଏତ ପୋକ ଜୋକ ବସା ବାନ୍ଧିବାକୁ ଆରମ୍ଭ କରିବେଣି । ମଲା ଘାସ ବଞ୍ଚିବାକୁ ଚେଷ୍ଟା କରିବଣି । କେତେ ଅଜଣା ଗଛର ମଞ୍ଜ ଫଟେଇ ମୁଣ୍ଡ ଟେକୁଥିବେ ସତେଜ ସଜୀବ ଚାରା ଗଛ । ସମସ୍ତଙ୍କର ବଞ୍ଚିବା ପାଇଁ ସଂଗ୍ରାମ, କିନ୍ତୁ ଅମର–ସେଇ ବରଗଛଟା ତଳେ ଶୋଇ ଶୋଇ କେମିତି ମରିବ ତା’ରି ଉପାୟ ଚିନ୍ତା କରୁଚି ।

 

କାହାର ସ୍ୱାକ୍ଷର ନେଇ ବଞ୍ଚିରହିବ ଏ ଦୁନିଆ ଭିତରେ ?

 

ଚାରିଆଡ଼କୁ ଚାହିଁଲା ଅମର । ପୋଖରୀ-ହୁଡ଼ାଟାରୁ ଏଇ ଯୋଉ ରାସ୍ତାଟା ଚାଲିଯାଇଚି ଗାଁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ସେଇଟା ଏଇ ଅନ୍ଧାର ଭିତରେ ବି ଝାପ୍‍ସା ଦେଖାଯାଉଚି । ତାରି ଭିତରେ ଦୃଷ୍ଟି ରଖି ଅମର ଭାବିଲା—କ’ଣ କରୁଥିବ ରେବ ବର୍ତ୍ତମାନ ?’’ ହୁଏତ ଭାତ ରାନ୍ଧୁଥିବ । ଭାତ ରାନ୍ଧି ସାରି ସେଇମିତି ଜଗି ବସିଥିବ—କିନ୍ତୁ ଅମର ଆଉ ଫେରିବ ନାହିଁ । କାଲି ସକାଳେ ରେବ ଆସି ଦେଖିବ ଏଇ ବରଗଛ ଏଇ ଡାଳଟାରେ ଝୁଲି ପଡ଼ିଚି ତା’ର ପୁଅ ଅମୁ । କାନ୍ଦିବ ରେବ, କାନ୍ଦୁ ନା ? କିନ୍ତୁ ତାର ସବୁ ଆଖି ଲୁହଯାକ ବାମ୍ଫ ହେଇଯାଇଚି । ସେ ବୋଧହୁଏ ଆଉ ଝରିବ ନାହିଁ ।

 

କୋଉଠୁ ପାଇବ ଖଣ୍ଡେ ଦଉଡ଼ି ? ଘରୁ ଆସିଲାବେଳେ ସେତକ ଆଣିବା ତା’ର ଉଚିତ ଥିଲା; ନ ହେଲେ କେମିତି ସେ ମରିବ ?

 

କାଲି ସକାଳୁ ଯେତେବେଳେ କାନ୍ଦି କାନ୍ଦି ଗାଁ ଫଟେଇବ ରେବ, ସେତେବେଳେ ସାରା ଗାଁ ଲୋକେ ଜାଣିବେ ରେବର କିଛି ଗୋଟାଏ ହେଇଚି । ତା’ପରେ ଦୌଡ଼ିବେ ରେବ ଘରକୁ ।

 

ସମସ୍ତେ ଜାଣିବେ ଅମର ଦଉଡ଼ି ଦେଇ ମଲା । ତା’ପରେ ସେ ସମ୍ୱାଦ ଆସ୍ତେ ଆସ୍ତେ ଚାରିଆଡ଼କୁ ବ୍ୟାପିଯିବ । କଲେଜର ପିଲାଏ ଶୁଣିବେ, ଶୁଣିବ ନର୍ମଦା—ଅମରର ଅନ୍ତର ଭିତରୁ କୋହ ଉଠି ତା’ର ସାରା ଶରୀରଟାକୁ ଅବଶ-ଅବସନ୍ନ କରି ପକେଇଲା । ଏଇ ନର୍ମଦାକୁ ସେ ଦିନେ ଦୟା କରୁଥିଲା । ତା’ର କେହି ନାହିଁ ବୋଲି ଦିନେ ତାକୁ ଆଶ୍ୱାସନା ଦଉଥିଲା । କିନ୍ତୁ ଆଜି ସେ ନିଜେ କେଡ଼େ ଅସହାୟ ! କିଏ ଅଛି ତା’ର ? କେହି ତାର ହେଇ ରହିଲେନି—

 

‘ମୋର ଆଉ କିଏ ରହିଲା ଅମର !’ ଆଖିରୁ ଲୁହ ପୋଛୁ ପୋଛୁ ନର୍ମଦା କହିଥିଲା, ଯୋଉଦିନ ତା’ର ଶେଷ ସମ୍ୱଳ ବାପା ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପଡ଼ି ପଡ଼ି ମଲେ ।

 

ଦିନେ ହେଲେ ନର୍ମଦା ତା’ର ବାପା ଉପରେ ଭରସା କରିନି; ଚାରି ଚାରିଟା ଟିଉସନ୍‍ କରି ଘର ଚଳେଇଚି । ନିଜ ପାଠ ପଢ଼ିବା ପାଇଁ ବି ପାଥେୟ ଯୋଗାଡ଼ କରିଚି । ଅଥଚ ସେଇ ବାପା ଯାହାକୁ ଦିନେ ହେଲେ ନର୍ମଦା ଭରସା କରିନି, ସିଏ ମରିଗଲା ପରେ ନର୍ମଦା କାନ୍ଦିଚି ।

 

କଲେଜରେ ଦୁଇଜଣଯାକ ପଢ଼ନ୍ତି ଏକା କ୍ଲାସରେ । ଦୁଇଜଣ ଯାକ ଟିଉସନ କରି ଚଳନ୍ତି । ସେଇ ସୂତ୍ରରୁ ଅମର ସାଙ୍ଗରେ ନର୍ମଦାର ପରିଚୟ ।

 

‘ୟାକୁ ଚିହ୍ନିଚୁରେ ଅମର ?’ ଶଶି ସେଦିନ ପରିଚୟ କରେଇ ଦବାକୁ ଯାଇ ଅମରକୁ କହିଥିଲା । ଆସିବା ଦିନଠାରୁ ଶଶି ସାଙ୍ଗରେ ଅମରର ଖୁବ ଘନିଷ୍ଠତା । ଏକା ମେସ୍‍ ରେ ରହନ୍ତି, ଏକା ସାଙ୍ଗରେ ପଢ଼ନ୍ତି ।

 

ଆଉ ଶଶି ସାଙ୍ଗରେ ନର୍ମଦାର ପରିଚୟ ଥିଲା ଅନେକ ଆଗରୁ । ଏକା ସାଙ୍ଗରେ, ଏକା ସ୍କୁଲରୁ ମେଟ୍ରିକୁଲେଶନ ପାଶ କରିଥିଲେ, ପରିଚୟ କରେଇ ଦେଇଥିଲା ଶଶି—‘ଇଏ ନର୍ମଦା ଆଉ ଇଏ ଅମର ।’

 

‘ହଁ, ଇଏ ଆମ ସାଙ୍ଗରେ ପଢ଼ନ୍ତି’—ମନ୍ତବ୍ୟ କରିଥିଲା ଅମର । ଶଶି ଥଟ୍ଟା କରି କହିଥିଲା—‘ଖାଲି ଏକା ସାଙ୍ଗରେ ପଢ଼ନ୍ତି ନାହିଁ ରେ ବୁଦ୍ଦୁ, ସମଗୋତ୍ର ।’ ବୁଝିପାରି ନଥିଲା ଅମର ଏଇ ସମଗୋତ୍ରର ଅର୍ଥ କ’ଣ ହେଇପାରେ । କ୍ଲାସର ଘଣ୍ଟା ପଡ଼ିଯାଇଥିଲା । ସମସ୍ତେ କ୍ଲାସକୁ ଚାଲିଯାଇଥିଲେ । ଅର୍ଥ ଜାଣିବାର ଉଦ୍‍ବିଗ୍ନତା ଓ କ୍ଲାସ ଯିବାର ବ୍ୟସ୍ତ ଚଞ୍ଚଳତା ଭିତରେ ଚାପା ପଡ଼ିଯାଇଥିଲା ।

କିନ୍ତୁ ଯୋଉଦିନ ଅମର ଆବିଷ୍କାର କଲା ଏଇ ସମଗୋତ୍ରର ଅର୍ଥ, ସେଦିନ ପରିଚୟ ଆଉ ପରିଚୟ ହେଇ ରହିଲା ନାହିଁ । ପରିଚୟ ହେଇଗଲା ଘନିଷ୍ଠତା । ସେଦିନ ଅମର ଆବିଷ୍କାର କରିଥିଲା ଯାହାର ପୁଅକୁ ସେ ପଢ଼େଇବାପାଇଁ ଯାଏ । ସନ୍ଧ୍ୟାରେ, ତାର ଝିଅକୁ ପଢ଼େଇବାପାଇଁ ସକାଳେ ଯାଏ ନର୍ମଦା । ଟିଉସନ୍‍ ଟଙ୍କା ଆଣିବାକୁ ଯାଇ ଦି’ଜଣଯାକ ଧରାପଡ଼ିଥିଲେ ଦିଜଣଙ୍କ ପାଖରେ । ଅମର ହସିଥିଲା, ନର୍ମଦା ଲାଜେଇ ଯାଇଥିଲା ।

‘ଏତେ ଦିନପରେ ଏଇ ସମଗୋତ୍ରଟାର ଅର୍ଥ ମୁଁ ଆବିଷ୍କାର କରିପାରିଚି ନର୍ମଦା ଦେବୀ’—ବାଟ ଚାଲୁ ଚାଲୁ ଅମର କହିଥିଲା ।

ନର୍ମଦା କହିଲା—‘‘କିନ୍ତୁ ଏଥିରେ ସମ୍ମାନ ନାହିଁ, ଅଛି ଗ୍ଳାନି ।

—‘ମିଛକଥା’

—‘ନା ନା, ମୋଟେ ମିଛକଥା ନୁହେଁ ଅମରବାବୁ ।’ ଅସହାୟ ଭାବରେ ନର୍ମଦା କହିଥିଲା ।

‘ତା ହେଲେ ଆପଣ କ’ଣ କହୁଚନ୍ତି ଚଳିବାର ଯଥେଷ୍ଟ ପାଥେୟ ଥାଇ ସୁଦ୍ଧା ଆମେ ଖୁସିରେ ଟିଉସନ କରୁଛୁଁ—’ ଜୋର ଦେଇ ଅମର କହିଥିଲା । ‘ନା ମୁଁ ଠିକ୍‍ ସେକଥା କହୁ ନାହିଁ, କିନ୍ତୁ ଯେଉଁମାନେ ଟିଉସନ ଦଉଚନ୍ତି, ସେମାନେ ଗୋଟାଏ ଜାତି ପର୍ଯ୍ୟାୟରେ ରଖିଦେଇଚନ୍ତି ।

 

—‘ଅର୍ଥାତ୍‍ ?’

 

‘ଅର୍ଥାତ୍‍ ଆମର ଭବିଷ୍ୟତ ହେଉଚି ଚାକିରି କରିବା ।’

 

‘ବେଶ ତ ।’ ଟିକିଏ ଅନ୍ୟମନସ୍କ ହେଇପଡ଼ିଥିଲା ଅମର ।

 

ବଞ୍ଚିବାପାଇଁ କେତେ ଯୁଦ୍ଧ କରୁଚି ନର୍ମଦା ସେଇଦିନ ଅମର ଜାଣିଥିଲା । ଛ ମାସ ଧରି ବାପା ତା’ର ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ । ପିଲାଟି ଦିନରୁ ମା’ ତାର ମରିଯାଇଚି । ଗର ଚଳେଇବା ପାଇଁ, ପାଠ ପଢ଼ିବାପାଇଁ ଅସହାୟ ନର୍ମଦା ମୁମୂର୍ଷୁ ସଂଗ୍ରାମ କରିଚାଲିଚି ଦିନକ ପରେ ଦିନ । ‘ବାପାଙ୍କପାଇଁ କଣ କରୁଛନ୍ତି ନର୍ମଦା ଦେବୀ ?’

 

ହସିଥିଲା ସେ କେମିତି ଟିକିଏ ବିଦ୍ରୂପମିଶା ହସ । କହିଥିଲା, ‘ମୁଁ-ମୁଁ କ’ଣ କରିପାରିବି ଅମରବାବୁ ?’ ଟିକିଏ ରହି ପୁଣି ଆରମ୍ଭ କରିଥିଲା, ‘ଗରିବ ଘରେ ଏମିତି ଦୁରୁହ ରୋଗ ହେଲେ ଯାହା ହବାର କଥା ସେଇୟା ହବ ।’

 

—‘ମାନେ ?’ ଆଶ୍ଚର୍ଯ୍ୟ ହେଇ ପଚାରିଥିଲା ଅମର ।

 

—‘ମାନେ ମୃତ୍ୟୁ ।’

 

‘ନର୍ମଦା ଦେବୀ !’ ଚମକି ପଡ଼ିଥିଲା ଅମର ।

 

‘ଏମିତି ଚମକି ପଡ଼ିଲେ ଯେ ? ଯାହାର ପଇସା ନଥାଏ ଡାକ୍ତର ଦେଖେଇବାକୁ, ଯାହାର ପଇସା ନଥାଏ ଇଞ୍ଜେକ୍‍ସନ୍‍ କିଣିବାକୁ, ତା’ର ଯମ ଛଡ଼ା ଆଉ ଭଲ ଚିକିତ୍ସା କିଏ କରିପାରିବ ବୋଲି ଆପଣଙ୍କର ବିଶ୍ୱାସ ହଉଚି ଅମରବାବୁ ?’

 

ତା’ହେଲେ ଆପଣ କଣ କହୁଚନ୍ତି ବିନା ଚିକିତ୍ସାରେ.......’

 

‘ହଁ, ବିନା ଚିକିତ୍ସାରେ ତାଙ୍କୁ ଏ ସଂସାର ଛାଡ଼ିବାକୁ ପଡ଼ିବ ।’ ଶେଷ ବେଳକୁ କେମିତି ନିର୍ଜୀବଙ୍କ ଭଳି କଥା କହୁଥିଲା ନର୍ମଦା । ‘ବିନା ଫିସ୍‍ ରେ ଡାକ୍ତର ଆସିବ ନାହିଁ, ବିନା ପଇସାରେ ଇଞ୍ଜେକ୍‍ସନ କିଣାଯାଇପାରିବ ନାହିଁ । ମୃତ୍ୟୁ ଛଡ଼ା ଆଉ ଭଲ ସେବା କିଏ ଦେଇପାରିବ ମୋ’ ବାପାଙ୍କୁ ?’

 

ଆଉ ସେଇ ଚାଲିବା ଭିତରେ ଅମର ମିଳଉଥିଲା ନିଜକୁ ଆଉ ନର୍ମଦାକୁ । ତାର ବାପା ନାହିଁ । ନର୍ମଦାର ବାପା ଅଛି । ତାର ବୋଉ ଅଛି, ନର୍ମଦାର ବୋଉ ନାହିଁ । ବଡ଼ ଆଶ୍ଚର୍ଯ୍ୟ ସଂଗତି ଦୁଇ ଜଣଙ୍କ ଭିତରେ ।

 

କିନ୍ତୁ ଏଇ ସଂଗତି ଭିତରେ କେତେ ବଡ଼ ଖାଲି, କେତେ ବଡ଼ ଶୂନ୍ୟତା ଆଜି ଅମର ବୁଝୁଚି, ଆଉ ବୁଝୁଚି ବୋଲି ସେ ନିଜକୁ ଏମିତି ସମସ୍ତଙ୍କ ଅଜଣାରେ ଶେଷ କରିଦବାକୁ ଚାହୁଁଚି । ଆଜି ଗାଁ ଲୋକେ ଦେଖି ହସୁଚନ୍ତି; କାଲି ହାତ ଠାରି କହିବେ—ଏଇ ଅମର ଏଇ ଅମର ।

 

ଅମର ! ଅମର ! ଅମରର ଘନ ନିଦ ପତଳା ହେଇ ଆସୁଥିଲା । କିଏ ଯେମିତି ବାହାରୁ ଡାକୁଚି; ପାଖ ସିଟରେ ଶୋଇଛି ଶଶି, ନାକ ଡାକୁଚି ତାର—ଆଉ ବାହାରେ ବର୍ଷାର ତାଣ୍ଡବ—ଏତେ ରାତିରେ କିଏ ଡାକୁଚି ତାକୁ ? ନିଜକୁ ନିଜେ ପ୍ରଶ୍ନ କରୁଥିଲା ଅମର । ପୁଣି ଏଭଳି ଗୋଟାଏ ଦୁର୍ଯ୍ୟୋଗ—ଭରା ରାତିରେ ।

 

‘ଅମର, ଅମର !’ ନାଃ, ଆଉ ଅପେକ୍ଷା କରିବାର ନୁହେଁ, କବାଟ ଖୋଲି ଧରି ଚମକି ପଡ଼ିଲା ଅମର, ‘କିଏ ନର୍ମଦା ?’ ରାସ୍ତାର ଆଲୁଅ ତା’ ମୁହଁରେ ପଡ଼ିଚି ।

 

‘ଏତେ ରାତିରେ ?’

 

ନର୍ମଦା ଯେମିତି କିଛି କହିପାରୁ ନଥିଲା । ଖାଲି କବାଟକୁ ଆଉଜି ଗୋଟାଏ ପଥର ଭଳି ଛିଡ଼ା ହେଇଥିଲା ।

 

‘କଥା କୁହ ନର୍ମଦା ! ଇସ୍‍ ଗୋଟାଟାଯାକ ଭିଜିଯାଇଚ ।’ ତା’ହାତ ଧରି ଭିତରକୁ ଟାଣି ନେଲା ଅମର, ସେ ଅଧିକାର ସେ ଦାବୀ କରିନଥିଲା ନର୍ମଦାଠାରୁ; କିନ୍ତୁ ଘନିଷ୍ଠତାର ନିବିଡ଼ ଛାୟା ତଳେ ଯଦି ଦୁଇଜଣ ଦୁଇ ଜଣଙ୍କୁ ପାଖରେ ପାଇବାକୁ ଚାହାନ୍ତି—ତେବେ ଦୋଷ କାହାର ? ଏଇ ଘନିଷ୍ଠତା ଭିତର ଦେଇ ବଦଳିଯାଏ ଅନେକ କିଛି; ‘ଆପଣ’ ପାଲଟି ଯାଏ ‘ତୁମକୁ’, ଦେବୀ ଆଉ ବାବୁ ଡାକର ପ୍ରହସନ ରହେନା—ଗୋଟାଏ ସ୍ୱଚ୍ଛନ୍ଦ ଆତ୍ମପ୍ରକାଶର ମଧ୍ୟ ଦେଇ ମନ ଆପଣାଛାଏଁ ଲଙ୍ଗଳା ହୋଇଯାଏ ।

 

କିନ୍ତୁ ସେଇ ଲଙ୍ଗଳାମନର ଇଏ ଆଉ ଗୋଟାଏ ରୂପ । ଦୁର୍ଘଟଣାର ଖଣ୍ଡିଆଭୂତ ତା’ଚାରିପାଖରେ ପିଟିପିଟି ତାକୁ କ୍ଷତ ବିକ୍ଷତ କରିଛି । କୁତ୍ସିତ କଦାକାର ରୂପ ଦେଇଛି । ସେ ଶେଷ ହେଇଯିବାକୁ ଚାହୁଁଛି ।

 

ଓଦାସରସର ଶାଢ଼ୀରୁ ପାଣି ବୋହି ବୋହି ଘର ଭିତରଟାରେ ଗୋଟାଏ ଧାରା ସୃଷ୍ଟି ହେଇଚି । ତା’ ହାତକୁ ଧୋତି ଖଣ୍ଡେ ବଢ଼େଇଦେଇ ଅମର ପଚାରିଥିଲା—‘କଥା କଣ ନର୍ମଦା, ଏଇ ଦୁର୍ଯୋଗ ରାତିରେ ଏତେ ଦୂରରୁ ଦୌଡ଼ି ଦୌଡ଼ି କାହିଁକି ଆସିଚ ?’

 

ବିଚାରୀ କାନ୍ଦି ଉଠିଥିଲା, ଶୀତଳ ବରଫ ଉଷ୍ମତା ପାଇ ତରଳୁଥିଲା ଯେମିତି । କାନ୍ଦି କାନ୍ଦି କହିଲା—‘ମୋର ଆଉ କେହି ନାହିଁ ଅମର ।’

 

‘ନର୍ମଦା !’ ଅମର ଯେମିତି କିଛି ବିଶ୍ୱାସ କରି ପାରୁନଥିଲା; କିନ୍ତୁ ବିଶ୍ୱାସ କରିବାକୁ ହବ, ଅଘଟଣ ତ ସବୁ ସମୟରେ ଘଟେ । ଇଏ ଜଣାଶୁଣା କଥା ‘କେତେବେଳେ ଚାଲିଗଲେ ?’

 

ବହୁତ କଷ୍ଟରେ ନିଜକୁ ସଂଯତ କରି ନର୍ମଦା କହିଥିଲା—‘ରାତି ଦଶଟାରେ ।’ ‘ସତ୍କାର ହେଇନି ନିଶ୍ଚୟ ?’

 

‘ନା’—ଟିକିଏ ନିରବ ରହି ତାପରେ କହିଥିଲା, ‘କିଏ ଅଛି ମୋ’ର ସତ୍କାର କରିବାକୁ ?’

 

ଠେଲି ଠେଲି ଶଶିକୁ ଉଠେଇଥିଲା ଅମର । ଶଶି ପ୍ରଥମେ ଶୁଣି ବିଶ୍ୱାସ କରିପାରି ନ ଥିଲା । କିନ୍ତୁ ଏତେ ରାତିରେ ପୁଣି ଏଭଳି ଦୁର୍ଯୋଗରେ ନର୍ମଦା ଆସିଚି ।

 

ଅମର କହିଥିଲା—ଚାହୁଁଚୁ କଣରେ ଶଶି, ଉଠ୍‍, ଯିବା ।’

 

ଶଶି କିଛି ନକହି ଖଟଉପରୁ ଉଠିଆସିଥିଲା ।

 

ଆଉ ସେଇ ନିର୍ଜନ ରାତିରେ, ସେଇ ଢ଼ୁ’ ଢ଼ୁ ବର୍ଷା ଭିତରେ ନର୍ମଦାର ପଡ଼ୋଶୀ ଦି’ଚାରି ଜଣଙ୍କୁ ଧରି ଅମର ଆଉ ଶଶି ମଶାଣିଭୂଇଁକୁ ଶବ କାନ୍ଧେଇ ଚାଲି ଯାଇଥିଲେ । ସେଦିନ ସାହସ ଥିଲା, କିନ୍ତୁ ଆଜି ଆଉ ସେ ସାହସ ନାହିଁ ।

 

ଗୋଟାଏ ଭୀରୁ କାପୁରୁଷ ଭଳି ନିଜକୁ ନିଜେ ଶେଷ କରିଦବାକୁ ବସିଛି ଅମର ।

 

ସତରେ ଅବଲମ୍ୱନଟା ମଣିଷର କେଡ଼େ ଦରକାରୀ ? ସେଦିନ ଶବ କାନ୍ଧେଇ ନେଇ ଯାଉ ଯାଉ ଅମରର ଏଇ କଥା ମନେ ପଡ଼ିଥିଲା । ନର୍ମଦାର ବାପା ବଞ୍ଚିଥିଲେ ତା’ର ଖାଲି ଖର୍ଚ୍ଚ ବଢ଼ି ଥାଆନ୍ତା । ଦୁନିଆଁ ଭିତରେ ନର୍ମଦାର ବାପା ସୃଷ୍ଟି ଛଡ଼ା ଜୀବ ଭଳି ଅନାକାଙ୍‍କ୍ଷିତ, ବେଦରକାରୀ; କିନ୍ତୁ ନର୍ମଦା ତାର ବାପା ମରିଗଲା ବେଳକୁ କାନ୍ଦିଥିଲା ।

 

‘ମୋର ଆଉ କିଏ ରହିଲା ଅମର ।’ ସେଦିନ ଶବ ସତ୍କାର କରି ଫେରିଲା ପରେ ନର୍ମଦା ଏତକ କହିଥିଲା । ସେଇ ସ୍ତିମୀତ ଆଲୋକ ଭିତରେ ଗୋଟାଏ କ୍ରନ୍ଦନଶୀଳ ମନର ପରିଚୟ ପାଇଥିଲା ଅମର । ଯେତେ ଯିଏ ଅଦରକାରୀ ହଉ ବରଂ ତଥାପି ଗୋଟାଏ ଅବଲମ୍ୱନ, ଯାହାକୁ ସାକ୍ଷୀ ରଖାଯାଇପାରେ ଭରସା କରାଯାଇ ପାରେ ।

 

ମଣିଷର ଛାଇ କାହାରି କେତେବେଳେ ଦରକାରକୁ ଆସେନା, ତଥାପି ମଣିଷ ଅଛି ବୋଲି ଚିହ୍ନେଇ ଦିଏ ସେଇ ଛାଇଟା । ତାର ବାପାକୁ ଛାଡ଼ିଦେଲେ ତାର ଅସ୍ତିତ୍ୱ କାହିଁ ?

 

ବହୁତ ବୁଝେଇଥିଲା ଅମର । ହୁଏତ ନର୍ମଦା କାନ୍ଦ ବନ୍ଦ କରିଥିଲା; କିନ୍ତୁ ସାହାହୀନ ଜୀବନରେ କାନ୍ଦତ ନୁହେଁ, ତା’ସାଙ୍ଗରେ ଅଛି ଲୁହ, ତା’ସାଙ୍ଗରେ ଅଛି ଦୀର୍ଘଶ୍ୱାସ ।

 

ଛାତି ଫଟେଇ ଦୀର୍ଘଶ୍ୱାସ ବାହାରି ଆସିଲା ଅମରର । କେହି ନାହିଁ, ଅବଲମ୍ୱନ ନାହିଁ ସାହା ନାହିଁ, ବିରାଟ ସୃଷ୍ଟି ଭିତରେ ନିରାଟ ଏକା ଅମର ।

 

ଆକାଶରେ ଆହୁରି ମେଘ ଘନେଇ ଆସିଚି । ପବନ ଟିକିଏ ଜୋର୍‍ ରେ ବୋହିବାକୁ ଆରମ୍ଭ କଲାଣି । ହୁଏତ ବର୍ଷା ହବ । କଣ କହୁଛି ଏ ବର୍ଷଣଶୀଳ ମେଘ ? ବରଗଛର ଛୋଟ ଫାଙ୍କ ଦେଇ ଆକାଶକୁ ଚାହିଁଲା ଅମର । ଫେରିଯିବାପାଇଁ ହୁଏତ କହୁଛି; କିନ୍ତୁ କାହିଁକି ଫେରିବ ?

 

ଅଠର ବର୍ଷ ଧରି ପାଳିଛି ପୋଷିଚି ବୋଲି ହୁଏତ ରେବର କେମିତି ଟିକିଏ ମମତା ଆସିଯାଇଛି । ହୁଏତ, ଦିନେ ଦୁଇଦିନ ରେବ କାନ୍ଦିବ; ମଥା ପିଟିବ; ତା’ପରେ ଭାବିବ—ଯିଏ ପର ତାକୁ ନିଜର କରିବାକୁ ଯାଇ ସେ ଭୁଲ କରିଛି; କିନ୍ତୁ କି ଦରକାର ଥିଲା ତାକୁ ତୁଳାରେ ଦୁଧ ଖୋଇ ବଞ୍ଚେଇବାରେ ? ଅଠର ବର୍ଷ ପରେ ଯୋଉ ପିଲାଟା ଆତ୍ମଗ୍ଳାନିରେ ମରିବାକୁ ଯାଉଚି, ତାକୁ ଅଠର ବର୍ଷ ତଳେ ତୋଟି ଚିପି ଫୋପାଡ଼ି ଦେଇଥିଲେ କେହି କିଛି କହି ନଥାନ୍ତେ ।

 

ବଞ୍ଚି ରହିଚି ବୋଲି ତ ଆଜି ଦୁନିଆର ଆଉ ଦଶ ଜଣଙ୍କର ପଂକ୍ତିରେ ତା’ର ସ୍ଥାନ ନାହିଁ-। ସେ ଅପାଂକ୍ତେୟ, ସମସ୍ତଙ୍କ ଚଲାବାଟରୁ ତ ଆଜି ତାକୁ ଠେଲି ଠାଲି ଅମଡ଼ା ବାଟକୁ ବାହାର କରି ଦେଇଚନ୍ତି । ଆଉ କାହାକୁ ବା ଦୋଷ ଦେଇ କି ଲାଭ ତା’ର ? ଯୋଉ ରେବ ତାକୁ ଅଠର ବର୍ଷକାଳ ଛାତିରେ ଜାକିଧରି ମାତୃତ୍ୱର ଗର୍ବରେ ଫୁଲି ଉଠିଥିଲା, ସେଇ ରେବ ତାକୁ ଆଜି କି ଆଖିରେ ଦେଖିଲା !

 

ଶୀତେଇ ଉଠିଲା ଅମରର ଦେହ । କଥା କହୁଁ କହୁଁ ରେବ ଗୃଣାରେ ମୁହଁ ଫେରେଇ ନେଇଥିଲା । ନାଁ ନାଁ, ରେବ ମା’ ହବାର ଗୌରବରେ ଫୁଲି ଉଠି ନ ଥିଲା ସେଦିନ । ବରଂ ଗୋଟାଏ ଉପେକ୍ଷିତ ପତିତ ଅମରକୁ ରାସ୍ତା କଡ଼ରୁ ଗୋଟାଇ ଆଣି ସ୍ଥାନ ଦେଇଥିଲା ବୋଲି ତା’ ମନରେ ତା’ ପାଇଁ ଥିଲା ଅନୁକମ୍ପା । ହୁଏତ ଭାବିଥିଲା ଅମର ତାକୁ ଦିନେ କୃତଜ୍ଞତା ଜଣେଇବ ।

 

ଏତେ ଦୁଃଖରେ ବି ହସି ଉଠିଲା ଅମର । କୃତଜ୍ଞତା–କୃତଜ୍ଞତା ଜଣେଇବ ସେ ରେବକୁ-? ତା’ର ଏ ଅଯଥା ଭଲଲୋକୀ ପାଇଁ ଅମର ତାକୁ ବଧେଇ ଜଣେଇବ ? ଅନ୍ତର ଭିତରୁ ଉଠିଆସୁଥିବା ଗୋଟାଏ ଉତ୍କଟ ଅଟ୍ଟହାସ୍ୟକୁ ଜୋର ଦେଇ ରୋକିନେଲା ଅମର । ବିଚାରୀ ରେବ, ଧାନ କୁଟି, ମୂଲ ଲାଗି ତାକୁ ମଣିଷ କରିଥିଲା । କେତେ ଆଶା କରିଥିଲା—ଚାକିରି କଲେ ଅମର ତାକୁ ପୋଷିବ ବୋଲି । କିନ୍ତୁ ସେ ତ ଜାଣିନି ଏଇ ଅମରର ଅନ୍ତର ତଳେ କେମିତି ବିଦ୍ରୋହର ସୃଷ୍ଟି ହେଇଚି । ତା’ର ଏଇ ସାମାନ୍ୟ କଥା ପଦକ ଭିତରେ ଅମର କେମିତି ଚାଲିଆସିଚି ଦଉଡ଼ି ଦେଇ ମରିବାକୁ ।

 

ସତକୁ ସତ ଆତ୍ମହତ୍ୟା କରିବ ? ନିଜର ହାତ ଗୋଡ଼ ଶିରା ପ୍ରଶିରାକୁ ତୀକ୍ଷ୍‍ଣ ଦୃଷ୍ଟି ଦେଇ ସେ ଅନେଇଲା, କିଏ ତାକୁ ସୃଷ୍ଟି କରିଥିଲା ଏମିତି । ଏଇ ଅବୟବ, ଏଇ ସୁନ୍ଦର ଦେହ—କ’ଣ ୟାର ମାନେ ରହିବ ମାତ୍ର କେଇଘଣ୍ଟା ପରେ ? ଏଇ ଅଠରଟା ବର୍ଷ ବଞ୍ଚିବା ପାଇଁ ଅନେକ ସଂଗ୍ରାମ ସେ କରିଚି । କାହିଁ ଦିନେ ହେଲେ ତ ତା’ ମନରେ ଏ ପ୍ରଶ୍ନ ଉଠିନି ! ଦିନେ ହେଲେ ତ ଏମିତି ଶେଷ ହେଇଯିବାର ଅଦମ୍ୟ ପ୍ରେରଣା ସେ କାହାରିଠୁ ପାଇନି ।

 

କିନ୍ତୁ ଆଜି, ଆଜି ତା’ର ଏ କ’ଣ ହେଲା ? ଗୋଟାଏ ଦିନର ଏ ସାମାନ୍ୟ କେଇପଦ କଥା ଭିତରେ ଉଡ଼ିଗଲା ତା’ର ଏତେଦିନର ଲଢ଼େଇ ? ଖଣ୍ଡ ଖଣ୍ଡ ହେଇଗଲା ତା’ର ଏ ତାସ୍‍ର ଘର ? ଉଭେଇ ଗଲା ତା’ର ଏ ବଞ୍ଚିବାର ନିଶା ? ଝରିଆସିଲା ଆଖିଭରି ଅଶ୍ରୁ । ଗୋଟାଏ ଉଦ୍‍ଗତ କାନ୍ଦକୁ ଚାପିବାକୁ ଯାଇ ତା’ର ଓଠ ଥରିଉଠିଲା । ଇଚ୍ଛା ହେଲା ଥରେ ଗଳା ଫଟେଇ କାନ୍ଦିବାକୁ ।

 

‘କୁଆଁ’–‘କୁଆଁ’–କାନ ଠିଆ କଲା ଅମର । ଗାଁ ଶେଷ ମୁଣ୍ଡରୁ ଭାସି ଆସିଲା–‘କୁଆଁ, କୁଆଁ’–ଗୋଟାଏ ନବଜାତକର କ୍ରନ୍ଦନ । ଏଇ ଯେ ଶିଶୁ ଆଜି ଜନ୍ମ ହେଲା–ସେ ବଞ୍ଚିବ, ତାର ବାପ ମା’ର ପରିଚୟ ନେଇ ସେ ବଞ୍ଚିବ, ଆଉ ସେ ବଞ୍ଚିବା ଭିତରେ ହୁଏତ ଏତେ ଟିକିଏ ଫାଙ୍କି ନାହିଁ, ବିଦ୍ୱେଷ ନାହିଁ, ଘୃଣା ନାହିଁ । ତାକୁ ଦେଖି ଗାଁ ଲୋକେ ଥଟ୍ଟା କରିବେ ନାହିଁ । ତାକୁ ଦେଖି ପିଲାମାନେ ହସିବେନି, କିନ୍ତୁ ଅମର ନିଜେ ? ଗୋଟାଏ ବ୍ୟର୍ଥ ନିର୍ମମ ଫଗୁଣର ନିଷ୍ଫଳ ପ୍ରୟାସ ତା’ର ଜନ୍ମର ଇତିହାସ । ଗୋଟାଏ କରୁଣ କ୍ରନ୍ଦନର ଅନ୍ତଃ–ସଲିଳା ଧାରା ତା’ର ସାରା ହୃଦୟରେ ‘କୁଆଁ–କୁଆଁ......’

 

‘କୁଆଁ–କୁଆଁ’–ଚାରିଆଡ଼କୁ ଚାହିଁଲା ରେବ । କୋଉଠି କିଏ ପିଲାଟିଏ କାନ୍ଦୁଚି । ପୋଖରୀହୁଡ଼ା ସେପାଖରୁ ସୂର୍ଯ୍ୟ ଉଙ୍କି ମାରିଲେଣି । ଏଇ ଚାହୁଁ ଚାହୁଁ ଖରା ମାଡ଼ିଆସିବ । କେତେ କାମ ତା’ର ପଡ଼ିଚି । ଆଖି ନିଦରେ ମାଡ଼ି ପଡ଼ୁଚି । ହେଇ କାଲି ତ ସେ ପୁରୀରୁ ଆସି ଗାଁରେ ପହୁଞ୍ଚିଛି । ମହାର୍ଦ ବାଣ୍ଟିବାକୁ ପଡ଼ିବ ଗାଁଯାକ, ତା’ପରେ ମାସକର ଅଣଓଳିଆ ଘର, ଅସନା ଅପରିଷ୍କାର ।

 

ଗୋଡ଼ ଚଞ୍ଚଳ ହେଇ ଉଠିଲା ରେବର । ଟିକିଏ ଡେରି କଲେ ପୋଖରୀ ତୁଠରେ ଟୋକା ବୁଢ଼ା ସଭିଏଁ ହେଇଯିବେ ଖରା ପୋଇଁବାକୁ । ତାପରେ ସେ’ତ ଆଉ ଗାଧୋଇବାକୁ ଆସିପାରିବ ନାହିଁ । ଏ ସତ୍ୟାନାଶିଆ ଗାଁ ଟୋକାଙ୍କର ଆଖି ଯା’—ନିଜର ଅସଂଯତ ଅସଜଡ଼ା ଲୁଗାକୁ ଭଲ କରି ସଜାଡ଼ି ନେଲା ରେବ । ସମସ୍ତଙ୍କର ଆଖି ଯେମିତି ଗଳିଯିବ ଏଇ ଦେହଟାରେ । ଡମ୍ଫା ନେତରା ତ ଚାହିଁଥିବ ତା’ ଆସିବା ବାଟକୁ । ନିଜର ସତର ବର୍ଷର କ୍ଳାନ୍ତ ଶରୀରଟାକୁ ରେବ ଟାଣି ଟାଣି ନେଇ ପୋଖରୀ ତୁଠରେ ପହୁଞ୍ଚିଲା ।

 

କୁଆଁ, କୁଆଁ—ଚମକି ପଡ଼ିଲା ରେବ । କିଏ ଛୁଆଟାଏ ପୋଖରୀ ପାଖରେ କାନ୍ଦୁଚି ? କାନ୍ଦଣା ଯୁଆଡ଼ୁ ଆସୁଚି ସେଆଡ଼କୁ ଆଖି ଫେରେଇ ଦେଖିବାକୁ ଚେଷ୍ଟା କଲା ଥରେ । କୋଣ ଆଡ଼କୁ ସେଇ ଝଙ୍କାଳିଆ ବରଗଛଟା ପାଖରେ ରୁଣ୍ଡ ହେଇଚନ୍ତି କେତେ ଗୁଡ଼ିଏ ଲୋକ । କ’ଣ ଦେଖୁଚନ୍ତି ସେମାନେ—ପିଲାଟିର କାନ୍ଦଣା ।

 

ମନେ ମନେ ଭାବିଲା ରେବ—ଯିବ ଥରେ ଦେଖି ଆସିବ ପିଲାଟାକୁ ? ନାଃ—ଗାଁର ଲୋକଗୁଡ଼ାକ ତାକୁ ଡବ୍‍ ଡବ୍‍ କରି ଚାହିଁବେ, କି ଦରକାର ତା’ର ସେଠିକୁ ଯିବାରେ । ପାଣିଭିତରକୁ ଗୋଡ଼ ବଢ଼େଇଲା ସିଏ । କିନ୍ତୁ ପୁଣି ସେଇ କାନ୍ଦଣା । ଗୋଡ଼ ତା’ର ଯୋଉଠି ସେଇଠି ଥକିଗଲା । ସେ ପିଲାଟିର କାନ୍ଦଣା ଭିତରେ ଥରି ଥରି ଯେମିତି କିଏ ଡାକୁଚି—‘‘ଶୁଣ୍‍, ଶୁଣ୍‍ ରେବ, ତୋ ପାଇଁ ବହୁତ ଜିନିଷ ଏଠି ଅଛି, ତୋ’ର ଖାଦ୍ୟ, ତୋ’ର ଆନନ୍ଦ, ତୋର ବଞ୍ଚିବାର ଅବଲମ୍ୱନ । ତୋ’ର କାନ୍ଦି କାନ୍ଦି କଟଉଥିବା ନିଷ୍ଫଲକ ରାତ୍ରି ସଫଳ ହେଇଯିବ । ତୁ ଆ—ତୁ ଆ ରେବ.......’’

 

ଆଗ୍ରହ, ଉତ୍କଣ୍ଠା ଆଉ ଆବେଗ ନେଇ ଫେରିପଡ଼ିଲା ସେଇ ବାଲ୍ୟ ବିଧବା ଝିଅଟି । ସିନ୍ଦୂର ସେ ନିଜ ହାତରେ ପୋଛି ଦେଇନି, ଦେଇଚି ସମାଜର ନୀତି । ହୁଏତ ସେ ଏମିତି, ଠିକ୍‍ ଏମିତି ପିଲାଟିର କାନ୍ଦଣା ଶୁଣିପାରୁଥାନ୍ତା । ତା’ କୋଳ ଭିତରେ ଏତେବେଳକୁ—କିନ୍ତୁ ରେବ କେବେତ ପ୍ରତିବାଦ କରିନି । ଏତେଦିନ ଧରି ପଛରେ ପକେଇ ଆସିଥିବା ଅତୀତକୁ ଥରେ ଫେରିଚାହିଁଲା ରେବ, ସ୍ୱାମୀ କିଏ ସେ ଜାଣି ନଥିଲା । ଆଜି ବି ସେ ଜାଣିବାକୁ ଚେଷ୍ଟା କରିନି, ତଥାପି ତାକୁ ଲୁହ ଗଡ଼େଇବାକୁ ହବ । ଏକାଦଶୀ କରିବାକୁ ପଡ଼ିବ, ସବୁଭଳି ରେବ ବି ଏଇ ନିୟମଗୁଡ଼ାକ ମାନି ନେଇଚି ତା’ର ଭାଗ୍ୟ ଖରାପର ଦ୍ୱାହୀ ଦେଇ । ପରୀକ୍ଷା କରିବାର ମନୋବୃତ୍ତି ନେଇ ସେ ଜୀବନଟାକୁ କେବେ ଡହକ ବିକଳ କରି ଦେଇନି, କିନ୍ତୁ ତଥାପି...ତଥାପି ସେ ବିଧବା ।

 

ଆଗକୁ ପାଦ ବଢ଼େଇଲା ରେବ । ସେଇ ଲୋକ ଗହଳି ଭିତରୁ ତାକୁ କିଏ ଯେମିତି ଆହ୍ୱାନ କରୁଚି ।

 

କିନ୍ତୁ ଯାଇ ସେ କ’ଣ ଦେଖିଲା ? ଗାଁ ଲୋକଙ୍କ ଥଟ୍ଟା ପରିହାସର ବ୍ୟୁହ ଭିତରେ ପଡ଼ି କାନ୍ଦୁଚି ଗୋଟାଏ କଅଁଳା ପିଲା । ନିହାତି ଶିଶୁ, ବୋଧହୁଏ ଦିନକର ହବ । ମଉ ତା’ରି ଚାରିପାଖରେ ଘେରି ରହିଚନ୍ତି ଗାଁର ବୀର ପୁଙ୍ଗବ ନେତରା, ପଞ୍ଚୁ—ଏଇମାନେ । ଇଚ୍ଛା ହେଲା ଫେରିଯା’ନ୍ତା, କଣ ଲାଭ ଏଇ ନଷ୍ଟ ଜାତକର ପରିଚର୍ଯ୍ୟାରେ ? କାଲିରାତିରୁ ଏଇ ଶୀତ କାକରରେ ପିଲାଟା ପଡ଼ିରହିଚି । ହୁଏତ ଆଉ ବେଶୀ ସମୟ ବଞ୍ଚିବନି ।

 

କିନ୍ତୁ ଶୂନ୍ୟ କୋଳ ତା’ର ହା’ ହା’କାର କରି ଉଠିଲା । ଯଦି ପିଲାଟା ବଞ୍ଚନ୍ତା ତା’ହେଲେ କ’ଣ ବଞ୍ଚନ୍ତାନି ଦୁନିଆରେ ରେବ ମାତୃତ୍ୱର ପରିଚୟ ନେଇ ? ଟିକିଏ ଭାବିଲା ରେବ, ପୋଖରୀ ତୁଠର ଭିଡ଼ ଏଇଠି ଜମି ଯାଇଚି ବେଶୀ । ଆହୁରି, ଆହୁରି ଲୋକ ଜମୁଚନ୍ତି । କିନ୍ତୁ କାହିଁ ? କେହି ତ ହେଲେ ହାତ ବଢ଼େଇଦଉ ନାହାନ୍ତି ପିଲାଟା ଆଡ଼କୁ ? ହେଇ ତ ଗାଁର ନରୁ ଗୋସେଇଁ, ୧୫ବର୍ଷ ହେଲା ବାହା ହେଇ ବି କିଛି ଫଳ ପଳିଲା ନାହିଁ । ସେଥିରେ କେତେ ଓଷଦ, ମହୋଷଦି ଚାଲିଗଲାଣି, ଠାକୁରାଣୀ ଗଲେଣି । ସେ କ’ଣ ପାରନ୍ତେ ନାହିଁ ପିଲାଟାକୁ ନେଇ ? ତାଙ୍କରି ପାଖକୁ ଲାଗି ଠିଆ ହେଇଚି ଗୋବରୀ ସୋଇଁ । ପହରି ଦିନ ଏନ୍ତୁଡ଼ିଶାଳରୁ ପିଲାଟା ମରିଯାଇଚି । କିନ୍ତୁ ତା’ ମନ ତ ଟିକିଏ ହେଲେ ଢଳୁନି ପିଲାଟା ପାଇଁ ? ନବ ? ନେଇଯିବ ରେବ ପିଲାଟାକୁ ?

 

ନଇଁ ପଡ଼ିଲା ରେବ ପିଲାଟା ଆଡ଼କୁ । ଆହୁରି ଜୋରରେ କାନ୍ଦି ଉଠୁଚି ପିଲାଟା । ତାକୁଇ ନବାକୁ ହବ । ଧୀରେ ଧୀରେ ପିଲାଟାକୁ ଉଠେଇ ଚାପି ଧରିଲା ରେବ । ଗାଁର ସଭିଙ୍କର ଅଜା ରାମ ଜେନାର ପାକୁଆ ପାଟି ଆଁ ହେଇଗଲା—ଆଶ୍ଚର୍ଯ୍ୟରେ । ଆଉ ଛତରା ନେତରା ହିଁ ହିଁ ହେଇ ହସିଉଠିଲା; କିନ୍ତୁ ଭିଡ଼ି ଠେଲି ବାହାରି ଆସିଲା ରେବ । ଅନେକ ରଥିଙ୍କ ବିଦ୍ରୂପ ବ୍ୟୁହ ଭିତରୁ ଗୋଟାଏ ନଷ୍ଟ ଅଭିମନ୍ୟୁକୁ ଧରି ଭିଡ଼ି ଠେଲି ବାହାରି ଆସିଲା ବାଲ୍ୟ ବିଧବା ରେବତୀ—ଆଉ ମୁଣ୍ଡକୁ ଚାପିଧରି ସେଘରୁ ପଦାକୁ ଗୋଡ଼ କାଢ଼ିଲା ଅମର । ସବୁଦିନ ପାଇଁ ମା’ ପୁଅର ଏ ସମ୍ୱନ୍ଧ ତା ଆଗରେ ଠିଆ ହେଲା ଏକ ବିରାଟ ଛଳନାର ରୂପ ନେଇ । ଚାରିପାଖରେ ତାର ପ୍ରଳୟର ସୂଚନା, ଆଉ ସେଇ ପ୍ରଳୟର ନିଷ୍ଠୁର ନର୍ତ୍ତନ ଭିତରେ ଅମର ଏକ ପ୍ରଶ୍ନବାଚୀ—ଏକ ଦ୍ୱନ୍ଦ୍ୱ ! ତା’ କାନ ପାଖରେ ବାଜିଗଲା ଗାଁ ଲୋକଙ୍କ ପରିହାସ, ଥଟ୍ଟା, ଆଉ ସାଙ୍ଗ ପିଲାଙ୍କ ହସ । ପ୍ରାଣପଣେ କାନ ଦୁଇଟାକୁ ଚାପି ଧରିଲା ଅମର ।

 

କାନ ଦୁଇଟାକୁ ଚାପି ଧରିଲା ଅମର । ଢାଏକିନି ଗୋଟାଏ ଘଡ଼ଘଡ଼ି ମାରିଦେଲା । କାନ ତା’ର ତାବ୍‍ଦା ହେଇଗଲା, ସେଇ ଶବ୍ଦରେ ଛାତି ଥରି ଉଠିଲା । ତା’ପରେ ନିଜକୁ ନିଜେ ହସି ଉଠିଲା । ମରିବାକୁ ଯିଏ ଯାଉଚି ତା’ର ପୁଣି ଏ ଘଡ଼ଘଡ଼ିକୁ ଡର କାହିଁକି ? ସତରେ କ’ଣ ସେ ଏତେ ଦୁର୍ବଳ ? ମରିବାକୁ ତା’ର ଏତେ ଭୟ ?

 

ବର୍ଷା ଝିପ୍‍ ଝିପ୍‍ ହେଇ ଆରମ୍ଭ ହେଇଗଲାଣି । ବରଗଛର ପତ୍ରରୁ ପତ୍ରକୁ ପାଣି ପଡ଼ୁଚି ଟପ୍‍ଟପ୍‍ । ଜୋରରେ ପବନ ବୋହିଲାଣି । ହୁଏତ ପ୍ରଳୟ ହବ । ଆଉ ଏଇଭଳି ଏକ ପ୍ରଳୟଙ୍କରୀ ରାତିରେ ମିଶିଯିବ ସିଏ ଜୀବନ ଆଉ ମୃତ୍ୟୁ ଏକାକାର କରି ?

 

ଏଇ ସେଇ ବରଗଛଟା, ଯୋଉଠୁ ଦିନକର ଶିଶୁ ସିଏ, ପାଇଥିଲା ବଞ୍ଚିବାର ପ୍ରଶ୍ରୟ । ତା’ରି କୁଆଁ କୁଆଁ କାନ୍ଦଣା ଭିତରୁ ରେବ ଶୁଣିଥିଲା ଗୋଟାଏ କଥା । ପିଲାଟା ଯେମିତି କହୁଚି–‘ମୁଁ ନଷ୍ଟଜାତକ, କିନ୍ତୁ ନବାଗତ ମୁଁ, ପୃଥିବୀକୁ ଦେଖିବାକୁ ଚାହେଁ ।

 

ଏଇ ସୂର୍ଯ୍ୟୋଦୟ ପରି ମୁଁ ବି ମୋର ଜ୍ଞାନୋଦୟ ଦେଖିବାକୁ ଚାହେଁ । ମୋତେ ତୁମେ ନିଅ, ଏଇ ବରଗଛର ମଲାଙ୍ଗ ଡାଳ ପରି ତମରି ଦେହରୁ ରସ ଟାଣି ମୁଁ ପରିପୁଷ୍ଟ ହବାକୁ ଚାହେଁ, ମୋତେ ତୁମେ ନିଅ ।’

 

ଅଞ୍ଜନାର କୁମାରୀ ପଣକୁ ନଷ୍ଟକରି ଜନ୍ମ ନେଇଥିଲା ପବନ ପୁତ୍ର ହନୁମାନ । ସେ ରାମାୟଣର ପ୍ରଦାନ ଚରିତ୍ର । ସେ ବୀର, ଜନ୍ମ ହେଇ ସେ ପୃଥିବୀର ନିନ୍ଦା, କୁତ୍ସା ଅପବାଦକୁ ଭ୍ରୂକ୍ଷେପ ନକରି ସୂର୍ଯ୍ୟକୁ ଚାହିଁଥିଲା ତାର ଖାଦ୍ୟ ରୂପରେ । କିନ୍ତୁ ଅମର ? ପୃଥିବୀର ନିହାତି ନଗଣ୍ୟ ସୋରିଷ ଭଳି ଗୋଟାଏ ଜାଗାରେ ନିଜର ଗ୍ରାସାଚ୍ଛାଦନକୁ ମଧ୍ୟ ସହ୍ୟ କରିପାରୁ ନଥିଲା । କେତେଗୁଡ଼ିଏ ମୁଷ୍ଟିମେୟ ଲୋକଙ୍କର କଥାକୁ ମଧ୍ୟ ତୁଚ୍ଛ କରିପାରୁ ନ ଥିଲା ।

 

ସେଇଥିପାଇଁ ତ ? ଯିଏ ତାକୁ ତା’ର ପତ୍ରଛାୟା ତଳେ ଗୋଟିଏ ରାତି ବଞ୍ଚେଇ ରଖିଥିଲା, ଆଜି ସେଇ ପତ୍ରଛାୟା ତଳେ ଶୋଇ ସେ ମରିବାକୁ ସଂକଳ୍ପ କରୁଚି । ପରିକଳ୍ପନା କରୁଚି, ଏଇ ସେଇ ବରଗଛ ଯୋଉଠି ତାର ସମସ୍ତ ଦୁର୍ବଳତା ଦୂରେଇ ଯାଇଚି; ସେ ମରିବ ! ସେ ମରିବ !

 

ଧୀରେ ଧୀରେ ଉଠିଲା ଅମର । ପୋଖରୀ ହୁଡ଼ାରେ ହୁଡ଼ାରେ ଚାଲିବାକୁ ଲାଗିଲା । ପୃଥିବୀ ବକ୍ଷରେ ନୂତନ ବର୍ଷାର ଆଗମନୀ, ପ୍ରଥମ ଝିପ୍‍ ଝିପ୍‍ ବର୍ଷା । ତାପରେ ଆରମ୍ଭ ହବ ମୂଷଳଧାରା, ଆଉ ଏଇ ବର୍ଷାର ପ୍ରଥମ ପାତରେ ଶସ୍ୟଶ୍ୟାମଳା ହବ ରୁକ୍ଷ ଧରିତ୍ରୀ । ଗାଇଯିବ ବର୍ଷା ମଙ୍ଗଳ, ସମସ୍ତଙ୍କର ଜୀବନ ସଞ୍ଚାର ହବ, କିନ୍ତୁ ତା’ର ମୃତ୍ୟୁ !

 

ଜମାଟ ଅନ୍ଧାର ଯୋଉଠି ଶେଷ ହେଇଚି, ସେଇଠି ଆରମ୍ଭ ହେଇଚି ଗମ୍ଭୀର ଆକାଶ, ଖାଲି ବିସ୍ତୃତ, ଶେଷ ନାହିଁ ହୁଏତ । ଏଇ ଶେଷହୀନ ନିଷ୍ଠୁର ଆକାଶଟା ତାପାଇଁ ଆଣିନି ବଞ୍ଚିବାର ପାଥେୟ, ଆଣିଚି ପ୍ରବଞ୍ଚନା, ଆଣିଚି ନିଃସ୍ୱତାର ଅନେକ କିଛି ଶୂନ୍ୟତା—ଆଉ ଏଇ ମହାଶୂନ୍ୟ ଭିତରେ ନିଜକୁ ମିଶେଇ ଦବ ଅମର । ସବୁ ଉପଲବ୍‍ଧ, ସବୁ ଅଭିଜ୍ଞତାର ବାହାରେ ମୃତ୍ୟୁ ଠିଆ ହେଇଚି । ହାତ ବଢ଼େଇ ଧରାଦବ ତାକୁ ।

 

କିଏ ତା’ର ମା’ ? ହୁଏତ ଏଇ ବର୍ଷା ରାତିର ଶୀତ ଶୀତୁଆ ଶଯ୍ୟା ଉପରେ ଶୋଇ ଢାଳୁଥିବ ତା’ପାଇଁ ଦି’ଟୋପା ଲୁହ । ଭଗବାନଙ୍କୁ ଡାକୁଥିବ ତା’ର ଦୀର୍ଘ ଜୀବନର କାମନା କରି । କିନ୍ତୁ ସେ ତ ଜାଣିନି ଗୋଟାଏ ଦୁର୍ବଳତାର ଭୁଲ ପାଇଁ ଅମରକୁ ଶୁଖିବାକୁ ପଡ଼ିବ କଡ଼ା, ଗଣ୍ଡା କ୍ରାନ୍ତିର ହିସାବରେ ।

 

ତେବେ ଆଉ କାହିଁକି, ଶେଷ ହେଇଯାଉ ତାର କୁଆଁରୀ ମା’ର ଅଭିଶପ୍ତ ସାକ୍ଷୀ । ନିଜକୁ ନିଜେ ପ୍ରସ୍ତୁତ କରି ଠିଆ ହେଇଗଲା ଅମର ପୋଖରୀ କୂଳରେ । ପଥର ସେ ସଂଗ୍ରହ କରିଚି । ଦଉଡ଼ିର କାମ ଦବ ତା’ର ଦେହର ଏ ଗାମୁଛାଟା, ତେବେ ଡେରି ଆଉ କାହିଁକି ? ଆଖି ବୁଜି ପାଣିକୁ ଡେଇଁ ପଡ଼ିବାକୁ ବସିଲା ଅମର ।

 

ନାଃ, ହେଇ ପାରିଲା ନାହିଁ । ବଞ୍ଚିବାର ଅମୋଘ ଆକର୍ଷ ତାକୁ ପଛରୁ ଟାଣି ଧରିଚି ନିବିଡ଼ ଭାବରେ । ରେବ ପାଇଁ ହୁଏତ କିଛି କର୍ତ୍ତବ୍ୟ ବାକି ରହିଯାଇଚି । ଦୁନିଆରେ ବଞ୍ଚି ରହିବାର ଆକର୍ଷଣ କେଡ଼େ ଶକ୍ତ ବନ୍ଧନ ସତେ ! ଏଇ ତ ମରିବାକୁ ସବୁ ଠିକ୍‍ କରି ଶେଷକୁ ସେ ପାରିଲା କୋଉଠି ?

 

ଏଇ ବର୍ଷାର ଝର୍‍ ଝର୍‍ ଶବ୍ଦ ତାକୁ କହୁଚି—‘ଫେରିଯା ଅମର ।’ ପବନର ସାଇଁ ସାଇଁ ଗର୍ଜନ ଚିତ୍କାର କରୁଚି—‘ଫେରିଯା’—‘ଫେରିଯା’ । ଆଉ ପାଣିର ଏ ଭଉଁରୀ ତାକୁ କହୁଚି ‘ଜୀବନଟାକୁ ଶେଷ କରି ଦେ’ନା, ଫେରିଯା’—

 

ଫେରିଗଲା ଅମର ।

 

-ତିନି-

 

କେତେ ଆସିଲେ । କେତେ ଗଲେ । କିନ୍ତୁ ଦୀର୍ଘଶ୍ୱାସ ଛଡ଼ା ଜୀବନରେ କେହି ତ କିଛି ସଂଚୟ କରିଗଲେନି ? ଦୁଃଖ ଛଡ଼ା ଅଭିଜ୍ଞତା ତ କାହାରି କିଛି ନାହିଁ, ତଥାପି ବଞ୍ଚିବାକୁ ହବ । ସହରର ଉଚ୍ଚ କୋଠା ପଛଆଡ଼େ ଲୁଚି ଯାଉଥିବା ସୂର୍ଯ୍ୟକୁ ଚାହିଁ ରହିଲା ଅମର । ଡାକ୍ତରଖାନାର ପ୍ରସୂତି ଭବନର ଛୋଟ ତିନି-କୋଣିଆ ବସିବା ଜାଗାଟାରେ ଚାରି ପାଞ୍ଚ ଜଣ ବସିଚନ୍ତି । ମନରେ ଆବେଗ—ଉତ୍କଣ୍ଠା । କିଏ ଆସିବ ସେ ଅନାଗତ !

 

ହସିଲା ମନେ ମନେ ଅମର । ଯିଏ ଆସୁ, ତା’ର ସେଥିରେ କିଛି ନାହିଁ । ଚାରିଆଡ଼ୁ ଅନ୍ଧାର ଆସ୍ତେ ଆସ୍ତେ ଘେରି ଆସିବ । ସେଇ ଅନ୍ଧାରର ଅସରନ୍ତି କଳା ଭିତରେ ଲୁଚିଯିବ ମଣିଷର ସ୍ରୋତା । ହୁଏତ କୌଣସି ଏକ ଅନାଗତ ଭବିଷ୍ୟତ ଆଣିବ ସକାଳର ଆଲୋକ । ପୁଣି ଆଲୁଅ, ପୁଣି ଅନ୍ଧାର । ତଥାପି ତ ଅନ୍ଧାରକୁ କେହି ଘୃଣା କରନ୍ତିନି ! ଭଲ ପାଆନ୍ତି ଅନ୍ଧାରକୁ । ଆଲୁଅକୁ ବି । ନର୍ମଦା କ’ଣ ତା’ର ଏଇ ଜୀବନର ଅନ୍ଧାରି କୋଣକୁ ଦେଖି ଚମକି ପଡ଼ିଥାଆନ୍ତା ? ଭଲ ପାଇ ନ ଥାନ୍ତା ?

 

‘ନା, ନା,’—ଜୋର କରି ନିଜମନରୁ ପୋଛି ଦବାକୁ ଚେଷ୍ଟାକଲା ଅମର । ସେ କଥା ଭାବିବାର ବାଟ ଅନେକ ଦିନରୁ ନିଜେ ସେ ବନ୍ଦ କରିଦେଇଚି । ଶୋଭାଯାତ୍ରାର ଚଲାବାଟ ଉପରେ ସେ ଜାଣିଶୁଣି କଣ୍ଟା ବିଛାଇ ଦେଇଚି । କାହିଁକି ଆସିଥା’ନ୍ତା ନର୍ମଦା । କ୍ଷତ ବିକ୍ଷତ ହବାପାଇଁ ? ନିଭିଲା, ଶୁଖିଲା, ନିଭୃତି ଆଶା । କାହିଁକି ଦେବ ବା ସେ ତା’ର ରୂପ ? ‘ତମେ ଏତେ ଶୁଖିଲା ଦେଖାଯାଉଚ କାହିଁକି ଅମର ?’ ସେ ଦିନ କଲେଜରୁ ଫେରୁ ଫେରୁ ପଚାରିଥିଲା ନର୍ମଦା । ପାଖରେ ଚାଲିଚି ଶଶୀ ।

 

‘ନୂଆ ନୂଆ ମା’ ପାଖରୁ ଫେରିଚି କି ନା ।’ ହସି ହସି ଶଶୀ ଉତ୍ତର ଦେଇଥିଲା । ଆଉ ଏକାଥରକେ ଚମକି ପଡ଼ିଥିଲା ଅମର । ସେଇ କଥା—ଠିକ୍‍ ସେଇକଥା । ଯାହା ପାଇଁ ସେ ଆଜି ଘର ଛାଡ଼ିଛି ।

 

ସେଦିନର ସେଇ ବରଗଛ ତଳେ ଶୋଇ ଶୋଇ ଯୋଉ କଥା ତା’ର ମନରେ ଆଣିଥିଲା ଜୀବନପ୍ରତି ଅବହେଳା, ସେକଥା ପୁଣି । ନିସ୍ତାର ନାହିଁ କୋଉଠି । ରେବର ଘୃଣାରେ ମୁହଁ ଫେରାଇ ନବା କଥା । ଅମରର ଆଖିରେ ଜଳ ଜଳ କରି ଦେଖାଗଲା । ଦେଖାଗଲା ଗାଁ ଲୋକଙ୍କର ଦାନ୍ତ ନିକୁଟା, ଥଟ୍ଟା ପରିହାସ—ଗାଁ ପିଲାଙ୍କର ହସ—ପିଲାଦିନର ଅଭିଜ୍ଞତା— ।

 

ଆଉ ଦେଖାଗଲା ସେଇ ବର୍ଷଣଶୀଳ ସନ୍ଧ୍ୟାର ମେଘଭରା ଆକାଶ । ବାଦୁଡ଼ିର ଚିଁ–ଚିଁ, ଫଡ୍‍ ଫଡ୍‍ । ବରଗଛର ଫାଙ୍କ ଦେଇ ଚେନାଏ ଚେନାଏ ମେଘ । ଆଉ ଯୋଉଠି ଘନ ଅନ୍ଧାର ଶେଷ ହେଇଚି ସେଇଠି ଆରମ୍ଭ ଫାଙ୍କା ଆକାଶର ବିସ୍ମୃତି । ସବୁ ସବୁ ତା’ର ଅଭିଜ୍ଞତା—। ସବୁ ସେମିତି ମନେରହିଚି ।

 

ମନେରହିଚି ସବୁ ଯୋଗାଡ଼ କରି ପାଣିକୁ ଡେଇଁ ପଡ଼ିବାକୁ ଚେଷ୍ଟା କଲା ବେଳକୁ ପଛରୁ ଭିଡ଼ି ଧରିଲା ଜୀବନର ମୋହ । ଭିଡ଼ି ଧରିଲା ରେବ ପ୍ରତି କର୍ତ୍ତବ୍ୟ, ଟାଣିଲା ନର୍ମଦାର ନିଃସହାୟ, ନୀରବ ଚାହାଁଣୀ, ଆଉ ଟାଣିଲା ଗୋଟାଏ ଦୁରନ୍ତ ଆଶା । ବଞ୍ଚିଥିଲେ ତ ସେ ତା’ର ଜନ୍ମଦାତ୍ରୀକୁ ଥରେ ଦେଖିପାରିବ । ଭାବନା ଭାଙ୍ଗିଗଲା ଅମରର । ନର୍ମଦା ଖିଲି ଖିଲି ହସୁଚି । କିନ୍ତୁ କାହିଁକି ?

 

ଶଶୀ ହସି ହସି କହିଲା—‘ଟିକିଏ ରାସ୍ତା ଦେଖି ଚାଲ୍‍ ରେ । ଗାଡ଼ି—ଘୋଡ଼ା କେତେବେଳେ ଉପରେ ଚାଲିଯିବ ।’

 

ନର୍ମଦା କହିଲା—‘ଗାଁରୁ ଫେରି ତମେ ବଡ଼ ଗାଉଁଲି ପାଲଟି ଯାଇଚ ଅମର । ନିହାତି ବୋକା ହେଇଯାଇଚ ।’

 

ହଁ, ସେ ବୋକା ହେଇଯାଇଚି । ହୁଏତ ଆଉ ଥରେ ଫେରି ନ ଥିଲେ ସେ ହେଇଥାନ୍ତା ବୁଦ୍ଧିମାନ୍‍ । ନ ହେଲେ ପ୍ରଣୟର ଆଢ଼ୁଆଳ ତଳେ ନିଜର ଜଳିଲା ମନର ଉଷ୍ଣ ପ୍ରବାହକୁ ଲୁଚେଇ ରଖି ମୁହଁରେ ହସ ଫୁଟେଇଥିଲେ ହେଇଥାନ୍ତା ବୁଦ୍ଧିମାନ୍‍ । କିନ୍ତୁ କରିପାରିନି ବୋଲି ସେ ଆଜି ବୋକା—

 

‘କଣ ଭାବୁଚ ଏତେ ?’ ନର୍ମଦା ତାକୁ ପଚାରିଥିଲା । ‘କିଛି ନାହିଁ ତ !’ ହଁ ସତରେ କିଛି ତ ଭାବିବାର ନାହିଁ । କିନ୍ତୁ କାହିଁକି ସେ ଏତେ ଅନ୍ୟମନସ୍କ ?

 

ଶଶୀ କହିଲା—‘ସିନେମା ଯିବୁରେ ଅମର ?’

 

‘ଚାଲନା, ଭଲ ଛବିଟିଏ ଅଛି, ଦେଖିଆସିବା ।’ ଅନୁଯୋଗ କଲା ନର୍ମଦା ।

 

କିନ୍ତୁ ସବୁ ଅନୁଯୋଗ ପ୍ରଶ୍ନକୁ ବୁଡ଼େଇ ଦେଇ ଅମର ଭାବୁଥିଲା ବଞ୍ଚିବାର ମୋହ ତାକୁ ଟାଣି ଆଣିଲା ମରଣର ବାଟରୁ । କିନ୍ତୁ ଗାଁର ଚିରପରିଚିତ ଧୂଳିଆ ରାସ୍ତା ଉପରେ ପାଦ ବଢ଼ାଇ ପାରିଲାନି ଅମର । ସେ ଫେରିଆସିଲା । ସାରା ଛୁଟିଟା ସହର ଗଳି କନ୍ଦି ବୁଲି ବୁଲି ବି ସେ ଶାନ୍ତି ପାଇଲା କୋଉଠି ? ବରଂ ଗ୍ଳାନି । ନର୍ମଦାକୁ ସେ ଦେଖା କରିପାରିନି ।

 

ନର୍ମଦାକୁ ସେ ଦେଖା କରିପାରିନି । କରିବାର ସାହସ ବି ତା’ର ନ ଥିଲା । କି ଉତ୍ତର ଦେବ ନର୍ମଦାକୁ । ଯଦି ସେ ପଚାରେ ଛୁଟିଟାରେ ସେ ଗାଁରୁ କେମିତି ଚାଲିଆସିଲା ବୋଲି । ଅବଶ୍ୟ ଅନେକ କଛିର ଅବତାରଣା ଅମର ଯେ କରିପାରି ନଥାନ୍ତା ୟା ନୁହେଁ ? କିନ୍ତୁ କି ଦରକାର-?

 

ଗଳି କନ୍ଦିରେ ବୁଲୁ ବୁଲୁ ଥରେ ଥରେ ସେ ଭାବେ ‘ଫେରିଯିବ’—ଫେରିଯିବ ଆଉଥରେ ସେ ବରଗଛ ମୂଳକୁ ? ଫେରିଯିବ ସେ ପୋଖରୀହୁଡ଼ାକୁ । ଯୋଉ ପୋଖରୀର ପାଣି ପ୍ରଥମେ ତାକୁ ଆହ୍ୱାନ କରିଥିଲା ଆତ୍ମହତ୍ୟା କରିବାର ପ୍ରବଳ ପ୍ରଲୋଭନ ଦେଖାଇ ?

 

ନାଃ, ସେଠିକି ସେ ଯାଇପାରିବନି । ସେଠି ସବୁଥିରେ ଭରିରହିଚି ବଞ୍ଚିବାର ସଂଗ୍ରାମ । ଆନନ୍ଦର ଉତ୍ସବ । ସମବେଦନା କେହି ଜଣାଏ ନି, ବରଂ କରେ ଥଟ୍ଟା । ସ୍ନେହ କେହି ଦେଖାଏନି; ବରଂ କରେ ଦୟା । ସେ ଫେରିପାରିବନି ।

 

କିନ୍ତୁ ଏଠି ବି ତ ଅଛି ରେଲ ଧାରଣା, ବିଜୁଳିବତୀର ତାର—ଏମିତି କେତେ । ଧରାଦବ ! ଆତ୍ମସମର୍ପଣ କରିବ ସେଥିରୁ ଗୋଟାକ ପାଖରେ ? ‘ତୁମେ ତା’ ହେଲେ ଧରା ଦେଲ ଶେଷରେ ?’ ହୋ ହୋ ହେଇ ହସିଉଠିଲା ପାଖରେ ବସିଥିବା ଲୋକଟା । ସାଙ୍ଗରେ, ବେଞ୍ଚ ଉପରୁ ଦୁଇଜଣ କେତେବେଳୁ ଉଠିଗଲେଣି । ତା ବଦଳରେ ଦୁଇଜଣ ଆସି ସେ ଜାଗାଟା ଅଧିକାର କରି ବସିଛନ୍ତି । ଏମିତି ବେହିଆଙ୍କ ଭଳି ହସିଉଠିଥିବା ଲୋକଟା ପାଖରେ ଆଉଜଣେ ଯିଏ ବସିଚି—ସିଏ କେମିତି ଲାଜେଇ ଗଲାଭଳି ଜଣାଯାଉଥାଏ । ଅମର ସେମାନଙ୍କର କଥାରେ କାନ ଦେଲା ।

 

ହସୁଥିବା ଲୋକଟା କହିଲା ହସି ହସି—‘ଆରେ ଏଥିରେ ଲାଜ କରିବାର କଣ ଅଛି ? ଇଭ୍‍ଙ୍କ ପାଇଁ ସବୁ । ବୁଝିଲ ବାବୁ, ସବୁଏଇ ଆଦିମ କ୍ଷୁଧାର ଶିକାର ।’

 

କିନ୍ତୁ ଆପଣ ବୁଝିପାରିବେ ନାହିଁ, ଜଣକୁ ନେଇ ସଂସାର ଚଳେଇବା କେଡ଼େ କଷ୍ଟ । ସେଥିରେ ପୁଣି ଆଉ ଜଣେ—’ତାକୁ କଥା କହିବାକୁ ନ ଦେଇ ବକ୍ତା ଜଣକ କହିଲେ—ବନ୍ଦ କରି ପାରିବ ହାତ ଦେଇ ସେମାନଙ୍କର ଆସିବା ବାଟକୁ ? ବରଂ ତୁମର ବିବାହ ନ କରିବା ଉଚିତ ଥିଲା-।’

 

—‘ହୁଏତ ଉଚିତ ଥିଲା । କିନ୍ତୁ ଘରେ ବାପ ମା’ଙ୍କର ତାଗିଦା ।’

 

‘ଆଉ ତୁମର ନିଜର ତାଗିଦା ନାହିଁ ? ନିଜର ଇଚ୍ଛା ନ ଥିଲା ?’ ଏତେବେଳକେ ବକ୍ତା ଜଣକ ମୁହଁ ଫେରେଇଲେ ଅମର ଆଡ଼କୁ—‘କଣ ଆଜ୍ଞା—ଆପଣ କଣ କହୁଛନ୍ତି ?’

 

‘କିନ୍ତୁ କଥା କଣ ?’ ଅମର ପଚାରିଲା ।

 

‘କଥା ହେଉଚି, ଇଏ ସହରର ଜଣେ ଅଳ୍ପ ବେତନଭୋଗୀ କର୍ମଚାରୀ । ଖାଲି ସ୍ତ୍ରୀଙ୍କୁ ସମ୍ଭାଳିବା ୟାଙ୍କ ପକ୍ଷରେ କଷ୍ଟକର । କିନ୍ତୁ ତୃତୀୟ ଜଣକର ଆବିର୍ଭାବ ହଉଚି ୟା’ ଭିତରେ । ବନ୍ଧୁ ସେଇଥିପାଇଁ ଟିକିଏ ହଡ୍‍ବଡ଼େଇ ଯାଇଚନ୍ତି । କୁହନ୍ତୁ, କାହାର ଦୋଷ ?’

 

ଅମର ହସିଲା । କହିଲା, ‘ଦୋଷ ତ ଏଥିରେ କାହାକୁ ଦିଆଯାଇପାରିବ ନାଇଁ । ଆପଣଙ୍କ କହିବା ଅନୁସାରେ : ସବୁ ଏଇ ଇଭ୍‍ଟାର କାରସାଦି । ଆଦିମ କ୍ଷୁଧାର ନର୍ତ୍ତନ ।’

 

ବିଜୟ ଗର୍ବରେ ଚିତ୍କାର କରିଉଠିଲେ ବକ୍ତା—‘ହୁଁ, ଦେଖିଲ, ମୁଁ କ’ଣ ମିଛ କହୁଚି ?’

 

ଶେଷଟା ସେ ପୂର୍ବତନ ବନ୍ଧୁଙ୍କୁ ଆଡ଼କୁ ଅନେଇ କହିଲେ । ‘ଆପଣ ତ ସବୁ ବହିର କଥା କହିଲେ । ହେଲେ ବହିର କଥା ନେଇ ତ ଚଳିବାର ଉପାୟ ଆସିବ ନାହିଁ ।’ ଭଦ୍ରଲୋକ ଜଣକ ଉତ୍ତର ଦେଲେ ।

 

ବକ୍ତା ଭାଷିଲେ, ‘ବୁଝିଲ ବାବୁ । ମଣିଷ ସବୁ କ୍ଷେତ୍ରରେ ସବୁ ଅବସ୍ଥାରେ ନିଜକୁ ଖାପ ଖୁଆଇ ନେଇ ଚଳିପାରେ । ପ୍ରଥମ ଯେତେବେଳେ ତୁମେ ଚାକିରି କଲ, ସେତେବେଳେ ଭାବିଥିବ–ଏକା ମୁଁ ତ ଚଳିପାରୁ ନାହିଁ, ବାହା ହେଲେ ଚଳିବ କିମିତି ? କିନ୍ତୁ ଶେଷରେ ଚଳିପାରିଲ ତ-? ସେମିତି ତୃତୀୟ ଜଣକ ଆସିଲା । ପ୍ରଥମ କେତେଦିନ ହୁଏତ ଅଡ଼ୁଆ ଲାଗିବ । ତା’ପରେ ଦେଖିବ ସବୁ ଠିକ୍‍ ହେଇଯିବ ।’ ବକ୍ତା ହୁଏତ ଆଉ କିଛି ସମୟ ଏମିତି ବକ୍ତୃତା ଦେଇଥାନ୍ତେ; କିନ୍ତୁ ପରିଦର୍ଶନର ସମୟ ହେଇଯାଇଥିଲା । ବକ୍ତା ଜଣକ ହାତ ଝାଡ଼ି ଉଠିଲେ । କହିଲେ, ‘ଉଠ, ସମୟ ହୋଇଗଲା । ଯାଅ, ସ୍ତ୍ରୀ-ପିଲାକୁ ଦେଖାକରି ଆସ । ଆଉ ସୃଷ୍ଟିଟାକୁ ଥରେ ବୁଝିବାକୁ ଚେଷ୍ଟାକର-। ଆଗନ୍ତୁକର ଆଗମନୀ ଶୁଣି ଏମିତି ଚମକି ଉଠୁଚ କାହିଁକି ?’ ବକ୍ତା ଜଣକ ଆଗେ ଆଗେ ଚାଲିଲେ, ଆଉ ପଛେ ପଛେ ଶ୍ରୋତା ଜଣକ । ନିଜର ଅସଂଯତ ମନକୁ ଗୋଟେଇ ଧରି ଅମର ବି ଉଠିଲା ।

 

ନର୍ମଦା ସନ୍ତାନର ମା’ ହେଇଚି । ତାକୁ ଥରେ ଦେଖାକରି ଆସିବାକୁ ହବ । ପଛରେ ପଡ଼ିଥିବା ଅତୀତକୁ ଚାହିଁ ଲାଭ ନାହିଁ କିଛି—କିନ୍ତୁ ସୃଷ୍ଟିଟାକୁ ସେ ଘୃଣା କରେ । ଏଇ ସୃଷ୍ଟି ଭିତରୁ ସେ ବି ଗୋଟାଏ ସୃଷ୍ଟି ।

 

ହଁ ସେ ବି ଗୋଟାଏ ସୃଷ୍ଟି ଯାହାକୁ ଦୁନିଆଁ କହେ ସ୍ୱାକ୍ଷରହୀନ ପାରାସାଇଟ୍‍ । ସେ ବି ଗୋଟାଏ ସୃଷ୍ଟି, ଯାହାର ବଞ୍ଚିବାର ଉପାଦାନ ନାହିଁ; ଅଥଚ ମରିବାର ସାହସ ବି ନାହିଁ—ଆଗରେ ନର୍ମଦା ।

 

ନର୍ମଦା ଶୋଇଚି । ମୁହଁରେ ଲାଖି ରହିଚି ତା’ର ସେଇ ସରୁ ହସ ଟିକକ । ସେ ହସ ଆହୁରି ମିଠା ଆହୁରି କୋମଳ । ସେ ହସ ଯେମିତି ଅମରକୁ କହୁଚି—‘ଧରା ଦେଲନି ଅମର । ପଳେଇ ପଳେଇ ବୁଲିଲ । ବନ୍ଧନର ମଧୁରତା ତୁମ ଭାଗ୍ୟରେ ଜୁଟିଲାନି । ମୁଁ ବି ତମ ପାଇଁ ଜାଗର ଜାଳି ବସିନି ! ହୁଏତ ଦିନେ ସ୍ୱପ୍ନ ଦେଖିଥିଲି ହେବି ବୋଲି ଶ୍ରୀମତୀ—ଅମର; କିନ୍ତୁ ସେ ସ୍ୱପ୍ନ ଭାଙ୍ଗିଗଲା । ବାସ୍ତବ ଆସି ଠିଆହେଲା ତା’ର ସମସ୍ତ ରୂପ ରସ ଗନ୍ଧ ନେଇ । ଦେଖିଲି ମୁଁ ଶ୍ରୀମତୀ—ଅମର ନୁହେଁ...ଶ୍ରୀମତୀ-ଶଶୀ । ଶଶୀ ସନ୍ତାନର ମା’ । ଫେରେଇ ପାରିଲିନି ସେ ଆହ୍ୱାନ, ଧରାଦେଲି ।’

 

ଧରା ଦେଇନି ଅମର ନର୍ମଦା ପାଖରେ । ସେଇଦିନଠାରୁ ପଳେଇ ପଳେଇ ବୁଲିଚି ସେ । ଦୂରେଇ ଦୂରେଇ କଥା କହିଚି । ସେ ସମଗୋତ୍ର ନୁହେଁ, ସମଜାତି ନୁହେଁ । ନର୍ମଦା ବଡ଼; ତା’ ବାପା ପଙ୍ଗୁ ହେଲେ ବି, ମୃତ ହେଲେ ବି ସେ ତାଙ୍କର ପରିଚୟ ବହନ କରିଚି । ମା’ ମରି ଯାଇଥିଲେ ବି, ନର୍ମଦା ତା’ର ମା’ କେମିତି ନ ଦେଖିଥିଲେ ବି, ତା’ର ସ୍ମୃତି ବହନ କରିଚି—ଅମୁକ ତା’ର ବାପ, ଅମୁକ ତା’ର ମା’, ଆଉ ସେଇ ହଉଚି ତାର ଗୌରବ ।

 

କେବଳ ସେଇଥିପାଇଁ ନର୍ମଦାକୁ ପାଇ ବି ସେ ପ୍ରତ୍ୟାଖ୍ୟାନ କରିଚି । ବହୁତ ଅପେକ୍ଷା କରିଚି ନର୍ମଦା; ଅଭିମାନ କରିଚି, ରୁଷିଚି; କିନ୍ତୁ ଅମର ଫେରିନି । ‘ସହଜ ହୁଅ—ସରଳ ହୁଅ ଅମର ।’ ନର୍ମଦା ସେଦିନ କାନ୍ଦି କାନ୍ଦି ନିବେଦନ କରିଥିଲା ଅମର ପାଖରେ, ‘ଭାବପ୍ରବଣତାର ସଂସାରଠାରୁ ବହୁତ ଦୂରରେ ତୁମକୁ ନେଇ ତେଲ ଲୁଣର ସଂସାର ମୋତେ ଗଢ଼ିବାକୁ ଦିଅ ।’

 

‘ନାଁ ନର୍ମଦା, ତା ହେଇପାରେନା । ଅମରକୁ ନେଇ ଘର କରିବାର ସ୍ୱପ୍ନ ତୁମେ ଭୁଲିଯାଅ । ବିସ୍ମୃତ ସ୍ମୃତି ବୋଲି ଭାବି ଅମରକୁ ତମ ଜୀବନଖାତାରୁ ପୋଛି ଭିଲେଇ ଦିଅ ।’ ଅମର ଫେରେଇ ଦେଇଥିଲା ନର୍ମଦାକୁ । ଜାଣିନି ନର୍ମଦା ଅମରର ଜୀବନୀ । ସେଇଥିପାଇଁ ତାକୁ ପାଇବା ଲାଗି ତା’ର ଥିଲା ଏ ଆକୁଳ ମିନତି । କିନ୍ତୁ ସବୁ ଜାଣିସାରି... ? ଅମରର ଅତୀତ ଇତିହାସ ଜାଣିଲା ପରେ ସେ ଯଦି ତାକୁ ପ୍ରତ୍ୟାଖ୍ୟାନ କରିଥାନ୍ତା ତା ହେଲେ କାହାର ସୌରଭକୁ ଜୀବନର ସାଥୀ କରି ଅମର ବଞ୍ଚିଥାନ୍ତା ?

 

ଦୂରେଇ ଯାଇଥିଲା ଅମର ବହୁତ ଦୂରକୁ । ଖାଲି ନର୍ମଦାର ମନରୁ ନୁହେଁ, ନର୍ମଦାର ସାନ୍ନିଧ୍ୟରୁ । ବି.ଏ ପାଶ୍‍ କରି ଗୋଟାଏ ଚାକିରି ପାଇ ଅମର ସହରଠାରୁ ବହୁତ ଦୂରକୁ ଚାଲିଯାଇଥିଲା ।

 

‘ତଥାପି ମୁଁ ତମ ବାଟ ଚାହିଁ ବସିଚି ଅମର । ମୁଁ ଜାଣେ । ନର୍ମଦାକୁ ତମେ ପରୀକ୍ଷା କରିବାକୁ ଚାହଁ । ବେଶ୍‍ ପରୀକ୍ଷା ମୁଁ ଦେବି, ଆଉ ପରୀକ୍ଷା ଶେଷରେ.... । ତୁମେ ଫେରିଆସ, ତୁମରି ଆଗମନ ପ୍ରତୀକ୍ଷାରେ.... । ଇତି । ନର୍ମଦା ।’

 

ତୁମେ ଜାଣ—ବି.ଏ. ପାଶ୍‍ କରି ମୁଁ ଡ଼ି. ଇଡ଼ି ପଢ଼ିବାକୁ ଗଲି । ବର୍ତ୍ତମାନ ମୁଁ ଏଠାରେ ଶିକ୍ଷୟତ୍ରୀ; କିନ୍ତୁ ତେବେ ବି ମୋର ଶିକ୍ଷା ଶେଷ ହୋଇନି । ଅନ୍ୟକୁ ଶିକ୍ଷା କଣ ଦେବି ? ଆସନ୍ତା ପୂଜା—ଛୁଟିରେ ମୁଁ ତମ ପାଖକୁ ଯିବି । ଦେଖ, ଆଉ ପିଲାଳିଆ ବୁଦ୍ଧି ନ ଧରି ଚାଲିଆସ । ତମରି କଥା ହଉ । ସେଇ ଭାବପ୍ରବଣତାର ସଂସାର ଭିତରେ ମୁଁ ଆତ୍ମ ସମର୍ପଣ କରିବି.......

 

....ଇତି । ନର୍ମଦା ।’’

 

ଦୁଇଖଣ୍ଡଯାକ ଚିଠି ପାଇଛି ଅମର; କିନ୍ତୁ ଖଣ୍ଡକର ହେଲେ ଉତ୍ତର ଦେଇନି । ଦିନେ ହେଲେ—ଦିନେହେଲେ ନର୍ମଦା ଜାଣିବ—ସେ ଜୀବନଟାକୁ ଛଳନା କରିଛି । ନର୍ମଦାକୁ ଭୁଲି ବୁଝେଇଚି । ତା’ପରେ ଆସିବ ଝଡ । ନାଁ ନାଁ, ସେ ଝଡ଼ ବହିବାକୁ ଦବନି । ନର୍ମଦା ତାକୁ ଚାହେଁ, ଆଉ ସେ ବି ହୁଏତ ନର୍ମଦାକୁ ଚାହେଁ । କିନ୍ତୁ ଏଇ ଚାହିଁବା ଆଉ ପାଇବା ଭିତରେ ବହୁତ ତଫାତ୍‍ । ଏହି ଦୂରତ୍ୱ ଭିତରେ ଭରି ରହିଚି ଅସଂଖ୍ୟ ଲୋକର ଭିଡ଼ । ସେ ଭିଡ଼ ଡେଇଁ ଅମର କେବେହେଲେ ନର୍ମଦା ପାଖରେ ପହୁଞ୍ଚିପାରିବ ନାହିଁ । ତା’ହେଲେ ... ?

 

ତା’ହେଲେ ସେ ଆହୁରି ଦୂରେଇ ଯିବ ! ଚିଠି ଦୁଇଖଣ୍ଡିଯାକ ଚିରି ଫୋପାଡ଼ି ଦେଲା ଅମର । କିନ୍ତୁ ଚିରା କାଗଜର ଟୁକୁରା ଭଳି ନର୍ମଦା ତ ତା’ ଜୀବନରେ ଖିନ୍‍ଭିନ୍‍ ହେଲାନି । ଅମର ଦୂରେଇ ରହିଲେ ବି ନର୍ମଦା ପାଖକୁ ପାଖକୁ ଲାଗିଆସିଲା । ଅସଂଖ୍ୟ ଜୀବନର ଶୋଭାଯାତ୍ରା ଭିତରେ ଅମର ହୁଏତ ଚେଷ୍ଟା କରିବ ନର୍ମଦାକୁ ଖୋଜି ବାହାର କରିବାକୁ; କିନ୍ତୁ ନର୍ମଦା ତାକୁ ଖୋଜି ବାହାର କରିଚି । ଶେଷ ପର୍ଯ୍ୟନ୍ତ ତାକୁ ଛାଡ଼ି ନ ଥିଲା । ଏତେ ଟିକିଏ ଆଶା ଥିବା ପର୍ଯ୍ୟନ୍ତ ନର୍ମଦା ତାକୁ କେନ୍ଦ୍ର କରି ଘୂରି ବୁଲୁଥିଲା; କିନ୍ତୁ ଆଜି ସେ କେନ୍ଦ୍ରଚ୍ୟୁତ ।

 

ହାଇମାରି କଡ଼ ମୋଡ଼ି ଶୋଇବାକୁ ଚେଷ୍ଟା କଲା ନର୍ମଦା । କିନ୍ତୁ ଏ କିଏ ? ଅମର ! ପାଖରେ ଶୋଇଥିବା ଛୁଆଟା ଭିଡ଼ିମୋଡ଼ି ହୋଇ କାନ୍ଦିଉଠିଲା । ଛୁଆଟାକୁ ପାଖକୁ ଜାକିନେଇ ଆଉ ଥରେ ଭଲ କରି ଚାହିଁଲା ନର୍ମଦା । ନାଁ, ଭୁଲ୍‍ ନୁହେଁ । ସେ ଅମର ।

 

—‘ତୁମେ’

 

‘—ବସ’—ଟୁଲ୍‍ଟା ଭିଡ଼ିଦେଲା ନର୍ମଦା । ଆଉ ଅମର ଭାବୁଥିଲା—ନ ଆସିଥିଲେ ବୋଧହୁଏ ଭଲ ହୋଇଥାନ୍ତା । ଦୀର୍ଘ ୬ବର୍ଷ ପରେ ନର୍ମଦା ସାଙ୍ଗରେ ଏଇ ତା’ର ପ୍ରଥମ ଦେଖା । କିନ୍ତୁ ବାଧ୍ୟ ହେଇ ବସିଲା ଅମର ଟୁଲ୍‍ଟାରେ । ଦୁହେଁ କେମିତି ନୀରବ ହେଇଗଲେ ।

 

ଛୁଆଙ୍କର କାନ୍ଦ । ଆଗନ୍ତୁକମାନଙ୍କର ଆଳାପ । ଓ୍ୟାର୍ଡଟାରେ ଖୁବ୍‍ ହଟ୍ଟଗୋଳ । କିନ୍ତୁ ବାହାରେ ? ବାହାରେ ଶାନ୍ତ ସ୍ନିଗ୍‍ଧ ସନ୍ଧ୍ୟା । ଓ୍ୟାର୍ଡର ବାରଣ୍ଡାରେ ଦୁଇ ଚାରିଜଣଙ୍କର ଯିବା ଆସିବା; କିନ୍ତୁ ନୀରବ । ଓ୍ୟାର୍ଡଭିତରର ଚାରିଆଡ଼କୁ ଦୃଷ୍ଟି ନିକ୍ଷେପ କଲା ଅମର । ଝାପ୍‍ସା ଆଲୁଅ ଅନ୍ଧାର ମିଶା ଘର ଭିତରେ ଦେଖିଲା ସେଇ ଯୁବକଟିକୁ । ପିଲାଟିକୁ ଦେଖି ହସିଉଠିଚି ଯୁବକଟି । ଶୋଇଥିବା ସ୍ତ୍ରୀଟିର ମୁହଁ ପରିଷ୍କାର ଦେଖା ଯାଉନି; କିନ୍ତୁ କ’ଣ କରୁଚି ବୁଝି ହଉଚି । ଏଠି ଖାଲି ଆନନ୍ଦ । ନୂତନର ଆଗମନରେ ଆଗମନୀର ଉତ୍ସବ ।

 

‘ଛ ବର୍ଷପରେ ଆଜି ମନେପଡ଼ିଲା କେମିତି ଅମର ?’ ନର୍ମଦା କହୁଥିଲା । ଅମର ବୁଲି ଚାହିଁଲା ନର୍ମଦାକୁ । ‘କଣ ବାଟ ଭୁଲି ?’ ନର୍ମଦାର କଣ୍ଠ ଥରୁଥିଲା । ହୁଏତ ଆଖିରୁ ଲୁହ ବି ଝରୁଥିବ । କିନ୍ତୁ କ’ଣ କହିବ ଅମର । କଣ କହି ବୁଝାଇବ ଏହି ଅବୁଝା ନାରୀକୁ ! ‘ଏ ଦ୍ୱନ୍ଦ୍ୱ ଭିତରେ ମୋତେ ପକେଇ ଦେଇ କାହିଁକି ତୁମେ ଏମିତି ଆତ୍ମଗୋପନ କଲ ?’ ଏଥର ସ୍ପଷ୍ଟ ଜଣାଯାଉଛି...ନର୍ମଦା କାନ୍ଦୁଚି । ଭିଜା ଭିଜା ସ୍ୱର । ଥରି ଥରି ଆତ୍ମପ୍ରକାଶ କରୁଚି ଶବ୍ଦଗୁଡ଼ାକ ।

 

‘କିନ୍ତୁ ଏ ଜୀବନଟା କଣ ସେ ଜୀବନଠାରୁ ଭଲ ନୁହେଁ ନର୍ମଦା ?’ ଅମର ପ୍ରଶ୍ନ ପଚାରିଥିଲା । ୟା’ ପରେ ନର୍ମଦା ଯାହା କହିବ ସେ ଜାଣିଚି । ତଥାପି ଶେଷ ଅସ୍ତ୍ର । ଆଜିସୁଦ୍ଧା ସେ ନର୍ମଦାଠାରୁ ଆତ୍ମଗୋପନ କରିବାକୁ ଚେଷ୍ଟା କରୁଚି ।

 

‘ହଁ ଭଲ । ଯଥେଷ୍ଟ ଭଲ । ଶହେ ଗୁଣରେ ଭଲ ।’ ଚମକି ଉଠିଲା ଅମର । କ’ଣ କହୁଚି ? କ’ଣ କହୁଚି ନର୍ମଦା । ସେ ଭାବିଥିଲା ନର୍ମଦା ହୁଏତ କହିଁବ ‘ନା, ଭଲ ହେଇପାରେନା ଅମର । ଯାହା ଜଣକ ପାଖରେ ବାଢ଼ି ଦେଇଚି, ତାକୁ ଆଉ ଜଣକ ପାଖରେ ନିବେଦନ କରିବାର ମୂଲ୍ୟ କେତେ ?’ ତା’ ପାଟିରୁ ଆପେ ଆପେ ବାହାରି ପଡ଼ିଲା ‘ନର୍ମଦା !’

 

‘କାହିଁକି ଭଲ ନ ହେବ ? ମୋ କୋଳରେ ପିଲା । ସ୍ୱାମୀ ମୋର ପ୍ରଫେସର-ସୁନ୍ଦର, ସ୍ୱାସ୍ଥ୍ୟବାନ । ତା ତୁଳନାରେ ତମର ଐଶ୍ୱର୍ଯ୍ୟ କେତେ ?’ ଶେଷ ବେଳକୁ କେମିତି ରୁକ୍ଷ ହେଇଯାଇଥିଲା ନର୍ମଦା । କିଛି ସମୟ ଦମ୍‍ ନେଇ କହିଲା, ‘ନାରୀ ଯଦି ବଜାରର ପଣ୍ୟ ହେଇଥାଏ, ତାହେଲେ ମୁଁ ତାର ସୁବିଧା ନେବାକୁ ପଛେଇନି । ଆଉ ତୁମେଇତ ତମର ପ୍ରଚ୍ଛନ୍ନ ହାତ ବଢ଼େଇ ମୋତେ ସାହାଯ୍ୟ କରିଚ ! ତମରି ଫେରିବା ବାଟକୁ ଚାହିଁ ମୁଁ ଜୀବନଟାକୁ କାହିଁକି ବନ୍ଧୁର କରିଦେଇଥାନ୍ତି ? କି ସମ୍ମାନ ତୁମେ ମୋର ରଖିଚ ଯେ ମୁଁ ତମପାଇଁ ଜାଗର ଜାଳି ବସିଥାନ୍ତି ?’

 

ଇସ୍‍ ! ଏତେ ଅଭିଯୋଗ ! ଏତେ ବିଦ୍ୱେଷ ରଖିଥିଲା ନର୍ମଦା ତା’ ନିଜଭିତରେ ଅମର ପାଇଁ । ନୀରବ ହେଇ ଯାଇଚି ନର୍ମଦା । ତାର ଆଉ କହିବାର କିଛି ନାହିଁ । ଆଉ ଭାବିବା ପାଇଁ ଅମରର, ରଖି ଯାଇଚି ଅନେକ କିଛି । ସତରେ ସେ ତ ଏଇ ଦୃଷ୍ଟିକୋଣ ନେଇ କେବେ ନର୍ମଦାକୁ ବିଚାର କରି ନାହିଁ ।

 

‘କିଏ ? ଅମର ନା ?’’ ବଜାରକୁ ଯାଉ ଯାଉ ସେଦିନ ଚାରିଟା ବେଳେ ଅମର ହଠାତ୍‍ ଚମକି ପଡ଼ି ପାଖକୁ ଫେରି ଚାହିଁଲା । ଦେଖିଲା ଶଶୀ ତା’ର ଆଡ଼କୁ ଅନେଇଚି । ମୁହଁ ଲୁଚେଇବାର ଅବକାଶ ଆଉ ନାହିଁ । ଆଠଦିନ ହେଲା ସେ ଏ ସହରକୁ ବଦଳି ହେଇ ଆସିଚି । ସେ ଜାଣେ ଶଶୀ ଏ ସହରର ଗୋଟାଏ କଲେଜର ପ୍ରଫେସର । ଦଉଡ଼ି ଦଉଡ଼ି ଆସି ଶଶୀ ତା’କୁ କୁଣ୍ଢାଇ ଧଇଲା । ‘ବହୁତ ଦିନପରେ ଦେଖା ଭାଇ ! ଆଉ ବର୍ତ୍ତମାନ ତୁ କେଉଁଠି ଅଛୁ ?’

 

ଲୁଚେଇ ପାରିଲାନି ଅମର । ତାକୁ ସତ କଥା କହିବାକୁ ପଡ଼ିଲା । ଆଠଦିନ ହବ ସେ ଏଠାକୁ ବଦଳିରେ ଆସିଛି । ଅଭିମାନ କଲା ଶଶୀ । ଅମର ତାକୁ ଏକାବେଳକେ ଭୁଲିଯାଇଛି ।

 

କିନ୍ତୁ ଶଶୀ ତ ବୁଝିଲା ନାହିଁ କି ଦୁଃଖରେ ଅମର ତା ପାଖକୁ ଯାଇପାରିଲା ନାହିଁ । ସେଠିକୁ ଗଲେ ଦେଖା ହବ ନର୍ମଦା ସାଙ୍ଗରେ । ଯାହାକୁ ସେ ସାରା ଜୀବନ ଲୁଚି ଲୁଚି ବୁଲିବାର ସଂକଳ୍ପ କରିଚି । କିନ୍ତୁ...କାହିଁକି ଏ ଲୁଚକାଳି ?

 

ଶଶୀ ପଚାରିଲା—‘କୋଉଠି ଅଛୁ ବର୍ତ୍ତମାନ ।’

 

ଠିକଣା କହିଲା ଅମର । ଶଶୀ କହିଲା—‘ଚାଲ ।’

 

‘‘କିନ୍ତୁ କୁଆଡ଼େ ?’’ ଆଶ୍ଚର୍ଯ୍ୟ ହେଇ ଅମର ତା’ ମୁହଁକୁ ଚାହିଁ ରହିଲା ।

 

‘କାହିଁକି ମୋ ବସାକୁ ।’ ଶଶୀ ନିର୍ବିକାର ଭାବରେ କହିଲା ।

 

‘କିନ୍ତୁ—’

 

‘କିନ୍ତୁ ଫିନ୍ତୁ କିଛି ନାହିଁ । ତୁ ଆସିଚୁ । ମୁଁ ଟିକିଏ ମୁକ୍ତି ପାଇଲି । ଦୁଇଦିନ ଛୁଟି ନେଇ ମୋତେ ବର୍ତ୍ତମାନ ଗାଁକୁ ଯିବାକୁ ହବ । ଜମିବାଡ଼ି, ଏ ସବୁ ଚିନ୍ତା ଅଛି ତ ଫେର୍‍ ?’

 

‘ହେଲେ ତୁ ଛୁଟି ନେଲେ ମୋର କରିବାର କଣ ଅଛି ?’

 

‘ଯଥେଷ୍ଟ ! ପ୍ରଥମରେ ବସା ଜଗିବାକୁ ପଡ଼ିବ । ଦ୍ୱିତୀୟରେ ନର୍ମଦା ଡାକ୍ତରଖାନାରେ...’

 

‘ଡାକ୍ତର ଖାନାରେ ?’

 

ହଁ, ୩/୪ ଦିନ ହବ ପୁଅଟିଏ ହେଇଚି । ଛୁଆ ସହିତ ମା’ ବି ଭଲ ଅଛି । ମୁଁ ଛୁଟି ନେଲେ ସେମାନଙ୍କୁ ଦେଖିବାକୁ ତ ହବ ?’

 

କିନ୍ତୁ ମୁଁ କଣ କରିବି ?’

 

‘ପୁଣି ସେଇ କିନ୍ତୁ ?’

 

‘ମାର ସାଙ୍ଗରେ ଦେଖା ହୋଇ ନ ଥିଲେ ?’

 

‘ଆରେ’ ସେ ଯଦି ଫଦି ଯୁକ୍ତି ଛାଡ଼ । କ’ଣ ନ ହେଇଥାନ୍ତା ସେ ଚିନ୍ତା କରି କିଛି ଲାଭ ନାହିଁ । ଚାକର ତ ଥିଲା । ହଁ ତୁ ଚାଲିଲୁ । ତୋତେ ସବୁ ବୁଝାଇ ଦେଇ ମୁଁ ଆଜି ବସା ଭିତରେ ଡୁବି ମାରିବି, ଆଉ କାଲି ସକାଳୁ ଗୃହଂ...

 

ଅର୍ଥାତ୍‍ ? ‘ଅର୍ଥାତ୍‍ ଆଜି ତୋତେ ଡାକ୍ତରଖାନା ଯିବା କାମଟା ଚଳେଇ ଦବାକୁ ପଡ଼ିବ ଏବଂ ଆଜିଠାରୁ ପର ପର ଦୁଇଦିନ ମୋର ବଦଳି କାମ କରିବାକୁ ପଡ଼ିବ । ୟା’ ପରେ ହୁଏତ ଆଉ କୌଣସି ଯୁକ୍ତି ଖାଟେନା । କିନ୍ତୁ ଛ’ ବର୍ଷ ପରେ ଯାହାକୁ ଦେଖାକରିନି, ଚିଠି ଖଣ୍ଡକର ବି ଉତ୍ତର ଦେଇନି ଯାହାକୁ, ଆଜି ଛ’ ବର୍ଷ ପରେ କେମିତି ତାକୁ ଦେଖା କରିବାକୁ ଯିବ ଅମର ?

 

ଶେଷ ଚେଷ୍ଟା କଲା ଅମର । ‘ବସାରେ ବହୁତ କାମ ବାକି । କେତେଗୁଡ଼ାଏ ଫାଇଲ ଆଣିଚି ବସାକୁ । କାମ ସାରିବାକୁ ହବ ।

 

କିନ୍ତୁ ଶଶୀ ଛାଡ଼ିନି ।’ ବେଶ୍‍ ତ । ଫାଇଲ୍‍ ଯଦି ଆଣିବୁ । ଚାଲ୍‍, ସାଙ୍ଗରେ ଧରି ଆସିବା-।’

 

ବିପଦ ! ଶଶୀ ତାକୁ ଛାଡ଼ିବନି । ତାକୁ ଯିବାକୁ ପଡ଼ିବ ଶଶୀ ସାଙ୍ଗରେ ତା’ର ବସା ପର୍ଯ୍ୟନ୍ତ, ଆଉ ଯିବାକୁ ପଡ଼ିବ ଡାକ୍ତରଖାନା—

 

‘ଆଚ୍ଛା, ଚାଲ ।’ ଅମର କହିଲା ।

 

ଶଶୀ ପଚାରିଲା—‘କୁଆଡ଼େ—ତୋ ବସାକୁ ?’

 

‘—ନାଁ ତମ ବସାକୁ ।’

 

‘ହଁ ସେଇ କଥା କହ । ଫାଇଲ କାମଟା ଦି’ ଦିନ ପଛେଇ ଦେଲେ ଚଳିବ । କିନ୍ତୁ ନର୍ମାଦକୁ ଦେଖା କରିବା ନିହାତି ଦରକାର ।’

 

ଜାଣିପାରିଚି ଶଶୀ ଆମର ଆଉ ନର୍ମଦା କଥା ? ଆତଙ୍କରେ ଶିହରି ଉଠୁଥିଲା ଅମର-। ଓ୍ୟାର୍ଡରେ ଆଲୁଅ ଜଳି ଉଠିଲାଣି । ପରିଦର୍ଶନର ସଯୟ ଶେଷ ହେଇ ଆସୁଚି । ଏଥର ହୁଏତ, ଅମରକୁ ଉଠିବାକୁ ପଡ଼ିବ । ବହୁତ କଥା ଟାଣି ଆଣି କହିଲା—‘କେମିତି ଅଛ ନର୍ମଦା-?’

 

ନର୍ମଦା କହିଲା—‘ତମର ସେଥିରେ କିଛି ଅଛି ଅମର ? ମୋର ଭଲ ଥିବା ନଥିବାର ପରିସ୍ଥିତି ଭିତରକୁ ନିଜକୁ ଟାଣି ଆଣୁଚ କାହିଁକି ?’

 

ନର୍ମଦା ମନରୁ ରାଗ ଯାଇନି । ଅମର ଇତସ୍ତତଃ ହେଲା ।

 

ଯୋଉ ନର୍ମଦା ଦିନେ ଚିଠିରେ, କଥାରେ ତାକୁ ପାଖକୁ ଟାଣି ଆଣିବାକୁ ବସିଥିଲା, ସେଇ ନର୍ମଦା ଆଜି କଥାରେ ନୁହେଁ, ଇଙ୍ଗିତରେ ବ୍ୟବହାରରେ କହୁଚି, ‘‘ତୁମେ ଚାଲିଯାଅ ଅମର, ଫେରିଯାଅ ।’’

 

ଆଉ ଅମରକୁ ଉଠିବାକୁ ପଡ଼ିବ । ଭୁଲ ସେ କେବେ କରିନାହିଁ । ହୁଏତ ତା’ର ଏ ଦୂରଛଡ଼ା ମତିଗତିରେ ନର୍ମଦା କ୍ଷୂର୍ଣ୍ଣ ହେଇଚି । କିନ୍ତୁ ତା’ଠାରୁ ବେଶି କ୍ଷୁର୍ଣ୍ଣ ହୋଇଥାନ୍ତା ଯଦି ଜାଣିଥାନ୍ତା ଦିନେ ଅମରର ଇତିହାସ ।

 

ଜାଣିଥା’ନ୍ତା ? ଜାଣିପାରିଥାନ୍ତା ନର୍ମଦା । ଅମର ତାକୁ କହି ପାରିଥାନ୍ତା । ଅମର ନିଜକୁ ବିଶ୍ଳେଷଣ କଲା । ଯେତେବେଳେ ଜୀବନ ଦୁର୍ବହ ହୋଇପଡ଼େ, ଯେତେବେଳେ ସନ୍ଧ୍ୟାର ଅନ୍ଧକାର ଭିତରେ ମନ ଖୋଜେ ସାଥୀ, ଯେତେବେଳେ ରୋଗଶଯ୍ୟାରେ ପଡ଼ି ଦେହ ଖୋଜେ ଜଣେ ଅତି ପରିଚିତ ହାତର ପରିଚର୍ଯ୍ୟା, ସେତେବେଳେ କ’ଣ ଅମର ଭାବି ନାହିଁ—ଦୌଡ଼ିଯିବ ନର୍ମଦା ପାଖକୁ ?

 

ଦୌଡ଼ିଯିବ ? କହିଦେବ ସବୁ ଖୋଲି ନର୍ମଦାକୁ ? କହିବ, କାହାରି ପରିଚିତ ପାଦଚିହ୍ନ ଉପରେ ସେ ପାଦ ରଖି ନାହିଁ । କାହାରି ଘରର ନିଭୃତ କୋଠରୀରେ ତା’ର ଜଳି ନାହିଁ ଏନ୍ତୁଡ଼ି । ଆସି ନାହିଁ ଆନନ୍ଦର ଉତ୍ସବ ? ଏତକ କହିଥିଲେ ବୋଧହୁଏ ଅନେକଟା ହାଲୁକା ହେଇ ଯାଇପାରିଥା’ନ୍ତା ତା’ ମନ, ତା’ ହୃଦୟର ଗୁରୁଭାର ।

 

କିନ୍ତୁ ପର ମୁହୂର୍ତ୍ତରେ ପଛେଇ ଆସିଛି ଅମରର ମନ । ଯଦି ନର୍ମଦା ନ କହେ—ଅମର, ‘ମୋର ଲୋଡ଼ା ନାହିଁ ତମର ଅତୀତ, ମୋର ଲୋଡ଼ା ଖାଲି ତୁମେ—ତୁମେଇ ।’ ଯଦି ସେ କହେ, ‘କୋଉ ସାହସରେ ଆସିଚ ଅମର ମୋ’ ପାଖକୁ ? ଏଇ ପରିଚୟ ନେଇ ମୋ ପାଖକୁ ଆସିବା ପୂର୍ବରୁ ତମର ଆତ୍ମହତ୍ୟା କରିବା ଉଚିତ ଥିଲା ।’ ତା’ ହେଲେ କ’ଣ ହେବ ଅମରର ଅବସ୍ଥା !

 

ଘଣ୍ଟା ବଜେଇ ବଜେଇ ଚାଲିଗଲା ଓ୍ୟାର୍ଡର ବେହେରା ଜଣକ । ପରିଦର୍ଶନର ସମୟ ଶେଷ ହେଇଗଲାଣି । ତାକୁ ନିଶ୍ଚୟ ଉଠିବାକୁ ହେବ ଏଥର । ଉଠୁ ଉଠୁ ଅମର କହିଲା, ‘ଥାଅ ନର୍ମଦା, କାଲି ଆସିବି ।’

 

ନର୍ମଦା କହିଲା, ‘ନ ଆସିଲେ କ’ଣ ଆମ ଦୁଇ ଜଣଙ୍କ ପକ୍ଷରେ ଭଲ ହୁଅନ୍ତା ନି ଅମର-?’

 

ଦୁଃଖରେ, ବେଦନାରେ, ରାଗରେ ଅମରର ସାରା ଶରୀର ବ୍ୟଥିତ ହେଇଉଠିଲା । ‘କି ଅଧିକାର ଅଛି ଏ ସ୍ତ୍ରୀ ଲୋକଟାର ତାକୁ ଏମିତି ପଦେ ପଦେ ଲାଞ୍ଛିତ, ଅପମାନିତ କରିବାରେ ? ସେ ପଳାୟନପନ୍ଥୀ ନୁହେଁ । କାହରିଠାରୁ ଲୁଚି ଲୁଚି ବୁଲିବା ତା’ର ଅଭ୍ୟାସ ନୁହେଁ । କିନ୍ତୁ ପରିସ୍ଥିତି ଆଜି ତାକୁ ଭୀରୁ କରିଦେଇଚି । ତା’ବୋଲି ନର୍ମଦା ତାକୁ ଆଘାତ କରିବାକୁ କାହିଁକି ଏମିତି ଆଗେଇ ଆସିବ ?’

 

ଅମର ଠିକ୍‍ କଲା ଏତେଟା ଆଗେଇବାକୁ ସେ ନର୍ମଦାକୁ ଦବନି । ମନେ ମନେ ଭାବୁଚି, ସେ ‘ବିଜୟିନୀ’ କିନ୍ତୁ ତାର ଏ ଭୁଲ ଭାଙ୍ଗୁ । ଅମର କହିଲା, ‘କାହାର ଗରଜ ପଡ଼ିଚି ଏମିତି ଜଣେ ବନ୍ଧୁର ସ୍ତ୍ରୀକୁ ବଳେ ବଳେ ଦେଖିବାକୁ ଆସିବ ?’

 

ନର୍ମଦା ଉଠି କହିଲା, ‘ଅମର !’

 

ଅମର କହିଲା, ‘ନର୍ମଦା, ତମର ନାରୀ ମନର କଷଟିପଥରେ ଅମରକୁ ପରୀକ୍ଷା କରୁଚ ନାଁ ? କିନ୍ତୁ ହାରିଯିବ କହି ରଖୁଚି । ଅମର ସେ ଦିନର ସରଳ କୋମଳ ନୁହେଁ, ଅମର ପଥର ।’ ଓ୍ୟାର୍ଡରୁ ଜୋରରେ ବାହାରି ପଡ଼ିଲା ଅମର । ତାକୁ ଲାଗିଲା ଯେମିତି ନର୍ମଦାର ଯୋଡ଼ିଏ ଆଖି ତାକୁ ପଛରୁ ଅନୁସରଣ କରୁଚି ।

 

କିନ୍ତୁ ଅମର ଆଗେଇ ଚାଲିଲା ।

 

–ଚାରି–

 

ଆଗେଇ ଚାଲିଲା ଅମର; କାରଣ ପଛେଇବାର ଉପାୟ ତା’ର ନ ଥିଲା । ନର୍ମଦାର ଘରେ ବସି ଚାହା ଖାଉ ଖାଉ ଅମର ଅଟକି ଗଲା ଟିକିଏ । ଭୁଲ କରି ନାହିଁ ତ ଏମିତି ଆଗେଇ ଆସି ? ପାଖରେ ବସିଚି ଶଶୀ । ନର୍ମଦା ପରିଚର୍ଯ୍ୟାରେ ବ୍ୟସ୍ତ ।

 

ଶଶୀ ଛୁଟିରୁ ଫେରିଚି । ନର୍ମଦା ଡାକ୍ତରଖାନାରୁ ଫେରିଚି ପୁଅକୁ ଧରି, ଆଉ ଅମର ପ୍ରତିଦିନ ଅଫିସରୁ ବସାକୁ ଫେରୁ ଫେରୁ ଗୋଡ଼ ବଢ଼େଇ ଦେଇଚି ଶଶୀ ଘରେ । ନିତିଦିନିଆ ରୁଟିନ୍‍ଗତ ଏଇ ଆସିବା । ଶଶୀ ତ କେବେ ପ୍ରତିବାଦ କରିନି; ବରଂ ନ ଆସିଲେ ରାଗ କରିଚି, କ୍ଷୁଣ୍ଣ ହେଇଛି । ଆଉ ଅମରର ଆସିବା—ବାଟ ଦିନକୁ ଦିନ ସହଜ, ସରଳ ସୁଗମ ହେଇଉଠିଛି ।

 

ଶଶୀ ତାକୁ ପ୍ରଶୟ ଦେଇଚି ? ଜାଣିଚି ଶଶୀ, ନର୍ମଦା ପାଖରୁ ଅମରର ଲୁଚି ବୁଲିବା କଥା ? କିନ୍ତୁ ସିଏ ବା କାହିଁକି ଏମିତି ଆସୁଚି ଏ ଘରକୁ । ସେ ଜାଣେ, ନର୍ମଦା ତା’ ପ୍ରତି ଖୁସି ନୁହେଁ । ସାରା ଜୀବନ ଧରି ଖୁସି ହେଇପାରିବ ନାହିଁ; ତଥାପି ସେ ଆସେ । କିନ୍ତୁ କାହିଁକି ସେ ଆସେ ?

 

ନର୍ମଦାର ଆକର୍ଷଣ ? ହଁ ନର୍ମଦାର ଆକର୍ଷଣ । ନିଜ ମନ ଭିତରୁ ଯେମିତି ଉତ୍ତର ପାଇଲା ଅମର । କେତେ ବର୍ଷ ଆଗରୁ ସେ ଦେଖିଥିଲା ନର୍ମଦାକୁ ପାତଳା, ଶ୍ୟାମା, ସୁନ୍ଦରୀ; କିନ୍ତୁ ଆଜି ଛ’ ବର୍ଷ ପରେ ... ?

 

ଆଜି ଛ’ ବର୍ଷ ପରେ ଦେଖୁଛି ସେ ନର୍ମଦାକୁ ଅନ୍ୟ ରୂପରେ—ଏକାବେଳକେ ଅନ୍ୟ ରୂପରେ । ସେଦିନ ନର୍ମଦା ଥିଲା କୁମାରୀ—ଆଜି ମା’ । ସେଦିନ ନର୍ମଦାର ମଥାରେ କିଛି ନ ଥିଲା, ଆଜି ସିନ୍ଦୂର । ସେଦିନ ଥିଲା ରକ୍ତ ଟଳମଳ ଯୌବନଭରା ଦେହ, ଆଜି ଶେତାଳିଆ ଶୀର୍ଣ୍ଣ ଅଙ୍ଗ । ସେଦିନ ଥିଲା ଦେହର ଆକର୍ଷଣ—ଆଉ ଆଜି ? ଆଜି ନର୍ମଦାର ମମତାର ଆକର୍ଷଣ । ସେ ନର୍ମଦାକୁ ନୂଆ କରି ଭଲ ପାଇଚି ।

 

ହଁ ନୂଆ କରି ଭଲ ପାଇଚି । ତା’ର ସବୁ ପ୍ରକାର ଅଙ୍ଗଭଙ୍ଗୀ, ଚାଲିଚଳନ ଖୁବ୍‍ ଭଲ ଲାଗୁଚି । ଭଲ ଲାଗୁଚି ନର୍ମଦା ପିଲାଟିକୁ ଧରିଥିବା ବେଳେ, ଖୁଆଉଥିଲା ବେଳେ, ଶୁଆଉଥିଲା ବେଳେ ।

 

‘ନାଁ ନାଁ ରେ ବାଇଚଢ଼େଇ, ତୋ ମା’ ଯାଇଚି’—ଚମକି ପଡ଼େ ଅମର । ଚାରିଟାବେଳେ ଅଫିସରୁ ଫେରୁ ଫେରୁ ଦେଖେ ନର୍ମଦାର କାମ । ଖାଲି ଅନେଇ ରହେ ମୂକଙ୍କ ଭଳି ନର୍ମଦା ମୁଣ୍ଡ ଉଠାଏ; କହେ—‘କେତେବେଳେ ଆସିଲ ? ବସ ।’ ଭଲ ଲାଗେ ସେଇ ଶେତାଳିଆ ମୁହଁକୁ ନିଠେଇ ଚାହିଁବାରେ । ମୁହଁ ଫେରାଏ ନର୍ମଦା ।

 

ସବୁ ନାରୀ ମା’ ହେବେ । ହୁଏତ କେହି ପାଇବେ ନର୍ମଦା ଭଳି ଗୌରବ; ନ ହେଲେ ଆଉ କେହି ପାଇବେ ଅମରର ମା’ ଭଳି ଲାଞ୍ଛନା, ଅପବାଦ । ଆଉ ତାକୁ ଆଡ଼େଇ ଦେଇ ବାଟ ଚାଲିବା ପାଇଁ ଅମର ଭଳି ପିଲାମାନଙ୍କର ମା’ମାନେ ତାକୁ ଶୁଆଇ ଦେବେ ଗଛମୂଳରେ, ନଈକୂଳରେ ବା କାହାରି ଘର ଆଗରେ । ବାସ୍‍ ।

 

କିନ୍ତୁ ସେଥିପାଇଁ କ’ଣ ସେମାନଙ୍କ ଆଖିରୁ ଲୁହ ଝରେ ନାହିଁ କେବେ ? ହୁଏତ ଝରେ । ହୁଏତ ମନ ଡହକ ବିକଳ ହୁଏ । କିନ୍ତୁ ଅକର୍ତ୍ତବ୍ୟ, ନାଚାର । ଆଖିଲୁହ ଶୁଖିଯାଏ । ତା’ ପରେ ଆସେ ଦୀର୍ଘଶ୍ୱାସ । ପିଲାଟି ପାଇଁ ଖାଲି ଏତିକି ସଞ୍ଚୟ ।

 

ନର୍ମଦା ପୁଅକୁ ଧରି ଉଠେ । ଅମର ବୁଝେ ଏଥିରେ ଆନ୍ତରିକତା ନାହିଁ । ଚାହେଁନି ଆଜି ଅମରର ସାନ୍ନିଧ୍ୟ ନର୍ମଦା । କିନ୍ତୁ ତଥାପି ଟାଣିଆଣେ ଅମରକୁ ନର୍ମଦାର ରଙ୍ଗହୀନ ମୁହଁ । ଯେଉଁଦିନ ସେ ମୁହଁ ରକ୍ତରେ ଫାଟି ପଡ଼ୁଥିଲା ସେଦିନ ଅମର ତାକୁ ଚାହିଁ ହୁଏତ ଆଖି ବୁଜି ଦେଇଥିଲା—‘ଏତେ ଆଲୁଅ, ନାଁ । ମୁଁ ସହିପାରିବିନି, ଚାହିଁପାରିବନି, ବନ୍ଦ କରିଦିଅ ତମର ସେ ଆଲୁଅର ବାଟ ।’ କିନ୍ତୁ ଆଜି ଆଉ ସେ ରଙ୍ଗର ଦୌଲତ ନାହିଁ, ସେ ତୀବ୍ରତା ମଧ୍ୟ ନାହିଁ । ସେ ମୁହଁ ପ୍ରାୟ ରକ୍ତଶୂନ୍ୟ, ଶେତାଳିଆ; କିନ୍ତୁ ଅଛି, ଗୋଟାଏ ଜିନିଷ ଅଛି । ସ୍ନିଗ୍‍ଧ, ସୁନ୍ଦର, ଅକୃତ୍ରିମ ଆକର୍ଷଣ । ଏ ଆଲୁଅ ଭଲ ଲାଗେ । ଆଖି ବନ୍ଦ ହେଇଯାଏ ନାହିଁ । ବରଂ ପିଇଯିବାକୁ ଇଚ୍ଛା ହୁଏ-

 

ନର୍ମଦା ହୁଏତ ଉପଭୋଗ କରେ ଅମରର ଏ ଚାହାଁଣୀ । ହୁଏତ ପ୍ରତିଶୋଧ ନିଏ ଲାଞ୍ଛିତ ନାରୀତ୍ୱର । କିନ୍ତୁ ଅମର ପାଏ ଆନନ୍ଦ ।

 

ସେଦିନ ନର୍ମଦା ଖୁବ୍‍ ଆଶ୍ଚର୍ଯ୍ୟ ହେଇଯାଇଥିଲା ଅମରକୁ ଆଉଥରେ ଆସିବାର ଦେଖି-। ନର୍ମଦା ଶୁଣିଥିଲା ଅମର ଆଉ ଆସିବନି-। ଆସିଲେ ଅପମାନ ମିଳିବ । ସେ ଆସିବନି । କିନ୍ତୁ ପରଦିନ ଦେଖିଲା ଅମର ଆସିଛି । ସେଇ ପରିଚିତ ହସ । କିଛି ହେଇନାହିଁର ଭାବ, ଆଉ ବେପରୁଆ ଚାଲି । ସବୁ ସେମିତି ଅଛି । ନର୍ମଦା ଆଶ୍ଚର୍ଯ୍ୟ ହେଲା । ଆଉ କିଛି କହି ଏଇ ଶାନ୍ତ ନିରୀହ ଲୋକଟାକୁ ପୁଣି ଆଘାତ ଦବାକୁ ଇଚ୍ଛା ହେଲାନି ତା’ର ।

 

କିନ୍ତୁ ଅମର ? ଯିଏ ଆଉ ଫେରିବନି ବୋଲି ପ୍ରତିଜ୍ଞା ନେଇ ଡାକ୍ତରଖାନାରୁ ଗୋଡ଼ ବଢ଼େଇଥିଲା, ସେ କେମିତି ପୁଣି ଗୋଡ଼ ବଢ଼େଇ ଦେଲା ଡାକ୍ତରଖାନାର ପ୍ରସୂତି-ଭବନ ଭିତରକୁ । ନିଜକୁ ନିଜେ ବୁଝିପାରେନି ଅମର । ବରଂ ତା’ର ବିରକ୍ତି ଆସେ ନିଜ ଉପରେ ।

 

କେତେ ଅସଂଯତ ଭାବନା ନେଇ ଅମର ଅଫିସରୁ ଫେରିଥିଲା ସେଦିନ । ଭାବିଥିଲା ବସାକୁ ଫେରିଯିବ । ଦରକାର ନାହିଁ ଡାକ୍ତରଖାନା ଯିବା; କିନ୍ତୁ ନର୍ମଦାର ରୂପ ତା’ର ଆଖି ଖୋଲି ଦେଇଚି । ତାକୁ ଟାଣୁଚି ବାରମ୍ୱାର । ନାରୀର ଏ ରୂପ ସେ କେବେ ଦେଖି ନ ଥିଲା, ବା ହୁଏତ ଦେଖିଥିଲା; କିନ୍ତୁ ଏ ରୂପକୁ ସେ ବିଶ୍ଳେଷଣ କରି ନ ଥିଲା । ସେ ରୂପ ମହାନ୍‍, ତା’ର ବିସ୍ତୃତି ବିରାଟ । ଗୌରବ, ତାହା ସମୁନ୍ନତ । ଅମର ଯେମିତି ବିହ୍ୱଳ । ଡାକ୍ତରଖାନା ପାଖରେ ପହୁଁଚି ଗୋଡ଼ ତା’ର ଆପଣା ଛାଏଁ ଆଗେଇ ଚାଲିଲା ପ୍ରସୂତି—ଭବନ ଆଡ଼କୁ—ଅମର, ବିଚାର ଅମର ଦ୍ୱିତୀୟ ଥର ପାଇଁ ଅନୁଭବ କଲା ନର୍ମଦା ତାକୁ ଟାଣୁଚି । ପରିସ୍ଥିତିର ବିଚାର ନକରି ଅମର ପ୍ରସୂତି–ଭବନର ଗେଟ୍‍ ପାଖରେ ପରିଦର୍ଶନ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲା ।

 

ନର୍ମଦାର ଆଦର ଅଭ୍ୟର୍ଥନା—ବିକ୍ଷିପ୍ତ ହେଇଉଠିଲା ଅମର । ଅଡ଼ୁଆ ତଡ଼ୁଆ କେତେ ପ୍ରଶ୍ନ ମନ ଭିତରେ ତାର ଉଙ୍କିମାରିଲା । ଅମରର ଏ ଅବସ୍ଥା ପ୍ରତି ଦୟା ନା ଅଭ୍ୟର୍ଥନା ଛଳରେ ପରିହାସ । ପଛରେ ଯାହା କହିବ କହୁ ନା ନର୍ମଦା; କିନ୍ତୁ ଆଜି ସେ ସେଦିନର ନର୍ମଦା ଭଳି ହାସ୍ୟ ଉଜ୍ଜ୍ୱଳ, ସଂବେଦନଶୀଳ ।

 

କେତେ କଥା । କେମିତି ତାଙ୍କର ବାହାଘର ହେଲା । ନୂଆ ଘରଟା ହୋଇଚି ନର୍ମଦାର ସମସ୍ତ ସଞ୍ଚିତ ପଇସା ଆଉ ଶଶୀର ଦୁଇମାଣ ଜମି ବିକାରେ । ତା’ ନିଜ ନାଁରେ ଶଶୀ କେମିତି ଜବରଦସ୍ତି କରି ପାଞ୍ଚ ହଜାର ଟଙ୍କାର ଜୀବନବୀମା କରିଚି—ସବୁ କଥା । ଆଉ ଅମର । ଅମର ଦେଖୁଥିଲା ଐଶ୍ୱର୍ଯ୍ୟମୟୀ ନର୍ମଦାର ପରିପୂର୍ଣ୍ଣ ସଂସାରର ରୂପକ । କେତେ ଛୋଟ କଥା ! ଅଳ୍ପ ହସ, ଟିକିଏ ଲୁହ ଆଉ ବୁକୁଭରା ଛଳନା—ଆଖିଭରା ଅବିଶ୍ୱାସ, ସଂସାର ! ହାତ ପାଖରେ ଥିଲେ ବି ଅମର ତା’ଠାରୁ ହାତ ଦୂରେଇ ଆଣିଚି । ଉଡ଼ି-ବୁଲିବାରେ ଆନନ୍ଦ ନ ଥାଇପାରେ; କିନ୍ତୁ ଶେଷହୀନ ବନ୍ଧନରେ ଭିଡ଼ା ଓଟରା ନାହିଁ । ହସ କୌତୁକ ଭିତରେ ପ୍ରବଞ୍ଚନା ନାହିଁ ।

 

ପିଲାଟା କାନ୍ଦି ଉଠିଲା । ନର୍ମଦା କହିଲା, ‘ଦେଖୁନ, ପିଲାଟା ମୋଟେ ରାତିରେ ଶୁଆଇ ଦେଉନି । ଖାଲି କାନ୍ଦୁଚି । ସାରା ଓ୍ୟାର୍ଡଟାରେ ଖାଲି ଅଶାନ୍ତି ।’

 

ଅମର ଡବ୍‍ ଡବ୍‍ କରି ଖାଲି ଚାହିଁଲା । ନର୍ମଦା ଫେରି ଆସିଚି ସେଇଠିକି, ଯୋଉଠି ଅମର ପାଏ ଶାନ୍ତି, ପାଏ ଆନନ୍ଦ । ସବୁ ମା’ ଭଲ । ସମସ୍ତେ ଆଖିରୁ ଲୁହ ଢାଳନ୍ତି । ବୁକୁର ସ୍ନେହ ମମତା ଦିଅନ୍ତି ।

 

ନର୍ମଦା କହିଲା, ‘ମୋତେ ଏଠୁ ଶୀଘ୍ର ନେଇଯିବାର ବନ୍ଦୋବସ୍ତ କରିଦିଅ ।‘ ଅମର ଆଶ୍ଚର୍ଯ୍ୟ ହେଲା । ନର୍ମଦା କହୁଚି ଅମରକୁ ଏ କଥା ? ସେ ତା’ର ସଂସାରରେ ଜଣେ ଅତିଥିର ଦାବୀ କରିବାକୁ ସାହସ କରିନି । ଜଣେ ଆଗନ୍ତୁକ—ଜଣେ ଅପରିଚିତ ଆଗନ୍ତୁକ ଭଳି ସେ ଦୂରେଇ ଯିବାକୁ ବସିଚି; କିନ୍ତୁ ନର୍ମଦା କହୁଚି ତାକୁ !

 

ଅମର କହିଲା—‘ଶଶୀ ଆସୁ ।’

 

ନର୍ମଦା ହସିଲା । ଖାଲି ଟିକିଏ ହସ । କିନ୍ତୁ ସେଇ ହସ ଭିତରେ ପୂରି ରହିଚି ଉପହାସ-। ଅମର ବୁଝିଲା ।

 

ନର୍ମଦା କହିଲା—‘ତାଙ୍କ ଉପରେ ଭରସା କରି କିଛି ଲାଭ ନାହିଁ । ତୁମେ ନେଇଯାଅନା-?’

 

ଅମର କହିଲା, ‘ନାଁ ନାଁ । କାଲି ସନ୍ଧ୍ୟାକୁ ତ ଶଶୀ ଆସିବ । ସେ ଆସୁ । ଯିବାର ବନ୍ଦୋବସ୍ତ କରିବ ।’

 

ନର୍ମଦା ବୁଲେଇ ନେଲା ତା’ କଥା । ଏମିତି ଅନେକ କଥା ଚାପା ପଡ଼ିଥାଏ । ଅନେକ କଥା କହିହୁଏନି । ରହିଯାଏ । ସାଗର କ୍ଷତିକୁ ମାଛରେ ପରିଶୋଧ କରିବାକୁ ହୁଏ । କିନ୍ତୁ କ୍ଷତି ହୁଏତ ଲିଭେନା ।

 

ଭୁଲିଗଲା ଅମର । ଭୁଲିଗଲା ସବୁ । ନର୍ମଦା ତାକୁ ନାରୀତ୍ୱର ତିତୀକ୍ଷା ଭିତରେ କଅଁଳା ପିଲାକୁ ଭୁଲାଇଲା ଭଳି ଭୁଲେଇଦେଲା । ଆଉ ତଟସ୍ଥ, ଚକିତ, ଆତ୍ମବିସ୍ମୃତ ଅମର ବିହ୍ୱଳ ହୋଇ ଖାଲି ଦେଖୁଥିଲା—ଦେଖୁଥିଲା ନର୍ମଦାର ରଙ୍ଗର ପରିବର୍ତ୍ତନକୁ । କିନ୍ତୁ ବୁଝିବାର ଶକ୍ତି ତା’ର ନ ଥିଲା ।

 

ଉଠି ପଡ଼ିଲା ଅମର ।

 

‘କିରେ ଉଠିଲୁ କାହିଁକି ?’ ଶଶୀ ପଚାରିଲା ।

 

‘ଯାଉଚି, ଡେରି ହବ ।’

 

‘ଘରେ କ’ଣ ଅଛି କି ଯିବୁ ? ରହ ଆଉ ଟିକିଏ ।’

 

ଏଇ ଶଶୀ ଅମରର ଅନ୍ତରଙ୍ଗ ବନ୍ଧୁ, ସବୁ କିଛି । ଅମର ଖାଲି ଭାବୁଥିଲା ।

 

ନର୍ମଦା ଛୁଆକୁ ଧରି ଘର ଭିତରକୁ ଯାଇଚି ।

 

‘କାଲି ମୁଁ ଚାରିଦିନ ଛୁଟି ନେଇ ଗାଁକୁ ଯିବି ।’ ଶଶୀ କହିଲା ।

 

‘ତୁ ଆସି ଟିକିଏ ବସାରେ ରହିବୁ ।’

 

ପୁଣି ପ୍ରଶ୍ରୟ । ଶଶୀ ହୁଏତ ଅମରର ଧୈର୍ଯ୍ୟ ପରୀକ୍ଷା କରୁଚି ।

 

ଅମର କହିଲା, ‘ଦେଖୁଚି, ମୁଁ ଆସିବାଠାରୁ ତୋର ଘର ଯିବା ରୋଗଟା ବଢ଼ିଯାଇଚି ।’

 

ଶଶୀ ହସିଲା । ଅମର ଚମକି ପଡ଼ିଲା । ସେ ଘରୁ ଛୁଆଟା ଚିତ୍କାର କରି କାନ୍ଦି ଉଠିଲା-। ଆଉ ନର୍ମଦାର ‘ନାନାବାୟା’ ଗୀତ ଟିକିଏ ଜୋର ଶୁଣାଗଲା ।

 

ଶଶୀ କହିଲା, ‘ବାପା, ମା’ତ ଡକାଡକି ହେଇ ଚାଲିଗଲେ । ଘରର ଜମିବାଡ଼ିଗୁଡ଼ାକ କ’ଣ ତାଙ୍କରି ଶ୍ରାଦ୍ଧରେ ଦାନ କରି ଦେଇଥାନ୍ତି ବୋଲି କହୁଥିଲୁ ?’

 

‘କିନ୍ତୁ ତେଲ ଘଡ଼ିକୁ ଆଶା, ପୁଅ ମୁଣ୍ଡକୁ ଆଶା କରିବା ତ ଅନ୍ୟାୟ ।’

 

‘ନାଁ ଅନ୍ୟାୟ ନୁହେଁ । ତେଲ ଘଡ଼ିକୁ ମୋର ନଜର ପୂରାପୂରି ଅଛି । ପୁଅ ମୁଣ୍ଡକୁ ତୁ ରହିଲୁ ।’ ଶଶୀ କେମିତି ଟିକିଏ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲା ।

 

ଗୋଡ଼ ବଢ଼େଇଲା ଅମର ।

 

‘ଆରେ ଟିକିଏ ରହ ।’ ପଚାରିଲା ଆଖିରେ ଚାହିଁ ରହିଲା ଅମର ।

 

‘ମୁଁ ଆଜି ଗୋଟାଏ ଗୁରୁତର ବିଷୟରେ ତୋତେ କହିବି ।’

 

‘ଗୁରୁତର ବିଷୟ !’ ଛାତି ଦାଉଁ ଦାଉଁ ପଡ଼ିଲା ଅମରର । ପଳେଇ ଯିବାକୁ ଇଚ୍ଛା ହେଲା ତା’ର । କୋଉ କଥାର ଅବତରଣ କରିବ ଶଶୀ ?

 

‘ବସ୍‍’—ଗମ୍ଭୀର ହେଇ ଉଠୁଚି ଶଶୀ । ହୁଏତ କିଛି ସମୟ ଚିନ୍ତା କରୁଚି । ଏଇ ହୁଏତ ମୁହଁ ଖୋଲିବ—ତା’ ପରେ ? —ତା’ ପରେ କହିବ—

 

‘ମୁଁ କ’ଣ କହୁଥିଲି କି ?’ —ଶଶୀ ଆରମ୍ଭ କରୁଚି । ଅମରର ଧୈର୍ଯ୍ୟ ବନ୍ଧ ଭାଙ୍ଗି ଭାଙ୍ଗି ଯାଉଚି । ସେ କ’ଣ କହିବାକୁ ଯାଉଚି । କ’ଣ କହିବାକୁ ଚାହେଁ— ?

 

‘ମୁଁ କ’ଣ କହୁଥିଲି କି—’ ପୁଣି ଆରମ୍ଭ କଲା ଶଶୀ । ସେ ଘରର ପରଦା ଆଡ଼େଇ ଉତ୍କଣ୍ଠିତ ହେଇ ଶୁଣୁଚି ନର୍ମଦା । ବର୍ତ୍ତମାନ ବଜ୍ର ପଡ଼ିବ । ଶଶୀ ହବ ଭୀଷଣ । ଆସ୍ତେ ଆସ୍ତେ ମଧ୍ୟଯୁଗର ବର୍ବରତାକୁ ପରିବର୍ତ୍ତିତ ହେଇଯାଉଚି ଶଶୀ । ଏଇ ହାତ ତା’ର ଉଠେଇ ଆଣୁଚି ଅମରର କାନ୍ଧ ଉପରକୁ । କହୁଚି ହୁଏତ—‘ବିଶ୍ୱାସ ଘାତକ’ ! ‘ବିଶ୍ୱାସ ତୋ’ ଉପରେ ମୋ’ର ସବୁଠାରୁ ବେଶୀ ଅମର । ଏପରିକି ନର୍ମଦାଠାରୁ ମଧ୍ୟ ।’

 

ନିଶ୍ୱାସ ଛାଡ଼ିଲା ଅମର । ଟିକିଏ ଆଶ୍ୱସ୍ତିର ନିଶ୍ୱାସ । ବରଫ ହୁଏତ ତରଳୁଚି । ସେ ଭୀଷଣତା ଆଉ ନାହିଁ ।

 

‘ସେଇଥିପାଇଁ ମୁଁ କ’ଣ କହୁଥିଲି କି—’ ପୂର୍ବ କଥାର ଜେର ଟାଣି ଆରମ୍ଭ କଲା ଶଶୀ, ‘ଯେ ତୁ ମୋ କଥାରେ ରାଜି ହବୁ ?’

 

ଅମରର ସାହସ ଫେରିଆସିଚି । କହିଲା, ‘‘ଭୂମିକା ଛାଡ଼ି କଥାଟା ସିଧାସଳଖ କହିପାରୁନୁ ?’

 

ହସିଲା ଶଶୀ—‘କଥାଟା ସିଧାସଳଖ ନୁହେଁ ବୋଲି ତ କହି ପାରୁନି । ହଲୁଥିବା ପରଦା ଆଡ଼କୁ ଅନେଇ ପୁଣି ଟିକିଏ ହସି ଦେଲା ଶଶୀ । କୋଉ ବାଟରେ କଥା ଆରମ୍ଭ କରିବ ବୁଝିପାରୁ ନଥିଲା । ଅମର ତାକୁ ଉଦ୍ଧାର କଲା ଏ ବିପଦରୁ । କହିଲା, ‘ଦେଖ ଶଶୀ, ତୁ ଯାହା କହିବାକୁ ଚାହୁଁ ପରିଷ୍କାର କହିଦେଲେ ଉତ୍କଣ୍ଠା ଯା’ନ୍ତା । ମୁଁ ତୋତେ ଭରସା ଦଉଚି । ହୁଏତ ତୋ କଥା ମୋ’ପାଇଁ ଅବାନ୍ତର ହୋଇପାରେ । ଆଉ ସେମିତି କିଛି କଥା ଥିଲେ ମୁଁ ତ ସ୍ପଷ୍ଟ ମନା କରିଦେବି । ତୋ ପାଖରେ ମୋର କେବେ ଲୁଚକାଳି ଖେଳିବା ଦେଖିଚୁ ?’ ସାହସ ପାଇଲା ଶଶୀ-। କଥା ଆରମ୍ଭ କରିବାକୁ ବସିଲା ।

 

‘ମୁଁ ଛୁଟିରେ ଯାଉଚି ଅମର, କିନ୍ତୁ ତା ସଙ୍ଗେ ସଙ୍ଗେ ମୁଁ ତୋ ପାଖରୁ ଗୋଟାଏ କଥାର ଜବାବ ନେଇଯିବି ।’

 

‘କିଭଳି ଜବାବ ତୁ ଚାହୁଁ ?’ ଅମର ପଚାରିଲା ।

 

‘ମୁଁ ଚାହେଁ ସାହାଯ୍ୟ ।’ ଶଶୀ ଘଡ଼ିକୁ ଚାହିଁଲା । ଯେମିତି କାହାକୁ ସେ ଅପେକ୍ଷା କରୁଚି-

 

‘ସାହାଯ୍ୟ ।’ ଆଶ୍ଚର୍ଯ୍ୟ ହେଇଗଲା ଅମର ।

 

—‘ହଁ, ସାହାଯ୍ୟ’ ଶଶି କହିଲା । ସେ ଘରର ପରଦା ଆଉ ଟିକିଏ ମେଲା ହେଇଗଲା । ସେଇ ଶେତାଳିଆ ମୁହଁଟା ଏଥର ଟିକିଏ ପରିଷ୍କାର ଦେଖାଗଲା । ସେ ମୁହଁ ନର୍ମଦାର । ଉତ୍କଣ୍ଠା ଆଉ ଆଗ୍ରହଭରା ଆଖି ନେଇ ନର୍ମଦା ଥରେ ଶଶୀକୁ ଓ ଆଉଥରେ ଅମରକୁ ଚାହୁଁଥିଲା । ଗଳା ପରିଷ୍କାର କରି ଶଶୀ ପୁଣି ଆରମ୍ଭକଲା, ‘ଆମ ଗାଆଁର ବିଧବା ଝିଅଟିଏ । ତାରିପାଇଁ ତୋ’ଠାରୁ ସାହାଯ୍ୟ ଚାହେଁ । ମାଟ୍ରିକ୍ୟୁଲେଶନ ପର୍ଯ୍ୟନ୍ତ ପଢ଼ିଚି । ବର୍ତ୍ତମାନ ନର୍ସକାମ ଶିଖୁଛି ।’

 

‘‘ବେଶ୍‍ ତ । କାମ ଶିଖି ସାରିଲେ ଚାକିରି କରିବ । ମୁଁ ଆଉ ସାହାଯ୍ୟ ଦେବି କଣ ?’ ଅମର ବୁଝିପାରୁ ନ ଥିଲା ।

 

‘ଚାକିରି କରିବ ?’ ସେ ଚାକିରିର ମୂଲ୍ୟ କଣ ଅମର ? ନିଜର ସବୁ କିଛି ଆନନ୍ଦ ବିଳାସକୁ ଜଳାଞ୍ଜଳି ଦେଇ ସେ ହବ ସେବିକା । ସାରା ଅନ୍ତରରେ ମରୁଭୂମିର ତିକ୍ତତା ସଞ୍ଚୟ କରି ସେବା କରିବାପାଇଁ ସେ ଫୁଟେଇବ ମୁହଁରେ ତାର ମରୁଦ୍ୟାନର ସରସତା ।’ ପ୍ରଫେସରୀ କାଏଦାରେ ବକ୍ତୃତା ଶେଷକଲା ଶଶୀ ।

 

‘ମୋତେ ତୁ କଣ କରିବାକୁ କହୁଛୁ ଯେ ?’ ଅମର ଜିଜ୍ଞାସୁ ଦୃଷ୍ଟିରେ ତା ଆଡ଼କୁ ଚାହିଁରହିଲା ।

 

‘ତୁ ତାକୁ ବାହା ହେଇପାରିବୁ ଅମର ?

 

‘ଶଶୀ ।’ ପାଟି କରି ଉଠିଲା ଅମର । ସାମନା ଘରର ପରଦା ଟିକିଏ ଜୋରରେ ହଲିଗଲା । ଆଉ ଭାରି ପାଦରେ ସେ ଘରୁ ବାହାରି ଆସିଲା ନର୍ମଦା । ତାର ସ୍ଥଳିତ ରୂପ, ଶେତାଳିଆ ଭୁହଁ, ଆଉ ମଥାର ସିନ୍ଦୂର ଧରି ନର୍ମଦା ଆତ୍ମପ୍ରକାଶ କଲା । ଅମରକୁ ଲାଗିଲା ଯେମିତି ସ୍ୱାମୀ ସ୍ତ୍ରୀ ଦିହେଁ ତାକୁ ପରୀକ୍ଷା କରୁଛନ୍ତି ।

 

‘ସଂସାର ପଥରେ ଅମର, ବାରବୁଲା ଜୀବନ ଆଉ ନିଃସଙ୍ଗ ଏକକତ୍ୱ ନେଇ କେତେଦିନ ଘୂରି ବୁଲିବୁ ?’ କିନ୍ତୁ ଅମର କହି ପାରିଲାନି ସବୁକଥା । ସବୁକଥା କହି ପାରିଥିଲେ ଶଶୀ ବିବାହିତ ଜୀବନର Stamp ମାରି ତା ଆଗରେ ଠିଆ ହେଇନଥାନ୍ତା । ଏଇ ନର୍ମଦା ହେଇଥାନ୍ତା ତାର ସ୍ତ୍ରୀ । ତାର ପିଲାର ମା ।

 

ଶଶୀ କହିଲା, ‘ତୋତେ ହଠାତ୍‌ କିଛି ଗୋଟାଏ ଉତ୍ତର ଦବାକୁ ମୁଁ କହୁନି । ନ ହେଲା । ମୁଁ ମୋର ମତ ପରିବର୍ତ୍ତନ କରୁଚି । ଘରୁ ଆସିଲେ ୟାର ଜବାବ ମୋତେ ଦବୁ ।’

 

‘ଶୁଣ ଶଶୀ, ସଂସାର ପାତିବାର ଥିଲେ ବହୁତ ଆଗରୁ ପାରିଥାଆନ୍ତି । କିନ୍ତୁ—’

 

‘କିନ୍ତୁ ! ଏଥିରେ ଫେର୍‌ କିନ୍ତୁ କରିବାରୁ କଣ ଅଛି ଅମର । ମୁଁ ତୋ ପାଇଁ ଅପାତ୍ରୀଟିଏ ଯୋଗାଡ଼ କରୁନି । ଅନ୍ତତଃ ସେ choice ମୋର ଅଛି ।’

 

ଟିକିଏ ଭାବପ୍ରବଣ ହେଇଉଠିଲା ଶଶୀ-। କହିଲା ‘ସେ ନାରୀ, ହଉନା ସେ ବିଧବା । ପୋଛି ଦଉନା ସମାଜ ତା ମୁଣ୍ଡରୁ ସିନ୍ଦୂରଗାର-। ତଥାପି ସେ ନାରୀ । ତୋପାଇଁ ଆଣିବ ସେ ଫଗୁଣର ମଳୟ ।’ ଅସହିଷ୍ଣୁ ହେଇଉଠୁଥିଲା ଅମର-। ବିରକ୍ତରେ କହିଲା, ‘‘ସେ ଫଗୁଣ ମୋପାଇଁ ଆଣିପାରିବ ନାହିଁ କୋକିଳର କାକଳୀ ଶଶୀ-। ସେ ଆଣିବ ବୈଶାଖର ଝାଞ୍ଜିପିଟା ନିର୍ମମତା ।’

 

ଠିକ ଏଇ ସମୟରେ ଘରେ ପ୍ରବେଶ କଲା ଯୋଉ ଜଣକ ତାକୁ ଦେଖି ଅମରର କଥା ଆପେ ଆପେ ବନ୍ଦ ହେଇଗଲା । ଅମର ଥମକି ଯାଇ ଛିଡ଼ା ହେଇଗଲା ।

 

କିଏ ଏ ? ମନକୁ ମନ ପ୍ରଶ୍ନ କରୁଥିଲା ଅମର । ସୁଶ୍ରୀ ସୁନ୍ଦରୀ ତନ୍ୱୀ...... । ହୁଏତ ଭାଷା ଖୋଜି ପାଉ ନଥିଲା, କିନ୍ତୁ ଏଇ କଣ ସେଇ ଯାହାପାଇଁ ଶଶୀ ଓକିଲାତି କରୁଥିଲା ? ଏ କଣ ସେଇ ଯାହା ମୁଣ୍ଡରେ ସିନ୍ଦୂର ନାଇଁ ।

 

ପ୍ରଶସ୍ତ ସାତା କପାଳର ଠିକ୍‌ ମଝିରେ ମଧ୍ୟମଣି ଭଳି ଯୋଉ ଟୋପାକ ଲାଲ ରହିଚି, ସେ କ’ଣ ହୁଏତ ସିନ୍ଦୂର ନୂହେଁ, କୁଙ୍କୁମ ବା ଲାଲ ରଙ୍ଗର ଆଉ କିଛି ? ଗୋଟାଏ ଅବସ୍ଥାକୁ ଅସ୍ୱୀକାର କରିବା ପାଇଁ ଆଉ ଗୋଟାଏ ପରିବେଶର ସୃଷ୍ଟି ।

 

କାଳିଆ ବ୍ଲାଉଜ, ଧଳା ଶାଢ଼ୀ, ଲାଲ ଚପଲ । ଲାଲରେ ଆରମ୍ଭ ଆଉ ଲାଲରେ ଶେଷ-। ରୂପର ପ୍ରସାଧନ ଅମର ଖାଲି ଦେଖୁଥିଲା ।

 

ଆଉ ଶଶୀ ଭାବୁଥିଲା—ହାରିଚି ଏଇଠି ଅମର । ତା’ର ଏଇ ନାସ୍ତିକତାର ଦୌଡ଼ ତା’ର ସୌନ୍ଦର୍ଯ୍ୟ ପଥର ଉପରେ ଧକ୍‌କା ଖାଇ ଥମ୍‌କି ଯାଇଚି । ସେ ନାଚାର—

 

ଘର ଭିତରକୁ ପାଦ ବଢ଼େଇଲା ସେଇ ନାରୀ, ଆଉ ସମସ୍ତ ସୌରଭ ବିଛେଇ ହେଇପଡ଼ୁଥିଲା ତାର ଚାରିକଡ଼େ । ଉପେକ୍ଷିତା ନିର୍ବାସିତା ଏକା ନାରୀ । ଜୀବନଟା ଯାହାର ଖାଲି ଦୀର୍ଘ ନିଃଶ୍ୱାସ–ସେଇ ନାରୀ । ସେଇ Eve ର ବିଂଶ ଶତାବ୍ଦୀ ସଂସ୍କରଣ ଆସ୍ତେ ଆସ୍ତେ ଘର ଭିତରକୁ ପାଦ ବଢ଼ଉଥିଲା । ଶଶୀ ଆତ୍ମଗୌରବରେ ହସି ଉଠୁଥିଲା ତଟସ୍ଥ ଅମରକୁ ଦେଖି ।

 

ମୋତେ ଡାକିଥିଲ ଶଶୀଭାଇ ?

 

‘ହଁ, ତୋତେ ଡାକିଥିଲି ।’ ଶଶୀ କହିଲା । ତା’ ପରେ ଡାକ ଛାଡ଼ିଲା—‘ନର୍ମଦା, ନର୍ମଦା-।’ ନର୍ମଦା ସେତେବେଳକୁ ଭିତରକୁ ଚାଲିଯାଉଥିଲା । ଆସିଲା ନର୍ମଦା ! ‘ଏଇ ଦେଖ, କବିତା ଆସିଚି ।’

 

ନର୍ମଦା କରେଇ ଟିକିଏ ଚାହିଁଲା ଅମରକୁ । ସେ ଚାହାଁଣୀରେ ଥିଲା—‘ଅମରକୁ ଛଳେଇବା । ଜିତିପାରିବୁ ୟାକୁ ?’ କିନ୍ତୁ ସେତେବେଳେ ଅମରର ଚାରିପଟେ ଖାଲି ଖେଳୁ ଥିଲା—କବିତା—କବିତା—ଆଉ କବିତା !

 

‘ଭିତରକୁ ଆ କବିତା ।’ ନର୍ମଦା ଡାକିଲା କବିତାକୁ । କବିତା ସେ ଘରୁ ଆର ଘରକୁ ଗୋଡ଼ ବଢ଼େଇଲା । କିନ୍ତୁ ତା’ର ପ୍ରବେଶ ପ୍ରସ୍ଥାନ ଭିତରେ ଦ୍ୱନ୍ଦ, ତୋଫାନ ସବୁ କିଛି ଭରି ଦେଇ ଗଲା ବାୟୁ ମଣ୍ଡଳକୁ ଗୁରୁ ଗମ୍ଭୀର କରି । ଅମର ଚାଲିଯିବାକୁ ପାଦ ବଢ଼େଇ ପାରିଲାନି ।

 

‘Thats all—ଏଥର ତୁ ଯାଇପାରୁ ।’ ଶଶୀ କହିଲା । ଅମର ଗୋଟିଏ ଗୋଟିଏ କରି ଆଗେଇ ଗଲା ବାହାର ଦୁଆର ଆଡ଼କୁ ।

 

‘ହଁ । ଚାରିଦିନ ରହିବ ଏଠି କବିତା । Hostelରୁ ତା’ ପାଇଁ ମୁଁ ଛୁଟି ଆଣିଚି । ତୁ ଆସିବୁ, କିନ୍ତୁ ଚାରିଦିନ ପରେ ମୁଁ ଯେପରି ଜବାବ ପାଏ—’ ହସି ହସି ବଜ୍ର ହାଣିଲା ଶଶୀ ।

 

ଅମର ଅନ୍ୟମନସ୍କ ଭାବରେ ପଦାକୁ ଗୋଡ଼ ବଢ଼େଇଲା ।

 

–ପାଞ୍ଚ–

 

ପ୍ରତିଯୋଗିତା, ସେ ଲାଗି ରହିଚି, ରହିଥିବ । କେଉଁ ଆଦିମ କାଳରୁ ମଣିଷ ସଞ୍ଚୟ କରିଥିଲା ଏଇ ପ୍ରତିଯୋଗିତାର ମନୋବୃତ୍ତି । ସେ ସେମିତି ରହିଯାଇଛି । ଯୁଗ ବଦଳିଚି, ବକଳ ପିନ୍ଧା ମଣିଷ ପିନ୍ଧି ଶିଖିଛି ଲୁଗା । ଭାବ ପ୍ରକାଶ କରିପାରୁଚି କଥାରେ, ଭାଷାରେ, ଭାବ ଭଙ୍ଗୀର; କିନ୍ତୁ ରହିଯାଇଚି ସେଇ ଭାବ ଟିକକ । ଅନ୍ୟକୁ ଦବେଇ ନିଜେ ଟିକିଏ ଉପରକୁ ଉଠିଯିବା । ଆଉ ସେ ପ୍ରତିଯୋଗିତା ଆକର୍ଷଣ କରିବାର ପ୍ରତିଯୋଗିତା, ଦେଖେଇ ହବାର ପ୍ରତିଯୋଗିତା ।

 

ଯେ ଦୁର୍ବଳ, ଯେ ଅକ୍ଷମ, ଯେ ପ୍ରତିଯୋଗିତାରେ ହାରି ଯାଇଚି ସେ ରହିଚି ପଛେଇ ଚିରଦିନପାଇଁ । ଆଦିମ ଯୁଗରେ ଯୋଉଟା ଥିଲା ସଂସ୍କୃତି ମଧ୍ୟଯୁଗରେ ସେଇଟା ସଭ୍ୟତା ଆଉ ସଭ୍ୟ ଯୁଗରେ ହେଲା ସଭ୍ୟତାର ଅନ୍ତଃସଲିଳ ଫଲ୍‌ଗୁ, ମୂଳଦୁଆ । କ୍ୟୁପିଡ୍‍, ମେଡୋନା, ଭେନ୍‌ସ୍‌ ବା ଅଜନ୍ତା, ଇଲୋରା, କୋଣାର୍କ ସବୁଠି ଗଠନର ଶୈଳୀ ଭିତରେ ଅଛି ପ୍ରତିଯୋଗିତାର ସୁର, କ୍ଷୁଧାର ଭାବ ପ୍ରକାଶ । ଯୁଗ ବଦଳିଚି; କିନ୍ତୁ ମଣିଷ ବଦଳିନି । ବଦଳିବାକୁ ଚେଷ୍ଟାକରେ ନର୍ମଦା । ଫେରିଯିବାକୁ ଛ’ ବର୍ଷ ତଳର ଅତୀତକୁ । ଆଉ ଏଇ କବିତା ସାଙ୍ଗରେ ରୂପରେ, ପରିପାଟିରେ ତାଳ ମିଳେଇ ଚାଲିବାକୁ ସାଧନା କରେ । ନିଜେ ସେ ଜାଣେ ଛ’ ବର୍ଷ ତଳର ଅତୀତ ଛ’ବର୍ଷ ପରର ବର୍ତ୍ତମାନକୁ ଫେରିଆସି ପାରିବନି । କିନ୍ତୁ ବୁଝି ବି ବୁଝେନା ମନ । ଇଏ ବି ଗୋଟାଏ ପ୍ରତିଯୋଗିତା । ଜଣେ ଅନ୍ୟ ଜଣକୁ ପଛରେ ପକେଇ ଦେଇ କହେ ‘ମୋତେ ଦେଖ ।’ ପଛ ଜଣକ ଆଗକୁ ବାହାରି ପଡ଼ିବାକୁ ଚେଷ୍ଟା କରେ । କମ୍ପିଟିସନ୍‌ର ଯୋତା ଦୌଡ଼ ।

 

କିନ୍ତୁ ଅମର ମନରୁ ଉଠେ ସେଇ ତୋଫାନି ଚିତ୍କାର—‘ଏଇ ଭଲ ନୁହେଁ ନର୍ମଦା । ଦରକାର ନାହିଁ ସିନ୍ଦୂର ଉପରେ କୋଟିକମ, ଦରକାର ଗୋଲ ବଡ଼ ଟୋପାଟିଏ । ଦରକାର ନାହିଁ ପରିପାଟି କରି ବନ୍ଧା ହୋଇଥିବା ଗଭାରେ ଫୁଲର ଅଳକା, ଦରକାର ଆଲୁଳାୟିତ ଅଯତ୍ନରକ୍ଷିତ କେଶ ।’

 

‘ଲୋଡ଼ା ନାହିଁ ମୋର ସେ ରୂପ ଦେଖିବାରେ, ଯୋଉ ରୂପର ରଙ୍ଗକୁ ଡୁବେଇ ଦେଇ ରୁଜ୍‌ ପାଉଡ୍‍ରୁ ମଖାହୁଏ । ସେଇ ଶେତାଳିଆ ଶୀର୍ଣ୍ଣ ମୁହଁ—ଆଃ, କେଡ଼େ ଚମତ୍କାର ସିଏ ।’

 

କିନ୍ତୁ ନର୍ମଦାକୁ ପରୀକ୍ଷା ଦବାକୁ ହୁଏ । ‘ମୋତେ ଦେଖ’ର ଯୁକ୍ତି ବାଢ଼ିବା ପାଇଁ ନିଜକୁ ସଜେଇବାକୁ ପଡ଼େ । ରଙ୍ଗ ବେରଙ୍ଗ ଶାଢ଼ୀ ପିନ୍ଧି ସମତାଳରେ ବାହାରିବାକୁ ପଡ଼େ । ଭୁଲିଯିବାକୁ ହୁଏ ସେ ମା’, ସେ ସ୍ତ୍ରୀ, ସେ ସଙ୍ଗିନୀ, ସେ ସହଧର୍ମିଣୀ । ଖାଲି ମନେପଡ଼େ ସେ ନାରୀ, ରମଣୀ, ପ୍ରତିଯୋଗିତାରେ ଯୋଗଦବାକୁ ହେବ ।

 

ଫୁଲ ମୁଣ୍ଡ ଟେକେ ଉପରକୁ, ପବନର ସ୍ପର୍ଶ ପାଇବାକୁ । ଆଲୁଅର ଧାସ ପାଇବାକୁ କଢ଼ ମୁଣ୍ଡ ଟେକେ, ଫୁଟିଲା ଫୁଲ ମୁଣ୍ଡ ଟେକେ, ଆଉ ମୁଣ୍ଡ ଟେକେ କାଲିକି ଯେ ଝରିପଡ଼ିବ । ସମସ୍ତେ ଦୋହଲନ୍ତି, ଆମନ୍ତ୍ରଣ କରନ୍ତି, ହସନ୍ତି ।

 

ହସେ ଅମର । ନର୍ମଦା ନିଜର ମୁଲ୍ୟ ବୁଝୁନି । କିଏ ବା ନିଜର ମୂଲ୍ୟ ବୁଝେ ? ସେ ନିଜେ ହୁଏତ ବୁଝେ କି ନା ସନ୍ଦେହ । ତା’ ର ଦୁଇ ଦିଗରେ ଦୁଇଟି ଉଦାହରଣ । କବିତା ଆଉ ନର୍ମଦା, ଜଣେ ଯୋଗାଏ ପାଥେୟ, ଆଉ ଜଣେ ଉପାଦାନ । ଜଣେ ଦିଏ ପେଟଭରି ଖାଦ୍ୟ, ଆଉ ଜଣେ ଦିଏ । ରସନାର ତୃପ୍ତି । କିଏ ବଡ଼ ?

 

ବିସ୍ମିତ ହୁଏ ଅମର । ନାଁ ନର୍ମଦା—ନାଁ କବିତା । କେହି ବଡ଼ ନୁହନ୍ତି ତା’ ପାଖରେ । ସମସ୍ତେ ସମାନ । କବିତା ଆଡ଼ ହୁଏ, ନର୍ମଦା ପାଖେଇ ଆସେ । କବିତା ଲାଜ କରେ, ନର୍ମଦା ଲଜ୍ଜାହୀନ ହସ ହସେ ।

 

ନାଃ—କେହି ତା’ର ଲୋଡ଼ା ନୁହନ୍ତି । ସବୁ ଆଲୋଡ଼ା । ଅମର ଉଠିପଡେ । ତିନିଦିନ ପରେ ଆସିବ ଶଶୀ; କିନ୍ତୁ କ’ଣ ଜବାବ ଦବ ଅମର, ନାଁ କିବା ହିଁ ।

 

ନର୍ମଦା କହେ, ‘ଦେଖିଚ କବିତାକୁ, ତମ ପାଇଁ ଆଜିଠାରୁ ତପସ୍ୟା କଲାଣି । ରାଜିହୁଅ, ଠକିବ ନାହିଁ ।’ ଅମର ଜାଣେ, ଏଇଟା ଖାଲି ତାର ମୁହଁର କଥା; କିନ୍ତୁ ମନ ଭିତରେ ହୁଏତ କହୁଚି–‘ତା ହେଲେ ଛ’ବର୍ଷ ଜାଳ କାହିଁକି ଠକି ଆସିଲ ? ତୁମକୁ ପାଇବା ପାଇଁ ତ ମୁଁ କମ୍‌ ତପସ୍ୟା କରି ନ ଥିଲି ।’ ଠିକ୍‌ ଅଛି । ନର୍ମଦା ରହୁ, କବିତା ଲୋଡ଼ା ନାହିଁ ।

 

କିନ୍ତୁ ସନ୍ଧ୍ୟାର ଅନ୍ଧାରରେ ଦୁଇଟି ମୁହଁ ପାଖାପାଖି ଛିଡ଼ା ହୁଏ । କିଏ ଭଲ ? କାହିଁକି ଭଲ ? ଆଉ ତା’ରି ଭିତରୁ ଆତ୍ମ ପ୍ରକାଶ କରେ ଅତୀତ—ମଧୁପୁର ଗାଁର ନିଷ୍ଠୁର ସ୍ମୃତି । ସେ ବି ସେମିତି ଗୋଟାଏ ସନ୍ଧ୍ୟା ଥିଲା । ଥିଲା ମେଘଭରା, ବାଦୁଡ଼ିର ଚିଁ, ବିଁ, ଫଡ଼୍‌ ଫଡ଼୍‌, ବରଗଛର ଫାଙ୍କ ଦେଇ ଚେନାଏ ଚେନାଏ ଆକାଶ, ଘନ ଅନ୍ଧାରର ଶେଷପରେ ଫାଙ୍କା ଆକାଶର ସ୍ମୃତି ।

 

ସେଇ ସ୍ମୃତିର ଅତଳ ତଳେ ଲୁଚିଯାଏ ନର୍ମଦାର ମୁହଁ, ଲୁଚିଯାଏ କବିତାର ପ୍ରତୀକ୍ଷମାଣ ଲଜରା ହସ । ଖୋଜିବାକୁ ଚେଷ୍ଟା କରେନା ଅମର । ଯାଉ ସେ ତଳେଇ । ଯୋଉ ନିଷ୍ଠୁର ସ୍ମୃତି ତା’ର ସାରା ଜୀବନର ପାଥେୟ, ବଞ୍ଚିବାର ସାର୍ଟିଫିକେଟ୍‌, ତାରି ଭିତରୁ ଆତ୍ମପ୍ରକାଶ କରୁଥିବା କବିତା ବା ନର୍ମଦା-ସମସ୍ତେ ଉପହାସ କରିବେ, କବିତା ବିଧବା । କିନ୍ତୁ ହୁଏତ ତା’ରି ଭିତରେ ବି ଲୁଚି ରହିଚି ବିଦ୍ୱେଷର ଆଗ୍ନେୟ ଗିରି । ଦିନେ ସେ ଚମକି ଉଠିବ । ବିଧବା ହବାର ବରଂ ଗୌରବ ଅଛି; କିନ୍ତୁ ସ୍ୱକ୍ଷରହୀନର ? ବର୍ଣ୍ଣସଙ୍କରର ? ଜାରଜର ?

 

ଗୋଟାଏ ଅବ୍ୟନ୍ତ ଚିତ୍କାର କରି ଉଠିପଡ଼ିଲା ଅମର । ସେ ଜାରଜ ? ସେ ବର୍ଣ୍ଣସଙ୍କର-? ରାଗରେ ମୁଣ୍ଡର ବାଳକ ଟାଣିବାକୁ ଲାଗିଲା । ମନ ମାନୁନି । କିନ୍ତୁ ସତ କଥା । ନ ମାନିଲେ ବି ମୁଣ୍ଡ ପାତିବାକୁ ପଡ଼ିବ ।

 

କିଏ ତା’ର ବାପ ? ଯିଏ ହଉ । କିନ୍ତୁ ସେ ଜାଣେ ଯୋଉ ଦୁର୍ବଳ ମୂହୂର୍ତ୍ତରେ ମା’ ତା’ର ଆଗେଇ ଆସିଥିଲା। ହଉ ନା ସେ ଅନ୍ୟ କେହି । କିନ୍ତୁ ସେଇ ମୁହୂର୍ତ୍ତକ କଣ ସେ ତାକୁ ସ୍ୱାମୀ ବୋଲି ସ୍ୱୀକାର କରି ନ ଥିଲା ? ଉତ୍ତେଜନା ହୁଏତ କ୍ଷଣିକ ହେଇପାରେ, କିନ୍ତୁ ସତ ଯେମିତି ସତ, ଚିରନ୍ତନୀ, ଯେମିତି ସତ ଶାଶ୍ୱତ ସେମିତି କ୍ଷଣଟା ବି ସତ ।

 

ତଥାପି ମନ ମାନେନା, ଭିତରୁ କଣ୍ଟା ଖଚ ଖଚ୍‌ କରେ । ଅତୀତ ଖାଲି କନ୍ଦାଏ, ଛିଣ୍ଡେଇ ଦିଏ ଭବିଷ୍ୟତର ଆଶା । ତେବେ ବି ବାଟ ଚାଲିବାକୁ ପଡ଼ିବ, ବଞ୍ଚିବାକୁ ପଡ଼ିବ । ଅତୀତ ଯେମିତି ଦିହସୁହା, ବର୍ତ୍ତମାନ ସେମିତି ଆଜିର ସ୍ମୃତିରେ ବିଭୋର । ଭବିଷ୍ୟତକୁ ସେମିତି ମାନିନେବାକୁ ପଡ଼ିବ । ନିଷ୍ଠୁର ଭବିଷ୍ୟତ ଖାଲି ଅତୀତର ହାହାକାରର ସୃଷ୍ଟି ।

 

ଆଗେଇବାକୁ ହବ । ଜମାଟ ଅନ୍ଧାର ସତ, କିନ୍ତୁ ବାଟ ବାଛିନବାକୁ ପଡ଼ିବ, କଳିନବାକୁ ପଡ଼ିବ । ଆସୁ ଅନ୍ଧାର, ଆସୁ ଝଡ଼ । କିନ୍ତୁ ଅମର କ’ଣ ବଞ୍ଚିପାରିବ ନାହିଁ କାହାରି ସ୍ମୃତି ବହନ ନ କରି, ଚଳିପାରିବନି ସୃଷ୍ଟିର ଗୋଟାଏ ଯୋଗସୂତ୍ରକୁ ଛିନ୍ନ କରି ।

 

ହଁ ପାରିବ । ନିଜକୁ ନିଜେ ଦମ୍ଭ କରିବାକୁ ଚେଷ୍ଟା କଲା ସେ ପାରିବ । କିନ୍ତୁ ସାଙ୍ଗରେ ତା’ର କାହାକୁ ନବ ? କବିତାକୁ ? ନର୍ମଦାକୁ ? ନାଁ କାହାରିକୁ ନୁହେଁ । ସମସ୍ତଙ୍କର ଅହମିକା ଅଛି-। ସମସ୍ତଙ୍କର ବଞ୍ଚିବା ପଛରେ ଅଛି ଇତିହାସ ।

 

ତେବେ ? ଯାଉ, କବିତା ଫେରିଯାଉ । ନର୍ମଦା ଯେମିତି ଅତୀତର ପୃଷ୍ଠା ଭିତରେ ଗାର କାଟି ଥକିଯାଇଚି, ସେମିତି ସିଆର କାଟ୍‌ କବିତା । ସାରା ଜୀବନ ଏମିତି ନିଃସଙ୍ଗ ହେଇ କଟେଇ ଦବ ସେ । କାହାରିପାଇଁ ସେ ନିତି ଶଯ୍ୟା ରଚନା କରିପାରିବ ନାହିଁ । ସେଇ ଏକକ-ଶଯ୍ୟାରେ ଏକକ-ଉପାଧାନ ଯଦି ହବ ତା’ର ସମ୍ଭଳ, ତେବେ କବିତାପାଇଁ କାହିଁକି ତା’ର ଲିପ୍‌ସା-? କାହିଁକି ବା ନର୍ମଦା ପାଇଁ ଅହେତୁକୀ ଦରଦ ?

 

କୁହାଟ ଛାଡ଼େ ବ୍ୟର୍ଥ ମନ, ଭଲଲୋକୀ ବୁଲେଇ ଦିଏ ହାତ । ଉପରଟା ଲିଭିଯାଏ; କିନ୍ତୁ ଭିତରଟା ଜଳୁଥାଏ ଠିକ୍‌ ମାଟି ଗୋବର ଲିପା ନିଆଁ ଚୁଲିଟି ପରି । ବାହାର ଶାନ୍ତ, ଧୂସର । ଭିତରେ ଡହକା ନିଆଁ ।

 

ଭଲଲୋକର ନାଲି ଆଖି କହେ, ‘ଭଲ ହୁଅ।’ କିନ୍ତୁ ଭଲ ତ ହେଇପାରେ ନା, କି ମନକଲେ ହେଇପାରିବନି । ଶାନ୍ତ ନୁହେଁ, ଆଗ୍ନେୟଗିରିର ଅଶାନ୍ତ ଲାଭସ୍ରୋତ ପରି ଅମରର ମନ କୁହାଟ ଛାଡ଼ି ବିଛେଇ ଦବାକୁ ଚାହେଁ ବିଦ୍ୱେଷ, ଅବିଶ୍ୱାସ ଆଉ ଘୃଣା । ଯାଉ ଜଳି ପୋଡ଼ିଯାଇ ସବୁ-। ସୁଖରେ ସେ ନାହିଁ । ଚିରଦିନ କାନ୍ଦୁଚି ତା’ର ଅନ୍ତର । କାନ୍ଦୁଥାଉ ତାକୁ ଘେରି ଗଢ଼ିଉଠୁଥିବା ଆବହାଓ୍ୟା ।

 

ବେଳେବେଳେ ବୁଲି ଚାହେଁ କବିତା । କାମ କରୁ କରୁ ଲୁଚେଇ ଦେଖିବାକୁ ଚେଷ୍ଟା କରେ । ବିଲେଇ ଆଖି ବୁଜି ଦୁଧ ପିଏ; କିନ୍ତୁ ସମସ୍ତେ ତାକୁ ଦେଖିପାରନ୍ତି । ଅମର ଜାଣିପାରେ । ମୁହଁରେ ସେଇ ଲାଜ ଲାଜ ହସ । କପାଳର ଲାଲ ଟୋପା ପାଖକୁ ବିନ୍ଦୁ ବିନ୍ଦୁ ଝାଳ । କର୍ମରତ ଏକ ନାରୀର ନିଖୁଣ ପ୍ରତିଛବି । କବିତା ମୁହଁ ଉଠାଏ ।

 

ମୁହଁ ଉଠାଏ ନର୍ମଦା । ପିଲାକୁ ଗେଲ କରୁ କରୁ ମୁଣ୍ଡ ଉଠେଇ ଚାହେଁ ଅମରକୁ । ଯୋଉ ଆଖିଯୋଡ଼ିକ ସ୍ନେହ ମମତାରେ ଭରି ଉଠେ, ସେଇ ଆଖି ଯୋଡ଼ିକ ‘ମୋତେ ଦେଖ’ର ଆମନ୍ତ୍ରଣ ଜଣାଏ । କହେ—‘ଭୁଲିଯାଅନା । ଛ’ ବର୍ଷ ତଳୁ ମୁଁ ଚାହିଁ ପାଖରେ ଅବହେଳିତା । ତେଣୁ ଦାବୀ ମୋର ବି ମରିନି, ଜୀଇଁଚି; ବଞ୍ଚିଚି ସେଇ ଆଶା ନେଇ।’

 

ଅନବଦ୍ୟ, ଦୁଇଜଣ ଯାକ ଦୁଇଟା ଅବସ୍ଥାର ନିଖୁଣ ଆତ୍ମପ୍ରକାଶ । ଦୁଇଟା ଯୁଗର ଚିହ୍ନ-। ଦୁଇଜଣଙ୍କୁ ପାଖକୁ ଟାଣି ନବାକୁ ଇଚ୍ଛାହୁଏ । ମନ ଡାକେ; କିନ୍ତୁ ସ୍ମୃତି ବାଧା ଦିଏ–ଯୋଉ ସ୍ମୃତି ତାକୁ ଟାଣିନେଇଥିଲା ମଧୁପୁର ଗାଁର ପୋଖରୀ କୂଳକୁ, ଯୋଉ ସ୍ମୃତି ନର୍ମଦା ସାଙ୍ଗରେ ଲୁଚକାଳି ଖେଳିବାକୁ ଦେଇଥିଲା ପ୍ରଶ୍ରୟ ।

 

ଶଶୀ ଦିନେ କହିଥିଲା, ‘ତୁ ବୋକା ଅମର । ବାହାଘର ଭଲପାଇବାର ଧାର ଧାରେନି-। ବୈବାହିକ ଜୀବନରେ ଭଲପାଇବା ଦରକାରୀ ହେଇପାରେ, କିନ୍ତୁ ଏକ ବା ଏମମାତ୍ର ନୁହେଁ ।’

 

ଅମର କଲେଜରେ ପଢ଼ୁଥିଲା ସେତେବେଳେ । ନର୍ମଦା ସାଙ୍ଗରେ ତା’ର ପରିଚୟ ହେଇ ନ ଥିଲା । କିନ୍ତୁ ଭଲମନ୍ଦର ପ୍ରଶ୍ନ ସେଦିନ ଉଠି ନ ଥିଲା ଅମର ମନରେ । ଖାଲି ଚାହିଁଥିଲା ଶଶୀକୁ । ସବୁଦିନ ଶଶୀ ଏମିତି ବଡ଼ ବଡ଼ କଥା କହେ; କିନ୍ତୁ ପଛେଇଯାଏ ସବୁଦିନେ । ଦରକାର ବେଳେ ଶଶୀ ତା’ଭିତରେ ନ ଥାଏ, ଯେମିତି କିଛି ଜାଣେନା ।

 

ଶଶୀ କହୁଥିଲା, ‘ବୁଝିପାରୁନୁ ଅମର । ଏବେ ବି ବୁଝି ପାରିବୁନି । କିନ୍ତୁ ମନେରଖ, ଯଦି କେବେ ବାହା ହଉ, ସେତେବେଳେ ଏମିତି ଗୋଟାକୁ ବାହା ହବୁ, ଯାହା ବିଷୟରେ ତୁ କିଛି ଜାଣି ନ ଥିବୁ ।’

 

ହୋ ହୋ ହେଇ ହସି ଉଠିଲା ପାଖ ସିଟ୍‌ର କୈଳାସ । କହିଲା, ‘ଶଶୀବାବୁ, ତମେ କ’ଣ କହୁଚ ହେ ? ବାଇରନ୍‌, କାଳିଦାସ ପୁରୀ-ପଣ୍ଡାଙ୍କ ଭଳି ନିଶାପାଣି କରୁ ନ ଥିଲେ, ବୁଝିଲ ! ସମସ୍ତେ କହିଗଲେ Love and marriage. ଭଲପାଇବା ଓ ବାହାହବା । କେହି ତ କହିଲେ ନି—‘ବାହାହବା ଆଉ ଭଲ ପାଇବା ।’

 

ଅମର ଏଥର ବି ବୋକାଙ୍କଭଳି ଚାହିଁଲା । କୈଳାସ ଏମିତି ହୋ ହୋ ହେଇ ହସି ଉଡ଼େଇଦବା ତା’ର ସ୍ୱଭାବ । ତା’ପରେ ବାହାରେ ତା’ର ନିଜର Theory;କିନ୍ତୁ ସେ ହସରେ ଶଶୀ ମୋଟେ ଯୋଗଦେଲାନି । ତା’ କଥା ନ ଶୁଣିପାରିଲା ଭଳି ପୁଣି ଅମରକୁ କହିବାକୁ ଲାଗିଲା,‘ତୃତୀୟ ପୁରୁଷ ଭାଇ, ସବୁ ଜାଗାରେ, ସବୁ କ୍ଷେତ୍ରରେ ଆନନ୍ଦ ଦିଏ । ଅବସ୍ଥା ବଦଳେ । ଆଜି ଯାହାକୁ ଭଲ ପାଉଚୁ, କାଲି ଯଦି ତାକୁ ବାହା ହଉ ତେବେ ସେ ବଦଳିବ । ନାଁ ନାଁ ସେ ବଦଳି ନ ପାରେ । ତେବେ ରୂପର ପରିବର୍ତ୍ତନ ହବ, ରଙ୍ଗର ଅଦଳ ବଦଳ ହବ । ତା’ପରେ ତୋତେ ଲାଗିବ ଖରାପ । ତୁ ଭାବିବୁ—‘କାହିଁ, ବାହା ହବା ପୂର୍ବରୁ ସେ ତ ଏମିତି ନ ଥିଲା !’ ଏଇଠି ସୁର ଛିଡ଼ିଯିବ । ତୁ ତାଳ ରଖିପାରିବୁନି । ସବୁ ଲାଗିବ ତୋତେ ବିଷପିତା ।’

 

ଆଜି ଅମରର ଏ ସବୁ ମନେପଡ଼ୁଚି । ରହି ରହି ମନେପଡ଼ୁଚି, ଶଶୀ କୈଳାସ । ଶଶୀ ଆସିବ, ଦିନକ ଭିତରେ ଆସି ପହଞ୍ଚିବ । ତା’ପରେ କହିବ ‘ଜବାବ ଦେ’ । ସେଇ ଶଶୀ—ଭାବନା ସାଙ୍ଗେ ସାଙ୍ଗେ ଯାହାର ରୂପ ବଦଳେ, କେତେବେଳେ ଗମ୍ଭୀର, ଆଉ କେତେବେଳେ ହସି ହସି ଗଡ଼ିଯିବ ।

 

ମନେପଡ଼େ ସେଇ ପିଲାଟା—କୈଳାସ । ଜୋରକରି ହସିବାଟା ତା’ର ସ୍ୱଭାବ । ସମସ୍ତଙ୍କୁ ଦେଖି କବିତା ଲେଖିବାଟା ତା’ର ଅଭ୍ୟାସ; କିନ୍ତୁ ମନ ଦୁଃଖକରି କେବେ ସେ ବସେନି । ବୟସ ଟିକିଏ ବେଶୀ ହେଇଯାଇଚି । ସେ କହେ ତା’ର ଇତିହାସ ବେଳେ ବେଳେ । କାହିଁକି ପାଠପଢ଼ା ବୟସରୁ ସେ ଟିକିଏ ବେଶୀ ବୟସର ।

 

ଗୋଟିଏ ଇଂରାଜି ଆଦବ କାଇଦା ଘେନି ତା’ର ପରିବାର ! ବାପ ମା ତା’ର Daddy ଆଉ Mummy ଡାକ ଭିତରେ ଆବଦ୍ଧ । ସେତିକିବେଳେ ସେ ଜାଣେ Daddy ଘୋଡ଼ା ଦୌଡ଼, Tennis ଆଉରି ଏମିତି ଅନେକ ବଡ଼ଲୋକ ସଉକରି ପୂଜାରୀ ।

 

‘ମା’—ନାଁ ମା’ ନୁହେଁ, Mummy । ସେ ଗୋଟାଏ ସ୍ତ୍ରୀ ଯାହାକୁ ଡାକିବାକୁ ହୁଏ Mummy ଯେମିତି ଚାକରାଣୀକୁ ଡକାଯାଏ ଆୟା । ଚାକରକୁ ବେହେରା ସେମିତି Mummy । ତା ଛଡ଼ା ମୋର ଆଉ କିଛି ସମ୍ୱନ୍ଧ ନ ଥାଏ ।’ ହସି ହସି କହେ କୈଳାସ ତା’ରି ଜୀବନର କଥା । ସରଳ ବୈଚିତ୍ର୍ୟହୀନ ଜୀବନରୁ ଟିକିଏ ଆମଡ଼ା ମାଡ଼ି ଚାଲିଯାଇଥିଲା ତାର ଜୀବନ ରେଖା । ସେଇଥିପାଇଁ ବୟସ ତା’ର ଗଡ଼ିଯାଇଚି ।

 

‘ତୁ ଯାଣିଚୁ ଅମର । ମାଟ୍ରିକ୍ୟୁଲେଶନ ପରୀକ୍ଷା ଦେଇସାରି ମୁଁ ସନ୍ନ୍ୟାସୀ ହେଇ ଯାଇଥିଲି ।’ ସବୁ ଚେୟାର ଘୂରି ଆସିଥିଲା କୈଳାସ କେନ୍ଦ୍ର କରି । ଚାରିଟା ପ୍ରଶ୍ନିଳ ଆଖିର ଦୃଷ୍ଟିପଡ଼ିଲା ତା’ ଉପରେ—‘ହୁଁ, ତାପରେ’—

 

ସନ୍ନ୍ୟାସୀ ଜଣେ ଆସିଥିଲେ ଆମ ସହରକୁ । ଧର୍ମ ବିଷୟରେ ବକ୍ତୃତା ଦେଇଥିଲେ; ଆଉ ମୁଁ ଯାଇଥିଲି ଶୁଣିବାକୁ । ବନ୍ଧନ ମୋ’ର ନ ଥିଲା । ମମ୍ମି ସବୁବେଳେ ବ୍ୟସ୍ତ ଥାଏ କାହା ଘରେ ଲଞ୍ଚ, କାହାଘରେ ଡିନ୍ନର, କୋଉ ବନ୍ଧୁ ବାନ୍ଧବୀ ମେଳରେ Picnic ନେଇ । ଆୟା ହାତରେ ଜୀବନ ମୋର ଖାଲି ବନ୍ଧନହୀନ ନୁହେଁ, ବେପରୁଆ ବି ହେଇପଡ଼ିଥିଲା ।’’

 

ଚାଲିଗଲା କୈଳାସ । ସ୍ନେହକାଙ୍ଗାଳ କୈଳାସ ସନ୍ନ୍ୟାସୀଙ୍କର ଜଣେ ଭକ୍ତ ହେଇ ଚାଲିଗଲା ଖୁବ୍‌ ଦୂରକୁ । ଦଣ୍ଡ, ପ୍ରାଣାୟାମ୍‌ ଯୋଗ, ସତ୍‌ସଙ୍ଗ କରୁଁ କରୁ ଜୀବନର ଦୁଇଟା ବର୍ଷ କଟେଇ ଦେଲା । ବନ୍ଧନ-ହୀନ ଜୀବନରେ କଠୋରତାର ଶୃଙ୍ଖଳ ପିନ୍ଧିବି ଭାବିଲା ଏଇଭଳି ।

 

ହଠାତ୍‌ ଦିନେ ଭେଟହେଲା ଜଣେ ଅଧ୍ୟାପକଙ୍କ ସାଙ୍ଗରେ ।’ କୈଳାସ କହୁଥିଲା–‘‘ଘନିଷ୍ଠତା ବଢ଼ିଉଠିଲା Professor ଙ୍କ ସାଙ୍ଗରେ । ଦିନେ ସେ କହିଲେ, ‘ତୁମେ ଭୁଲ କରୁଚ କୈଳାସ । ଦଣ୍ଡ ପ୍ରାଣାୟାମର ଜୀବନରେ ଆନନ୍ଦ ଆସେନି । ସେ ଆନନ୍ଦ ଆସେ ସହଜ ଆଉ ସରଳତାର ମଧ୍ୟ ଦେଇ । ଜୀବନରେ ଯେ ସବୁଠୁ ବେଶୀ ପାଇଚି ସେଇ କେବଳ ଦେଇପାରିବ-। କିନ୍ତୁ ତୁମେ ଗୋଟାଏ ଦିଗକୁ ଅନ୍ଧ ଭାବରେ ଏଡ଼େଇ ଆସିଚ । ସେ ଦିଗର ମଧୁରତା ତୁମେ ପାଇନ । ତେଣୁ ୟାକୁ ତମେ କେମିତି ଭଲ ବୋଲି କହିବାକୁ ସାହସ କରୁଚ ।’ ଭାବିଲି ବହୁତ-। ଆଉ ସବୁ କ୍ଷେତ୍ରରେ ଯେମିତି ମୁଁ ଶୁଣିବାକୁ ପାଇଲି ସେଇ ପ୍ରଫେସରଙ୍କ ଯୁକ୍ତି । ଫେରି ଆସିବାକୁ ବାଧ୍ୟ ହେଲି ।’’

 

ଫେରିଆସିଲା କୈଳାସ । ପୁଣି ଆରମ୍ଭ ହେଲା ସେଇ Daddy, Mummy ର ସଂସାର । ଆୟା ବେହେରାର ପରିପୂର୍ଣ୍ଣ ଘର । ଉଚ୍ଛ୍ୱାସହୀନ ରୁଟିନ୍‌ଗତ ବ୍ୟବହାର । ସେଇଥିପାଇଁ ସେ ଆଜି ଘରୁ ବହୁତ ଦୂରରେ । ଛୁଟିରେ ଘରକୁ ଯିବାକୁ ସମସ୍ତେ ବ୍ୟସ୍ତ ହେଇଉଠୁଥିଲା ବେଳେ ସେ ସାରା ଛୁଟିଟା କଟେଇ ପାରିବାର ଯୋଜନା କରେ ମେସ୍‌ ଭିତରେ ପଡ଼ିରହି ।

 

କିନ୍ତୁ ଏଇତ କୈଳାସର ସବୁ ନ ଥିଲା ଗୋଟାଏ ପୂରାବର୍ଷ ପରେ ଯେତେବେଳେ ସମସ୍ତେ କୈଳାସକୁ ଦେଖିଲେ ସେତେବେଳେ ସେ ଆଉ ସେ କୈଳାସ ନ ଥିଲା । ସେ ହୋ ହୋ ହସ ତା’ର ନ ଥିଲା । ବେପରୁଆ ହେଇ ଛୁଟି କଟେଇବାର ଯୋଜନା ବି ନ ଥିଲା, ଥିଲା କେମିତି ଏକ ଗମ୍ଭୀର କୈଳାସ । ବହୁତ ଭାବେ ଅମର—କିଏ କୈଳାସର ଏଇ ହସ ହସ ମୁହଁଟାକୁ ଲୁଚେଇଦେଲା ଚିରଦିନପାଇଁ ?

 

ନିଭୃତରେ ଅମର ଶୁଣିଲା କୈଳାସ ଜୀବନର ଆଉ ଗୋଟାଏ କାହାଣୀ, ଆଉ ଗୋଟାଏ ଦିଗ । ପଢ଼ିଲା, ତା’ ମା’ ତା’ ପାଖକୁ ଚିଠି ଲେଖିଚି । ବର୍ଷେ ହେଲା ତାକୁ ନ ଦେଖି ସମସ୍ତେ ଅସ୍ଥିର । ବାପା ଖାଲି ଗୁମ୍‌ ହେଇ ବସୁଛନ୍ତି । ସବୁବେଳେ ତାକୁ ଖୋଜୁଛନ୍ତି । ଆଉ ସିଏ, ତା’ର ମା, ପ୍ରତ୍ୟେକ ଦିନ ପ୍ରତ୍ୟେକ ସନ୍ଧ୍ୟାରେ ଖାଲି ଅପେକ୍ଷା କରିଚନ୍ତି, ପ୍ରତୀକ୍ଷା କରିଚନ୍ତି–‘କୈଳାସ ଆସିବ ।’ ତାକୁଇ କେନ୍ଦ୍ର କରି କେତେ ପ୍ରକାର ଯୋଜନା, ପ୍ରତ୍ୟେକ ଛୁଟିରେ କୁଆଡ଼େ ବୁଲି ଯିବାର ପରିକଳ୍ପନା । କିନ୍ତୁ ସବୁ ବ୍ୟର୍ଥ ହେଇଯାଇଚି । ସବୁ programme କରିବାକୁ ପଡ଼ିଚି । କିନ୍ତୁ କୈଳାସ ଆସିନି ।

 

କେତେ ଆକୁଳତା, କେତେ ସ୍ନେହ ପୂରିରହିଚି ଚିଠିଟାରେ । କୈଳାସ ଦେଖିଚି ଖାଲି Daddy Mummy ର ବାହାର ଖୋଳପାଟା; କିନ୍ତୁ ଭିତରର ସ୍ନେହପ୍ରବଣ ହୃଦୟକୁ ବୁଝିବାକୁ ଚେଷ୍ଟା କରିନି । ବୁଝିନ ମା’ର ମନ କେମିତି କାନ୍ଦେ, କେମିତି ହତାଶ ହୁଏ ବାପର ହୃଦୟ—ଯୋଉ ଦୁଇଟା ମୁହଁରୁ ଖାଲି ଆଶୀର୍ବାଦ ଛଡ଼ା ଆଉ କିଛି ବାହାରିପାରେନା । ତାଙ୍କର ଉପରଟା ଦେଖି କୈଳାସ ଭାବିଚି ଏଇଟା ହିଁ ସେମାନଙ୍କର ଅସଲ ରୂପ । ଅମର ଦେଖିଲା, କୈଳାସ କାନ୍ଦୁଚି । କାନ୍ଦୁ କୈଳାସ । ଧୋଇ ହେଇଯାଉ ମନରୁ ଏତେ ଦିନ ଧରି ସଞ୍ଚୟ କରିଥିବା ବିଦ୍ୱେଷ ।

 

‘କ୍ରଣ ଠିକ୍‌ କରିଚୁ କୈଳାସ ?’ ଅମର ପଚାରିଲା । ‘ମୁଁ ଯିବି, ଆଜି ଯିବି ଅମର ?’ କୈଳାସ କହିଲା । ଅମର କହିଲା–‘‘ଆଜି ଯିବୁ ?’’

 

‘ହଁ, ଆଜି ଯିବି । ବାପ ମା’ କେବେ ଖରାପ ହେଇପାରନ୍ତି ଅମର ! ଆମେ ସେମାନଙ୍କର ମନକୁ ବୁଝିବାକୁ ଚେଷ୍ଟା କରିନୁ ।’

 

ଚାଲିଗଲା କୈଳାସ । ସେଇ ଯେ ଗଲା, ଆଉ ଫେରିଲାନି । ମାସକ ପରେ ଖଣ୍ଡେ ଚିଠି ଧରି ଆସିଲା ତାଙ୍କର ଚାକର ଚାକର ତା’ର ଜିନିଷ ପତ୍ର ନେଇଯିବାକୁ । କୈଳାସ ଆଉ ଫେରିବ ନାହିଁ । ଘରେ ରହି ସେଇ କଲେଜରେ ପଢ଼ିବ ।

 

ଆଉ ତା’ର ବିଛଣାପତ୍ର ଗୁଛେଇ ଦଉଁ ଦଉଁ ମନେପଡ଼ିଲା ଅମରର ଆଉ ଗୋଟାଏ ନାରୀର କଥା । ସେ ରେବ । ତା’ର ବୋଉ ସେଇ ସାଦା ଧୋତିପିନ୍ଧା ସରଳ ନିରଳସ ମୁହଁଟା । ବାଟ ଜଗି ବସିଥିବ ହୁଏତ, କାଳେ ଯଦି ପୁଅ ଆସିଯାଏ... ।

 

ବାପ ତା’ର ନାହିଁ; ଖାଲି ତାଂର ସ୍ମୃତି ବହନ କରି ରହିଚି ତା’ର ବୋଉ ! ହାତରେ ଶଙ୍ଖା ନାହିଁ । ମୁଣ୍ଡରେ ସିନ୍ଦୂର ନାହିଁ । ତାହା ତା’ର ବାପ ନଥିବାର ପ୍ରମାଣ ଦିଏ । କିନ୍ତୁ କେବେ ତ ଦିନକ ପାଇଁ ସୁଦ୍ଧା ସେ ବାପ କଥା ଭାବି ନାହିଁ ।

 

ଆଜି ମନେପଡ଼ୁଚି ସେଇ କୈଳାସ କଥା । ସେହିଦିନଠାରୁ ତା’ ସାଙ୍ଗରେ ଆଉ ତା’ର ଦେଖାହୋଇ ନାହିଁ । ହୁଏତ ବାପ ମା’ ନେଇ ସୁଖରେ ସେ ଥିବ; କିନ୍ତୁ ତା’ର କ’ଣ ହେଲା । ତଳରୁ ତଳକୁ ସେ ଖସିବାକୁ ଲାଗିଚି । ଯାହାକୁ ନିଜର ମା’ ବୋଲି ଭାବି ସକାଳ ସନ୍ଧ୍ୟାରେ ତା’ରି ଭାବନାରେ ଅସ୍ଥିର ହେଇ ଉଠିଥିଲା, ସେ ତା’ର ମା’ ନୁହେଁ । ସେ ରେବ, ବାଲ୍ୟବିଧବା ରେବ, ତା’ ଜୀବନରେ ଗୋଟାଏ ବିନ୍ଦୁ ଭଳି । ତା’ର ଅସ୍ତିତ୍ୱ ଅଛି; କିନ୍ତୁ ଅବସ୍ଥିତି ନାହିଁ । ସେ ଦୂରେଇ ଯାଇଚି ।

 

ସେ ଦୂରେଇ ଯାଇଚି । ସେଇ ଦିନର ପ୍ରସ୍ଥାନ ପରେ ସେ ମଧୁପୁର ଗାଁକୁ ଫେରିଯାଇନି-। ରେବକୁ ଦେଖିବାକୁ ଥରେ ହେଲେ ଚେଷ୍ଟା କରିନି । କିନ୍ତୁ ଫେରିଯାଇନି । ରେବକୁ ଦେଖିବାକୁ ଥରେ ହେଲେ ଚେଷ୍ଟା କରିନି। କିନ୍ତୁ କର୍ତ୍ତବ୍ୟରେ ବି ସେ ହେଳା କରିନି । ମାସକୁ ମାସ ଟଙ୍କା ପଠେଇଚି । ସେଇଦିନଠାରୁ ରେବର ଖବର ସେ କିନ୍ତୁ ରଖି ନାହିଁ ।

 

ଦୁନିଆ କହିବ ସେ ନିଷ୍ଠୁର; ରେବ ପ୍ରତି ନିର୍ମମ ହେଇଚି । କିନ୍ତୁ କେମିତି ଫେରିଯିବ ସେ ମଧୁପୁର ଗାଁକୁ । କି ପରିଚୟ ନେଇ ସେ ଠିଆ ହବ ରେବ ଆଗରେ ।

 

ଶଶୀ କାଲି ଆସିବ । କହିବ, ‘ଦେ, ଉତ୍ତର ଦେ ।’ କିନ୍ତୁ ତା’ ପୂର୍ବରୁ ତାକୁ ଠିକ୍‌ କରିନବାକୁ ପଡ଼ିବ । ହୁଏତ ସେ ‘ନାଁ’ ବୋଲି କହିଦବ ଶଶୀକୁ । କିନ୍ତୁ ତାକୁ ? କବିତାକୁ ? ଯିଏ ହୁଏତ ପ୍ରତିଦିନ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ଭାବନାରେ ଅସ୍ଥିର ହେଇଉଠେ, ତା’ର ମନ କ’ଣ ବୁଝିବ ?

 

ନର୍ମଦା କହିଲା ଭଳି ସେ ଯଦି ତା’ ପାଇଁ ମନେ ମନେ ଗୋଟାଏ ଆଶାର ପିରାମିଡ୍‍ ଗଢ଼ୁଥାଏ, ସେ କ’ଣ ବୁଝିବ । ଅମର ଶଶୀକୁ ‘ନାଁ’ କି ‘ହଁ’ କହିଚି କି ଜବାବ ଦେଇଚି । କିନ୍ତୁ ତାକୁ ବୁଝିବାକୁ ପଡ଼ିବ, ବହନ କରିପାରିବନି ଅମର ବଂଶ-ଗୌରବମଣ୍ଡିତା କବିତାର ବୋଝ ।

 

ଉଠିପଡ଼ିଲା ଅମର । ଶଶୀ ସାଙ୍ଗରେ କିଛି କଥାବାର୍ତ୍ତା ହବା ପୂର୍ବରୁ କବିତା ସାଙ୍ଗରେ ଦେଖା କରିବା ନିହାତି ଦରକାର ।

 

–ଛଅ–

 

ଶଶୀର ଦେଖା ନାହିଁ । ଚାରିଦିନ ପାଇଁ ଯାଇ ଛ’ଦିନ ହେଲାଣି । ସମସ୍ତେ ତାକୁଇ ଅନାଁଇ ବସିଚନ୍ତି; କିନ୍ତୁ ତା’ର ନିଦ ଭାଙ୍ଗୁ ନାହିଁ । କବିତା ଚା’ରି ଦିନ ପାଇଁ ଆସି ଛ’ ଦିନ ରହିଗଲାଣି । କିନ୍ତୁ କାହିଁକି ସେ ରହିଚି ? ଆକର୍ଷଣ ? କର୍ତ୍ତବ୍ୟ ? ନାଁ ଶଶୀ ନ ଆସିଲେ ସେ ଯିବନି ବୋଲି ଠିକ୍‌ କରିଚି ?

 

ତା’ର ଉପସ୍ଥିତି ଯେତେ ମଙ୍ଗଳ ଉପସ୍ଥିତି, ସେତେ ଅମଙ୍ଗଳ, ଅମର ଭାବୁଚି । ସବୁଦିନେ ବସାରୁ ଠିକ୍‌ କରି ଆସେ ଅମର କବିତାକୁ ଉତ୍ତର ଦବାକୁ ହବ; କିନ୍ତୁ ଦେଇପାରିନି । ସବୁବେଳେ ପଛେଇ ଆସିଚି ଅମର । ସାହସ ସେ ହରେଇଚି । ସେ ଭୀରୁ, ସେ ଦୁର୍ବଳ । ସମ୍ମୁଖ ସଂଗ୍ରାମକୁ ସେ ସବୁବେଳେ ଡରିଆସିଚି । ସେଇଥିପାଇଁ ସେ ମରିପାରିନି । ସାହସ କରି ନର୍ମଦା ପାଖକୁ ସେ ପଶିପାରିନି । ସେ ଦୟାର ପାତ୍ର ।

 

କବିତା ଟିକିଏ କଥା କହୁଚି । ସବୁଥିରେ ସେଇ ଆମନ୍ତ୍ରଣ । ସେଇ ସୁର । ‘ବସନ୍ତୁ’, ‘ନର୍ମଦା ଅପା ଯାଇଚି ପଡ଼ିଶା ଘରକୁ ବୁଲିବାକୁ । ମୁଁ ଚାହା କରି ଦଉଚି ।’

 

ତା’ ପରେ ହୁଏତ ନର୍ମଦା ଆସିଯାଇଚି । ଅସଂଖ୍ୟ କଥା ତା’ରି ଭିତରେ ସେ ଲୁଚେଇ ଦବାକୁ ଚାହୁଁଚି କବିତାର ବ୍ୟକ୍ତିତ୍ୱ । ନୂଆ ପୁରୁଣା । ନୂଆ ଦିଏ ଆନନ୍ଦ; ପୁରୁଣା ଦିଏ ନିରବଚ୍ଛିନ୍ନ ଭାବରେ ଗଣ୍ଡେ ଖାଇ, ଖଣ୍ଡେ ପିନ୍ଧ ବଞ୍ଚି ରହିବାର ସହଜ ସରଳ ଛନ୍ଦ । ତା’ରି ଭିତରେ ବହୁତ ଉଦାହରଣ ।

 

‘ହେଇ ଦେଖୁନା, ମାଷ୍ଟ୍ରାଣୀ ‘ପୂରବୀ’କୁ । ସାରା ଜୀବନ ଖାଲି ନୂତନତାର ସ୍ୱାଦ ଚାଖି ଚାଖି ଘୂରି ବୁଲୁଥିଲା; କିନ୍ତୁ ଶେଷରେ ହେଲା କ’ଣ ? ବାହା ହବାକୁ ପଡ଼ିଲା । ତମେ ବି ବାହା ହୁଅ ଅମର । ସତରେ ମୁଁ ଖୁବ୍‌ ଖୁସି ହେବି ।’

 

ଅମର ହସେ । କହେ, ‘ତା ବୋଲି ତମେ କ’ଣ କହୁଚ ବାହା ନ ହେଇ ମୁଁ ଖାଲି ନୂଆ ଚାଖୁଚି ।’

 

ନର୍ମଦା ବି ହସେ । ‘ନା,ନା, ସେ କଥା ମୁଁ କହୁନି । ଯେତେବେଳେ କେହି ବାହା ନ ହେଇ ଏମିତି ଘୂରି ବୁଲୁଥାଏ, ତାକୁ ଦେଖିଲେ ମୋର ପୂରବୀ କଥା ମନେପଡ଼ିଯାଏ । ବିଚରୀ ପୂରବୀ । ପ୍ରଥମ ଯୌବନରେ କୋଉଠି ଟିକିଏ ବାଧା ପାଇଲା । ଓଲଟିଫଡ଼ି ପାରିଲାନି । ଆଗେଇ ଚାଲିଲା; କିନ୍ତୁ ସମସ୍ତଙ୍କର ପରିଚିତ ମଡ଼ା ବାଟରେ ନୁହେଁ, ଅମଡ଼ା ମାଡ଼ି ଚାଲିଲା ।’

 

ଗୋଟାଏ ଦୀର୍ଘନିଶ୍ୱାସ ଛାଡ଼ିଲା ନର୍ମଦା । ଅମର ବୁଝିପାରିଲା ୟା’ର ଅର୍ଥ । ନର୍ମଦା ଅମଡ଼ା ମାଡ଼ି ଚାଲିନି। ବରଂ ପୂରବୀ ପ୍ରତି ତା’ର ଦୟା ଆସିଚି ।

 

‘ରୂପର ଖ୍ୟାତି, ଗୁଣର ସମ୍ମାନ ସବୁ କିଛି ତା’ଠି ଥିଲା । ଛାତ୍ରୀଠାରୁ ସହକର୍ମୀ ମହଲ ପର୍ଯ୍ୟନ୍ତ ତାକୁ ସମୀହ କରି ଚାଲନ୍ତି । କିନ୍ତୁ ଏ ସବୁର ମାନେ କିଛି ରହିଲାନି ତା’ଠି । ଖାଲି ନିଜକୁ ଅସମ୍ମାନ କରି ଚାଲିଲା ପୂରବୀ ।’

 

ନର୍ମଦାର ଆଖିରେ ପୂରବୀର ମାୟା ଖେଳୁଥିଲା । କିଏ ସେ ଜଣେ ଥିଲା ପୂରବୀ, ଆଉ ତା’ରି କଥା କହୁଚି ନର୍ମଦା । ଏମିତି ହୁଏ । ନିଜର ବେଦନାକୁ ଆତ୍ମପ୍ରକାଶ କରେଇବା ପାଇଁ ମଣିଷ ଖୋଜେ ଗୋଟାଏ ଉପଲକ୍ଷ୍ୟ । ତା’ର ଉପର ଦେଇ ବୋହିଯାଏ ଦୀର୍ଘଶ୍ୱାସ, ଆକୁଳତା, ସବୁ କିଛି । ପୂରବୀ ନର୍ମଦାର ଗୋଟାଏ ଉଦାହରଣ ।

 

ମନ ଦେଇ ଶୁଣୁଥିଲା ଅମର ପୂରବୀର ଗପ । ଯୋଉ ପୂରବୀ ଦିନେ କାହାଠୁ ପ୍ରବଞ୍ଚନାର ବାଣୀ ଶୁଣିଥିଲା, ଯୋଉ ପୂରବୀ ଏକାଧିକ ହୃଦୟରେ ଜାଳିଥିଲା ପାଇବାର ରୋଷଣୀ–ଆଉ ସେଇ ପୂରବୀ ଏମିତି କେତେ ଦୂର ଗଡ଼ି ଚାଲିଥିଲା ତା’ର ଖବର ହୁଏତ ନର୍ମଦା ରଖିଚି-

 

ଏମିତି ଗଡ଼ି ଚାଲିବାରେ ଆନନ୍ଦ ପାଇଥିଲା ପୂରବୀ । ହୁଏତ ଜଣେ ତାକୁ ପ୍ରତ୍ୟାଖ୍ୟାନ କରିଥିଲା, ଜଣେ ତାକୁ ଚାଲିଯିବାର ବାଟ ଦେଖେଇଥିଲା । କିନ୍ତୁ କେତେ ଜଣଙ୍କୁ ପୂରବୀ ବାଟ ଦେଖେଇଚି—ଫେରିଯିବାର ବାଟ ? କେତେ ଜଣଙ୍କୁ ପ୍ରତ୍ୟାଖ୍ୟାନ କରିଚି ? କିନ୍ତୁ ତା’ରି ଭତରେ ବି ସେ ଆନନ୍ଦ ପାଇଥିବ—ଏକ ହିଂସ୍ର ଆନନ୍ଦ । ଆନନ୍ଦ ପାଇଁ ମଣିଷ ଚାକିରି କରେ, ବିବାହ କରେ, ଘର ସଂସ୍କାର କରେ । ଆନନ୍ଦ ପାଇଁ ବି ମଣିଷ ମଣିଷକୁ ହତ୍ୟା କରେ।

 

‘କିନ୍ତୁ ବୁଝିଲାନି ପୂରବୀ, ଏ ଆନନ୍ଦଟା କ୍ଷଣସ୍ଥାୟୀ ।’ ନର୍ମଦା କହିଲା । ‘ମୁଁ ତାକୁ ବୁଝେଇଚି । ବହୁତ କହିଚି—ପୂରବୀ ! ଏ ଭଲ ନୁହେଁ । ଏ କ୍ଷଣିକ ଆନନ୍ଦ । କିନ୍ତୁ ସେ ହସିଦିଏ । କ’ଣ କହେ ଜାଣ ଅମର ?’

 

ଅମର ଚାହିଁଲା ତା’କୁ ଏ ଜିଜ୍ଞାସୁ ଦୃଷ୍ଟିରେ । ସେ କହେ, ‘ନମି ଅପା ! ଆନନ୍ଦର ସଂଜ୍ଞା ଏପର୍ଯ୍ୟନ୍ତ କେହି ବାହାର କରିପାରିନି । କରିବାକୁ ବି ଚେଷ୍ଟା କରିନି । କ’ଣ ଜାଣିଚୁ ? ଯାହାକୁ ପାଇ ସାରିଲା ପରେ ଆଉ କିଛି କହିବାକୁ ଇଚ୍ଛା ହୁଏନା—ସେଇଟା ହିଁ ଆନନ୍ଦ । ଖାଲି ଫାଙ୍କା ଆଖିରେ ଚାହିଁବା, କିଛି ନ ଭାବିବା, କିଛି ନ କରିବା—ସେଇଟା ହିଁ ଆନନ୍ଦ ।’

 

‘ମୁଁ ତାକୁ କହେ, ‘‘ଆନନ୍ଦର ପୁଣି ତ ଗୋଟାଏ ସ୍ଥାୟିତ୍ୱ ଅଛି ?’

 

ହସି ଉଡ଼େଇ ଦିଏ ପୂରବୀ କହେ—ନାଁ, ନମି ଅପା । ଆନନ୍ଦଟା ଆନନ୍ଦ । ତାକୁ ସ୍ଥାୟି କରିବାକୁ ଗଲେ ସେଇଟା ଆଉ ଆନନ୍ଦ ହେଇ ରହିବନି ।

 

‘ଗୋଟାଏ ନୂଆ ଥିଓରି । ଆମେ ସମସ୍ତେ ହସୁ ଅମର । କିନ୍ତୁ କେହି ତା’ର ଯୁକ୍ତି କାଟିବାକୁ ଚେଷ୍ଟା କରନ୍ତି ନି । ସେ ବିଜୟିନୀ ଛଳଛଳ କଳକଳ ହେଇ ଭାସିଯିବ । ବାଧା ନ ଥିବ, ବନ୍ଧନ ନ ଥିବ । ସେଇଥିପାଇଁ ତ ସେ କହେ—ହଉନା ଅସ୍ଥାୟୀ, କିନ୍ତୁ ତାକୁ ତ କେହି ଅସ୍ୱୀକାର କରିପାରିବନି, କେହି ତ କହି ପାରିବନି ଅସ୍ଥାୟୀ ବୋଲି । ଏଇଟା ସତ ନୁହେଁ, ହସି ଉଡ଼େଇ ଦେଇପାରିବେ କେହି ?’

 

ହସନ୍ତି ମିସେସ୍‌ ସାହୁ—ପୂରବୀର ପଡ଼ିଶା । କିନ୍ତୁ ପୂରବୀ ଟିକିଏ ହେଲେ ହସେନି; ବରଂ ଉତ୍ତେଜିତ ହେଇପଡ଼େ । ମସିସେସ୍‌ ସାହୁଙ୍କ କୋଳରୁ ତାଙ୍କର ବର୍ଷକର ପିଲାଟାକୁ ଟାଣିଆଣି କହେ, ‘ହସନ୍ତୁନି ମିସେସ୍‌ ସାହୁ। ମୋ କଥାର ଯୁକ୍ତିଯୁକ୍ତ ଉତ୍ତର ଦିଅନ୍ତୁ । ଏଇ ଯୋଉ ପିଲାଟା ଆପଣଙ୍କ କୋଳରେ, କହି ପାରିବେ—ଆପଣ ସ୍ୱାମୀ ସ୍ତୀଙ୍କ କେତେଦିନର ସୁଗଠିତ ପରିକଳ୍ପନାରେ ୟା’ର ଜନ୍ମ ? କିଛି ନୁହେଁ । ଗୋଟାଏ କ୍ଷଣିକ ଉତ୍ତେଜନା । ଗୋଟାଏ ପାଶବିକ ଆନନ୍ଦ । ସେତେବେଳେ ଦୁଇଜଣଙ୍କର ପରସ୍ପରକୁ ନିବିଡ଼ କରି ପାଇବାର ସ୍ୱପ୍ନ ଭିତରେ କ’ଣ ଜନ୍ମ ନେଇଥିଲା ଏଇ ପିଲାଟାର ଜାତହବାର ପରିକଳ୍ପନା ?’

 

ଲାଜେଇ ଯା’ନ୍ତି ମିସେସ୍‌ ସାହୁ । ପିଲାଟାକୁ ଧରି ଉଠିପଡ଼ନ୍ତି ।

 

‘ସେଇ ପୂରବୀ, ଅମର ! ତା’ରି କଥା । କିଛି ଦିନ ପରେ ମୁଁ ନିମନ୍ତ୍ରଣ ପତ୍ର ପାଇଲି—ତା’ର ବାହାଘର ହଉଚି ।’

 

‘ଆଶ୍ଚର୍ଯ୍ୟ ହବାର ତ କିଛି ନାହିଁ ନର୍ମଦା ! ବାହାଘରଟା ତା’ ପାଇଁ ବନ୍ଧନ ନୁହେଁ—ଜୀବନର ଗୋଟାଏ ବିକାଶ, ଗୋଟାଏ ଉପଲବ୍‌ଧି ।’

 

ନର୍ମଦା ରାଗିଯାଏ । ହୁଏତ ମନେପଡ଼େ ଛ’ବର୍ଷ ତଳର ଘୋଡ଼ଦୌଡ଼ କଥା । କିଏ ଜିତିଚି, କିଏ ହାରିଚି—ସେଇ ପ୍ରଶ୍ନ ଉଠୁନି । କିନ୍ତୁ ସେଇ ତିକ୍ତ ଅଭିଜ୍ଞତା—ଦୌଡ଼ି ଦୌଡ଼ି ଅଣନିଶ୍ୱାସୀ ହେଇଯିବାର ଅପାସୋରା ଅନୁଭୂତି । ସେଇଦିନର ସେଇ ଅମର, ଆଉ ଆଜିର ।

 

ବୁଝିପାରୁଚି ଅମର ପୁଣି ନର୍ମଦା ଫେରିଯାଉଚି ସେଇ ଛ’ ବର୍ଷ ତଳକୁ । ତା’ ଭାବନାରୁ ତାକୁ ଫେରେଇ ଆଣିବା ପାଇଁ ଅମର ଆରମ୍ଭ କରେ—‘ତାପରେ... କାହିଁକି ପୂରବୀ ବାହା ହେଲା କହିପାରିବ ?’

Unknown

 

ନର୍ମଦା କହେ, ‘‘କାହିଁକି ବାହା ହେଲା ମୁଁ ଜାଣିନି । କିନ୍ତୁ ବାହାଘରକୁ ମୁଁ ଯାଇଥିଲି । ବେଶ୍‌ ହସ ଖୁସି । ମୁଁ ତାକୁ କହିଲି ‘କିଲୋ ଟୋକୀ, ଧରାପଡ଼ିଲୁ ତ’ ?’’

 

—ସେ କହିଲା, ‘ନମି ଅପା, ଧରାପଡ଼ିଚି କି ଧରା ଦେଇଚି, ସେ କଥା ମୁଁ ଜାଣିନି, ଆଜିପର୍ଯ୍ୟନ୍ତ ମୁଁ ବିଶ୍ଳେଷଣ କରିନି । ତମ ଭଳି ମୁଁ ଭାଗ୍ୟବାଦୀ ନୁହେଁ । ଦର କଷି ଜିନିଷ କିଣିବାର ପ୍ରବୃତ୍ତି ମୋର କେବେ ନାହିଁ । ସେଇଥିପାଇଁ ମୁଁ ତମମାନଙ୍କ ଗୋଷ୍ଠୀରୁ ଅଲଗା । କିଏ ଦିନେ ମୋତେ ପ୍ରତ୍ୟାଖ୍ୟାନ କରିଥିଲା; ତା’ ବାଟ ଚାହିଁ ବସିଥିଲେ ହୁଏତ ମୁଁ ପାଗଳ ହେଇଯାଇଥା’ନ୍ତି । ତେଣୁ ଜୀବନଟାକୁ ମୁଁ ବୁଝେ ବାଧାହୀନ ଗତି । କିଏ ତୁମକୁ ଯାଉଁ ଯାଉଁ ଧକ୍‌କାଟିଏ ଦେଲା—ତୁମେ ପଡ଼ିଗଲ । ସେଇ ପଡ଼ିଯିମାର କ୍ଷତକୁ ଆଉଁଷୁ ଆଉଁଷୁ ବାଟ ଭୁଲିଗଲେ ବା ଚାଲିବା ବନ୍ଦ କଲେ ଖାଲି କାନ୍ଦିବା ହିଁ ସାର ହବ । ମୁଁ କହେ—ପଡ଼ିଗଲ ? ଦୁଃଖ ନାହିଁ, ଉଠିପଡ଼ । ଧୂଳି ଝାଡ଼ିଦିଅ ଆପେ ଆପେ । ବାଟ ଚାଲ । ଆଉ ଟିକିଏ ନଜର ରଖ, ଭବିଷ୍ୟତରେ ଆଉ କାହାଠୁ ଏମିତି ଧକ୍‌କା ନ ଖାଅ ।’

 

ମୁଁ ବିଶ୍ୱାସ କଲିନି । ଆଚ୍ଛା ତୁମେଇ କୁହ ଅମର ! ଏମିତି ମତିଗତି ନେଇ ଯେ ବାହା ବେଦୀରେ ବସେ ବୋହୂ ସାଜି ବେଶୀ ଦିନ ତିଷ୍ଠିପାରେ ।’ —ନର୍ମଦା ପଚାରେ ଅମରକୁ ।

 

ଅମର କହେ—‘ନର୍ମଦା,ତମରି କଥା ଅନୁସାରେ ପୁରବୀ ଖାଲି ଛଳ ଛଳ ଖଳ ଖଳ ବନ୍ୟା । ଭାସିଯିବା ତା’ର ସ୍ୱଭାବ । ଆଉ ତା’ ସାଙ୍ଗରେ ଭସେଇ ନେଇଯାଏ ଅଗଣିତ ଗଛପତ୍ର ।’

 

ନର୍ମଦା ଆଶ୍ଚର୍ଯ୍ୟ ହେଇ ଚାହେଁ ଅମରକୁ । କହେ—‘ତମେ ଗୋଟାଏ କଥା କହୁଚ । ଆଉ ସେ ଗୋଟାଏ କହିଥିଲା—ଆଉ ଗୋଟାଏ କଥା । ବିଶ୍ଳେଷଣ କଲେ ହୁଏତ ଦୁଇଟାଯାକ ଏକ ବା ଦୁଇଟାଯାକରେ ବହୁତ ପାର୍ଥକ୍ୟ ।’

 

‘ତୁଳନା କରୁଚି ?’

 

‘ହଁ ତୁଳନା କରୁଚି । ଠିକ୍‌ ଆକାଶକୁ ପୃଥିବୀ ସାଙ୍ଗରେ ତୁଳନା କଲା ଭଳି । ଚନ୍ଦ୍ର ଉଇଁଲେ-ସୂର୍ଯ୍ୟ ଉଠିଲେ ତା’ର କିରଣ ପଡ଼େ ଏଇ ପୃଥିବୀ ଉପରେ ବିଛେଇ । ମେଘ ଉଠିଲେ କେବଳ ଏଇ ପୃଥିବୀ ଉପରେ ବିଛେଇ । ମେଘ ଉଠିଲେ କେବଳ ଏଇ ପୃଥିବୀ ଉପରେ ଝରିପଡ଼େ; କିନ୍ତୁ ତେବେ ବି ବହୁତ ପ୍ରଭେଦ । ଗୋଟାଏ ଆଧାର ଆଉ ଗୋଟାଏ ତା’ର ପ୍ରତିକ୍ରିୟା-। ପୂରବୀକୁ ମୁଁ ଠିକ୍‌ ଏଇ ପ୍ରଶ୍ନ ପଚାରିଥିଲି ସେଦିନ । ଏଇ ବାହାଘର ତୋ’ର ବେଶୀଦିନ ତିଷ୍ଠିପାରିବ ବୋଲି ତୁ ଭାବୁଚୁ ?’

 

—ସେ କହିଲା,‘ଦିନ ମାସର ଗଣନା ଭିତରେ ଆନନ୍ଦ ସୀମିତ ନୁହେଁ ନମି ଅପା ! ତା’ର କ୍ଷଣତ୍ୱ ବା ଦୀର୍ଘତ୍ୱର ଅପେକ୍ଷା ନାହିଁ । ସେ ଆସେ ଆଉ ଚାଲିଯାଏ । ସେ ଯେତିକି ସମୟ ପାଇଁ ଆସେ, ସେଇ ସମୟତକ ଯଦି ତା’ର ଚାଲିଯିବାର ବେଦନାରେ କାନ୍ଦିବାକୁ ହୁଏ, ତେବେ ତୁ କେବେ ଆନନ୍ଦ ପାଇପାରିବୁନି । ଭଲ କଥା । ମୁଁ ବି କହୁନି, ଏ ବାହାଘର ମୋର ସ୍ଥାୟୀ ହଉ ବୋଲି । ଯାଉ ନା ଭାଙ୍ଗି । ଯୋଉଠି ଭାଙ୍ଗିଯିବାରେ କଲ୍ୟାଣ ଅଛି, ସେଇଠି ଯୋଡ଼ିଧରିବାର ବୋକାମୀ କରିବାର ଇଚ୍ଛା ମୋର ନାହିଁ । ଯୋଉଦିନ ଆମେ ଦୁଇ ଜଣ ଉପଲବ୍‌ଧି କରିବୁଁ ଯେ ଯୋଉ ଆଶା ଆକାଙ୍‌କ୍ଷା ନେଇ ଆମର ବାହାଘର ହେଇଥିଲା ତା’ର ପୂର୍ଣ୍ଣଚ୍ଛେଦ ପଡ଼ିଚି, ସେଇଦିନଠାରୁ ଆମ ଭିତରେ କୌଣସି ସମ୍ୱନ୍ଧ ବି ନୁହେଁ । ସେଇଠି ପରସ୍ପରକୁ ଧରି ରଖିବାର ଭଣ୍ଡାମି କରିବାର ମାନେ ତିକ୍ତତା ।’

 

‘ଆଜି ମନେପଡ଼ୁଚି ଅମର ! କେହି ପୂରବୀକୁ ବୁଝିବାକୁ ଚେଷ୍ଟା କରିନୁ । ସମସ୍ତେ ତାକୁ ନାରୀ ଜାତିର ଅଧଃପତନ ବୋଲି ଦୂରେଇ ଦୂରେଇ ରହିଚୁ । କିନ୍ତୁ ତମର ଏଇ ଛଳ ଛଳ କଳକଳ ବନ୍ୟା କଥାରେ ଇଚ୍ଛା ହଉଚି ଯେମିତି ପୂରବୀକୁ ସମର୍ଥନ କରିବାକୁ । ମନେହଉଚି ଯାହାସବୁ ସେ କହିଗଲା ତାକୁ ଅବା ସେଇ କେବଳ ପାଳନ କରିପାରେ ।’

 

ପୁଣି ଦୀର୍ଘ ନିଃଶ୍ୱାସ । ନର୍ମଦା ହୁଏତ ମନେକରୁଚି ସେ ପୂରବୀ କାହିଁ ହେଇ ନପାରିଲା-। କିନ୍ତୁ ସମସ୍ତେ କ’ଣ ଇଚ୍ଛା କଲେ ପୂରବୀ ହେଇପାରିବେ ? ଅନ୍ତତଃ ନର୍ମଦା ନୁହେଁ-। ଯାହାର ଏତେ ଟିକିଏ ଧୈର୍ଯ୍ୟ ନାହିଁ ଅପେକ୍ଷା କରିବାକୁ, ଯିଏ ଭାବେ ଖାଲି ବାହାଘରଟା ହିଁ ପୂର୍ଣ୍ଣତା, ସେ ହେଇପାରେନା ପୂରବୀ ଭଳି ।

 

କବିତା ସେଇ ବାଟ ଦେଇ ଚାଲିଯାଏ ହୁଏତ କାମ ବାହାନାରେ; ନହେଲେ ପିଲାଟାକୁ ଧରି । ଶୂଳେଇ ହୁଏ ଅମରର ମନ—ଡାକି କହିଦବାକୁ ଇଚ୍ଛାହୁଏ । କବିତା ଯାହା ଭାବୁଚି ସେ ସେଇୟା ନୁହେଁ । ହୁଏତ ତରଙ୍ଗ ସୃଷ୍ଟି ହୁଏ ତା’ର ଅନ୍ତର ଭିତରେ; କିନ୍ତୁ ସେ ତରଙ୍ଗ କହେନା ‘କବିତା,.ମୁଁ ତୁମକୁ ଚାହେଁ ।’ ଝିଅ ପାଖକୁ ପୁଅର ମନ ଯେମିତି ହୁଏ । ସେଇଟା ଚିରନ୍ତନ ।

 

ନାଁ, କବିତାକୁ କହିଦବାକୁ ହବ । ମନେ ମନେ ପ୍ରସ୍ତୁତ ହେଇ ଆସିଚି ଅମର । କହିବାକୁ ପଡ଼ିବ । ଏତେଦିନ ଧରି ଜଣକ ମନରେ ଗଢ଼ି ଉଠୁଥିବା ଗୋଟାଏ ଅହେତୁକୀ ପ୍ରେରଣା, ଗୋଟାଏ ଅବାଞ୍ଛିତ ଲାଳସାର ସମାପ୍ତି ଟାଣିବାକୁ ପଡ଼ିବ । ନିଜକୁ ନିଜେ ପ୍ରସ୍ତୁତ କରୁଥିଲା । ନର୍ମଦା ନାହିଁ । ଏ ସୁଯୋଗ ଛାଡ଼ିଲେ ହୁଏ ନା । କିନ୍ତୁ କ’ଣ କହିବ ? ଅଧା ବାଟରେ ଅଟକି ଯାଏ ଅମର । ନର୍ମଦା ନାହିଁ । କିନ୍ତୁ ଏକା କବିତାର ନାରୀତ୍ୱ କ’ଣ ଯଥେଷ୍ଟ ନୁହେଁ, ତାକୁ ଆଙ୍ଗୁଳି ଦେଖେଇ ଚାଲିଯିବାର ସଙ୍କେତ ଦବାରେ ପ୍ରଥମରୁ ସେ ହୁଏତ ମନା କରିପାରିଥାନ୍ତା । ଗୋଟାଏ ଝିଅର ଜୀବନରେ ନିଆଁ ନେଇ ଖେଳ ଖେଳିବାର କି ଅଧିକାର ତା’ର ଥିଲା ?

 

କବିତା ସିଲେଇ କରୁଛି । ଏଇ ହୁଏତ ସୁଯୋଗ, ଏଇ ହୁଏତ କହିବାର ଯଥେଷ୍ଟ ଉପଯୁକ୍ତ ସମୟ । କହିସାରି ସେ ପଛମୁହାଁ ହେଇ ଫେରିପଡ଼ିବ ଗୋଟାଏ ସୁନ୍ଦର ମୁହଁ ପାଖରୁ ଚିର ବିଦାୟ ନେଇ । ଗୋଟାଏ ଲୋକର ଛାତିରେ ଛୁରୀ ଭୂଷିଦେଇ ତା’ର ମୁହଁ କେମିତି ବିକୃତ ହେଇଚି ସେଇଟା ସେ ଦେଖିବାକୁ ଚାହେନି ।

 

ଲମ୍ୱି ଆସୁଥିବା କାହାଣୀର ଗୋଟାଏ ପୂର୍ଣ୍ଣଛେଦ । ସବୁ ସମସ୍ୟାର ସମାଧାନ ନ ଥାଇପାରେ; କିନ୍ତୁ ସମାପ୍ତି ଅଛି । କହିବାକୁ ପଡ଼ିବ ଯେତେବେଳେ ଠିକ୍‌ ସମୟରେ କହିଲେ ହିଁ ଲାଭ ।

 

କିନ୍ତୁ କାହାର ଲୋଭ ତାକୁ ଟାଣି ରଖିଚି ? କାହା ପ୍ରତି ଆକର୍ଷଣ ତାକୁ ଆଗେଇବାକୁ ଦଉନି ? ଜୀବନ ? ଜୀବିକା ? ପ୍ରାପ୍ତି ନା ବଞ୍ଚନା ? କାହାର ଅଦୃଶ୍ୟ ଇଙ୍ଗିତ ଖେଳେଇ ଖେଳେଇ ମାରୁଚି ଅସୁମାରୀ ବ୍ୟର୍ଥ-ପଥ ଉପରେ ? ଦିନ ଲିଭି ଲିଭି ଆସୁଚି । ସେଇମିତି ଜୀବନରେ ଲିଭିଯିବ କବିତାର ଆଶା, ଲିଭିଯିବ ଅମର ସାଙ୍ଗରେ କବିତାର ଗଢ଼ି ଉଠୁଥିବା ପ୍ରଚ୍ଛନ୍ନ ସମନ୍ଧ–

 

‘କବିତା !’

 

ମୁଁହ ଉଠେଇଲା କବିତା । ଅମର ଆଗେଇ ଗଲା ଧୀରେ ଧୀରେ, କବିତା ବସି ଯୋଉଠି ସିଲେଇ କରୁଚି ସେଇଠିକି । ନିଜର ମନଟାକୁ ଟାଣ କରିବାକୁ ଚେଷ୍ଟାକଲା ଅମର ।

 

ମୁହଁ ଉଠେଇଚି କବିତା । ଗୋଟାଏ ସରୁହସା । ମନରେ ତାର ଅଦମ୍ୟ ଉତ୍କଣ୍ଠା । ସେ ଅମରଠାରୁ ପଦଟିଏ କଥା ଶୁଣିବାକୁ ଚାହେଁ । ସେଇ କଥା ଟିକକ ହବ ହୁଏତ ତା’ର ଜୀବନର ପରମ ସମ୍ଫଦ, ଠିକ୍ ଯୋଉ କଥା ପଦଟିଏ ଭିତରେ ସେଦିନର ଇଭ୍‌ ପାଖକୁ ଆସିଥିଲା ଆଦାମ । ଥରେ ହେଲେ ସିଏ ଅମର ମୁଁହରୁ କଥା ପଦେ ଶୁଣିନି । ନର୍ମଦା ତାକୁ ଜଗି ବସିଚି ।

 

କିନ୍ତୁ ଆଜି ? ନର୍ମଦା ନାହିଁ । ନିମନ୍ତ୍ରଣ ରକ୍ଷା କରିବାକୁ ଯାଉଚି । ଆଉ ସେଇ ସମୟ ଭିତରେ ଅମର ଆସିଚି ।

 

‘କବିତା !’

 

ଢେଉ, ଅଗଣିତ ଢେଉ ଖେଳୁଚି । ସେଇ ଓଠ ଫଙ୍କାରୁ ଝରିପଡ଼ୁଚି ହସର ପାଖୁଡ଼ା, ମିଳେଇ ଯାଉଚି—ଚୂର୍ଣ୍ଣକୁନ୍ତଳର ଆରମ୍ଭ ଯୋଉଠି ସେଇଠି । କେତେ ଆଶା, କେତେ ବିନିଦ୍ର ରଜନୀ, ବିଶ୍ରାନ୍ତ ମଧ୍ୟାହ୍ନ, ଆଉ ତ୍ରନ୍ଦସୀ ଚାନ୍ଦନୀର ପରିସମାପ୍ତିରେ ଆରମ୍ଭ ହବ ତା’ର ନୂଆ ଜୀବନ–ନୂଆ ପରିବେଶ ।

 

ସେଇ ପରିବେଶ ଭିତରେ ହବ ସେ ନାୟିକା । ଖଣ୍ଡ ଖଣ୍ଡ ଆନନ୍ଦରେ ଭରି ଉଠିବ ତା’ର ଶତ ଆକାଙ୍‌କ୍ଷିତ ମୁହୂର୍ତ୍ତ ।

 

ସିଲେଇଟା ଧୀରେ ଧୀରେ ଖସିପଡ଼ୁଚି ।

 

ଆଖିରେ ଭରିଚି ପ୍ରଶ୍ନ—ମନରେ ଉଦ୍‌ବେଗ—ପ୍ରାଣରେ ଉତ୍କଣ୍ଠା—

 

ଅମର ସବୁ ଦେଖୁଚି । ଏତେ ପରେ ବି ଶୁଣେଇବ ତାକୁ ଗୋଟେ ନାସ୍ତି ବାଣୀ ? ଏତେଦୂର ଆଗେଇ ସାରିଲା ପରେ ଫେରିଯିବାର ସଂକେତ ତାକୁ କେମିତି ଦବ ?

 

ତେବେ ?

 

ତେବେ ଫେରିଯିବ ଅମର । ଲୁଚିଯିବ ? ଦୂରେଇ ଯିବ ଯେମିତି ନର୍ମଦାର ଭଲ ପାଇବାର ପୃଷ୍ଠା ଭିତରୁ ନିଜକୁ ଲୁଚେଇ ଦୂରେଇ ଯାଇଥିଲା ?

 

କବିତା ନିଜକୁ ସମ୍ଭାଳି ନେଇଚି । ସିଲେଇଟା ଖସି ପଡ଼ୁପଡ଼ୁ ଗୋଟାଇ ନେଇଚି । ନିଜର କାମ ଭିତରେ ମନ ନିବେଶ କରିଚି; କିନ୍ତୁ ତଥାପି ସେ ଇଙ୍ଗିତ କରୁଚି ଅମରକୁ—‘କୁହ ଚଞ୍ଚଳ କୁହ । ନମି ଅପା ଆସିଯିବ । ଆଉ ତୁମେ କହିପାରିବ ନାହିଁ । ଗୋଟାଏ ଏବେ ବଡ଼ ଆନନ୍ଦ–’

 

ଆନନ୍ଦ ? ବଞ୍ଚନାରେ ଥାଏ ଆନନ୍ଦ ? ଅମର ଭାବୁଚି । ବଞ୍ଚନାରେ ଥାଏ ଆନନ୍ଦ ସେ-? ନିଜର ଦାହିକା ଶକ୍ତିରେ ନିଜେ ଜଳି ପୋଡ଼ି ମରିଯିବାରେ ଯଦି ଆନନ୍ଦ ଥାଏ, ତେବେ କାହିଁକି ଆସିଲା କବିତା ତା’ର ନାରୀତ୍ୱକୁ ଏପରି ଉନ୍ମୁଖ ହେଇ ଟେକି ଧରିବାକୁ । ସେ ତ ହଷ୍ଟେଲରେ ତା’ର ରୁମରେ ବସି ହାତ ପିଠିରେ ଲୁହ ପୋଛି ଦିନଗୁଡ଼ାକ କଟେଇ ଦେଇପାରିଥାନ୍ତା-

 

ନାଁ—ବଞ୍ଚନାରେ ଆନନ୍ଦ ନାହିଁ । ବଞ୍ଚିବାରେ ଆନନ୍ଦ ଅଛି । ଗୋଟିଏ କରି ମରଣ ପାଖକୁ ଆଗେଇ ଯିବାରେ ଅଛି ସାର୍ଥକତା, ଅଛି ଆତ୍ମ-ଗୌରବ ।

 

ଓଠ ଥରି ଉଠିଲା କବିତାର—କହିବାକୁ ଚାହୁଁଚି ହୁଏତ କିଛି । ଅମର ଅପେକ୍ଷା କଲା, ହାତର ସିଲେଇଟା ହାତରେ ରହିଚି ସେମିତି ।

 

ନାଁ, ପୁଣି ଥରେ ମୁହଁ ତଳକୁ କଲା ନାରୀ । ଆମନ୍ତ୍ରଣ ଅଭ୍ୟର୍ଥନାର ଏକ ଅପୂର୍ବ ରୂପକ, କିନ୍ତୁ ଅମରକୁ ଆଗେଇବାକୁ ପଡ଼ିବ । ସତେ ତ! ଏଇ ସବୁଠୁ ବଡ଼ ସୁଯୋଗ, ନର୍ମଦା ନାହିଁ, ଶଶୀ ନାହିଁ । ଏକାନ୍ତ ନିଭୃତରେ ସେ ତା’ର ମନ କଥାଟା ଖୋଲି କହି ଦେଇପାରିବ । କେହି ତାକୁ ଦୋଷ ଦବାକୁ ନ ଥିବେ, ନିନ୍ଦା କରିବାକୁ ନ ଥିବେ । ପଛରେ ବୁଝିବେ ଯେତେବେଳେ ସେତେବେଳେ ଅମର ଥିବ ବହୁତ ଦୂରରେ ।

 

‘କବିତା’

 

ପୁଣି ଥରେ ଛେପ ଢୋକିଲା ଅମର । ହୁଏତ କବିତା ମନେ ମନେ ତାକୁ ଉପହାସ କରୁଥିବ । କହୁଥିବ ଏକାନ୍ତ ନିଭୃତରେ ଗୋଟାଏ ନାରୀ ପୁଣି ଯିଏ ହବ ତୁମର ଭାବୀ ପତ୍ନୀ ତା’ ପାଖରେ ବି ପଦେ କଥା ପହିପାରୁନ ?

 

‘ଶୁଣିବ ମୋ’ର ଗୋଟିଏ କଥା’—ଦମ୍‌ ବନ୍ଦ କରି ଏକା ନିଃଶ୍ୱାସକେ କହିଯିବାକୁ ଲାଗିଲା ଅମର । ଟିକିଏ ଅଟକି ଗଲେ ହୁଏତ ପୁଣି ତାକୁ ପଛେଇ ଯିବାକୁ ପଡ଼ିବ । ଥରେ କବିତାର ମୁହଁଟାକୁ ନିରେଖି କରି ଦେଖିବାକୁ ଖୁବ୍‌ ଇଚ୍ଛା ହବ ।

 

‘ତୁମେ ଭାବୁଥିବ ମୁଁ ବଡ଼ ଦୁର୍ବଳ । ନାଁ କବିତା, ମୁଁ ଏତେଟା ଦୁର୍ବଳ ନ ଥିଲି । ଭୀରୁ ନ ଥିଲି । କିନ୍ତୁ ମୋତେ ମୋର ପାରିପାର୍ଶ୍ୱିକ ଅବସ୍ଥା କରି ପକେଇଚି ପଙ୍ଗୁ, ଅଥର୍ବ । ବୁଝିବାକୁ ଚେଷ୍ଟା କରନା ତୁମେ । ହୁଏତ ଦୁଃଖ ପାଇବ ନ ହେଲେ ଘୃଣା କରିବ । ମୁଁ କ’ଣ ଥିଲି, ଆଉ ଆଜି କ’ଣ ହେଉଚି ତା’ର ସଫେଇ ଦବାକୁ ଆସିନି । ଆସିଚି, ତୁମର ଭୁଲ ଭାଙ୍ଗିବାକୁ । ପାର ଯଦି ମୋତେ କ୍ଷମା କରିପାର, ନ ହେଲେ ବି—ନାଁ—ଥାଉ—

 

ଘୃଣା କରିବାକୁ କେହି କେବେ କହିପାରେନି । କିନ୍ତୁ ମୋ ପାଇଁ ଯଦି ତମ ପାଖରେ କିଛି ସମ୍ୱଳ ନ ଥାଏ, ତେବେ ସେଇ ଘୃଣାଟା ହିଁ ମୋର କାମ୍ୟ । ମୁଁ ନୀରବତାକୁ ଭଲ ପାଏ ନାହିଁ-। ଭଲ ପାଏନି–କାହାରି ପାଖରେ ଛନ୍ଦି ହବାକୁ । ସମସ୍ତଙ୍କ ଭଳି ମୁଁ ହୁଏତ ବାହାହବାର ସ୍ୱପ୍ନ ଦେଖେ । କିନ୍ତୁ ସେଟା ଖାଲି ସ୍ୱପ୍ନ, ବାସ୍ତବ ନୁହେଁ ।

 

କାହିଁକି ନୁହେଁ ? ତା’ର ଜବାବ ମୁଁ ଦେଇପାରିବିନି । ଖାଲି ଏତିକି ମୁଁ ଯାହା କରିପାରିବିନି ତାକୁ ପ୍ରଶ୍ରୟ ଦବାକୁ ମୁଁ ଘୃଣା କରେ । ଯଦି ତୁମ ମନରେ ମୋ ପାଇଁ କୌଣସି ସ୍ଥାନ ରଖିଥାଅ, ତେବେ ତାକୁ ଧୋଇ ପୋଛି ପରିଷ୍କାର କରିଦିଅ–ହଁ, ମୋତେ ଭୁଲିଯାଅ ।

 

ମୁଁ ତମକୁ ବାହାହେଇ ପାରିବିନି । ନାଁ—କବିତା—ଇଏ ଏକାବେଳେ ଅସମ୍ଭବ ।’

 

–ସାତ–

 

ଛାତ ତଳେ ବୁଢ଼ିଆଣୀଟିଏ ବସା ବାନ୍ଧୁଛି । ସ୍କାଏଲାଇଟ୍‌ର ଅନ୍ଧାରୁଆ ଜାଗାରେ ଦୁଇଟା ପାରା ଗୁଞ୍ଜନ କରୁଚନ୍ତି । ସେଇ ଜୀବନ ଆଉ ଜୀବିକା ପାଇଁ ସଂଗ୍ରାମ । କେତେ କାଠିକୁଟାର ଆହୁତିରେ ବଞ୍ଚିବାର ପୂର୍ଣ୍ଣାହୁତି ।

 

ଝରକାର ଫାଙ୍କ ଦେଇ ଦେଖାଯାଉଚି କେତେଗୁଡ଼ା ଘର । ଖଣ୍ଡ ଖଣ୍ଡ ଅଳିନ୍ଦ, ବାହାରେ ବର୍ଷା କୁଣ୍ଡା ଝାଡ଼ୁଚି । ଆଷାଢ଼ ଆସିଯାଇଚି ।

 

ହୁଏତ ଏଇ ଆଷାଢ଼ ବି ପୂର୍ଣ୍ଣ କ୍ଷମତା ବିସ୍ତାର କରିଥିବ କବିତାର ଆଖିରେ । ହୁଏତ ସେ ଲୁହ ଢାଳିଥିବ, କାନ୍ଦିଥିବ । ନର୍ମଦା ଆଶ୍ଚର୍ଯ୍ୟ ହବ । ତା’ପରେ ଦେଖିବ ଅମର ଆଉ ଆସୁନି ଏଠିକି । ଘଟଣାଟା ଟିକିଏ ଅନୁମାନ କରିପାରୁଥିବ । ପାଖରେ ପାଇ ବି ଧରି ରଖି ହେଲାନି ଲୋକଟାକୁ । ଲୁହ ସରିଯିବ, ଖାଲି ରହିବ ଉତ୍ତାପ ।

 

ଆଷାଢ଼ ବି ଚାଲିଯିବ ଏମିତି, ସବୁ ଚାଲିଯବ । ଧରି ରଖିବାର ପ୍ରାଣମୂର୍ଚ୍ଛା ସଂଗ୍ରାମ ଯେ କରେ ସେ ନିହାତି ବୋକା । ବର୍ଷା ଟିକିଏ ଜୋରରେ ଧରିଲାଣି । ପବନ ପିଟୁଚି । ଖଟାଟାକୁ ଘୁଞ୍ଚେଇ ଦେଇ ଅମର ଠିଆ ହେଲା ଝରକା ପାଖରେ ।

 

କଣ କରିଥିବ କବିତା ସେତେବେଳେ ? ବୁଲିପଡ଼ିବ ଟିକିଏ ଦେଖିଥିଲେ ହେଇଥାନ୍ତା; କିନ୍ତୁ ମଣିଷର ଭଲଲୋକି ନୃଶଂସତାକୁ ନାଲି ଆଖି ଦେଖାଏ ବେଳେ ବେଳେ । ଅମର ତ ମଣିଷ–

 

ସେ ମଣିଷ ? ନିଜ ପ୍ରତି ଅବିଶ୍ୱାସ ଆସୁଚି ଅମରର, କିନ୍ତୁ ସମସ୍ତଙ୍କଠାରୁ ସେ କାହିଁ ଅଲଗା ? ଅତୀତଟାକୁ ନେଇ ଘଣ୍ଟା ଚକଟା କରି ନିଜେ ସେ ନିଜର ହତ୍ୟା କରୁଚି କାହିଁକି ? ପାଣିର ଛିଟିକା ଆସି ମୁହଁ ସାରା ପଡ଼ୁଚି । ପାଗଟା ଟିକିଏ ହେମାଳିଆ ଲାଗୁଚି ।

 

କିନ୍ତୁ ସେ ନୀଳକଣ୍ଠ ଭଳି ହେବାକୁ ଚାହେଁନି । ବିଦ୍ୱେଷ ବିଦ୍ରୂପର ଆକଣ୍ଠ ବିଷ ପିଇ ସେ ହବ ‘ଅମୃତର ସନ୍ତାନ’ ମଣିଷ—ନାଁ—ଅସମ୍ଭବ । ବଡ଼ ଅସ୍ଥିର ଲାଗୁଚି ଅମରକୁ । ଏତେ ଦିନ ଧରି ଗୋଟାଏ ଅବଲମ୍ୱନ ଥିଲା ଶଶୀର ଘର । ସେ କାଲିଠାରୁ ନାହିଁ । ଅଫିସ ବନ୍ଦ ହେଇଗଲାଣି କେତେବେଳୁ । ସବୁବେଳେ ଯେମିତି ମନେହେଉଚି ସେ ବହୁତ କିଛି ଛାଡ଼ି ଆସିଚି ନର୍ମଦା ଘରେ ।

 

ହଁ ଛାଡ଼ି ଆାସିଚି । କିନ୍ତୁ ଯାହା ଛାଡ଼ି ଆସିଚି ତାକୁ ଆଉ ହଜାରେ ଚେଷ୍ଟା କଲେ ବି ଫେରିପାଇବନି ଅମର । ମନରୁ ସେ ପାଇବାର ମୋହକୁ ପୋଛିନବା ହିଁ ଭଲ । କିନ୍ତୁ ‘ପୋଛିଦବା’ କହିଲେ ପୋଛି ହୁଏ ନାହିଁ । ସେଇଟା ହିଁ ବୈଚିତ୍ର୍ୟ, ବିଶେଷତ୍ୱ ।

 

ଆପଣା ଆସ୍ଥାନ ଛାଡ଼ି ପାରାଗୁଡ଼ାକ ଘର ଭିତରଟାଯାକ ଶବ୍ଦ କରି ବୁଲୁଚନ୍ତି । ବୁଢ଼ିଆଣୀଟା ବସାଟା ଛାଡ଼ି ଯାଇଚି । ବୁଢ଼ିଆଣୀଟା କାନ୍ଥରେ ଚଢ଼ି ଆଉ ଥରେ ଘର କରିବାକୁ ଚେଷ୍ଟା କରୁଚି । ଅତୀତକୁ ବର୍ତ୍ତମାନର ଛାଞ୍ଚରେ ଢାଳିବାକୁ ଆପ୍ରାଣ ଚେଷ୍ଟା । ସେଇଥିରେ ହିଁ ବଞ୍ଚିବାର ଆନନ୍ଦ ଥାଏ । ସେଇ ଝରକା ଫାଙ୍କ ଦେଇ ଦେଖାଯାଉଚି ମେଘଭରା ଆକାଶ ।

 

ଅମର ଚମକି ପଡ଼ିଲା-ସେଦିନ ଏମିତି ବରଗଛର ଫାଙ୍କ ଦେଇ ଦେଖିଥିଲା ଚେନାଏ ଆକାଶର ଉପସ୍ଥିତି, ଆଉ ସେଇ ମେଘଭରା ଚେନାଏ ଆକାଶ ତାକୁ ଦେଇଥିଲା ବଞ୍ଚିବାର ସଂକେତ । ଆଜି ଝରକା ଫାଙ୍କ ବାଟେ ଦେଖାଯାଉଚି ସେଇଭଳି ଚେନାଏ ଆକାଶ, ଭାବନାର ଅନେକ ବିଷୟବସ୍ତୁ ।

 

କାନ୍ଥରେ କ୍ୟାଲେଣ୍ଡରଟା ପବନରେ ଦୋହଲୁଚି । ସୂର୍ଯ୍ୟ ଏବଂ କୁନ୍ତୀଙ୍କର ପ୍ରେମରାଗ । କିନ୍ତୁ ଏଇ ସାମାନ୍ୟ ଉତ୍ତେଜନାରୁ ଜନ୍ମ ହେଇଥିଲା କର୍ଣ୍ଣ ଭଳି ଗୋଟାଏ ଅଭିଶପ୍ତ ଆତ୍ମା । ସୂର୍ଯ୍ୟର ସନ୍ତାନ ହେଇ ବି ସେ ରାଧାର ନନ୍ଦନ; କାରଣ କୁନ୍ତୀର ଅନିଚ୍ଛାକୃତ ପୁତ୍ର । ସୂର୍ଯ୍ୟ ତା’ର ବାପା ହେଇପାରେ କିନ୍ତୁ ମା’ ଯେ ତା’ର କୁମାରୀ । ସୂର୍ଯ୍ୟକୁ ସେ ଚାହିଁ ରହିଥିଲା, କିନ୍ତୁ କର୍ଣ୍ଣ ! ଏକ ଅନିଚ୍ଛାକୃତ ସୃଷ୍ଟି । ବଞ୍ଚିବାମାନେ ଅଭିଶାପ—

 

କର୍ଣ୍ଣ-କୁନ୍ତୀ ସମ୍ୱାଦ । ସିଏ ବି ଦିନେ ଆଣିଥିଲା ଗୋଟାଏ ଅଶ୍ରୁତପୂର୍ବ ସ୍ପନ୍ଦନ । ଊର୍ମି ଆଉ ପ୍ରବୀର । କୁନ୍ତୀ ଆଉ ସୂର୍ଯ୍ୟ । କଲେଜର ବିଚିତ୍ରା ଅନୁଷ୍ଠାନରେ ଏଇ ଦୁଇଟି ଭୂମିକାରେ ଅଭିନୟ କରିଥିଲେ ଏଇ ଦୁଇଟି ଯୁବକ ଯୁବତୀ ।

 

ରହି ରହି ମନେପଡ଼େ ଅନେକ କଥା । ଊର୍ମି, ଯାହାର କିଛି ନାହିଁ—ରୂପ ନାହିଁ, ଯୌବନ ନୋଇଁପଡ଼ିବାକୁ ଯାଉଚି, ଆଇ.ଏ. ଯେ ତିନିଥର ଫେଲ୍‌ ହେଇଚି, ମେଟ୍ରିକ ଯିଏ ପାଞ୍ଚ ଥର ଫେଲ୍‌ ହେଇଚି—ସେଇ ଊର୍ମି । ଯାହାର ଛନ୍ଦରେ ଆସେ ନାହିଁ ମାୟା, ଯାହାର ଯୁବ ସଞ୍ଚାରିଣୀ ପଦ ବିକ୍ଷେପରେ କଲେଜ ପିଲାଏ ହସନ୍ତି ।

 

‘ଉଷ୍ଟ୍ର-ଗମନା’-ଶଶୀ ବ୍ୟଙ୍ଗ କରେ । କିନ୍ତୁ ବିଚରା ପ୍ରବୀର ସେଇ ଉଷ୍ଟ୍ର ଭିତରେ ଦେଖେ ଗଜର ଲୀଳାୟିତ ଛନ୍ଦ । କ’ଣ ଏଇ ପାଇବାଟା ? ଗୋଟାଏ ପାସ୍‌ ଟାଇମ୍‌ ନାଁ ଯୌବନର ହବି ! ଯାହାହେଉ ସେ ଗୋଟାଏ ପରିଣତି । ଆଉ ସେଇ ପରିଣତିରୁ ଆତ୍ମପ୍ରକାଶ କରେ ଅଭିଶପ୍ତ କର୍ଣ୍ଣ, ଅବହେଳିତ ଅମର ।

 

କିନ୍ତୁ ପ୍ରର୍ବର ଯୁକ୍ତି କରେ—‘ମୁଁ ତାକୁ ଭଲ ପାଇଚି, ଖୁବ୍‌ ନିବିଡ଼ ଭାବରେ । ସେ ମୋର ଜୀବନ-ସମୁନ୍ଦ୍ରର ଉପକୂଳକୁ ଆଲିଙ୍ଗନ କରୁଥିବା ଊର୍ମି ।’

 

ପିଲାଏ ହସନ୍ତି । କେତେକ ପଚାରନ୍ତି, ‘ମାନୁଛୁଁ ଆମେ, ଆପଣ ତାକୁ ଭଲ ପା’ନ୍ତି । କିନ୍ତୁ ତା’ର ଏ ଗର୍ଭପାଇଁ ଦାୟୀ କିଏ ?’

 

ପ୍ରବୀର ହସେ । ଊର୍ମି ଉପରେ ତା’ର ପୌରୁଷ ଆତ୍ମା ବିସ୍ତାର କରିଚି । ସେଇଟା ତା’ର ଗୌରବ । କହେ—‘ସେଇଟା ହିଁ ପ୍ରେମ । ଦେହର ମିଳନ ନ ଥିଲେ ପରସ୍ପରର ବୁଝାମଣା ନଥାଏ-। ମନର ଏ ନିବିଡ଼ ବନ୍ଧନ କୋଉଠୁ ଆସେ ? ହଁ, ଦେହର ମିଳନ ନୁହେଁ ।’

 

ଏଇ ଉଗ୍ର ପ୍ରେମର ଉତ୍କଟ ପରାକାଷ୍ଠା ଦେଖେଇ ପ୍ରବୀର ବାହାହେଲେ—କିନ୍ତୁ ଊର୍ମିକୁ ନୁହେଁ, ଆଉ କାହାକୁ ? ଠିକ୍‌ ସବ୍‌ଡେପୁଟି ହବାର ଛ’ ମାସ ପରେ ଊର୍ମି ଆତ୍ମହତ୍ୟା କଲା । କିନ୍ତୁ କିଏ ଜାଣେ ଊର୍ମି କାହିଁକି ଆତ୍ମହତ୍ୟା କଲା ?

 

ଅମର ବିଶ୍ଳେଷଣ କରୁଚି । ଏଇ ବର୍ଷଣାତୁର ଆସନ୍ନ ସନ୍ଧ୍ୟାରେ ଅନ୍ୟ ଜଣକୁ ବିଶ୍ଳେଷଣ କରିବାର ବଳବତୀ ଇଚ୍ଛା ଅମରର ହୁଏ । କାହିଁକି ଉର୍ମି ଆତ୍ମହତ୍ୟା କଲା ? ଯିଏ କଲେଜର ସବୁ ଝିଅଙ୍କୁ ପଛରେ ପକେଇ ପୁଅମାନଙ୍କ ସାଙ୍ଗରେ ଅଭିନୟ କରିବାକୁ ବାହାରି ଆସେ, ସେ କ’ଣ କେବେ ଭଲ ପାଇବାର ପରିଣତି ପାଇଁ ଆତ୍ମହତ୍ୟା କରିପାରେ ? ନାଁ କେବେ ନୁହେଁ । ଅମରର ମନ ମନାକରେ । ଊର୍ମି ଆତ୍ମହତ୍ୟା କରିଚି ପ୍ରବୀରର ଅବ୍ୟବସ୍ଥିତ ଚିତ୍ତର ଦୁର୍ବଳତାକୁ ସହ୍ୟ କରି ନ ପାରି । ଆଉ ପ୍ରବୀର ସବ୍‌ଡେପୁଟି ହୋଇ ଢାକଢ଼ୋଲ ବଜେଇ ଆଉ ଜଣକୁ ବିବାହ କଲା—

 

କର୍ଣ୍ଣ-କୁନ୍ତୀ ସମ୍ୱାଦ । ସେ କର୍ଣ୍ଣ ରାଧାର ନନ୍ଦନ ନୁହେଁ—ଅମର ନୁହେଁ—ଆତ୍ମପ୍ରକାଶ କରିବା ପୂର୍ବରୁ କୁନ୍ତୀ ସାଙ୍ଗରେ ଆତ୍ମହତ୍ୟା କରିଥିବା କର୍ଣ୍ଣ ।

 

‘ବାବୁ, ବାବୁ ଚିତ୍କାର କରୁଚି ବାହାରେ କିଏ । ବର୍ଷା ଜୋରରେ ପଡ଼ୁଚି । ଘର ଭିତରଟା ଅନ୍ଧାରୁଆ । ଆଉ ସେଇ ଅନ୍ଧାରୁଆ ପରିବେଶ ଭିତରେ ଅମର ଚିନ୍ତା କରୁଚି । ବିଶ୍ଳେଷଣ କରୁଚି । ତା ଆଗରେ ଅସଂଖ୍ୟ ଚରିତ୍ର ଶୋଭାଯାତ୍ରା କରି କରି ଆଗେଇଚାଲିଛନ୍ତି । ସେ ସମସ୍ତଙ୍କୁ ବିଚାର କରୁଚି—ଜୀବନର ଏଇ ଆଲୁଅ ଛାଇ ଘେରା ରାସ୍ତା ଉପରେ ଅନେକଙ୍କୁ ଦେଖୁଚି ସିଏ । କିଏ ଭଲ, କିଏ ମନ୍ଦ । ସେ ଆଗେଇ ଚାଲିଚନ୍ତି । ସେମାନେ ଅପ୍ରତିହତ, ଅପରାଜିତ । କିନ୍ତୁ କେହି ହେଲେ ଅମର ଭଳି ସିଂହାବଲୋକନ କରି ଅତୀତକୁ ଲହୁଲୁହାଣ କରିନାହାନ୍ତି । କାରଣ ସେମାନେ ମଣିଷ । ବାହାରେ କିଏ ଡାକୁଚି । କବାଟ ବନ୍ଦ କରିଦେଇଥିଲା ଅମର । ବୁଢ଼ୀଆଣୀଟା ଜାଲ ତିଆରି କରି ଚାଲିଚି । ପାରା ଦିଟାଯାକ ପୁଣି ଆସ୍ଥାନ ମାଡ଼ିବସି ଗୁରୁ ରୁଚନ୍ତି । ବାହାରର ଡାକଟା ଆହୁରି ଜୋରରେ ଶୁଭୁଚି ।

 

‘କିଏ ?’ କବାଟ ଖୋଲୁ ଖୋଲୁ ପଚାରିଥିଲା ଅମର । କିନ୍ତୁ ତା’ ପରେ ତା’ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

 

ସିଏ ଦାସ, ନର୍ମଦା ଘରର ଚାକର ।

 

‘ଦାସ କଥା କ’ଣ ?’

 

‘ଟିକିଏ ଚାଲନ୍ତୁ ଆଜ୍ଞା !’ ଦାସ ଯେମିତି ଖୁବ୍‌ ତର ତର ହେଉଚି ।

 

‘କୋଉଠିକି ?’

 

‘ଘରକୁ, କବିତା ଦେଇ କାହିଁକି ଡାକୁଚନ୍ତି ।’

 

ଅମରର ସମସ୍ତ ରକ୍ତ ଯେମିତି ହଠାତ୍‌ ଉପରକୁ ଉଠିବାକୁ ଲାଗିଲା ଖୁବ୍‌ ଜୋରରେ ।

 

‘କିନ୍ତୁ କଥା କ’ଣ ?’

 

‘କିଛି ମୁଁ ଜାଣି ନାଇଁ ଆଜ୍ଞା—ବଜାର ଯାଇଥିଲି । ଫେରି ଦେଖିଲି କବିତା ଦେଇ କାନ୍ଦୁଚନ୍ତି । ମୋତେ କହିଲେ—‘ଶୀଘ୍ର ଯାଇ ଅମରବାବୁଙ୍କୁ ଡାକି ଆଣ ଏଇ ମୁହୂର୍ତ୍ତରେ । ଦାଣ୍ଡପଟେ ପରିବା ରଖିଦେଇ ମୁଁ ତ ଦୌଡ଼ି ଦୌଡ଼ି ଆସିଚି ।’ କବିତା ? କବିତା ତାକୁ ଡାକୁଚି ? ଦାସ ଫେରିବାବେଳୁ ସେ କାନ୍ଦୁଥିଲା । ଲୁହ ସରି ନାହିଁ ତା’ହେଲେ ? ଇଚ୍ଛାହେଲା ଦାସକୁ କହିଦିଅନ୍ତା ସେ ଯାଇପାରିବନି ବୋଲି । ପାଉଁଶରେ ପାଣି ଛିଞ୍ଚି ପ୍ରାଣ ପ୍ରତିଷ୍ଠା କରିବାର ଉତ୍‌କଣ୍ଠା ତା’ର ନାହିଁ । ନାଁ, ତା’ର ଯିବା ଅସଙ୍ଗତ, ଅସାମାଜିକ ।

 

‘ଜଲ୍‌ଦି ଚାଲନ୍ତୁ ଆଜ୍ଞା—କବିତା ଦେଈ କହିଚନ୍ତି, ଯେମିତି ହେଉ ଅମରବାବୁଙ୍କୁ ଡାକି ଆଣିବୁ । ନଗଲେ......’

‘କିନ୍ତୁ...... ।’

‘ବର୍ଷା ହେଉଚି । ଏ ବର୍ଷାର ମୁଁ କ’ଣ ଯିବାପାଇଁ କହନ୍ତି ।’ କଥା ଛଡ଼େଇ ନେଇ ଦାସ କହିଲା ।

‘ଆପଣ ନଗଲେ କବିତା ଦେଈ ଯେମିତି ଲୋକ ନା...ଭାବିବେ—ମୁଁ ଆପଣଙ୍କ ପାଖକୁ ଆସିନି ।’

ଯଦି ଅମର ? ଦ୍ୱଧା କରୁଥିଲା—‘ନାଁ’ ର ଜୋରଟା ଆସ୍ତେ ଆସ୍ତେ କମି ଆସୁଚି । ତା’ର ଭିତରୁ ‘ହଁ’ ଟା ଆତ୍ମପ୍ରକାଶ କରିବାକୁ ଭିଡ଼ି ଠେଲି ଆଗକୁ ବାହାରି ପଡ଼ିବାକୁ ଉଦାହରଣ ଖୋଜୁଚି । କବିତା ବୋଧହୁଏ କାଲିର ଦୁର୍ଘଟଣା ପରେ ନିଜକୁ ପ୍ରସ୍ତୁତ କରୁଚି । କାଲିର ଘଟଣାର ଗୋଟାଏ ଯଥାଯଥ ଉତ୍ତର ଦବାପାଇଁ କବିତା ତାକୁ ଡକେଇଚି ହୁଏତ ।

ନ ଯିବାଟା କାପୁରୁଷତା ହବ ନାହିଁ କି ? କିନ୍ତୁ ଆକର୍ଷଣ କଲା ଭଳିଆ ପୁରୁଷକାର ତା’ର ନାହିଁ । ଅମର ନିଜକୁ ଓଜନ କରୁଥିଲା । ସେ ସବୁବେଳେ ପଳେଇ ପଳେଇ ବୁଲିଚି । ଧରା ଦେବାକୁ କୁଣ୍ଠାବୋଧ କରିଛି । ଏମିତିକି ମରଣ ପାଖରେ ଆତ୍ମସମର୍ପଣ କରିବାକୁ ସତ୍‌ସାହସର ଅଭାବ ଦେଖା ଦେଇଚି । ତେଣୁ ପୁରୁଷକାର ତା’ର ଶୋଇପଡ଼ିଚି ।

ତଥାପି ମନଟା ଟାଣୁଚି । ଦୁର୍ବଳତା ତା’ର ଅଛି । ନିଷ୍ଠୁର ହେଇ ବି ପାଷାଣ ହେଇପାରିନି । ନିର୍ମମ ହେଇ ବି ଫଗୁଣର ଡାକରେ ପଲ୍ଲବିତ, ପୁନର୍ଜୀବିତ ହେଇ ବଞ୍ଚିବାକୁ ମନ ଡାକୁଚି । ସେଇଟାହିଁ ତା’ର ଦୁର୍ବଳତା । କବିତା କାନ୍ଦୁଚି । କବିତାର ଆଖିରୁ ଲୁହ ଝରୁଚି । ସେଥିପାଇଁ ସେ ନିଜେ ହିଁ ଦାୟୀ । କିନ୍ତୁ ଲୁହ ପୋଛି ଦବାପାଇଁ ଆପଣା ଛାଏଁ ହାତଟା ଉଠିଯିବାକୁ ଇଚ୍ଛା କରୁଚି ।

ତେବେ ସେ ଯିବ ?

ହଁ, ଅନ୍ତତ ଥରେ ଯିବାକୁ ହବ । ଏଇ ବୃଷ୍ଟିମୁଖର ସନ୍ଧ୍ୟାରେ ସେ ଚାହେଁ ଗୋଟାଏ କିଛିର ଅବଲମ୍ୱନ । କାହାରି ଜଣକର ସାହଚର୍ଯ୍ୟ ଯାହାକୁ ନେଇ ଖେଳ ଖେଳିହବ, ଠିକ୍‌ ପିଲାମାନଙ୍କର ଧୂଳିର ଖେଳଘର ପରି । ଖେଳ ସରିବ । ଘର ଭାଙ୍ଗିଯିବ । କାହାରି ସ୍ମୃତି ବହନ କରି ସେ ଘର ଠିଆହବନି ଅନେକ ଦିନଯାଏ ।

‘କ’ଣ କହୁଚନ୍ତି ବାବୁ ?’ ଦାସ ନୀରବତା ଭାଙ୍ଗି କଥା ଆରମ୍ଭ କଲା ।

‘ଏଁ !’ ଚମକି ଉଠିଲା ଅମର । ଅନେକ ବେଳଯାଏ ଗୋଟାଏ ଲୋକକୁ ଠିଆ କରେଇ ଦେଇ ସେ ଅନେକ ଅବାନ୍ତର କଥା ଭାବି ଚାଲିଚି । କ’ଣ ଭାବିଥିବ ଲୋକଟା !

‘ଜଲ୍‌ଦି ଆସନ୍ତୁ ବାବୁ ! ବର୍ଷା ଜୋରରେ ହବ କି କ’ଣ । ହେଲେ ଆଉ କୁଆଡ଼ିକି ବାହାରି ପାରିବେ ନାହିଁ ।’ ଦାସ ଆକାଶକୁ ଚାହିଁ କହିଲା ।

ବହୁତ ବେଳୁ ବର୍ଷା ଆରମ୍ଭ ହେଇଗଲାଣି ଖୁବ୍‌ ଜୋରରେ । ରାତିସାରା ବର୍ଷାଟା ହେଇପାରେ । ତାକୁ ଯିବାକୁ ହବ । ତେଣୁ ଜଲ୍‌ଦି ବାହାରିବା ଦରକାର । ଘର ଭିତରୁ ଛତାଟା ଆଣି ଘରୁ ବାହାରି ପଡ଼ିଲା ସେ ।

 

ରାସ୍ତାରେ ପାଣିର ସୁଅ ଚାଲିଚି । ଛାତ ଉପରେ ବର୍ଷାପାଣି ପଡ଼ି ଗୋଟାଏ ପ୍ରକାର ଶବ୍ଦ କରୁଚି, ଯୋଉଟା କି ଏକାନ୍ତ ବିରକ୍ତକର । ଗୋଟେ ପ୍ରକାର, ହଁ ଜୀବନଟା ବି ସେମିତି ଲାଗିଲାଣି । ନୂତନତ୍ୱ କାହିଁ ? ବଞ୍ଚିବାର ନିର୍ଦ୍ଦିଷ୍ଟ ଯୋଜନା ନାହିଁ, ମାନେ ବି ନାହିଁ ।

 

କାହାରି ପାଇଁ ସେ ବଞ୍ଚୁ ନାହିଁ । କାହାରି ପାଇଁ ତାକୁ ଖଟିବାକୁ ପଡ଼ୁନାହିଁ । ଦୁଃଖ ଲାଗୁଚି । ଜୀବନଟାଯାକ ହୁଏତ ଏମିତି ଚାଲିଯିବ । କିନ୍ତୁ କାହାରିପାଇଁ ସେ କିଛି କରିଯିବ ନାହିଁ, କରିପାରିବ ନାହିଁ । ନିଜର ଲମ୍ୱା ଭବିଷ୍ୟତଟିକୁ ଦିନ, ମାସ, ବର୍ଷ କରି ବର୍ତ୍ତମାନକୁ ଟାଣି ଆଣିବାକୁ ହବ । ତା’ ପରେ ସେ ହବ ଅତୀତ ।

 

ମୁହଁଟା କେମିତି ହେମାଳିଆ ଲାଗୁଚି । ବର୍ଷା ପଡ଼ି ସାର୍ଟରୁ ଫାଳେ ଭିଜିଗଲାଣି । ଧୋତିରୁ ବି ଗଲାଣି ଥୋଡ଼େ ଓଦା ହୋଇ । ବର୍ଷା ମାଡ଼ରେ ଛତାଟା ଏ ପାଖ ସେ ପାଖ ହଉଚି । ତା’ର ଭିତରେ କେମିତି ହଜିଯାଇଚି ଭାବନାର ଖିଅ । ବାସ୍ତବତା ଆସି ଠିଆ ହଉଚି ।

 

ଦୋକାନ ସବୁ ଅଧାମେଲା । ରେକ୍‌ସା କି ମୋଟରର କାମ ଗନ୍ଧ ବି ନାହିଁ । ଲୋକ ବି ଏକାବେଳେକେ କମ୍‌ । ନର୍ମଦାର ଘର ପାଖେଇ ଆସିଲାଣି ।

 

ଖାଲି ମୋଡ଼ଟା ବୁଲିଗଲେ ନର୍ମଦା ଘରର ଗଳି ପଡ଼ିବ । ସେଇଠୁ ବାରଟା ଘର ଛାଡ଼ିଦେଲେ ନର୍ମଦାର ଘର ।

 

–ଆଠ–

 

ନିଃଶବ୍ଦ ରାତି ଭୀଷଣ ହେଇ ଉଠୁଚି । ବର୍ଷା ପ୍ରାୟ ଛାଡ଼ିଗଲାଣି । କିନ୍ତୁ ପ୍ଳାବନର ପ୍ରକୋପ କମି ନାହିଁ । ଆର ଘରୁ ରହି ରହି ଶୁଭୁଚି ନର୍ମଦାର ନିଃଶ୍ୱାସ ପ୍ରଶ୍ୱାସର ଶବ୍ଦ । କାନ୍ଦ ତା’ର ସରିଯାଇଚି । ଆଖିର ଲୁହ ଲିଭିଯାଇଚି । କୋହ ବନ୍ଦ ହେଇନି । ଗୋଟାଏ ଗୋଟାଏ ଦୀର୍ଘଶ୍ୱାସରେ ସେ ଜଣେଇ ଦଉଚି ସେ ମର୍ମାହତ, ରିକ୍ତା । ଏ ପାଖ ଘରଟାରେ ଶୋଇଚି କବିତା, ସିଏ ବି କାନ୍ଦୁଥିଲା । କିନ୍ତୁ କାନ୍ଦ ବନ୍ଦ ହେଲାଣି କି ନାହିଁ ଅମର ଠିକ୍‌ କରିପାରୁନି । ତାକୁଇ କେନ୍ଦ୍ର କରି ଦୁଇଟି ନାରୀ ଶେଯ । ସାଙ୍ଗରେ ମିଶିଯାଇଚନ୍ତି । ଦୁଇଟି ଅଶ୍ରୁମୁଖୀ ନାରୀ । ବର୍ଷଣ କମିଗଲାଣି, ପ୍ଳାବନ ବି ବନ୍ଦ ହେଲାଣି । ଖାଲି ରହିଯାଇଚି ଚିହ୍ନ । ଠିକ୍‌ ଆଜିର ଏଇ ବର୍ଷାର ପରବର୍ତ୍ତୀ ଅବସ୍ଥା ଯାହା ହବ ସେଇୟା ।

 

ଅମର ଆଉ କିଛି ଭାବିପାରୁନି । ଭାବନାଗୁଡ଼ାକ ତା’ର କେମିତି ଗୋଳମାଳିଆ ହେଇଯାଉଚି । ଗୋଟାଏ କଥା ଭାବିଲା ବେଳକୁ ଆଉ ଗୋଟାଏ କଥା ଆସି ମୁଣ୍ଡରେ ଜୁଟୁଚି । କିନ୍ତୁ ସେ ସେଗୁଡ଼ାକ ତଡ଼ି ଦବାକୁ ଚେଷ୍ଟା କରି ମଧ୍ୟ ପରାସ୍ତ ହେଉଚି । କିଛି ସମୟପାଇଁ ହୁଏତ ନୀରବତା ଉପଲବ୍‌ଧି କରିପାରୁଚି ସିଏ । କିନ୍ତୁ ସେ ନୀରବତା ଆହୁରି ଦୁର୍ବହ, ଆହୁରି ଦୁର୍ବହ, ଆହୁରି ଅସହ୍ୟ ହୋଇଉଠୁଚି ତା ପାଖରେ ।

 

ଇଏ କ’ଣ ହେଲା ? ସେ ଦେଖୁଚି ଗୋଟାଏ ପରିବାରର ମୂଳଦୂଆ ନ ପଡ଼ୁଣୁ ଅଚାନକ୍‌ ବର୍ଷା ଆସି ତାକୁ ଧରେଇ ଦେଇ ଚାଲିଯାଇଚି । କାହିଁକି ହେଲା ? ୟାର କିନ୍ତୁ କୌଣସି ଉତ୍ତର ନାହିଁ । ଚେଷ୍ଟା କରିଥିଲେ ବି ଏଇ ‘ହବା’ଟାକୁ ସେ ବନ୍ଦ କରିପାରିଥାନ୍ତା ? ରାସ୍ତାକଡ଼ର ଦେଖଣାହାରୀ ବାଟଚଲା ନିରୀହ ଲୋକଟା ଭଳି ସେ ଦୁର୍ଘଟଣାକୁ ଉପଲବ୍‌ଧି କରିପାରିବ ସିନା, ତା ବ୍ୟତୀତ ଆଉ କିଛି କରିବାର କ୍ଷମତା ନାହିଁ । ରାତିର କାଳିନୀକଳା ତଳେ ଗୋଟାଏ ଆତ୍ମା ହଜିଯାଇଚି । ଆଖି ଦୁଇଟି ତା’ର ନିଷ୍ପ୍ରଭ ହୋଇଯାଇଚି । ରାସ୍ତାକଡ଼ର ଦେଖଣାହାରୀ ବାଟଚଲା ନିରୀହ ଲୋକଟା ଭଳି ସେ ଦୁର୍ଘଟଣାକୁ ଉପଲବ୍‌ଧି କରିପାରିବ ସିନା, ତା ବ୍ୟତୀତ ଆଉ କିଛି କରିବାର କ୍ଷମତା ନାହିଁ । ରାତିର କାଳିନୀକଳା ତଳେ ଗୋଟାଏ ଆତ୍ମା ହଜିଯାଇଚି । ଆଖି ଦୁଇଟି ତା’ର ନିଷ୍ପ୍ରଭ ହୋଇଯାଇଚି ।

 

ହଁ ଦୁର୍ଘଟଣା-ଯେମିତି ଘଟେ ସେମିତି ଘଟିଚି । ହୁଏତ ଅନ୍ୟ ଲୋକ ପାଖରେ ୟା’ର ମାନେ କି କିଛି ନ ଥିବ । କିନ୍ତୁ ତା’ ପାଇଁ ବହୁତ ଭାବିବାର ବିଷୟବସ୍ତୁ ଆଣି ପହଞ୍ଚାଇଚି ।

 

ନାଁ—ଆଉ ସେ ଭାବିପାରୁନି । କେମିତି ବିକଳ ହେଇଗଲାଣି ତା’ର ମନ । ଅନୁଭୂତି ଅବଶ ହେଇଆସୁଚି । ହାତରେ ଚିଠିଟା ସେମିତି ରହିଚି । ଆଉ ଥରେ ପଢ଼ିବାକୁ ସାହସ ତା’ର ନାହିଁ । ଚେଷ୍ଟା କଲେ ବି ସେ ପଢ଼ିବାକୁ ହସ ତା’ର ନାହିଁ । ଚେଷ୍ଟା କଲେ ବି ସେ ପଢ଼ିପାରିବ ନାହିଁ; କାରଣ ଚାରିକଡ଼େ ତା’ର ଅନ୍ଧାର ଘେରି ରହିଚି । ସେଇ ଅନ୍ଧାର ଭିତରେ ସେ ଠିଆ ହେଇ ଅଣ୍ଡାଳି ଖୋଜୁଚି-ବାଟଟିଏ—ଟିକିଏ ଆଲୁଅ । କିନ୍ତୁ କାହିଁ ପଥ ? ପଥ କାହିଁ ?? ଭାବନାର ଗୋଲକଧନ୍ଦା ଭିତରେ ପଡ଼ି ସେ ନିଜକୁ ଏକାବେଳକେ ହରେଇ ଦେଇଚି ।

 

ଝରକାର ଫାଙ୍କ ଦେଇ ସେ ବାହାରର ଅନ୍ଧାର ଭିତରକୁ ତୀକ୍ଷ୍‌ଣ ଦୃଷ୍ଟିଦେଇ ଦେଖିବାକୁ ଚେଷ୍ଟା କଲା । ଏଇ ଝରକା ସିଧାରେ ରହିଚି ଗେଟ୍‌ଟା-ଯୋଉ ଗେଟ୍‌ ପାଖରେ ଠିଆହେଇ ସେ ଶଶୀ ଘରର କେତେଖଣ୍ଡ ଦୃଶ୍ୟ ଦେଖିପାରେ । ଏଇ ଘରର କବାଟଟା ଖୋଲା ଥିଲେ ସେ ଘରକୁ ଲାଗିଥିବା ବାରଣ୍ଡାର କେତେକାଂଶ ମଧ୍ୟ ଆଖିକୁ ପଡ଼େ । ଆଖିକୁ ପଡ଼େ ଅନେକ କିଛି । ନର୍ମଦାର ପିଲା ଖେଳେଇବା, ଝରକା ପାଖରେ ପଡ଼ିଥିବା ଟେବୁଲ ପାଖରେ ବସି ଶଶୀର ପଢ଼ାବ୍ୟସ୍ତ ମୁହଁଟା-। ନହେଲେ ନିହାତି କମ୍‌ରେ ସେଇଠି—ଶଶୀ ଜାଗାରେ ବସି କବିତାର କିଛି ଗୋଟାଏ ସିଲାଇ କରିବାର ବ୍ୟସ୍ତତା—ଏମିତି ଅନେକ କିଛି ଆଖିରେ ପଡ଼େ ।

 

ସେଇ ଗେଟ୍‌ଟା—ଅନେକ ଭାବରେ, ଅନେକ ଭାଷାରେ ବହୁତ ଥର ତାକୁ ଆମନ୍ତ୍ରଣ କରିଚି । ସେ ଆମନ୍ତ୍ରଣର ସରୁ ଆଜି ବି ଉପଲବ୍‌ଧି କରିପାରୁଚି ସିଏ । କିନ୍ତୁ ସେଇଟା ଅତୀତ । ସେ ଅତୀତ ଆଜିର ବର୍ତ୍ତମାନତ୍ୱ ଭିତରେ ଆତ୍ମଗୋପନ କରିଚି । ଆଜିର ଦୁର୍ଘଟଣା ଭିତରେ ସେଦିନଗୁଡ଼ାକର ସ୍ମୃତି ମୂର୍ଚ୍ଛା ଯାଇଚି ।

 

ସବୁଦିନ ଭଳି ସେ ପାଦ ଦେଇଥିଲା ସେଇ ଗେଟ୍‌ପାଖ ଘାସ ଉପରେ । ଦାସ ଆଗେ ଆଗେ ଚାଲିଥିଲା, ସେ ପଛେ ପଛେ । ମନରେ ଅନେକ ଦ୍ୱନ୍ଦ୍ୱ । ଅନେକ କିଛିର ଦୁର୍ଭାବନା । ସେ ଦୁର୍ଭାବନା କବିତା ଲାଗି । କବିତା କାନ୍ଦୁଥିଲା । କବିତା ତାକୁ ଡକେଇଚି । ଖୁବ୍‌ ଜରୁରୀ କାମରେ ଦାସକୁ ପଠାଇଚି । କିନ୍ତୁ ଝରକା ପାଖରେ କାହାରି ମୁହଁ ସେ ଦେଖିବାକୁ ପାଇ ନ ଥିଲା । ବାରଣ୍ଡା ଉପରେ କୌଣସି କର୍ମଚଞ୍ଚଳ ଅସ୍ଥିର ପଦସଞ୍ଚାର ସେ ଦେଖି ନ ଥିଲା । ସେ କିଛି ଦେଖିପାରି ନ ଥିଲା । ଖାଲି ମନେ ହେଉଥିଲା ଏଇ ଭୀଷଣ ବର୍ଷାମାଡ଼ରେ ଘରଟା ଯେମିତି କଳନ୍ତ ହେଇ ଶୋଇପଡ଼ିଚି । ଆଉ ଘର ଭିତରର ସମସ୍ତ ଆବ୍‌-ହାଓୟା ଯେମିତି ଝଡ଼ପରେ ବିକ୍ଷିପ୍ତ ହେଇପଡ଼ିଛି-। ତାକୁ ଶୀତ ଶୀତ ଲାଗୁଥିଲା । କହିବାକୁ ଗଲେ ପ୍ରାୟ ସେ ଭଳି ଯାଇଥିଲା । ଆଉ ଏଇଭଳି ପରିସ୍ଥିତି ଭିତରେ ପାଦ ତା’ର ଆଗକୁ ଯାଉ ନ ଥିଲା କି ପଛକୁ ବି ଫେରୁ ନଥିଲା-

 

କାହିଁକି ଫେରୁ ନଥିଲା ? ଅମର ଦୁର୍ବଳ । ହଁ ସେ ଦୁର୍ବଳ । ସଭିଙ୍କର ଏଇ ଦୁର୍ବଳତା ଟିକକ ଥାଏ । କୋଉ ମୁଁହରେ ସେ ଦେଖାଦବ କବିତାକୁ ? ସେ ଜାଣିଥିଲା ସାରାରାତି ଭାବି ଭାବି କବିତା ଗୋଟାଏ କିଛି ସିଦ୍ଧାନ୍ତ କରିଛି, ଆଉ ସେଇ ସିଦ୍ଧାନ୍ତ ହୁଏତ ତାକୁ ଶୁଣାଇ ଦବାକୁ ଡାକିଚି । ଅମର ମନେ ମନେ ପ୍ରଶଂସା କଲା ଝିଅଟାର ସାହାସକୁ । ନିଃସହାୟତାର ଗଡ୍‌ଡାଳିକା ପ୍ରବାହ ଭିତରେ ଭାସି ନଯାଇ ସେ ହୁଏତ କିଛି ପରିବର୍ତ୍ତନ ଆଣିପାରେ । ବିପ୍ଳବ ଭିତରୁ ପରିବର୍ତ୍ତନର ସୃଷ୍ଟି-। ତା ଜୀବନରେ ଏଇ ବିପ୍ଳବ ଟିକକ ଆଣି ନଥିଲେ ଅମର ତା ମନର ପରିଚୟ ହୁଏତ ପାଇ ନ ଥାନ୍ତା ।

 

‘ଆସନ୍ତୁବାବୁ ।’ ଦାସ ଡାକିଲା ।

 

ସମ୍ୱିତ୍‌ ଫେରି ଆସିଲା ତା’ର । ଦାସ ଠିଆହେଇଚି ତାକୁଇ ଅପେକ୍ଷା କରି । ହୁଏତ ଆଶ୍ଚର୍ଯ୍ୟ ହେଇଯାଇଚି । କାରଣ ଅମରର ଏଭଳି ବ୍ୟବହାର ଏକାବେଳକେ ନୂଆ ।

 

‘ଠିଆ ହେଲେ କାହିଁକି ?’

 

ସେଇ ଗୋଟିଏ ପ୍ରଶ୍ନ ଅମରକୁ ଟାଣି ଆଣିଲା ଘର ଭିତରକୁ । ଦାସ ଘରଭିତରକୁ ଚାଲିଗଲା । ଅମର ଠିଆ ହେଇଚି ସେଇଠି ।

 

କିନ୍ତୁ ଏ କଣ ? ସର୍ପାହତ ଭଳି ଚମକି ପଡ଼ି ଆଉଥରେ ଶୁଣିବାକୁ ଚେଷ୍ଟା କଲା ସେ । ହଁ, ଠିକ୍‌ତ ଘର ଭିତରୁ ଗୋଟାଏ କ୍ରନ୍ଦନର ଗୁଞ୍ଜନ ଆସୁଚି । କାନ ଡେରି ଆଉଥରେ ଶୁଣିବାକୁ ଚେଷ୍ଟାକଲା ଅମର । ହଁ ଦୁଇଟା ନାରୀର, ଜଣେ କବିତା, ଆଉ ଜଣେ ନର୍ମଦା । କାହିଁକି ନର୍ମଦା କାନ୍ଦୁଛି ? କିଛିର ଦୁର୍ଘଟଣା କଣ ବା ଦୁର୍ଘଟଣା ? ସବୁ ସନ୍ଦେହକୁ ଦୂରେଇ ଦବାକୁ ଅମର ଠିକ୍‌ କଲା ନର୍ମଦାକୁ ଡାକି କଥାଟା ବୁଝିବ ।

 

କିନ୍ତୁ ଠିକ୍‌ ଏଇ ସମୟରେ ପଶି ଆସିଲା ଦାସ । ହାତରେ ତା’ର ଚିଠି, ମୁଁହରେ ଆଶ୍ଚର୍ଯ୍ୟ ଭାବ ! କାହିଁକି ଏମାନେ କାନ୍ଦୁଚନ୍ତି, ସେ ହୁଏତ ଠିକ୍‌ କରିପାରୁ ନଥିଲା । ଦାସ ହତରୁ ଚିଠିଟା ନେଇ ପଢ଼ୁ ପଢ଼ୁ ଚିଠିଖଣ୍ଡକ ଖସିପଡ଼ିଲା । ଗୋଡ଼ଆଡ଼ ନୀର୍ଜୀବ ହେଇ ଆସିଲା । ଲଥକିନା ଚେୟାର୍‌ଟି ଉପରେ ବସିପଡ଼ିଲା ଅମର ।

 

ଆଉ ଏଇ ସେଇ ଚିଠି । ବିଶ୍ୱାସ ହଉନି ଯେ ଏମିତି ଗୋଟାଏ ଘଟଣା ଘଟିପାରେ ବୋଲି; କିନ୍ତୁ ବିଶ୍ୱାସ ତ କରିବାକୁ ହବ । ଦୁଇଦିନ ତଳେ ସର୍ପାଘାତରେ ଶଶୀ ମରିଯାଇଚି । ଗାଁର ଜଣେ କିଏ ଦୂର ସଂପର୍କୀୟ ଏଇ ଚିଠି ଖଣ୍ଡକ ଦେଇଚି । ହଁ ଶଶୀ, ସେ ଆଜି ନାହିଁ । ଶବ ତା’ର ପୋଡ଼ା ସରିବଣି । ପାଉଁଶ ଟିକେ ମଧ୍ୟ ଏ ବର୍ଷାରେ କୁଆାଡ଼େ ଧୋଇ ପୋଛି ନିଶ୍ଚିହ୍ନ ହେଇଯାଇଥିବ । ସେ ନାହିଁ ।

 

ସମୟ ସମୟରେ ବାସ୍ତବତା ବି ଏମିତି ନିଷ୍ଠୁର ହୁଏ । ଏମିତି ଅବିଶ୍ୱାସ୍ୟ ହୁଏ । ଏତେ ବଡ଼ ପୁରଷତ୍ୱ ନେଇ ଯେ ଦିନେ ଯେ ଦିନେ ଠିଆ ହେଇଥିଲା, ଦୀର୍ଘ ପନ୍ଦର ବର୍ଷର ବନ୍ଧୁତା ଯାହାକୁ ଅତି ନିକଟକୁ ଟାଣି ଆଣିଥିଲା, ସେ ଆଜି ସମସ୍ତ ଆକୁଳ, ମିନତି, ଦୁଃଖ ବେଦନା ଲୁହକୁ ଫାଙ୍କି ଦେଇ ପବନ ସାଙ୍ଗରେ ମିଶିଗଲା, ବର୍ଷା ସାଙ୍ଗରେ ଧୋଇ ହୋଇଗଲା । ହୁଏତ ବିଶ୍ୱାସ ହୁଏନା । ମନେହୁଏ ସେ ମରି ନାହିଁ । ସେ ବଞ୍ଚିଚି । ଯେମିତି କୁଆଡ଼େ ଯାଇଚି । ଏଇ ଆସି ପହୁଞ୍ଚିବ । କିନ୍ତୁ ମନଟା ଏମିତି । ସୁଖଟାକୁ ସେ ଯେମିତି ସହଜରେ ଗ୍ରହଣ କରେ ଦୁଃଖଟାକୁ ସେମିତି ଡେରିରେ ଉପଲବ୍‌ଧି କରେ । ଠିକ୍‌ ସେତିକିବେଳେ ସେଇ ଦୁଃଖଟା ଅସହ୍ୟ ହେଇଉଠେ ।

 

ନର୍ମଦାର ଶୋଇବାଘରୁ କଡ଼ ମୋଡ଼ିବାର ଶବ୍ଦ ଆସୁଚି । ପିଲାଟା କୁଁ କୁଁ ହଉଚି । ନର୍ମଦା ହୁଏତ ଶୋଇନି । ଆଜି ରାତିଟାସାରା ଶୋଇବା ଏକାନ୍ତ ଅସ୍ୱାଭାବିକ, କାରଣ ସେ ତା’ର ସ୍ତ୍ରୀ, ତା’ ପିଲାର ମା’ । ସେଇ ପିଲାଟା ଜଣେଇ ଦଉଥିବ ବାପ ତା’ର ସ୍ତ୍ରୀ, ତା’ର ମରିଯାଇଚି । ନର୍ମଦାର ଛବି ଆସି ଅମର ଆଗରେ ଠିଆହେଲା । ସିନ୍ଦୁର ଲିଭିଯାଇଚି, ହାତଟା ଖାଲି, ଆଉ ପରିଧାନ ଖଣ୍ଡେ ସାଧା ଧୋତି ।

 

ଆଉ ଠିକ୍ ତା’ର ପଛକୁ ଠିଆହୁଏ ଆଉ ଗୋଟାଏ ନାରୀ । ସେ ରେବ । ସେ ବି ସେମିତି । ଏମିତି ତା’ ପଛକୁ ତା’ ପଛ ଅନେକ ବିଧବାଙ୍କ ପ୍ରତିମୂର୍ତ୍ତୀ, ଜଣକପରେ ଜଣେ । ଦୁଃଖ ଓ ଆତ୍ମଦାହ ଭିତରେ ନିଜର ସବୁ ଚାହିବା ଆଉ ପାଇବାର ହିସାବକୁ ନିକାଶ କରି ଖାଲି ହାତରେ ଠିଆହେଇଚନ୍ତି । ସୀମନ୍ତ ସେମାନଙ୍କର କହୁଚି ଆମେ ଭାଗ୍ୟହୀନା, ହାତ ସେମାନଙ୍କର କହୁଚି ଆମେ ସ୍ୱାମୀହୀନା, ଆଉ ସାଦା ଧୋତି କହୁଚି ଆମେ ନିଷ୍ପେଷିତା ହିନ୍ଦୁ ବିଧବା; ଇହକାଳଟା ଆମର ନଷ୍ଟ ହୋଇଗଲା । ପରକାଳକୁ ସୁମରି, ଏକାଦଶୀ ହବିଷ୍ୟ କରି ବାକୀ ଜୀବନଟା କିଛି ନ କରି ପାରିବାର ହା ହୁତାଶରେ ଯିବ । ଜୀବନ ଆଉ ମୃତ୍ୟୁ ଭିତରେ ନାରୀର ଏଇ ତ୍ରିଶଙ୍କୁ ଅବସ୍ଥା ଆମକୁ କଣ୍ଟାର ମୁକୁଟ ପିନ୍ଧେଇଚି ।

 

ନର୍ମଦାର ସେଇ ମୂର୍ତ୍ତି ପଛକୁ ଆଉ ଗୋଟାଏ ମୁହଁ ଲୁଚକାଳି ଖେଳେ । ସିଏ ବି ନର୍ମଦା, ମୁଣ୍ଡରେ ସିନ୍ଦୂର ଦାଉ ଦାଉ । ହାତରେ କେତେ ରଙ୍ଗର କାଚ ସାଙ୍ଗରେ ସୁନାଚୂଡ଼ି । ଦେହର ଦାମିକା ଶାଢ଼ି, ତରୁଣ ଅଧ୍ୟାପକ ଶଶୀ କୁମାର ଦାସଙ୍କର ତରୁଣୀ ଭାର୍ଯ୍ୟା ଶ୍ରୀମତୀ ନର୍ମଦା ଦାସ ।

 

ପାହାଚ ପରେ ପାହାଚ ଉଠି ଚାଲିଥିଲା ନର୍ମଦା । ଶଶୀ ଥିଲା ତା’ର ଗୋଟାଏ ଆଶ୍ରୟ-। କିନ୍ତୁ ସେ ଆଶ୍ରୟ ଆଜି କୁଆଡ଼େ ଉଡ଼ିଯାଇଚି । ସେ ଆଉ ଅଧ୍ୟାପକର ସ୍ତ୍ରୀ ନୁହେଁ । ସେଇଟା ଅତୀତ, କେତେଗୁଡ଼ାଏ ଶୋକସଭା, ସ୍ମୃତିସଭା, ତର୍ପଣସଭା କରି ଭୁଲିଯିବେ ଲୋକେ ସେଇ ଦୁଃଖଟାକୁ; କିନ୍ତୁ କେହି ନର୍ମଦା କଥା ଭାବିବେ ନାହିଁ । କାହିଁକି ବା ଭାବିବେ ? ଶଶୀ ଏମିତି କିଛି ଗୋଟାଏ ମାନ୍ୟଗଣ୍ୟ ଲୋକ ନ ଥିଲା ।

 

କିନ୍ତୁ ଆଶ୍ରୟ ସେ ଦେଇପାରୁଥିଲା । ତା’ ପାଖରୁ କୌଣସି ଗୋଟାଏ ନିର୍ଭର ଜବାବ ପାଇଲେ ଲୋକ ତାହାରି ଉପରେ ଭରସା କରି ନିଶ୍ଚିତ ହେଇପାରୁଥିଲା । ନର୍ମଦାକୁ କହିଥିଲା–‘ଭୟ ନାହିଁ ନର୍ମଦା, ତମୁକୁ ଡୁବିବାକୁ ମୁଁ ଦେବିନି । ତମେ ଆଗେଇ ଚାଲିଚ । ଫେରେଇ ଆଣିବାକୁ ମୁଁ କଦାପି ଚେଷ୍ଟା କରୁନି । କିନ୍ତୁ ମୋ କଥା ମନେରଖିଥାଅ । ଯଦି କେବେ କୌଣସି ସମୟରେ ଉପଲବ୍ଧି କର ଯେ ତମେ ନିଃସହାୟ, ନିଃସ୍ୱ, ସେତେବେଳେ ମୁଁ—ହଁ—ମୁଁ ଶଶୀ ଦାସ ତମୁକୁ ଆଶ୍ରୟ ଦେବି । ସେ ଅନେକ ଦିନ ତଳର କଥା । କିନ୍ତୁ ଆଜି ବି ସୁଦ୍ଧା ଅମରର ମନେ ଅଛି-। ବହୁତ ଦିନ ତଳେ ଏମିତି ଗୋଟାଏ ଦିନ ଥିଲା ଯେତେବେଳେ ସେମାନେ ତିନିଜଣଯାକ ଥିଲେ କଲେଜ ଛାତ୍ର । ନର୍ମଦା ଆଶ୍ଚର୍ଯ୍ୟ ହେଇଗଲା—‘କଣ ତମେ କହୁଚ ଶଶୀ ।’

 

‘ହଁ, ମୁଁ ଠିକ୍ କହୁଚି । ତମର ଆଗରେ କେହି ନାହିଁ, ପଛରେ କେହି ନାହିଁ । ବାପା, ମା’ କେହି ନାହାନ୍ତି । ସେଭଳି ଅବସ୍ଥାରେ ତମୁକୁ କେହି ଜଣେ ଯଦି ସାହାଯ୍ୟ କରେ ତାହା ହେଲେ ନିଶ୍ଚୟ ତମର ଭଲ ହେବ ।’ ନର୍ମଦା ହସିଥିଲା । କାରଣ ତା’ର ଆତ୍ମବିଶ୍ୱାସ ସେତେବେଳେ ପ୍ରଚୁର ଥିଲା । ସେ କହିଲା—ତମର ଏଇ ବଦାନ୍ୟତା ପାଇଁ ଧନ୍ୟବାଦ ଶଶୀ । ମୁଁ ମନେରଖିଲି ଏବଂ ମନେ ରଖିଥିବି ଅନେକ ଦିନ ପର୍ଯ୍ୟନ୍ତ । କିନ୍ତୁ କଥା କଣ ଜାଣ ଶଶୀ ! ମୁଁ ତମର ସାହାଯ୍ୟ ଚାହେଁନି । କାହାରି ସାହାଯ୍ୟ ଚାହେଁନି । କାହାରି ବୋଝ ହବାକୁ ଚାହେଁନି । ହବାକୁ ଚାହେଁ ସାଥୀ । ଠିକ୍ ତମେ ଯେମିତି, ଅମର ସେମିତି ।’ ଟିକିଏ ଚାହିଁଲା ନର୍ମଦା । ଅମର ବି ଚାହିଁଲା ଶଶୀ ମୁହଁକୁ-। ଅମର ଭାବିଥିଲା ଶଶୀ ବୋଧହୁଏ ଆଘାତ ପାଇଚି । ନର୍ମଦା ବି ହୁଏତ ସେଇ କଥା ଭାବୁଥିଲା-। କାରଣ ସେ ପଚାରିଲା ଶଶୀକୁ—‘ତମେ କ’ଣ ଦୁଃଖ କଲ ଶଶୀ ।’ ଶଶୀ ହସିଲା-। ଅନେକ ଅଭିଜ୍ଞତାର ଛାପ ତା’ ଉପରେ ପଡ଼ିଚି । ଅନେକ ମାଡ଼ ସେ ଖାଇଚି । ସେ କହିଲା–‘ଦୁଃଖ ମୁଁ ମୋଟେ କରୁନି ନର୍ମଦା, କିନ୍ତୁ ବୁଝିପାରୁଚି ଯେ ତମେ ନିହାତି ସରଳ । ସକାଳର କଅଁଳ ଖରାକୁ ଦେଖି ତମେ ଯେମିତି ଭାବୁଚ ମଧ୍ୟାହ୍ନ ସୂର୍ଯ୍ୟର କଥା ।’

 

‘ମାନେ ?’ ନର୍ମଦା ପଚାରିଥିଲା ।

 

‘ମାନେ ଜୀବନର ଉପକୂଳରେ ଠିଆହେଇ ସଂସାରର ଗଭୀରତା ମାପିବାକୁ ଦୁଃସାହସ କରୁଚ । ତମେ ଏତକ ବୁଝିପାରୁନାହିଁ ଯେ ତମେ ଭଲ, ତମେ ସାଧୁ; ଅଥଚ ଦୁନିଆଁର ସମସ୍ତେ ତ ଆଉ ସେଇଆ ନୁହନ୍ତି । ସେମାନେ ତମୁକୁ ତମ ରାସ୍ତାରୁ ହୁଏତ ଟାଣି ଆଣିବେ । ସେଇଥିପାଇଁ ମୁଁ କହୁଚି, ଯଦି ରାସ୍ତାର ସବୁ ଆଲୋକ ଲିଭିଯାଏ, ତେବେ ପାଖରେ ଥିବା ଚଟି ଘରଟାକୁ ଚାଲି ଆସିବ ।’ ଅମର କହିଥିଲା—‘ସାବାସ୍ ଶଶୀ । କିନ୍ତୁ ସବୁଦିନ ପାଇଁ ମନେରଖିଥିଲେ ତ ! ସବୁଦିନ ପାଇଁ ଯାହା ଭାବୁଚୁ, ତାକୁ କାର୍ଯ୍ୟକାରୀ କରିପାରିଲେ ତ ?’’

 

ଶଶୀ ତା କଥା ରକ୍ଷା କରିପାରିଥିଲା । ନର୍ମଦାକୁ ସେ ଆଶ୍ରୟ ଦେଇପାରିଥିଲା । ଖାଲି ଆଶ୍ରୟ ନୁହେଁ, ସମ୍ମାନର ସହିତ ତାକୁ ବରଣ କରି ଆଣିଥିଲା । ତା’ର ଘରେ ତା’ ପାଇଁ ଚିରଦିନ ଲାଗି ଗୋଟାଏ ବ୍ୟବସ୍ଥା କରିଦେଇଥିଲା । କିନ୍ତୁ କେହି କାହାକୁ ଅପେକ୍ଷା କରି ନ ଥିଲେ । ଏଇଭଳି ଭାବରେ ଘର ବାନ୍ଧିବାକୁ ସେମାନଙ୍କର ଆଗରୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ବି ନ ଥିଲା । ଯାହା ଘଟିଥିଲା ତାହା ଅକସ୍ମାତ୍, ନିହାତି ଦୈବାତ୍ । ଶଶୀ ପଛଘୁଞ୍ଚା ଦେଇନି । ବରଂ ବୀର ଭଳି ଆଗେଇ ଆସି ନର୍ମଦାର ଗ୍ଳାନି ଦୂର କରି ତାକୁ ନିଜ ଆଡ଼କୁ ଟାଣିଆଣିଚି । ହୁଏତ ଅମର ତା’ ପାରି ନାହିଁ ।

 

‘ଏଇଟା ମୋର ନିମନ୍ତ୍ରଣ କହ ବା ସଫେଇ କହ, ଯାହା କହ ଏଇଟା ମୁଁ ତୋ ପାଖକୁ ଲେଖୁଚି ।’ ଅନେକ ଦିନ ତଳେ ଶରୀର ବିବାହ ବାସରରେ ଗୋଟାଏ ଲମ୍ବା ଚିଠି ଲେଖି ପଠେଇ ଥିଲା ଅମର ପାଖକୁ ଶଶୀ । ସେଥିରେ ଥିଲା ବହୁତ କଥା । ଆଜି ହୁଏତ ସବୁ ମନେ ନାହିଁ; କିନ୍ତୁ ତା’ର ଭାବଟା ସବୁ ମନେପଡ଼େ ।

 

‘ନର୍ମଦା କିଛିଦିନ ତଳେ ଆସିଥିଲା । ଦେଖିଲି ଅନେକଟା ଶୁଖିଯାଇଚି । କେମିତି ଅନ୍ୟମନସ୍କ ମନେ ହେଉଥିଲା । ମନେହେଲା ଯେମିତି ତା’ର କେଉଁଠି କିଛି ଗୋଟାଏ ପରିବର୍ତ୍ତନ ହେଇଚି ।’ ହଁ ପରିବର୍ତ୍ତନ ତ ଅନେକ ହେଇଥିବ ନର୍ମଦାର । ଅମର ବିଶ୍ୱାସ କରୁଥିଲା । ଅନେକ ଧକ୍କା ଖାଇଚି ସେ ଅମରଠାରୁ । ଅନେକ ଅବମାନନା ସହିତ ସେ’ତା’ଠାରୁ । ଜୀବନଯାକ ଯାହାକୁ ଏକାନ୍ତର ପାଇବ ବୋଲି ଅନେକ କଳ୍ପନା ଜଳ୍ପନା କରି ସେ ସୁଖ ପାଉଥିଲା, ଯେତେବେଳେ ସେ ଦେଖିଲା ସେଇଟା କିଛି ନୁହେଁ—ଗୋଟାଏ ବିରାଟ ଭଣ୍ଡାମି, ସେତେବେଳେ ସେ ସହିପାରି ନ ଥିବ-

ମନେ ମନେ ପୂର୍ବ ଚିଠିର ଜେର୍ ଟାଣିବାକୁ ଚେଷ୍ଟା କଲା ଅମର । ଚିଠିଟା ଅସ୍ପଷ୍ଟ ମନେପଡ଼ୁଚି । ଆଖି ଆଗରେ ଦିଶି ଯାଉଚି ଶରୀର ଅକ୍ଷରଗୁଡ଼ାକ—ଲମ୍ବା ଲମ୍ବା, ଗୋଟାକ ଉପରେ ଅନ୍ୟ ଗୋଟାଏ ଅକ୍ଷର ଚଢ଼ିଯାଇଥାଏ । ସେଇଥିପାଇଁ ସେ ଅନେକଥର Professor ମାନଙ୍କଠାରୁ ଗାଳି ଶୁଣିଚି । ପିଲାମାନେ ଥଟ୍ଟା କରିଚନ୍ତି । ‘ଶଶୀବାବୁଙ୍କର ଲେଖାଗୁଡ଼ାକ କାଠି ଆଉ ବଲର ସମଷ୍ଟି । ତାଙ୍କ ଖାତାରେ ଖାଲି ହକି ଖେଳ ଚାଲିଥାଏ ।’ କିନ୍ତୁ ସେ ଗୋଟାଏ ନିର୍ବିକାର ପୁରୁଷ । କାହାରି ହସକୁ ସେ ଦେହରେ ମାଖେ ନାହିଁ । ଉପହାସକୁ ହସି ହସି ସେ ଗ୍ରହଣ କରେ । ଗାଳିଗୁଡ଼ାକୁ ଆରାମରେ ସେ ହଜମ କରିଦିଏ । ମଣିଷର ଗୋଟିଏ ଅନିର୍ବଚନୀୟ ଅଭିବ୍ୟକ୍ତି ।

ଝାପ୍ସା ହେଇ ମନେପଡ଼ିଲା ଚିଠିର କେତେକ ଅଂଶ ଅମରର । ବୋଧହୁଏ ସେ ଚିଠି ଏଇ ରକମ ଲେଖାଥିଲା, ଠିକ୍ ଏଇ ରକମ୍ ହେଇ ନ ପାରେ, ତେବେ ଅନେକଟା ଏଇ ରକମର । ‘ମୁଁ ତାକୁ ପଚାରିଲି କୁଆଡ଼େ ଆସିଲ ନିର୍ବଦା ? ସେ ହସିଲା । କିନ୍ତୁ ସେ ହସରେ ଆଉ ଆଗ ଦିନର ସରସତା ନ ଥିଲା । କେମିତି ଝାଉଁଳି ଯାଇଚି ଝିଅଟା । ସେ ମୋତେ ହଠାତ୍ ପଚାରିଲା, ତମର ସେ ଦିନର କଥା ମନେ ଅଛି ଶଶୀ ?’ ‘ତୁ ତ ଜାଣୁ କିଛିଟା ମୋର ମନେ ନ ଥାଏ । ସବୁ କଥା ମୋ’ର ତ ଏମିତି ହଠାତ୍ ଆସି ହଠାତ୍ କୁଆଡ଼େ ଚାଲିଯାଏ ।’

ହଁ, ଶଶୀର ଇଏ ବି ଗୋଟାଏ ସ୍ୱଭାବ—ଅଳ୍ପ ଦିନ ଭିତରେ ସେ ସବୁ କଥା ଭୁଲିଯାଏ-। ଅମର ତାକୁ ମନେ ମନେ ବିଶ୍ଲେଷଣ କରୁଥିଲା । ଆଜି ସେ ନାହିଁ ବୋଲି ତାକୁ ବିଶ୍ଲେଷଣ କରିବାକୁ ମନ ଡାକୁଚି, ଦୁଃଖ ବି ଲାଗୁଚି । ଏଇ ଭୁଲିଯିବାପାଇଁ ଅମର ତାକୁ ଅନେକ ଥର ବିରକ୍ତ ହେଇଚି । ଅନେକ ଥର ଅଭିମାନ କରିଚି ।

ରବିବାର ବୋଲି ସେମାନଙ୍କର କୁଆଡ଼େ ଯିବାର ଥାଏ । ସିଏ, ଶଶୀ ଆଉ କୈଳାସ । ଶନିବାର ଦିନ ପ୍ରୋଗ୍ରାମ ଠିକ୍ ହେଲା । ରବିବାର ଦିନ ଚାରିଟା ବେଳେ ତିନିଜଣ ଯାକ ବାହାରିବେ-। ତିନିଟା ବେଳେ ଦୁଇଜଣଯାକ ରେଡ଼ି ହେଇ ଶଶୀକୁ ଖୋଜିଲା ବେଳକୁ ଶଶୀ ନାହିଁ । ଯାଇଚି ମେଟିନି ସୋ । କୈଳାସ ବିରକ୍ତ ହେଇ କହିଲା, ‘ଅମର ବାବୁ, ଶଶୀ ବାବୁଟା ସେମିତି ଲୋକ-। କୋଉ କଥାକୁ ତା’ର ଖାତିର ନାହିଁ । ଅଯଥାଟାରେ ଆମ ସାଙ୍ଗରେ ତାକୁ ମିଶେଇ କ’ଣ ଲାଭ ହେଲା ।’ ଅସରର ଠିକ୍ ମନେ ଅଛି । ଅଭିମାନରେ ସେଦିନ ସେ କାନ୍ଦି ପକାଇଥିଲା ।

ଶଶୀ ଫେରିଲା । ଅମର ତାକୁ ଭୀଷଣ ବିରକ୍ତ ହେଇଥିଲା । ଆଜି ବି ସେକଥାଗୁଡ଼ାକ ମନେପଡ଼େ । ସେଦିନ କୈଳାସ ଥିଲା, ଶଶୀ ଥିଲା, କେଡ଼େ ଆନନ୍ଦରେ କଟୁଥିଲା ଛାତ୍ର ଜୀବନଟା-

‘ତୁ କେମିତିକା ଅଭଦ୍ର କହିଲୁ ?’ ଅମର ଚିଡ଼ିଯାଇ ତାକୁ ପଚାରିଥିଲା ।

ଶଶୀ କିଛି ବୁଝି ନ ପାରିଲା, ଭଳି ପଚାରିଥିଲା—‘କାହିଁକି, କ’ଣ ହେଲା କି ?’’

—‘ନାଃ—ଆଉ ହେଇଥାନ୍ତା କ’ଣ ? କହିଲୁ ଯିବା ବୋଲି, ଏଣେ ଦୁଇଟା ଆଗରୁ ସିନେମା କାଉଣ୍ଟର ଆଗରେ ଧାଡ଼ି ଲଗେଇ ଠିଆ ହେଇଚୁ ।’

ଏତେବେଳେ ଶଶୀ ବୁଝିପାରିଲା । ମୁହଁଟା ତା’ର ଶୁଖି ଯାଇଥିଲା । କହିଲା, ‘ମୋର ବଡ଼ ଭୁଲ ହେଇଚି ଭାଇ । ଭୁଲିଯାଇଥିଲି । ଆଚ୍ଛା ଆର ରବିବାରକୁ ଯିବା ।’’

ଏତିକି କଥାରେ କୈଳାସ ହୋ ହୋ ହେଇ ହସିଉଠିଲା, କହିଲା—‘ଦେଖ ଅମର ବାବୁ-। କାଲି ରାତିର ପ୍ରୋଗ୍ରାମ ଆଜି ଦୁଇଟା ବେଳକୁ ଭୁଲିଗଲେ ଆମର ଶଶୀ ବାବୁ । ୟା’କୁଇ କହନ୍ତି ମନ ।’

ଅମର ଅନ୍ୟ ଦିନେ ତାକୁ ପଚାରି ଥିଲା—‘ଆଚ୍ଛା ଶଶୀ, କଥାଗୁଡ଼ାକ ଏଡ଼େ ଜଲଦି ଆଉ ଏଡ଼େ ସହଜରେ କେମିତି ଭୁଲିଯାଉ କହତ ?’

ଶଶୀ ଉତ୍ତର ଦେଇଥିଲା—‘ତୁ ଜାଣୁ । ମୋର ଆଉ ଯାହା ଥାଉନା କାହିଁକି କଲେଜରେ ଗୋଟାଏ ବଡ଼ ସୁନାମ ଅଛି ।’

ଶଶୀର ଗୋଟାଏ ବଡ଼ ସୁନାମ ଥିଲା ସତରେ । ଅମର ଭାବୁଥିଲା । ସବୁବେଳେ ସେ ହସ ହସ । କେବଳ ମନ ଶୁଖେଇ ବସିନି । କିନ୍ତୁ କଥା କହିଲା ବେଳେ କଥାର ଭାବ ନେଇ ସେ କେତେବେଳେ ଗମ୍ଭୀର ଆଉ ବା କେତେବେଳେ ହସି ହସି ଫାଟିପଡ଼େ । ଅମର କହିଥିଲା, ‘ହଁ ତୁ ବଡ଼ ଖୁବ୍ ମିଜାଜର ଲୋକ ।’

ଶଶୀ କଥାର ଗୋଟାଏ ପୂର୍ଣ୍ଣଛେଦ ପକେଇଲା ଭଳି କହିଲା—

‘ବାସ୍, ତୋ’ର ପ୍ରଶ୍ନର ଉତ୍ତର ତୁ ପାଇଲୁ ।’

ଅମର କିଛି ବୁଝିପାରି ନଥିଲା ।

ଶଶୀ କହିଲା—‘ଆରେ ବୁଝିପାରିଲୁନି ? ସବୁଟାକୁ ମୁଁ ଯଦି ଖୁବ୍ ସହଜରେ ଭୁଲି ନ ପାରେ, ତା’ହେଲେ ଏତେ ସହଜରେ ହସିପାରିବି କୋଉଠୁ । ତୁ ବି ଏମିତି ଭୁଲିଯିବାକୁ ଚେଷ୍ଟା କର-। ତା’ ହେଲେ ଦେଖିବୁ, ଆପେ ଆପେ ତୋ ମୁହଁରେ ହସ ଉଛୁଳି ଉଠିବ ।’ ସେଇଦିନଠାରୁ ଅମର ଶଶୀର ଏଇ ଭୁଲିଯିବା ପାଇଁ କେବେ ବିରକ୍ତ ହେଇନି । ବରଂ ମନେ ମନେ କାମନା କରିଚି ଶଶୀ ଯେମିତି ସବୁ ଏଇଭଳି ଭୁଲିଯାଉ । ତା’ ମନରେ ଯେମିତି କଷ୍ଟ ନ ଆସୁ । ସତରେ ଶଶୀକୁ ସେ କେଡ଼େ ଭଲ ପାଉ ନ ଥିଲା ?

ପିଲାଟା ଜୋରରେ କାନ୍ଦି ଉଠିଲା ପାଖଘରୁ, ଅମରର ଭାବନା ଭାଙ୍ଗିଗଲା । ପିଲାଟାକୁ ଥାପୁଡ଼େଇ ଶୋଇ ପକଉଚି ନର୍ମଦା, କାନ୍ଦ ଆସ୍ତେ ଆସ୍ତେ କମି ଆସୁଚି । ଶେଷରେ କାନ୍ଦ ବନ୍ଦ ହେଇଗଲା । ପୁଣି ସେଇ ନିର୍ଜନତା । ସେଇ ଅସହ୍ୟ ଅନ୍ଧାର ଭିତରୁ ଜୁଳୁଜୁଳିଆ ପୋକ ଭଳି ଆଖି ମିଟିକା ମାରୁଚି ଅତୀତ । ଯୋଉ ଅତୀତଟା ନର୍ମଦା ଆଉ ଶଶୀକୁ ଏକାକାର କରି ବର୍ତ୍ତମାନର ନିଷ୍ଠୁରତା ଆଣି ପହଞ୍ଚେଇଚି ।

‘ଆଚ୍ଛା ନର୍ମଦା ଯଦି ଶୀଶୀକୁ ବାହା ହେଇ ନ ଥାନ୍ତା ?’

ତା’ ହେଲେ କ’ଣ ହେଉଥା’ନ୍ତା ସେ କଥା ହୁଏତ କେହି କହିପାରିବେନି । କିନ୍ତୁ ଭାବିବାକୁ ଇଚ୍ଛା ହୁଏ । ଏଇ କଥାଟା ଆପେ ଆପେ ଆସେ ମନକୁ । ପୁଣି ମନେପଡ଼େ ସେଇ ଚିଠିଟା—

 

‘ନର୍ମଦା ମନେ ପକେଇ ଦେଲା—ବୁଲୁ ବୁଲୁ ମୁଁ ତାକୁ ଯାହା କହିଥିଲି । କହିଥିଲି ତାକୁ ଆଶ୍ରୟ ଦେବି । କିନ୍ତୁ ଭାବି ପାରିଲିନି ଶିକ୍ଷୟୀତ୍ରୀ ନର୍ମଦା ମୋ ପାଖକୁ କି ସାହାଯ୍ୟ ଭିକ୍ଷା କରି ଆସିଚି ।’

 

‘ସେ କିନ୍ତୁ ହସିଲା—କହିଲା—ଶଶୀ, ଖାଲି ପେଟ ଖଣ୍ଡକ ଭରେଇ ପାରିଲେ କ’ଣ ମଣିଷର ସବୁ ଆକାଙ୍‍କ୍ଷା ପୂରଣ ହେଇଗଲା । ତା’ର ଆଉ କ’ଣ କିଛି ନ ଥାଏ ?’

 

‘ବୁଝିପାରିଲି ନାହିଁ ତଥାପି । ତାକୁ ଏକ ପଚାରିଲା ଆଖିରେ ଚାହିଁଲି । ସେ ଟିକିଏ ଲାଜେଇ ଗଲା, କହିଲା, ‘ ମୁଁ କ’ଣ ଚାହେଁ ସେ କଥା କହିବାକୁ ଚେଷ୍ଟାକଲେ କି କହିପାରିବି ନାହିଁ ଶଶୀ; କାରଣ ମୁଁ ନାରୀ, ତେବେ ବି ତମର ପ୍ରତିଶ୍ରୁତି ପାଇଥିଲି ବୋଲି ଆଜି ଆଶାୟୀ ହେଇ ଧାଇଁଆସିଚି । ସତରେ ଶଶୀ, ରାସ୍ତାର ଏଇ ଚଟିଘରଟିରେ ଆଲୁଅ ଦେଖିପାରି ମୁଁ ଫେରିଆସିଚି । ସେ କାନ୍ଦି ପକାଇଲା, ଅଥଚ ଏଥିରେ କାନ୍ଦିବାର ବା’ କ’ଣ ଅଛି, ସେ କଥା ମୁଁ ଧାରଣା ବି କରିପାରିଲି ନାହିଁ । ସତରେ ନାରୀ-ଚରିତ୍ର ବଡ଼ ଦୁର୍ବୋଧ୍ୟ; ଆଉ ତା’ପରେ ମୋ’ ଭଳି ଜଣେ, ଅନଭିଜ୍ଞ ଲୋକ, ବଡ଼ ଅଡ଼ୁଆରେ ପଡ଼ିଲି । କହିଲି—‘ନର୍ମଦା, ତମେ ଯାହା ଚାହଁ ମୋତେ ଯଦି ସ୍ପଷ୍ଟ କହିଦିଅନ୍ତ, ତାହାହେଲେ ମୁଁ ଚେଷ୍ଟା କରନ୍ତି ତୁମକୁ ସାହାଯ୍ୟ କରିବାକୁ ।

 

‘ଅଥଚ ସେ କିଛି କହିଲାନି, ଫେରିଗଲା । କିନ୍ତୁ ଅମର, ସହସ୍ର ଚେଷ୍ଟା କଲେ ବି ମୁଁ ଏଇ ଏତକ ଭୁଲିପାରିଲି ନାହିଁ । କେମିତି ଗୋଟାଏ ଅସ୍ଥିର ହେଇପଡ଼ିଲି । ଭାବିଲି ଯାଇ ତାକୁ ଏ କଥା ପଚାରିବି । ଅନ୍ତତଃ ସେ ମୋତେ ଅଜ୍ଞ ମୂର୍ଖ ବୋଲି ଭାବି ଯଦି କିଛି ସାହାଯ୍ୟ କରିପାରେ, ଯଦି ସେ ତା’ର ମନ କଥା ଖୋଲି କହେ ।’

 

‘ଦିନେ ତାଙ୍କ ସ୍କୁଲକୁ ଗଲି, କିନ୍ତୁ ଦେଖିଲି ସେ ନାହିଁ । ଶୁଣିଲି ସେ ଛୁଟି ନେଇଚି । ଖୋଜି କରି ତା’ ବସାକୁ ଗଲି । ସେ ଥିଲା, କିନ୍ତୁ ଜରରେ ପଡ଼ିଥିଲା । ସେମିତି ବେଶୀ କିଛି ନୁହେଁ-। ଥଣ୍ଡାଲାଗି ଟିକିଏ ଜର ଆସିଯାଇଥିଲା । ମୋତେ ଦେଖି ସେ ହସିଲା । କହିଲା—‘‘ତୁମେ ଆସିବ ବୋଲି ମୁଁ ଜାଣିଥିଲି । କିନ୍ତୁ ଏତେ ଶୀଘ୍ର ଆସିବ ବୋଲି ମୁଁ ଭାବିପାରି ନ ଥିଲି ।’

 

‘ନର୍ମଦାର କିଛି ଦୋଷ ନାହିଁ—ଅମର ଭାବୁଥିଲା । ସେ ବରଂ ଠିକ୍ କରିଚି । ଜୀବନଟାକୁ ଦହଗଞ୍ଜ କରି ଶେଷ କରିଦେବା ଅପେକ୍ଷା ବଞ୍ଚେଇ ରଖିବା ପାଇଁ ଖାଦ୍ୟ ଖୋଜିବା ହିଁ ଭଲ । ଆହୁରି ଆଗରୁ ନର୍ମଦା ଯଦି ଏଇ ସିଦ୍ଧାନ୍ତ କରିପାରିଥା’ନ୍ତା, ତା’ ହେଲେ ଆହୁରି ଭଲ ହେଇଥା’ନ୍ତା । କିନ୍ତୁ......’

 

‘କିନ୍ତୁ ନର୍ମଦା କ’ଣ ବୋଝ ? ସିଏ ବି ନିଜେ କହିଥିଲା, ‘ମୁଁ କାହାରି ବୋଝ ହବାକୁ ଚାହେଁନି, ହବାକୁ ଚାହେଁ ସାଥୀ । ତଥାପି ସେ ନାରୀ, ଯେତେ ତୀବ୍ର ହେଲେ ବି ସେ ଦୁର୍ବଳ । ଯେତେ ତୀକ୍ଷଣ ହେଲେ ବି ସେ କୋମଳ, ସେ ଚାହେଁ ଜଣକର ଆଧିପତ୍ୟ । ଆଉ ସେଇ ସମୟ ଆସିଲେ ସେ ଯେକୌଣସି ଲୋକକୁ ବି ନିଜର କରିପାରେ । ଅମର ଚିନ୍ତା କରୁଥିଲା–‘ହେଇପାରେ ଏଇଟା ନାରୀ ଚରିତ୍ର ।’

 

ତଥାପି ଅମର ହିଂସା କରୁଥିଲା ଶଶୀକୁ । ହିଂସା ? ହଁ ହିଂସା ହୁଏତ; କାରଣ ସେ ଶଶୀଠାରୁ ଦୂରେଇ ଯିବାକୁ ଚାହିଁଥିଲା । ଶଶୀର ଉପସ୍ଥିତି ତାକୁ ଅସହ୍ୟ ଲାଗୁଥିଲା । ଶଶୀ ଆଜି ନାହିଁ । ତେଣୁ ଅମର ନିଜର ମନର ଗୋପନ ଦୁର୍ବଳତାକୁ ପଦାକୁ ଟାଣି ଆଣିବାକୁ ଚେଷ୍ଟା କରୁଥିଲା । ଅବଶ୍ୟ ଅନ୍ୟ ଜଣ ଜଣକ ପରି ସେ ଶଶୀ ଉପରେ କୌଣସି ପ୍ରତିଶୋଧ ନବାକୁ ଇଚ୍ଛା କରି ନ ଥିଲା । କାରଣ ସେ ପ୍ରତିଶୋଧ-ପ୍ରବଣ ନୁହେଁ । ଏଇଟା ହୁଏତ ତା’ର ଜନ୍ମଗତ ଦୁର୍ବଳତା । କାହାର କିଛି କ୍ଷତି କରିବାକୁ ତା’ର ହାତ ଉଠେନା, ମନ କହେନା । କିନ୍ତୁ କାହିଁକି ହିଂସା କରୁଥିଲା ତାକୁ ? ଅମର ଠିକ୍ କରିପାରେନି । କାରଣ ବି ଖୋଜି ପାଏନି । ଏମିତି ହେଇପାରେ ଯେ ଶଶୀ ତା’ର ନିଜର ପ୍ରିୟ ବସ୍ତୁକୁ ତା’ଠାରୁ ଛଡ଼େଇ ନେଇଚି ବୋଲି ଏ ଭାବଟା ତା’ ମନରେ ବସା ବାନ୍ଧିଥିଲ ।

 

କିନ୍ତୁ ଶଶୀତ ଛଡ଼େଇ ନେଇ ନି; ବରଂ ପ୍ରକାରାନ୍ତରେ ନର୍ମଦାକୁ ତା’ ହାତରେ ଟେକି ଦେଇଥିଲା, ଜାଣିଶୁଣି ସେ ନର୍ମଦାକୁ ଦୂରେଇ ଦେଇଥିଲା । ତଥାପି ମନ ମାନେନା । ଭଲ ପାଇଥିଲା ତ ! ଅମର ତା’ ମନର ଏଇ ପରିଚୟ ପାଇବ ବୋଲି ନିଜେ ମଧ୍ୟ ବିଶ୍ୱାସ କରିପାରୁ ନ ଥିଲା ।

 

‘ମୁଁ ବିଶ୍ୱାସ କରିପାରିଲି ନାହିଁ ନର୍ମଦା ଚାହେଁ ମୋର ଆଶ୍ରୟ । କିନ୍ତୁ ତା’ କିଭଳି ଯେତେବେଳେ ଜାଣିଲି ସେତେବେଳେ ମୁଁ ଚମକି ପଡ଼ିଲି । ନର୍ମଦା କ’ଣ କହିଥିଲା ଜାଣୁ ? ସେ କହିଥିଲା—ଆଶ୍ରୟ ମାନେ ମୋତେ ନେଇ ଘର ବାନ୍ଧିବାର ପରିକଳ୍ପନା ସେ କରୁଚି । ହସ ବି ମାଡ଼ିଲା । ପ୍ରଥମ ଥର ପାଇଁ ମୁଁ ମନେକଲି ଯେମିତି ବେପରୁଆ ଜୀବନ ମୋର ଶେଷ ହେଇ ଆସୁଚି । ମୁଁ କହିଲି—‘କିନ୍ତୁ ତୁମ ପାଇଁ ଅନେକ ସୁଯୋଗ୍ୟ ପାତ୍ର ଥାଉଁ ଥାଉଁ ମୋ ଭଳି ଗୋଟାଏ ହତଭାଗାକୁ ଯେ କାହିଁକି ବାଛିଲ, ସେ କଥା ବୁଝିପାରୁ ନାହିଁ ।’ ସେ କହିଲା—ହଁ ଗୋଟାଏ ଦୀର୍ଘ ବକ୍ତୃତା ଭଳି,—କହିଲା—‘ଶେଷ ଟିକିଏ ଆଶା ଥିବା ପର୍ଯ୍ୟନ୍ତ ମୁଁ ପଛଘୁଞ୍ଚା ଦେଇ ନ ଥିଲି । କିନ୍ତୁ ଏଇ କେତେ ଦିନ ହେଲା ମୁଁ ଆଉ ଧୈର୍ଯ୍ୟ ରଖିପାରୁ ନାହିଁ । ଅପେକ୍ଷା ମୁଁ କରିଚି, ଅନେକ ଦିନ ପର୍ଯ୍ୟନ୍ତ; ମାତ୍ର ଜାଣୁଚି ଆଉ ଅପେକ୍ଷା କରି କିଛି ଲାଭ ନାହିଁ । ତା’ ହେଲେ ସାରା ଜୀବନଟା ମୋର ବ୍ୟର୍ଥ ହେଇଯିବ । ଶଶୀ ମୁଁ ଠକିଯାଇଚି । କେହି ଜଣେ ମୋତେ ନିଷ୍ଠୁର ଭାବରେ ଠକିଦେଇଚି । ଜାଣିବାକୁ ଚାହିଁ ସେ ଲୋକଟି କିଏ ?’

 

‘ମୁଁ କହିଲି, ଯିଏ ହେଇଥାଉନା କାହିଁକି ମୋର ସେ ସ୍ପୃହା ନାହିଁ ଜାଣିବାକୁ । ଜାଣିଲେ ହୁଏତ ସବୁଦିନ ପାଇଁ ତୁମ ପାଖରେ ମୋର କିଛିନା କିଛି ତ୍ରୁଟି ରହିଯିବ । ତମ ସାଙ୍ଗରେ ଘର ବାନ୍ଧୁ ବାନ୍ଧୁ ହୁଏତ ସେଇ ଲୋକଟିର ଦୁଃସ୍ୱପ୍ନ ମୁଁ ଦେଖିବି । ତମେ ଯଦି ମୋ ଘରକୁ ଆସିବାକୁ ଚାହଁ, ତା’ ହେଲେ ମୋର କିଛି ଆପତ୍ତି ନାହିଁ । ହଠାତ୍ ନର୍ମଦା ମୋ ପାଦଧୂଳି ନେଲା ।’

 

ଗୋଟାଏ ହୋସରେ ବାହାଘରଟା ସରିଗଲା । କିନ୍ତୁ ଆଜି ଏଇ ବାସର ରାତିରେ ମୁଁ ଦେଖିଲି—ନର୍ମଦା କାନ୍ଦୁଚି । ହୁଏତ ସେ ଭାବୁଚି ଯେ କେତେବେଳେ ଯଦି ତା’ର ସେ ଲୋକଟି ଫେରିଆସେ, ତେବେ ସେ ନର୍ମଦାର ଆଉ କିଛି କରିବାର ବାଟ ନ ଥିବ । ମୁଁ କିନ୍ତୁ ତାକୁ କହିଦେବି-। କଣ କହିବି ଜାଣୁ ? କହିବି—‘ନର୍ମଦା ତମର ଦୁଃଖଟା ମୁଁ ବୁଝିପାରୁଚି; କିନ୍ତୁ ମନେରଖ, ଆସିବାକୁ ମୁଁ ତମକୁ ବାଧ୍ୟ କରିନି । ଯିବାବେଳେ ବି ତୁମକୁ ମୁଁ ଅଟକେଇବିନି । ଯେମିତି ସମ୍ମାନର ସହିତ ତମେ ଏ ଘରେ ପାଦ ଦେଇଚ ସେଇମିତି ସମ୍ମାନର ସହିତ ହସି ହସି ତମକୁ ବିଦାୟ ଦେବି-। ମୋ କଥା ସେ ବିଶ୍ୱାସ କରିବ ମୁଁ ଜାଣେ, କାରଣ ଆଜି ପର୍ଯ୍ୟନ୍ତ ମୁଁ ତା’ କଥାର କେବେ ଖିଲାପ୍ କରି ନାହିଁ । ନର୍ମଦା କାନ୍ଦୁଚି । ମୁଁ ଚିଠି ଲେଖୁଚି । କିନ୍ତୁ ତା’ର କାନ୍ଦ ମୋତେ ଶୁଭୁଚି ।’

 

ହଁ, ତା’ର କାନ୍ଦ ଅମରକୁ ବି ଶୁଭୁଥିଲା । କିନ୍ତୁ ବାସର ରାତିର କାନ୍ଦ ନୁହେଁ । ଗୋଟାଏ ନିଷ୍ଠୁର ରାତ୍ରିର ଅଶ୍ରୁ । ଚିରଦିନ ପାଇଁ ହୁଏତ ଦାଗ ରଖିଯିବ । ଟିକିଏ ଶୋଇ ପଡ଼ିଥିଲା, କିନ୍ତୁ ପିଲାଟା ଉଠିପଡ଼ିବା ପରେ ନିଦ ତା’ର ବୋଧହୁଏ ଭାଙ୍ଗିଯାଇଚି । ଅମରକୁ ଯିବାକୁ ହବ । ଏ ଦୁର୍ଘଟଣା ଶୁଣିବା ପରଠାରୁ ସେ ନର୍ମଦାକୁ କୌଣସି ପ୍ରକାରେ ସାନ୍ତ୍ୱନା ଦେଇ ନାହିଁ । ସେ ଖାଲି ବିଚଳିତ ହେଇପଡ଼ିଚି । କ’ଣ ହବ ନର୍ମଦାର ଭବିଷ୍ୟତ । କ’ଣ କରିବାକୁ ହବ ? ଏଇ ଚିନ୍ତା କରୁ କରୁ ସେ ଅନେକ ଦୂର ଚାଲିଯାଇଥିଲା । କିନ୍ତୁ ବର୍ତ୍ତମାନ ଫେରିବାକୁ ହବ, ହୁଏତ ସାନ୍ତ୍ୱନା ଟିକିଏ ପାଇଲେ ଶାନ୍ତ ହବ ବିଚାରୀର ମନ । ମନେ ମନେ ସେ ଯିବାକୁ ଠିକ୍ କଲା ।

 

–ନଅ–

 

ଡିସେମ୍ବର ମାସର ଶୀତ ଖୁବ୍ ଘନେଇ ଆସିଛି । ରାତି ବହୁତ ହେଲାଣି ବୋଲି ମନେହୁଏ । କିନ୍ତୁ ମୋଟେ ସାତଟା ବାଜିଚି । ପାଖରେ ଗୋଟାଏ ଲଣ୍ଠନ ଜଳୁଛି । ଅମର ବହିପଢ଼ାରେ ବ୍ୟସ୍ତ ଅଛି; କିନ୍ତୁ ନାଁ ବ୍ୟସ୍ତ ନୁହେଁ, ବରଂ ବିରକ୍ତ ହୋଇ ଉଠୁଚି । କେବେ କେମିତି କାହାର ପ୍ରତୀକ୍ଷାରେ ଥିଲେ ମନ ଏମିତି ଚଞ୍ଚଳ ହେଇଉଠେ, କୋଉଥିରେ ମନ ଲାଗେନି ।

 

କାହାର ପ୍ରତୀକ୍ଷା କରୁଚି ଅମର ? ମାଷ୍ଟ୍ରାଣୀ ରାଉତ ରାୟଙ୍କୁ ମିସ୍ ରାଉତରାୟ ଭଦ୍ର ମହିଳାଟି କଥା ଦେଇଥିଲେ ଆଜି ଆସିବେ ବୋଲି । ନୂଆ ପରିବେଶ ନୂଆ ବନ୍ଧୁ ନେଇ ମନ କିଛିଟା ଚଞ୍ଚଳ ହେଇ ଉଠିଚି । କିନ୍ତୁ କାଇଁକି ପ୍ରତୀକ୍ଷା କରୁଛି ? ସେ ଉତ୍ତର ସେ ହୁଏତ ଦେଇପାରିବନି । ସବୁବେଳେ ଏ ‘କାହିଁକି’ ଟା ତା’ ପାଖରେ ଦୂରୁହ ଦୁର୍ବୋଧ୍ୟ ହୋଇ ଉଠେ ।

 

ହଁ ମିସ୍ ରାଉତରାୟ, ଏଠିକି ଆସିବାର ଖୁବ୍ ଅଳ୍ପଦିନ ହେଇଚି ତା’ର । ଆଉ ସେଇ ଅଳ୍ପ ପରିସର ଭିତରେ ଯାହା ଚିହ୍ନାପରିଚୟ । ଏପରିକି ଏ ପର୍ଯ୍ୟନ୍ତ ସେ ତାଙ୍କ ନାଁ ବି ପୂରା ଜାଣିନି-। ତଥାପି ବନ୍ଧୁତା ଗଢ଼ିଉଠିଛି, ବଢ଼ି ଉଠିଚି । ଏଇ ସାହିରେ ତିନି ଚାରିଟା ଘର ଛାଡ଼ି ତାଙ୍କ ବସା, ପାଖରେ ଗାର୍ଲ ସ୍କୁଲ । ସେଇ ସୂତ୍ରରେ ତାଙ୍କ ସାଥୀରେ ପରିଚୟ । ତେବେ ଅମର ଲକ୍ଷ୍ୟକରିଚି ମହିଳାଙ୍କର ଖୁବ୍ ଅଳ୍ପଦିନ ଭିତରେ ଘନିଷ୍ଠତା କରିବାର ଦକ୍ଷତା ଅଛି । ସୁନ୍ଦରୀ, ଅବଶ୍ୟ ବୟସ ଅନେକଟା ଆଗେଇ ଯାଇଛି । ଅନୁମାନ କଲେ ବୋଧହୁଏ ତା’ରି ସମବୟସୀ ହେବେ–ଏଇ ସତେଇଶି ବା ଅଠେଇଶି ।

 

ଆଜି ରାତି ଏ ଥଣ୍ଡାକୁ ଅତିକ୍ରମ କରି ସେ ଆସିବେ ତ ? ବିଶ୍ୱାସ କରେନା ଅମର । କିନ୍ତୁ ତାଙ୍କ କଥାରେ ଯେମିତି ଆନ୍ତରିକତାର ସୁର୍ ଥିଲା । କହିଥିଲେ—‘କଣ କରିବି, କଥା କହିବାର ଲୋକ ଜଣେ ବି ପାଉନି ।’

 

—‘କାହିଁକି, ଆପଣ ଜଣେ ଶିକ୍ଷୟିତ୍ରୀ । ଆପଣଙ୍କର ଅନେକ ସହକର୍ମିଣୀ ତ ଅଛନ୍ତି ।’ ହସି ହସି ଅମର କହିଥିଲା ।

 

—‘ଆପଣଙ୍କର ଅନେକ ସହକର୍ମୀ ଥାଉଁ ଥାଉଁ ମୋ ସାଙ୍ଗରେ ବନ୍ଧୁତା କରିବାକୁ ତ ଆପଣ ପଛେଇ ନାହାନ୍ତି ।’ ଅମର ଅପ୍ରତିଭ ହେଇପଡ଼ିଥିଲା । ଏମିତି ନିର୍ବିକାର ଭାବରେ ଜଣେ ନାରୀ ଯେ ଜଣେ ପୁରୁଷକୁ ଆଘାତ ଦେଇପାରେ, ସେ ଏଇ ପ୍ରଥମ ଦେଖିଲା, ପ୍ରଥମ ଶୁଣିଲା ।

 

—‘ଆରେ ଆପଣ ଲାଜ କରୁଛନ୍ତି ? ଏଥିରେ ଲାଜ କରିବାର କିଛି ନାହିଁ । ଆପଣ ଫ୍ରଏଡଙ୍କର ମତବାଦ ପଢ଼ି ନାହାନ୍ତି ?’

 

—‘କଣ ?’

 

—‘ଫ୍ରଏଡ୍‍ କହିଚନ୍ତି, ଜଣେ ପୁରୁଷ ଅନ୍ୟ ଜଣେ ପୁରୁଷ ସାଙ୍ଗରେ ଯେତିକି ଘନିଷ୍ଠତା କରିପାରେ, ଜଣେ ନାରୀ ସାଙ୍ଗରେ ସେତିକି ସମୟରେ ତା’ଠାରୁ ଢେର୍ ବେଶୀ ଘନିଷ୍ଠତା କରିପାରିବ ।’

 

—‘କିନ୍ତୁ ନାରୀ କ୍ଷେତ୍ରରେ ଏଇଟା ଯେ ପ୍ରଯୁଜ୍ୟ, ତା’ ଆପଣ କେମିତି ଜାଣିଲେ ।’

 

—‘ଅନୁଭୂତିରୁ ।’

 

—‘ଅନୁଭୂତି ?’

 

—‘ହଁ, ଏଇ ଦେଖନ୍ତୁ, ଦେଖି ନ ଥିବା, ଜାଣି ନ ଥିବା ଗୋଟାଏ କୁମାରୀ ବାଳିକା ବାହା ହବାର ଗୋଟାଏ ରାତି ନ ଯାଉଣୁ ସ୍ୱାମୀ ସାଙ୍ଗରେ ଥଟ୍ଟା କରିପାରେ, ପରିହାସ କରିପାରେ । ସେ ଯୁକ୍ତି ଥାଉ ।’ କଥା ବଦଳେଇ ମିସ୍ ରାଉତରାୟ କହିଲେ—‘ଆଜି ଶନିବାର । ତେଣୁ ଆପଣଙ୍କ ପାଖରେ ଅର୍ଥାତ୍ ଘରେ ମୁଁ ଦୁଇ ଘଣ୍ଟା କଟେଇ ଦେଇପାରେ ।’ ଅମର ଟିକିଏ ଆଶ୍ଚର୍ଯ୍ୟ ହେଇଗଲା । କହିଲା—‘କିନ୍ତୁ ରାତିରେ ...?’ କଥା ଛଡ଼େଇ ନେଇ ମିସ୍ ରାଉତରାୟ କହିଲେ–‘ଲୋକ ଲଜ୍ଜାକୁ ଭୟ କରୁଛନ୍ତି ? ରାତିରେ ମୁଁ ଆପଣଙ୍କ ଘରେ ରହିଲେ ଲୋକେ କ’ଣ କହିବେ ବୋଲି ଭାବୁଚନ୍ତି ? ଲୋକଲଜ୍ଜାକୁ ଭୟ କରି ଆପଣ କେବେ ଆନନ୍ଦ ପାଇ ପାରିବେନି ଅମରବାବୁ । ଆପଣଙ୍କ ହାତ ପାଖରେ ଥିବା ଜିନିଷ କି ଆପଣଙ୍କଠାରୁ ଦୂରେଇ ଯିବ । ମୋର କିନ୍ତୁ ସେ ଭୟ ମୋଟେ ନାହିଁ । ଟିକିଏ ଆନନ୍ଦ ପାଇବାପାଇଁ ମୁଁ ସବୁ କିଛି ତ୍ୟାଗ କରିପାରେ-।’ ମିସ୍ ରାଉତରାୟ ଟିକିଏ ନୀରବ ରହିଲେ । ବୋଧହୁଏ ସେ କିଛି ଭାବୁଥିଲେ । ତା’ପରେ କହିଲେ, ‘ଆପଣ ଯା’ନ୍ତୁ ତ, ଦୁଇଟା ଟିଉସନ୍ ମୁଁ ସାରିଦେଇ ଠିକ୍ ସାତଟାବେଳକୁ ହାଜର ହେବି-।’

 

ଅମର ପାଟିରୁ ଆପେ ଆପେ ବାହାରି ଗଲା—‘ଆଶ୍ଚର୍ଯ୍ୟ’

 

ସତରେ, ଆଶ୍ଚର୍ଯ୍ୟ ଏହି ମହିଳାଟି । ଯୁକ୍ତିରେ ସେ କେବେ ତାଙ୍କ ସାଙ୍ଗରେ ପାରିଉଠିନି, ଅଥଚ ପ୍ରଥମ ଦିନ ସାକ୍ଷାତରେ ହିଁ ସେ ଯୁକ୍ତିକରି ବସିଚନ୍ତି । ପଡ଼ିଶାଘରେ ବାହାଘର ନିମନ୍ତ୍ରଣ ଖାଇବାକୁ ଯାଇ ମିସ୍ ରାଉତରାୟଙ୍କ ସାଙ୍ଗରେ ତା’ର ପରିଚୟ । ତାଙ୍କରି ଘରର ଗୋଟାଏ ଅଂଶ ଭଡ଼ାନେଇ ରହନ୍ତି ମିସ୍ ରାଉତରାୟ । ଗୃହକର୍ତ୍ତା ଜଣକ ପରିଚୟ କରେଇ ଦେଇଥିଲେ ଅମରକୁ ତାଙ୍କ ସହିତ ।

 

—‘ଦେଖିଲେ ତ ବାହାଘର ?’ ରାଉତରାୟ ପଚାରିଲେ । ଅମର କହିଲା– ‘ଦେଖିଲି-।’

 

ମିସ୍ ରାଉତରାୟ ଅମରକୁ ଡାକି ଆଣିଲେ ନିଜ ଘରକୁ ।

 

—‘ଯୌତୁକରେ ବୋଝେଇ ହୋଇ ଯୋଉ ଝିଅଟି ଆଜି ଯାଉଚି, ଦଶ ଦିନ ତଳ ପର୍ଯ୍ୟନ୍ତ ସେ ଥିଲା ମୋର ଛାତ୍ରୀ ।’ ଟିକିଏ ନୀରବ ରହି ହଠାତ୍ ପଚାରିଲେ ମିସ୍ ରାଉତରାୟ–‘ଆଚ୍ଛା କହି ପାରିବେ–ଏପରି ବାହାଘରର ପରିପୂର୍ଣ୍ଣତା କେଉଁଠି ?’

 

ଅମର କିଛି ଉତ୍ତର ଦେଇ ପାରିଲାନି । ଏତେ ଅଳ୍ପ ସମୟର ପରିଚୟ ଭିତରେ ଭଦ୍ରମହିଳା ଜଣକ ଏପରି ଭାବରେ ପ୍ରଶ୍ନ ପଚାରିବେ ବୋଲି ସେ ଧାରଣା ବି କରିପାରି ନଥିଲା । ସେ ନୀରବ ରହିଲା ।

 

ମିସ୍ ରାଉତରାୟ ମନକୁ ମନ କହିଲା ଭଳି ଧୀରେ ଧୀରେ କହିଲେ—‘ହୁଏତ କିଛିଦିନ ଯୌତୁକର ଏଇ ପ୍ରାଚୁର୍ଯ୍ୟ ପିଲାଟିର ମୁହଁ ବାନ୍ଧି ରଖିବ । ତା’ପରେ ଯେତେବେଳେ ମୁହଁ ଫିଟିବ, ଆଖିରୁ ଅନ୍ଧପୁଟୁଳି ଖସିବ, ସେତେବେଳେ ସେ ଦେଖିବ ଯେ ସେ ଯାହା ଖୋଜୁଥିଲା ତାହା ପାଉ ନାହିଁ ।

 

ଅମର ହଠାତ୍ ପଚାରିଲା—‘କାହିଁକି ଝିଅଟି କ’ଣ ସୁନ୍ଦରୀ ନୁହେଁ ? ଖରାପ ?’

 

—ନା, ତା’ ମୁଁ କହୁନି । ମିସ୍ ରାଉତରାୟ କହିଲେ । ‘ଝିଅଟି ବେଶ୍ ସୁନ୍ଦରୀ । ଚରିତ୍ର ବି ତା’ର ଭଲ । କିନ୍ତୁ ଏଇତକ କ’ଣ ସବୁ ? ସେମାନେ ବଡ଼ଲୋକ, ସେଇଟା ଦେଖି ଝିଅଟି ବି କିଛିଟା ଦିନ ଭୁଲିଯିବ । ତା’ପରେ ସେଇଠି ପଡ଼ିବ ସବୁ ଭଲ ପାଇବାର ପୂର୍ଣ୍ଣଚ୍ଛେଦ ।’

 

—‘କାହିଁକି ?’

 

—‘ଏତକ କ’ଣ ବୁଝିପାରୁ ନାହାନ୍ତି ? ସେମାନେ କ’ଣ ସେମାନଙ୍କର ମନର ପରିଚୟ ପାଇ ପାରିଚନ୍ତି ?

 

—‘ତା ହେଲେ ଆପଣ କ’ଣ କହୁଛନ୍ତି । ଏଭଳି ବାହାଘରର ପରିପୂର୍ଣ୍ଣତା ମୋଟେ ନାହିଁ ।’

 

—‘ଖୁବ୍ କ୍ୱଚିତ । ଶତକରା ହୁଏତ ଗୋଟାଏ କି ତା’ ବି ନୁହେଁ । ଆଉ ବାହାରକୁ ଦେଖିବାକୁ ଅନେକେ ଭଲରେ ଚଳୁଛନ୍ତି । ସୁଖୀ ଦାମ୍ପତ୍ୟ ଜୀବନ, କିନ୍ତୁ ତା ନୁହେଁ । ସେଇଟା ଗୋଟାଏ ରୁଟିନ୍ । ପରସ୍ପର ବୁଝାମଣା—ତା’ର ଭାଷା ହଉଚି—‘ତମକୁ ମୁଁ ବରଣ କଲି ମୋର ଘରଣୀ ହିସାବରେ । ତମେ ଦୋକାନରେ ସୋ’ କେଶ୍ ଭଳି ସଜା ହେଇ ମୋ ଘରେ ରହିବ । ତମର ତନୁ ତଟିନୀରେ ମୁଁ ଅବଗାହନ କରିବି । ତା’ର ବନ୍ୟାକୁ ମୁଁ ଉପଭୋଗ କରିବି । ତମେ ହବ ମୋର ଭବିଷ୍ୟତ ବଂଶଧରର ଗର୍ଭଧାରିଣୀ, ସେମାନଙ୍କୁ ଲାଳନପାଳନ କରିବ । ଘରର ହାନିଲାଭ ବୁଝିବ । ଘର ଜଗିବ । ଆଉ ସେ ସେତକ ହେଲେ ସ୍ତ୍ରୀ ପୁରୁଷ ସମସ୍ତେ କୃତାର୍ଥ । ଅଥଚ ତା’ ବାହାରେ ବି ମଣିଷର ସୂକ୍ଷ୍ମ ମନ ଅଛି । ତା’ର ରୁଚି ଜ୍ଞାନ ଅଛି । ସେ ଜାଣେ କୋଉଟା ସେ ଗ୍ରହଣ କରିବ, କୋଉଟାକୁ ଘୃଣା କରିବ ।’

 

ସ୍ତମ୍ଭିତ ତଟସ୍ଥ ଅମର ଖାଲି ମିସ୍ ରାଉତରାୟଙ୍କୁ ଦେଖୁଥିଲା । ତାଙ୍କ କଥା ତା’ କାନରେ ବାଜି ଯେମିତି ଫେରିଆସୁଥିଲା । ସବୁ ଚରିତ୍ରକୁ ବିଶ୍ଲେଷଣ କରିବାକୁ ତା’ର ଗୋଟାଏ ଅଦମ୍ୟ ଉତ୍କଣ୍ଠା ଥାଏ । କିନ୍ତୁ ଏହି ମହିଳାଙ୍କର ଚରିତ୍ର—ତାକୁ ଯେମିତି ମନେ ମନେ ହେଲା ସବୁ ବିଶ୍ଲେଷଣର ବାହାରେ । ସବୁ ଚିନ୍ତାଧାରାର ବାହାରେ, ସେ ଅନେକ କଥା କହନ୍ତି, ଯୋଉଟାକୁ ଅମର ମୋଟେ ଗ୍ରହଣ କରିପାରେ ନାହିଁ । ତା’ର ସଂସ୍କୃତି ବାଧାଦିଏ । ତା’ର ରୁଚି ଗ୍ରହଣ କରିବାକୁ କୁଣ୍ଠାବୋଧ କରେ । କିନ୍ତୁ ମିସ୍ ରାଉତରାୟଙ୍କୁ ସେ କେବେ ଓଜନ କରିପାରେ ନାହିଁ । ଆଉ ସେଇଥିପାଇଁ ବୋଧହୁଏ ବନ୍ଧୁତ୍ୱଟା ତା’ର ଏତେ ଘନିଷ୍ଠ ହେଇ ଉଠିଚି ଏଇ ଅଳ୍ପ କେତେଦିନ ଭିତରେ । ଏଇ ଟିକକ ପରିଚୟ ଭିତରେ ହୁଏତ କୌଣସି ନାରୀ ଏତେ ସହଜ ଆଉ ସରଳ ଭାବରେ ତା’ର ନିଜର ବ୍ୟକ୍ତିତ୍ୱ ଉପସ୍ଥାପନ କରିପାରିନି । ଅବଶ୍ୟ ସେ ଯେତେକଙ୍କ ସଂସ୍ପର୍ଶରେ ଆସିଚି, ଯେତେକଙ୍କୁ ଜାଣିଚି । ଆଉ ସେଇଥିଲାଗି ସେ ମିସ୍ ରାଉତରାୟଙ୍କ ପାଇଁ ବନ୍ଧୁତାର ଆସନ ପାତି ରଖିଚି ।

 

‘ନାଃ, ସେ ବୋଧହୁଏ ଆଉ ଆସିବେନି ।’ ଅମର ମନେ ମନେ ଚିନ୍ତା କରୁଥିଲା । ‘ଆସିବାର ଥିଲେ ଅନେକ ଆଗରୁ ଆସିପାରି ଥା’ନ୍ତେ ।’ ରାତି ବଢ଼ିବାକୁ ଲାଗିଚି । ତା’ରି ସାଙ୍ଗରେ ଶୀତଟା ବି ବଢ଼ି ଉଠୁଚି । ଏମିତି ଶୀତରେ କେହି କେବେ କୌଣସ ଭଦ୍ର ଲୋକଙ୍କ ଘରକୁ ଆସିପାରେ ? ସ୍ଥିର ସିଦ୍ଧାନ୍ତ କଲା ଅମର-ମିସ ରାଉତରାୟ ଆଜି ଆସିବେନି । ଯିଏ ଯେତେ ମୁହଁରେ କହୁ ବରଂ ଭିତରେ ସେ ସେଇ ଭୀରୁ ।

 

ଥଣ୍ଡା ପବନ ମେଞ୍ଚାଏ ଘର ଭିତରକୁ ପଶି ଆସିଲା । ଦିହହାତ ବି ତା’ର ଅବଶ ହେଇ ଆସିଲା । ବାହାରେ କେତେବେଳେ କେମିତି ଗୋଟାଏ ଦି’ଟା ରିକ୍ସାର ଟିଣ୍ ଟିଣ୍ ଶବ୍ଦ ଶୁଭୁଚି । କିପରି ଗୋଟାଏ ନିର୍ଜୀବ ଅଜଗର ଭଳି ପଡ଼ି ରହିଚି ରାସ୍ତାଟା । ମିସ୍ ରାଉତରାୟଙ୍କ ଆସିବାପାଇଁ ବାହାର ଦରଜାଟା ମେଲା ଅଛି ।

 

ମେଲା ଥିଲା ଦରଜାଟା । ଘର ଭତିରଟା ଝାପ୍ସା ହେଇ ଦିଶୁଥିଲା ! ଲଣ୍ଠନଟା ଦିକ୍ ଦିକ୍ ହେଇ ଜଳୁଥିଲା । ସେଇଥିରେ ଦେଖାଯାଉଥିଲା ନର୍ମଦାର ମୁହଁ । ଲୁହ ଝରି ଆଖିକୋଣରେ ଶୁଖି ଯାଇଥିଲା । ଅମର ଭାବୁଥିଲା ଘର ଭିତରକୁ ଯିବ କି ନାହିଁ । ନର୍ମଦା ହୁଏତ ଟିକିଏ ଶୋଇ ପଡ଼ିଥିଲା ।

 

ଉଠେଇବ ? ଉଠେଇବ ତାକୁ ? କିଏ ଯେମିତି କହିଲା ‘ସାନ୍ତ୍ୱନା ତାର ଦରକାର । ଟିକିଏ ଆଶ୍ୱାସନା ତା’ର ଲୋଡ଼ା ।’ ଗୋଟିଏ ଗୋଟିଏ କରି ଆଗେଇ ଗଲା ଅମର ।

 

—‘କିଏ ?’

 

ଅମର ଚମକି ପଡ଼ି ଠିଆ ହେଲା । ନର୍ମଦା ପଚାରୁଥିଲା—‘କିଏ ?’ କିନ୍ତୁ ଏଇ ଶବ୍ଦ ଯେମିତି ନର୍ମଦା ପାଖରୁ ଆସୁ ନଥିଲା । ଆସୁଥିଲା ଅପରିଚିତ—ସଂପୂର୍ଣ୍ଣ ଅପରିଚିତ କୌଣସି ଏକ ସ୍ତ୍ରୀ ଲୋକ ପାଖରୁ ।

 

‘ନର୍ମଦା ତେବେ ଶୋଇନି ।’

 

ଉଠି ବସିଲା ନର୍ମଦା, ଆଲୁଅଟାକୁ ତେଜିଦେଲା— ।

 

—କିଏ ଅମର ! ଏତେ ରାତିରେ ?’

 

ଅମର ଟିକିଏ ରହି ରହି କହିଲା—‘ନେଇଁ ଏମିତି ଚାଲିଆସିଲି ଦେଖିବାକୁ ।’

 

—‘କ’ଣ ଆଉ ଦେଖିବ ମୋର ?’ ତା’ପରେ ନୀରବ ହେଇଗଲା ନର୍ମଦା । ବୋଧହୁଏ ସେ କିଛି କହିପାରୁ ନ ଥିଲା । କିନ୍ତୁ ଲୁହ ଲୁଚେଇବା ପାଇଁ ସେ ଅନେଇଲା ପଛ ଝରକା ଆଡ଼କୁ ।

 

ଅମର ଭାଷା ଖୋଜି ପାଉ ନ ଥିଲା । ସାନ୍ତ୍ୱନା ଦେବାପାଇଁ ସବୁ ପୁଞ୍ଜି ଯେମିତି ତା’ର ସରିଯାଇଥିଲା । ଇଚ୍ଛାହେଲା କହିବ ନର୍ମଦାକୁ—‘କାନ୍ଦ ନା ନର୍ମଦା ! ଯିଏ ଯାଇଚି, ମୁଣ୍ଡ ପିଟିଲେ କି ଲୁହ ଢାଳିଲେ ସେ ତ ଆଉ ଫେରିଆସିବ ନାହିଁ ।’

 

ଅଥଚ ସେତକ ବି ତା’ ପାଟିରୁ ବାହାରିପାରିଲା ନାହିଁ । ବୋଧହୁଏ ସାନ୍ତ୍ୱନାର ଭାଷା ଟିକେ ହାଲୁକା ହେଇଯାଉଚି । ମନେ ମନେ ଓଜନ କରୁଥିଲା ଅମର । କହୁ କହୁ ଯଦି ଖାପଛଡ଼ା ଶୁଭେ, ତେବେ କ’ଣ କହିବ ନର୍ମଦା ? ଅମରର ବଦଳିଯିବାଟାକୁ ସେ ଖୁବ୍ ଭଲ ଭାବରେ ନିରୀକ୍ଷଣ କରିବ । ତା’ପରେ କହିବ—‘ଦେଖିଲ ଅମର ! ମଣିଷ କେମିତି ବଦଳେ ? ଅନୁଭବ କରିପାରିଲ ଇନ୍ଦ୍ରଧନୁର ରଙ୍ଗଟା କେଡ଼େ କ୍ଷଣସ୍ଥାୟୀ ?? ଉପଲବ୍ଧି କରିପାରିଲ ମଣିଷର ଅବଲମ୍ବନଟା କେଡ଼େ ଦରକାରୀ ???’

 

ମାତ୍ର ସେ ଅଦରକାରୀ ହେବାକୁ ଚାହେଁନା । ଅନ୍ତତଃ ନର୍ମଦାର ଜୀବନ-ଇତିହାସରେ ସେ ତା’ର ନିଜର ଇତିହାସକୁ ଲେଖିଯିବାକୁ ଚାହେଁ । ସେ ଚାହେଁ ନର୍ମଦାର ଅଭାବ ଭିତରେ ଏକ ପରିପୂରକ ହେଇ ଠିଆହେବାକୁ ।

 

–‘ବସ ।’ ନର୍ମଦା ଲଣ୍ଠନଟି ତେଜି ଦଉ ଦଉ ତାକୁ କହିଥିଲା, ଆଉ ଅମର ଭାବନା ଭିତରୁ ଫେରିଆସି ପାଖରେ ପଡ଼ିଥିବା ଚେୟାରଟା ଉପରେ ବସିପଡ଼ିଲା । କହିବା କଥାଟାକୁ ମନେ ମନେ ଥରେ ଚିନ୍ତା କରିନେଇ ଅମର କହିବାକୁ ଗଲାବେଳକୁ ନର୍ମଦାକୁ ଚାହିଁ କଥା ତା’ର ମୁହଁରେ ଅଟକି ଗଲା । ‘କ’ଣ ଦେଖୁଚି ସେ ?’ ସେ ଆଉ ସାଗର ଉପକୂଳର ଚଞ୍ଚଳତା ଦେଖିବାକୁ ପାଇଲା ନାହିଁ । ତା ବଦଳରେ ଥିଲା ଏକ ଗଭୀର ଉଚ୍ଛ୍ୱାସହୀନ କରୁଣତା, ଯାହା ଉପଲବ୍ଧି କରିବାକୁ ବହୁତ କିଛି ଦେଇଯାଏ, କହିବାକୁ ନୁହେଁ । କେମିତି ଗୋଟାଏ ଶୁଷ୍କ ନିଷ୍ଠୁର ମୁହଁ । ଯୋଉ ନିଷ୍ଠୁରତା ପଥର ଫଟାଏ, କିନ୍ତୁ ତରଳେଇ ପାରେ ନାହିଁ ।

 

ସେଇ ଗୋଟାଏ ମାତ୍ର କଥା ପରେ ନର୍ମଦା ନୀରବ ହେଇ ଯାଇଥିଲା । ଅମର ଭାବିଲା ନର୍ମଦାର ଏଇ ‘ବସ’ ଶବ୍ଦଟା ଭିତରେ ଯେମିତି ଚାଲିଯିବାର ସଙ୍କେତ ଥିଲା । ମୁହଁରେ ନ କହିଲେ ବି ଇଙ୍ଗିତରେ ସେ ତାକୁ ଚାଲିଯିବାର ବାଟ ଦେଖଉଥିଲା ।

 

କିନ୍ତୁ ସେ ଆଜି ଚାଲିଯିବାପାଇଁ ଆସିନି । ସେୟାର ଗୋଟାଏ ନିଶ୍ଚିତ ସମାଧାନ ନ କରି ଫେରିଯିବାକୁ ପ୍ରସ୍ତୁତ ନ ଥିଲା ।

 

ତା’ ପରେ ସେ ମୁହଁ ଖୋଲିଥିଲା । ବହୁତ କଥା ଏକାବେଳକେ କହିଯାଇଥିଲା । କ’ଣ କହିଥିଲା ଆଜି ତା’ର ସବୁ ମନେ ନାହିଁ । ଏମିତି କି କହିସାରି ବାହାରକୁ ବାହାରି ଆସିଲାବେଳକୁ ସବୁ ସେ ଭୁଲିଯାଇଥିଲା । ଗୋଟାଏ ଉତ୍ତେଜନାରେ ତୀର ବାହାରିଲା ଭଳି କଥାଗୁଡ଼ାକ ତା’ ମୁହଁରୁ ବାହାରି ପଡ଼ିଥିଲା ।

 

ଖାଲି ଏତକ ମନେଅଛି ନର୍ମଦାର ବଞ୍ଚିଥିବା ପର୍ଯ୍ୟନ୍ତ ତା’ର ଆଉ ତା’ ପିଲାର ସମସ୍ତ ଭାର ସେ ନିଜ ମୁଣ୍ଡ ଉପରକୁ ଟେକିନେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କାରଣ ସେ ସବୁ ଦିଗରୁ ଶଶୀଠାରୁ ଆଗେଇ ଯିବାକୁ ଚାହୁଁଥିଲା । ମୃତ ଶଶୀ ସାଙ୍ଗରେ ଜୀବିତ ଅମର ପ୍ରତିଯୋଗିତା କରିବାକୁ ବାହାରିପଡ଼ିଥିଲା । ଆଜି ବି ମନେପଡ଼େ, ସେ କଥା କହି ବାହାରକୁ ବାହାରି ଆସିଲାବେଳକୁ ତା’ ଦେହ ଥରୁଥିଲା ।

 

ଥରୁଥିଲା ଲଣ୍ଠନର ଆଲୁଅଟା । ଥଣ୍ଡା ପବନ ବାଜି ଦେହଟା ମଧ୍ୟ ଥରୁଥିଲା । ଆଉ ତା’ ଭାବନାକୁ ଭାଙ୍ଗି ସେଇ ସମୟରେ ପଶି ଆସିଲେ ମିସ୍ ରାଉତରାୟ । ଦେହରେ ଓଭର କୋଟ୍-। ହାତରେ ଗ୍ଲୋଭସ୍, ଆଉ ମୁଣ୍ଡରେ ବନ୍ଧା ହେଇଚି ପଶମର ସ୍କାର୍ଫଟିଏ । ଦେଖିଲେ ମନେ ହୁଏନା ସେ ଜଣେ ଭାରତୀୟ ହିନ୍ଦୁ ମହିଳା ବୋଲି । କଥା ଶୁଣିଲେ ବି ମନେ ହୁଏନା ଯେ ସେ ଏ ଦେଶର ପାଣିପବନରେ ବଢ଼ିଚନ୍ତି ବୋଲି । ଖାଲି ମୁଣ୍ଡର ବାଳ କହରା ଆଉ ଦେହ ଦୁଧ ଅଳତାର ମିଶ୍ରଣ ହେଇଥିଲେ, ସେ ବୋଧହୁଏ ଅନେକ ଦିନଠାରୁ ନିଜକୁ ୟୁରୋପୀୟ ବୋଲି ଦାବୀ କରି ସାରନ୍ତେଣି ।

 

ଅନେକ ସମୟ ଜଣକ ଅପେକ୍ଷାରେ ବସି ବସି ସେ ଯେତେବେଳେ ଆସି ପହଞ୍ଚନ୍ତି ସେତେବେଳେ ମନଟା ଖାଲି ହାଲ୍‍କା ହେଇ ଉଠେ–

 

—‘ହରି ଚା’ ଆଣ—’ ଅମର ଚେୟାରଟା ଘୁଞ୍ଚେଇ ଦେଇ କହିଲା ।

 

ଆଉ ମିସ୍ ରାଉତରାୟ କହିଲେ—‘ବନ୍ଧୁତା ଅପେକ୍ଷା ଭଦ୍ରତାକୁ ବୋଧହୁଏ ଆପଣ ବଡ଼ ସ୍ଥାନ ଦିଅନ୍ତି ।’ କିଛି ବୁଝିପାରିଲାନି ଅମର । ପଚାରିଲା—‘କାହିଁକି ?’ ମିସ୍ ରାଉତରାୟ କହିଲେ—ଅମରବାବୁ ! ଭଦ୍ରତା ରକ୍ଷା କରିବାଟା ସାଜେ ଖୁବ୍ ବଡ଼ଲୋକ ମାନଙ୍କୁ । ଯେଉଁମାନଙ୍କର କରିବାଟା ହେଉଚି ବଞ୍ଚିବାର ସାର୍ଥକତା । ବରଂ ଚାଲନ୍ତୁ । ଚୂଲି ପାଖରେ ବସି ଚା’ ତିଆରି କରୁ କରୁ ଗପ କରିବା । ଦେହ ଗରମ ହେବ, ଗପ ବି ଜମି ଉଠିବ ।

 

କିନ୍ତୁ ଅମର ବନ୍ଧୁତାରେ ଏତେ ବଡ଼ ସିଦ୍ଧାନ୍ତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା, ବରଂ ପଛଉଥିଲା । ଆଉ ଏହି ପଛେଇବା ହିଁ ତାର ଧର୍ମ, ତା’ର ଆଦର୍ଶ । ସାମନାରେ କଥା କହିବା ପାଇଁ ସେ ସବୁବେଳେ ଭୟ କରି ଆସିଚି ।

 

ଚୂଲି ପାଖରେ ବସି ଅମର ଦେଖୁଥିଲା ମିସ୍ ରାଉତରାୟଙ୍କୁ । ନିଆଁ ଧାସରେ ମୁହଁଟା ତାଙ୍କର ରଙ୍ଗ ପଡ଼ିଯାଇଚି । ଗରମ ପୋଷାକ ଗୁଡ଼ାକ ସେ ଅନ୍ୟ ଘରେ ଖୋଲି ପକେଇ ଆସିଚନ୍ତି-। ଶାଢ଼ିର ଆବରଣ ତଳୁ ଦେଖାଯାଉଚି ତାଙ୍କର ପାତଳା ଦେହର ଅସ୍ପଷ୍ଟ ରେଖା । ସରୁ ହାତ ଦି’ଟା କାମ କରିବାରେ ଲାଗିପଡ଼ିଚି । ଚୂର୍ଣ୍ଣକୁନ୍ତଳ ତାଙ୍କ ମୁହଁ ଉପରେ ଖେଳି ବୁଲୁଚି ।

 

ଖୁବ୍ ସୁନ୍ଦରୀ ନ ହେଲେ ବି ମୋଟାମୋଟି ସୁନ୍ଦର । କିନ୍ତୁ ଗୋଟାଏ ପ୍ରଶ୍ନର ସମାଧାନ ସେ କରିପାରୁ ନାହିଁ । ‘ସୁନ୍ଦରୀ ହେଇ ବି ସେ କାହିଁକି ବିବାହ କଲେନି ?’ ପ୍ରଶ୍ନଟା ପଚାରିଦବାକୁ ଇଚ୍ଛା ହଉଚି; ମାତ୍ର ସାହସ ଆସୁନି । ହୁଏତ ଅନ୍ୟ କିଛି ସେ ଭାବି ପାରନ୍ତି । ସତ କହିବାକୁ ଗଲେ ସେମାନଙ୍କର ବନ୍ଧୁତା କେବଳ ଏଇ କେତେଦିନର ପରିଚୟ ମାତ୍ର ।

 

ମିସ୍ ରାଉତରାୟ ପଚାରିଲେ—‘ଆରେ ଏମିତି ଚୁପ୍ ହେଇ ବସିଛନ୍ତି କାହିଁକି ? କିଛି କହୁନାହାନ୍ତି ଯେ ?’

ଅମର କହିଲା—‘ନାଁ କିଛି କହୁ ପାରୁନି—ଖାଲି ଦେଖୁଚି ।’ ଏତକ ସେ ବହୁତ ସାହସ ସଞ୍ଚୟ କରି କହିପାରିଲା । କିନ୍ତୁ ପର ମୁହୂର୍ତ୍ତରେ ହସି ଉଠିଲେ ମିସ୍ ରାଉତରାୟ ।

 

—‘ଓ ମୋତେ ଦେଖୁଛନ୍ତି ?’

 

—‘ହୁଁ ଦେଖୁଚି ।’

 

—‘କହନ୍ତୁ ନା କ’ଣ ଦେଖିଲେ ?’

 

ନିଜକୁ ଆଉ ସଂଯତ କରି ନ ପାରି ଅମର ପଚାରିଲା—‘ଆଚ୍ଛା କହନ୍ତୁ ତ, ଆପଣ ଏଯାଏ କାହିଁକି ବିବାହ କରି ନାହାନ୍ତି ? ଅଥଚ ଚେହେରାରୁ ମନେହୁଏନା ଯେ ଆପଣ ଖୁବ୍ କମ୍ ବୟସର ବୋଲି ।

 

—‘ମୁଁ ବିବାହ କରିନି ବୋଲି ଆପଣ କେମିତି ଜାଣିଲେ ?’

 

—‘ନାଁ ସେମିତି କିଛି ଜାଣିପାରିନି ଅବଶ୍ୟ । ତେବେ ଆପଣଙ୍କ ନାଁ ଆଗ ଆଡ଼େ ଏଇ ଯୋଉ ମିସ୍ ବା କୁମାରୀ ଯୋଡ଼ା ହେଇଚି......’

 

ଏଇଥର ଖୁବ୍ ଜୋରରେ ହସି ଉଠିଲେ ମିସ୍ ରାଉତରାୟ । କହିଲେ—‘ତା ମାନେ ଆପଣ କହିବାକୁ ଚାହାନ୍ତି ଖାଲି କୁମାରୀରୁ ଶ୍ରୀମତୀ ବା ମିସ୍‍ରୁ ମିସେସ୍ ହେଇପାରନ୍ତି । ତା’ ବ୍ୟତୀତ ଆଉ କିଛି ହେଇପାରନ୍ତି ନାହିଁ ?’’

 

—‘ତା ମାନେ ?’

 

—‘ତା’ ମାନେ ମୁଁ ଠିକ୍ ଓଲଟା । ମୁଁ ମିସେସ୍ରୁ ମିସ୍ ହେଇଚି । ଅର୍ଥାତ୍ ବିବାହ କରିଥିଲି-।’

 

—‘ଓ’..... । ଅମର ପାଟିରୁ ଖାଲି ଏତକ ବାହାରି ପଡ଼ିଲା । ଆଉ ମିସ୍ ରାଉତରାୟ କହିଲେ—‘‘ଆପଣଙ୍କର ଏଇ ‘ଓ’ ଟାରୁ ବୁଝାଗଲା ଯେ ଆପଣ ମୋ କଥାଟାକୁ ବିଶ୍ୱାସ କରିପାରି ନାହାନ୍ତି । କିନ୍ତୁ ବିଶ୍ୱାସ କରନ୍ତୁ । ମୁଁ ବିବାହ କରିଥିଲ ।’ ସବୁ କାମ ଛାଡ଼ିଦେଇ ବସିଗଲେ ମିସ୍ ରାଉତରାୟ । ଯେମିତି ଅତୀତଟାକୁ ସେ ଟାଣି ଆଣୁଥିଲେ । କିଛି ସମୟ ରହି ସେ କହିଲେ–‘କିନ୍ତୁ ଏ ବିବାହ ଅନ୍ୟମାନଙ୍କ ପରି ହେଇ ନ ଥିଲା ।’

 

ଉତ୍କଣ୍ଠିତ ହେଇ ଅମର ପଚାରିଲା—‘ତେବେ ?’

 

—‘ପରସ୍ପରକୁ ଅନେକ ଦିନ ଧରି ବିଶ୍ଲେଷଣ କରି ଯୋଉ ଲୋକଟାକୁ ମୁଁ ବିବାହ କରି ସେ ମାତ୍ର କେତେଟା ଦିନ ଭିତରେ ବଦଳି ଗଲା ।’ ହଠାତ୍ ଅମରର ମନେପଡ଼ିଗଲା ସେଦିନର କଥା । ସେଦିନ ଏଇ ମିସ୍ ରାଉତରାୟ କହିଥିଲେ—‘ସେମାନେ କ’ଣ ସେମାନଙ୍କର ମନର ପରିଚୟ ପାଇପାରିଚନ୍ତି ଯେ ସୁଖୀ ହେଇପାରିବେ ?’ ଖୁବ୍ ଇଚ୍ଛା ହେଲା ଏଇ ନାରୀଟିକୁ ଟିକିଏ ଆଘାତ ଦବା ପାଇଁ । ସେ ପଚାରିଲା—‘କ୍ଷମା କରିବେ ମିସ୍ ରାଉତରାୟ ! ମନର ମେଳ ଥାଇ ଏଇ ଯୋଉ ବାହାଘର ହେଲା ତା’ର ପରିଣତି ଆପଣ ନିଜେ ଉପଲବ୍ଧି କଲେ । ତା’ପରେ ବି ଆପଣ କହୁଚନ୍ତି ସେଦିନର ସେ ବାହାଘରଟାର ସାର୍ଥକତା ନାହିଁ ବୋଲି ।’

 

ମିସ୍ ରାଉତରାୟ ଆଶ୍ଚର୍ଯ୍ୟ ହେଇ ପଚାରିଲେ—‘କୋଉ ବାହାଘର କଥା ଆପଣ କହୁଛନ୍ତି ?’

 

—‘ସେଇ ଯୋଉ ଆପଣଙ୍କର ଛାତ୍ରୀଟି ସେଦିନ ବାହା ହେଲା । ଯୋଉ ଲପଲକ୍ଷ୍ୟରେ ଆପଣଙ୍କ ସହିତ ମୋର ପରିଚୟ ।’

 

—‘ଓ ... ବେଦୀ ଉପରେ ଅଗ୍ନି ସାକ୍ଷୀ ରଖି ‘ଘରର ଗୁମାସ୍ତା’ ବରଣ କରିବା ପ୍ରକାରର ବାହାଘର କଥା ଆପଣ କହୁଚନ୍ତି । ଦେଖନ୍ତୁ ଅମରବାବୁ ! ଯୋଉଟା ଛିଣ୍ଡିଯିବାକୁ ଚାହେଁ ତାକୁ ଯୋଡ଼ିବାକୁ ଚେଷ୍ଟା କରିବା ମାନେ ଲୋକହସା ହବା । ମନ ମିଳି ବାହା ହେଇଥିଲୁ ଆମେ । କିନ୍ତୁ କୌଣସି ପ୍ରକାର ବନ୍ଧନ ମୋର ନ ଥିଲା । ତେଣୁ ଯୋଉଦିନ ଯୋଉ ମୁହୂର୍ତ୍ତରେ ଆସ୍ଥା ତୁଟିଲା ସେଇ ମୁହୂର୍ତ୍ତରେ ମୁଁ ଅଲଗା । ଅଥଚ ସେ ଗୋଟାଏ ବନ୍ଧନ । ଜୀବନଭରି ଗୋଟାଏ ନାରୀର ବୋଝ ବୋହିବା ବା ଗୋଟାଏ ପୁରୁଷ ମାନ ଅଭିମାନ, ଇଚ୍ଛା ଅନିଚ୍ଛା, ହସ କାନ୍ଦକୁ ନିଜର କରି ନବାର ଗୋଟାଏ ନିର୍ଭର ପ୍ରତିଶ୍ରୁତି । ଯୋଉଟାରୁ ଆନନ୍ଦ ମୋଟେ ମିଳେନା, ମିଳେ ଖାଲି ଗ୍ଳାନି ।’

 

—ଅମର କହିଲା—‘ତା’ ହେଲେ ଆପଣ କହିବାକୁ ଚାହାନ୍ତି ସେ ବାହାଘରଟା ଭଲ ନୁହେଁ । ଏଣେ ଭଲ ପାଇ ବାହା ହେଇ ମଧ୍ୟ ସେ ବାହାଘର ତିଷ୍ଠି ପାରେ ନାହିଁ । ତେଣୁ ମୋ ମତରେ ମୋଟେ ବାହା ନ ହବା ହିଁ ଭଲ ।’

 

ମିସ୍ ରାଉତରାୟ ହସି ହସି କହିଲେ—‘ଦେଖନ୍ତୁ ଅମରବାବୁ, ମଣିଷର ମନ ‘ହିଁ’ ‘ନାହିଁ’ର ଗୋଟାଏ ଆଶ୍ଚର୍ଯ୍ୟ ସମ୍ମିଶ୍ରଣ । କୋଉଟା ସେ ଚାହେଁ କୋଉଟା ବା ନ ଚାହେଁ ? ତା’ ବିଷୟରେ ସ୍ୱୟଂ ଭଗବାନ ବି ଜାଣିଥିବେ କି ନା ସନ୍ଦେହ । ଆରେ ଗପୁ ଗପୁ ଚା’ଟା ଯେ ଥଣ୍ଡା ହେଇ ଗଲା ।’

 

କଥା କହୁ କହୁ ହଠାତ୍ ବିଷୟବସ୍ତୁ ବଦଳେଇ ଦବାରେ ଖୁବ୍ ଧୁରନ୍ଧର ମିସ୍ ରାଉତରାୟ । ଅମର ମିସ୍ ରାଉତରାୟଙ୍କ କଥାବାର୍ତ୍ତାରୁ ମାତ୍ର ଏତକ ଶୁଣିଲା ।

 

ଚା’ ଖାଉ ଖାଉ ସେ କହିଲେ, ମୁଁ ଗୋଟାଏ ଉଦାହରଣ ଦଉଚି ଦେଖନ୍ତୁ । କୌଣସି ଜଣେ ବାନ୍ଧବୀ ବିବାହ କଲେ । ଅବଶ୍ୟ ବିବାହ ପରେ ସେ ଠିକ୍ କରିନେଇଥିଲେ ଟାଣି ବାନ୍ଧି ଯେମିତି ହଉ ସେ ଏଇଟାକୁ ଦୃଢ଼ କରିନେବେ । କିନ୍ତୁ ଫଳ ହେଲା ଓଲଟା । ହଠାତ୍ ତାଙ୍କର ସ୍ୱାମୀ ଅକାଳରେ ପିଲାଟିଏ ଛାଡ଼ି ମରିଗଲେ । ତା’ ପରେ କିଛିଦିନ ବିତିଗଲା । ଆଉ ବାନ୍ଧବୀ ଯୋଉ ଅନ୍ୟ ପୁରୁଷର ସଂସ୍ପର୍ଶରେ ଆସିଲେ ଏକ ସମୟରେ ତାଙ୍କ ଆଡ଼କୁ ବାନ୍ଧବୀର ମନଟା ଟିକିଏ ଢଳି ପଡ଼ିଲା; ଅଥଚ ସେଇ ପୁରୁଷଟି ଆପଣଙ୍କ ଭଳି ଜଣେ ରକ୍ଷଣଶୀଳ, ସିଏ ଭାବନ୍ତି ମନ ଖାଲି ଜଣକୁ ଦିଆଯାଇପାରେ । ଭଲ ପାଇବାର ଲକ୍ଷ୍ୟ ମାତ୍ର ଗୋଟାଏ, ସେଇଠୁ ଆରମ୍ଭ ହେଲା ଛନ୍ଦ ପତନ ।’

 

ଅମରର ଚା’ ଖିଆ ହଠାତ୍ ବନ୍ଦ ହେଇଗଲା । କାହା କଥା କହୁଚନ୍ତି ମିସ୍ ରାଉତରାୟ-? କିନ୍ତୁ ଏଇ ଏତକ ପଚାରିବାକୁ ସବୁଠାରୁ ବଡ଼ ବାଧା ଆସି ପହଞ୍ଚିଲା, ସେଟା ହେଲା ସଙ୍କୋଚ ।

 

ମିସ୍ ରାଉତରାୟ ପୁଣି କହିଲେ—‘ଦେଖିଲେ ତ ମଣିଷ ମନର ଏକ ଆଶ୍ଚର୍ଯ୍ୟ ଦିଗ । ଯୋଉଟା ସିଏ କରିବାକୁ ଚାହେଁ ସେଇଟା ପାଇଁ ସେ ପ୍ରେରଣା ପାଏନା ଅଥଚ ପ୍ରେରଣା ପାଏ ଯୋଉଟାକୁ କରିବାକୁ ଘୃଣା କରେ ।’

 

ଅମର ଚା’ ଖାଇବା କଥା ଏକାବେଳକେ ଭୁଲିଯାଇଥିଲା । ଅନେକ କଥା ତା’ ମନ ଭିତରେ ଉଙ୍କି ମାରି ପୁଣି ଉଭେଇ ଯାଉଥିଲା । ଅନ୍ୟମନସ୍କ ଭାବରେ ଖାଲି ହୁଁ ନାହିଁ କରି ସେ ନୀରବ ରହୁଥିଲା । ହାତ ଘଡ଼ିକୁ ଚାହିଁ ମିସ୍ ରାଉତରାୟ କହିଲେ—‘ଦେଖନ୍ତୁ ଅନେକ ରାତି ହେଇଗଲା ଗପ କରୁ କରୁ । ଆରେ ଚା’ଟା ଯେ ଆପଣଙ୍କର ଥଣ୍ଡା ହେଇଗଲା ଏକାବେଳେ । ଥାଉ ଥାଉ ଆଉ ଖାଇବା ଦରକାର ନାହିଁ ।’ ଏତକ କହି ଉଠି ପଡ଼ିଲେ ମିସ୍ ରାଉତରାୟ ।

 

ଅମର ଉଠୁ ଉଠୁ ପଚାରିଲା—‘ଆପଣ ଏତେ ଗପ କଲେ, ଅଥଚ ଗୋଟଏ କଥା ମୁଁ ଆପଣଙ୍କୁ ପଚାରି ପାରିଲି ନାହିଁ । ଯଦି କିଛି ନ ଭାବନ୍ତି—ଆପଣଙ୍କ ପୂରା ନାଁଟା କ’ଣ ମୁଁ ତ ଜାଣି ପାରିଲି ନାହିଁ ?’

 

—‘ଆରେ ଏଥିରେ ଭାବିବାର କ’ଣ ଅଛି ? ମୋ ନାଁ ପୂରବୀ ।’

 

—‘ପୂରବୀ !’

 

—‘ହଁ ପୂରବୀ ରାଉତରାୟ ।’

 

–ଦଶ–

 

ପୂରବୀ ରାଉତରାୟ । ନର୍ମଦାର ଯିଏ ଦିନେ ଥିଲା ବାନ୍ଧବୀ, ସହକର୍ମିଣୀ ସେହି ପୂରବୀ ରାଉତରାୟ । ତା’ର ରୁମାଲ ଧରି ହଲଉଥିବା ହାତଟା କେତେବଳକୁ ଲୁଚିଗଲାଣି । ଆଉ ସେ ଷ୍ଟେସନ ପାରି ହେଇ ଚାଲିଯାଉଚି ତାର ଗନ୍ତବ୍ୟ ସ୍ଥାନକୁ ।

 

ଚଲାବାଟରେ ଏମିତି ଅନେକଙ୍କର ଛାଇପଡ଼େ ପୁଣି ଦୂରେଇ ଯାଏ । ଖାଲି ଛାଇ ତଳେ ବସି ଝାଳ ପୋଛି ବିଶ୍ରାମ ନବାର ସ୍ମୃତିଟା ରହିଯାଏ । ସିଏ ବି ସିମିତି ଦିନେ ଲୁଚିଯାଏ । ଯେମିତି ଅପ୍ରତ୍ୟାଶିତ ତାର ଆସିବାଟା ସେମିତି ଅଜ୍ଞାତ ତାର ଚାଲିଯିବାଟା । ସମୟର ହିସାବ-ଖାତାରେ ଅତୀତଟା ଯେତେବେଳେ ଖୁବ ମୋଟା ଆଉ ପୁରୁଣା ହେଇଯାଏ, ସେତେବେଳେ ସେଇଟା ବି ଆଉ ଦୁର୍ବହ ଲାଗେନି, ନୂଆଭଳି ବୋଧ ହୁଏନି ।

 

ଟ୍ରେନର ଦ୍ୱାର ପାଖରେ ରେଲିଂ ଧରି ଠିଆ ହେଇଥିଲା ଅମର । ସେଇ ସହରଟାରେ ସେ କଟେଇଚି ମୋଟେ ବର୍ଷଟିଏ । ଆଉ ଠିକ୍ ତା’ପରେ ପରେ ପୁଣି ବଦଳି । କିନ୍ତୁ ଏଇଭଳି ପରିବର୍ତ୍ତନଟାକୁ ସେ ସ୍ୱାଗତ କରେ । ସେ ଚାହେଁ ନୂଆ ପରିବେଶ, ନୂଆ ବନ୍ଧୁ । ଏଇ ନୂତନତ୍ୱ ଭିତରେ ସେ ପୁରାତନକୁ ଭୁଲିଯିବାକୁ ଇଚ୍ଛାକରେ, ଚେଷ୍ଟାକରେ ।

 

ଭୁଲିଯିବାଟା ହୁଏତ ଏତେ ସହଜ ନୁହେଁ । ସମସ୍ତଙ୍କ ସ୍ମୃତିକୁ ସିଏ ହୁଏତ ଧୋଇଦେଇ ପାରେ । କିନ୍ତୁ ଜଣକର ସ୍ମୃତିକୁ ସେ କୌଣସି ଉପାୟରେ ଭୁଲିଯାଇ ପାରିବନି । ସିଏ ହେଲା ପୂରବୀ ରାଉତରାୟ । ଆଉ ଭୁଲିଯାଇ ପାରିବ ନାହିଁ କେତେଗୁଡ଼ାଏ ଘଟଣା ଯାହା ସକାଳ ସନ୍ଧ୍ୟାରେ ସେଇ ମହିଳାଟିର ସାନ୍ନିଧ୍ୟରେ କଟେଇଚି । ତା’ର ସବୁକୁ ବିଶ୍ଲେଷଣ କରିଚି । ତାକୁଇ କେନ୍ଦ୍ରକରି ନର୍ମଦାକୁ ବି ଭାବିଛି ।

 

ତା’ଭଳି ଜୀବନକୁ ଏମିତି ସହଜ ଆଉ ସରଳ ଭାବରେ କେହି ଦେଖି ପାରିଥିବେକି ନା ସନ୍ଦେହ । ସେଇଥିପାଇଁ କାହାରି ନିନ୍ଦା, କାହାରି କୁତ୍ସା ତାକୁ ଆଚ୍ଛନ୍ନ କରିଦେଇନି ।

 

ଦିନେ ସେ କହିଥିଲା—‘ମୁଁ ଖୋଜୁଛି ଖୋଜିବାର ଶେଷ ନାହିଁ ମୋର; କିନ୍ତୁ ତଥାପି ମୁଁ ଅବଶ ହେଇପଡ଼ିନି, କ୍ଳାନ୍ତ ହେଇନି, ବିରକ୍ତ ବି ହେଇନି ।’

 

ଅମର ପଚାରିଲା—‘କାହାକୁ ?’

 

ହସି ପୂରବୀ ଉତ୍ତର ଦେଇଥିଲା—‘ଜୀବନକୁ, ଆଉ ତାର ପ୍ରତ୍ୟେକ ଗଳି କନ୍ଦିକୁ । ମୁଁ ଖୋଜି ଦେଖିବାକୁ ଚାହେଁ ତା’ର ଆଲୁଅ ଅନ୍ଧାରର ବିଚିତ୍ର ଖେଳକୁ ।’

 

—‘ଆଉ ଏଇ ଖୋଜିବା ଯଦି ଶେଷ ନହୁଏ ?’ ଅମର ପଚାରିଲା । ସେଥିପାଇଁ ତ ଆପଣ ସବୁ ଆଶା ହରେଇଛନ୍ତି । ଆକାଙ୍‍କ୍ଷା ଆପଣଙ୍କର ମରିଯାଇଚି ଅମରବାବୁ, ଆଶା ହରେଇ ବସିରହିବାଟା ଖୁବ୍ ବଡ଼ ଦୋଷ । ସେତେବେଳକୁ ସକାଳର କୁହୁଡ଼ି ଭେଦକରି ସୂର୍ଯ୍ୟର କିରଣ ଆସି ପଡ଼ୁଥିଲା ମାଟି ଉପରେ । ତାକୁଇ ନିର୍ଦ୍ଦେଶକରି ପୁଣି କହିଲା—‘ସୂର୍ଯ୍ୟ ଯଦି କୁହୁଡ଼ି ଭେଦ ନ କରି ତା’ର କିରଣ ଗୋଟାଇ ନିଅନ୍ତା, କୁହୁଡ଼ି ମରନ୍ତାନି ।

 

ଅମର ଆସ୍ତେ ଆସ୍ତେ ଉପଲବ୍ଧି କରୁଥିଲା । ବାରମ୍ବାର ଧକ୍କା ଖାଇଚି ପୂରବୀ । କିନ୍ତୁ ସେ ବାଧା ପାଇବାର ଦୁଃଖରେ ଆଖିରୁ ଲୁହ ଢାଳିନି, କାନ୍ଦିନି; ଠିକ୍ ସମୁଦ୍ରର ଲହରୀପରି ଜୀବନର ବେଳାଭୂମି ଛୁଇଁବାକୁ ସେ ଅପ୍ରତିହତ ସଂଗ୍ରାମ କରି ଚାଲିଚି । ଉଠିପଡ଼ି ଅଣ୍ଟା ଭିଡ଼ିଚି ପୁଣି ଆଗେଇଚି । ଆଉ ଲୋକଚକ୍ଷୁର ସମସ୍ତ ବିଦ୍ରୂପ ତା’ର ଉତ୍ସାହର ଆବର୍ତ୍ତ ଭିତରେ, ଖୋଜିବାର ଆନନ୍ଦ ଭିତରେ ବୁଡ଼ି ଯାଇଚି, ନିଶ୍ଚିହ୍ନ ହେଇଯାଇଚି ।

 

ସେହି ବିରାଟ ଖୋଜିବାର ଅନ୍ଧାର ଭିତରେ ଅଣ୍ଡାଳି ଅଣ୍ଡାଳି ତଥାପି ସେ ଚାଲିଛି । ହୁଏତ ଡାହାଣୀ ଆଲୁଅ ତାକୁ ପଥଭ୍ରଷ୍ଟ କରିଚି । କିନ୍ତୁ ପୁଣି ସେ ଫେରିଆସିଚି ତା’ର ନିଜର ଚିହ୍ନାବାଟକୁ । ଅପୂର୍ବ ଅନବଦ୍ୟ ନାରୀସୃଷ୍ଟିର ଆଉ ଗୋଟାଏ ରୂପରେଖ, ଅମରକୁ ବିହ୍ୱଳ କରିଚି । ପୂରିବୀ ନର୍ମଦା ନୁହେଁ, କବିତା ବି ନୁହେଁ ।

 

ନର୍ମଦା ଦିନର ଆଲୁଅରେ ଯାହାକୁ ଉପହାସ କରିଚି, ଥଟ୍ଟା କରିଚି; ରାତିର ଅନ୍ଧକାରରେ ପୁଣି ତାହାରି ବାଟକୁ କରି ନେଇଚି । କବିତା ଆଖିର ଲୁହ ଢାଳ ଆତ୍ମତ୍ୟାଗର ଅହଙ୍କାର କରି ତାର ଚଲାବାଟରୁ ଦୂରେଇ ଯାଇଚି । ସେମାନଙ୍କର ଖୋଜିବାର ପ୍ରୟାସ ନାହିଁ, ପାଇବାର ଉତ୍ସାହ ନାହିଁ । ପାଇଲେ ସେମାନେ କହନ୍ତି ପାଇବାର ଥିଲା, ଆଉ ନପାଇଲେ କହନ୍ତି–‘ଭାଗ୍ୟରେ ନାହିଁ ।’ ଆଉ ଏମାନଙ୍କ ଜୀବନରେ ହିଁ ଘୋଟି ଆସେ ଅନ୍ଧାର ।

 

ଅନ୍ଧାର ବିଦ୍ରୂପ କରିଚି । ଅମର ଦେହ ଶୀତେଇ ଉଠିଲା । ତାହାରି ଛାତି ଉପରେ ଶୋଇ ଉତ୍ତେଜନାରେ ଥରୁଛି ଗୋଟିଏ ନାରୀ, ସେ ନର୍ମଦା । କିନ୍ତୁ ଇଏ ବି କଣ ସମ୍ଭବ, ମାତ୍ର ତିନିଟା ମାସ ଯାଇନି ଶଶୀ ମରିଚି । ତା’ର ପିଲା ବି ରହିଚି ନର୍ମଦାର କୋଳରେ । ଅଥଚ ସବୁ ଭୁଲି ସବୁକୁ ତୁଚ୍ଛ କରି ଅମର ଛାତି ଉପରେ ପଡ଼ି ନର୍ମଦା ଖୋଜୁଚି ଆଶ୍ରୟ । ନର୍ମଦା ବିଷୟରେ ତାର ଖୁବ୍ ଉଚ୍ଚ ଧାରଣା ଥିଲା ।

 

ସେ ନିଜ ଗୋଡ଼ରେ ଠିଆ ହେଇପାରେ । ନିଜପାଇଁ ସଂଗ୍ରାମ କରିପାରେ । ନିଜର ଇଚ୍ଛାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରେ । ଅଥଚ ଇଏ ତା’ର କଣ ହେଇଚି, ମାତ୍ର କେଇଟା ଦିନ ବିବାହିତ ଜୀବନ ଭିତରେ ସେ ତାର ସାହସକୁ, ତାର ସ୍ପଷ୍ଟବାଦିତାକୁ ଏମିତି ଭାବରେ ଜଳାଞ୍ଜଳି ଦେଇଚି ?

 

ଅମରକୁ ନେଇ ଘର ବାନ୍ଧିବାର ପ୍ରକୃତି ଯଦି ତାର ଥାନ୍ତା, ତା’ ହେଲେ ସେ ତ ବେଶ ସ୍ପଷ୍ଟ କରି ଅମରକୁ ଏକଥା କହିପାରିଥାନ୍ତା । କିନ୍ତୁ ଏଇ ଅନ୍ଧାରରେ ଚୋରଙ୍କ ଭଳି ଗୋଡ଼ ଚିପି ଚିପି ଆସି ନିଦ୍ରିତ ଅମରର ଛାତି ଉପରେ ପଡ଼ି ସେ ଥରୁଚି । କଥାଟିଏ ବି ସେ କହିପାରୁନି ! କାହିଁକି ? କେମିତି ଇଏ ସମ୍ଭବ ହେଇପାରେ ।

 

କିନ୍ତୁ କୌଣସି କଥା ତା ମୁହଁରୁ ବାହାରୁ ନାହିଁ । ବହୁତ କଥା ଭାବି ହଉନି ଯଦିଓ, ନର୍ମଦା ଆଜି ପର୍ଯ୍ୟନ୍ତ ବୁଝିନି ଅମରକୁ । ଚେଷ୍ଟା କଲେ ବି ବୁଝି ପାରିବନି । ଭଲ ପାଇବାର ବିବାହ କରିବାର ଆକାଙ୍‍କ୍ଷା ଯଦି ତାର ଥାନ୍ତା, ତା’ହେଲେ ନର୍ମଦା ଅନେକ ଦିନରୁ ତା’ର ଘରଣୀ ହେଇପାରିଥାନ୍ତା ।

 

ଏଇ ତିନିଟା ମାସ ଭିତରେ ଅମର ଲକ୍ଷ୍ୟ କରିପାରିଥିଲା । ନର୍ମଦାର ଅସ୍ଥିରତା । ସେ ଯେମିତି କିଛି ଗୋଟାଏ ସମାଧାନ ଖୋଜୁଚି, କିନ୍ତୁ ପାଉ ନାହିଁ । ଚେଷ୍ଟା କରୁଚି ଦୃଢ଼ ହବାପାଇଁ, କିନ୍ତୁ ହେଇପାରୁନି । ଏମିତି ବି ଅନେକ ଥର ଲକ୍ଷ୍ୟ କରିଚି ଅମର । ତାର ସାହାଯ୍ୟ ହାତପାତି ଗ୍ରହଣ କଲାବେଳେ ନର୍ମଦାର ମୁହଁ ତଳକୁ ହେଇଯାଇଚି । ହାତ ଧରି ଉଠିଚି । ତଥାପି ସୁଦ୍ଧା ପଦଟିଏ ସେ କହିନି ।

 

ଅମର ତା’ର ପ୍ରତ୍ୟେକ ମାସର ଦରମାଟା ନର୍ମଦା ହାତରେ ଧରେଇ ଦଉଥିଲା । କିନ୍ତୁ ନର୍ମଦା ପ୍ରତିଥର ହାତପତେଇ ନେଲା ବେଳେ ପଚାରିବି—‘ଏ ଟଙ୍କା ମୁଁ କଣ କରିବି ? ଅମର ଆଶ୍ଚର୍ଯ୍ୟ ହେଇଚି । କିନ୍ତୁ ତାର ପ୍ରତିଶ୍ରୁତି କଥା ଆଉ ଥରେ ଶୁଣେଇଦବାକୁ ସେ ସଂକୋଚ ବୋଧ କରିବି ।

 

କଥା ବୁଲେଇ ସେ ହୁଏତ କହିଚି—‘ଏଇ ସଂସାରଟାକୁ ଏତିକିରେ କ’ଣ ଚଳେଇ ପାରିବନି ନର୍ମଦା ?’ –‘ଓ’–ଏତିକି କହି ନର୍ମଦା ଚୁପ ହେଇଯାଇଚି । କିଛି ତାରି ଭିତରେ ତା’ର ଅସ୍ପଷ୍ଟ ଅଭିଯୋଗ ଲୁଚିରହିଚି । ଖାଲି ଦେଖାଦିଏ ଟିକିଏ ହସ । ଏ ହସଟାକୁ ଅମର ଚିହ୍ନେ । କ୍ଷୁର ଧାରଭଳି ତୀକ୍ଷ୍ଣ ଆଉ ଧାରୁଆ ହସ ।

 

ସେ ହସ ଯେମିତି କହେ—‘ଅନ୍ୟର ସଂସାରକୁ ନିଜର ସଂସାର ବୋଲି ଗ୍ରହଣ କରିନେଲେ ସେଇଟା ନିଜର ହେଇ ପାରେନା । ତମେ ଚେଷ୍ଟା କଲେ ସୁଦ୍ଧା ଶଶୀର ଆସନକୁ ଉଠିପାରିବନି ।’

 

ଧାରଣା ଉପର ଦେଇ ଟ୍ରେନଟା ଖୁବ ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଛି । ଗଛଲତା, ପାହାଡ଼, ନଈ ସବୁକୁ ପଛରେ ପକେଇ ଆଗେଇ ଚାଲିଛି । ସେଇ ସହରଟା ଅନେକବେଳୁ ଲୁଚିଗଲାଣି । ପୂରବୀ ରାଉତରାୟ ତା’ ବସାରେ ପହଞ୍ଚି ସାରିବଣି ଏତେବଳକୁ, କିନ୍ତୁ ତା’ ମନରୁ ଲୁଚିଯାଇନି ତାର ସ୍ମୃତି । ହୁଏତ ଲୁଚିଯାଇ ପାରିବ ନାହିଁ ।

 

ଜୀବନର ଅନ୍ଧୀ ସନ୍ଧି ଖୋଜି ଖୋଜି ସେ ଅନେକ ଚରିତ୍ର ପାଇଛି । ତାକୁ ଅନେକ ଦିନଧରି ବିଚାର କରିଛି, ବିଶ୍ଲେଷଣ କରିଚି; କିନ୍ତୁ ସମାଧାନ କରିପାରିନି । ସେ କେବଳ ନୀରବ ଦର୍ଶକ ହେଇ ପ୍ରତ୍ୟେକ ଜୀବନର ଛାଇ ଆଲୁଅକୁ ଦେଖିଚି, ଉପଲବ୍ଧି କରିଚି; କିନ୍ତୁ କାହାରି ପ୍ରତିକାରର ବାଟ ତାକୁ ଦେଖା ଦେଇନି । ସେଥିପାଇଁ ଅମର ବିଦ୍ରୋହୀ । ଛକାପଞ୍ଝା ଜୀବନର ବହୁତ ପଛରେ ସେ ପଡ଼ିରହିଛି ।

 

ନର୍ମଦା ତାକୁ ଅତି ନିଷ୍ଠୁର ଭାବରେ ସେଦିନ ଫେରିଯିବାକୁ କହିଥିଲା । ତାର ଟଙ୍କା ତା ମୁହଁକୁ ଫୋପାଡ଼ି ଦେଇଥିଲା । କହିଥିଲା ତମର କର୍ତ୍ତବ୍ୟବୋଧର ଏ ବୋଝ ମୁଁ ବହିବାକୁ ଅକ୍ଷମ । ମୁଁ ପିଲା ନୁହେଁ, ରୋଜଗାର କରିବାର କ୍ଷମତା ମୋର ଅଛି । ପ୍ରତିଦାନର ପ୍ରତ୍ୟାଶା ନଥିବା ଦାନକୁ ମୁଁ ଘୃଣାକରେ ।

 

ପ୍ରତିବାଦ କରି ନଥିଲା ଅମର । ସେ ଜାଣିଥିଲା ନର୍ମଦା ଭଳିଆ ଝିଅ ୟାକୁ କେବେ ବରଦାସ୍ତ କରି ନଥାନ୍ତା । ସେଇଥିପାଇଁ ନୀରବରେ ସବୁବେଳେ ଅଭିଯୋଗ କରିଥିଲା । ହୁଏତ ଭାବିଥିଲା ଅମରଆଡ଼ୁ ପ୍ରଥମେ ପ୍ରସ୍ତାବଟା ଆସିବ । କିନ୍ତୁ ଅପେକ୍ଷା କରି କରି କ୍ଳାନ୍ତ ହୋଇପଡ଼ିଥିଲା ସେ; ବରଂ ତା’ର ଆଉ ଧୈର୍ଯ୍ୟ ନ ଥିଲା ।

 

ସେଥିପାଇଁ ସେଦିନ ଅଧରାତିରେ ନିଦ୍ରିତ ଅମରର ଛାତି ଉପରେ ଶୋଇ ଉତ୍ତେଜନାରେ ଥରୁଥିଲା । ‘ଆଉ କେତେଦିନ ଅମର !’ ଉତ୍ତେଜନାକୁ ଯଥାସାଧ୍ୟ ରୋକି ଦାନ୍ତଚିପି କହୁଥିଲା ନର୍ମଦା । ଆଉ କେତେଦିନ ଏମିତି କଟିବ । ତମେ ହାତ ଉଠେଇ ଦାନ କରୁଥିବ, ଆଉ ମୁଁ ମୁଣ୍ଡ ତଳକୁ କରି ହାତଯୋଡ଼ି ତମର ଦାନକୁ ଗ୍ରହଣ କରୁଥିବି ?

 

ଅମର କହିଲା—‘ତାହେଲେ ତୁମେ କଣ ଚାହଁ ନର୍ମଦା ?’

 

ମୁଁ ଯାହା ଚାହେଁ, ତୁମେ ତାହା କଣ ଜାଣ ନାହିଁ ? ତୁମର ଦାନ ମୁଁ ଗ୍ରହଣ କରୁଚି । କିନ୍ତୁ ପ୍ରତିଦାନରେ ତ ମୋତେ କିଛି ଦବାକୁ ହବ ।’’

 

—‘କଣ ତମର ଏ ଦେହଟା ?’

 

ଆଘାତ ପାଇ ନର୍ମଦା ତା ଛାତିରୁ ମୁଣ୍ଡ ଉଠେଇଥିଲା । ଅନେକ ସମୟ ନିସ୍ତବ୍ଧ ହେଇ ସେ ବସି ରହିଥିଲା । ନିଆଁରେ ପାଣି ପଡ଼ିଲାଭଳି ତାର ଉତ୍ତେଜିତ ସ୍ନାୟୁସବୁ ନିସ୍ତେଜ ହେଇ ଆସୁଥିଲା ।

 

ଅମର କହିଲା—ଜାଣେ, ଶଶୀର ତମେ ସ୍ତ୍ରୀ ଥିଲ, କିନ୍ତୁ ପ୍ରେମିକା ନ ଥିଲ । ତା’ର ପିଲାକୁ ଗର୍ଭରେ ଧାରଣ କରିଥିଲ । କିନ୍ତୁ ମନରେ ତା ପାଇଁ କୌଣସି ସ୍ଥାନ ରଖିପାରି ନ ଥିଲ । କିନ୍ତୁ ମାସ ତିନିଟା ନ ଯାଉଣୁ ତମର ଏ ପ୍ରବଣତା କାହିଁକି ଜନ୍ମ ହେଲା ? ଏଭଳି ଏକ ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ବରୁ ଅନ୍ତତଃ ଥରେ ତମର ଭାବିବା ଉଚିତ ଥିଲା ।’

 

ଉଠି ଠିଆହେଲା ନର୍ମଦା । ତା’ର ନିଃଶ୍ୱାସରେ ସେତେବେଳେ ଉତ୍ତେଜନାର କୌଣସି ଚିହ୍ନ ନ ଥିଲା । ଧୀରେ ଧୀରେ ସେ ପୁଣି ଫେରିଗଲା ।

 

କିନ୍ତୁ ବାକି ରାତିଟା ଶୋଇ ପାରି ନ ଥିଲା ଅମର । ନର୍ମଦାକୁ ଏ ଆଘାତଟା କେତେ ଗଭୀର ହେଇଥିବ, ସେଇ କଥା ସେ ଖାଲି ଚିନ୍ତା କରୁଥିଲା । ସେଇ ଚିନ୍ତା ଭିତରେ ଅନେକ ଦିନର ଘଟଣା ସବୁ ଉଙ୍କିମାରି ପୁଣି ଲୁଚିଯାଉଥିଲା । ଗଲା ପନ୍ଦର ଦିନ ଧରି ସେ ଲକ୍ଷ୍ୟ କରୁଥିଲା ନର୍ମଦାର ପରିବର୍ତ୍ତନ । ସେ ଲକ୍ଷ୍ୟ କରୁଥିଲା ନର୍ମଦାର ସେ ବିଷାଦ ମୁହଁ ଆଉ ନାହିଁ । ଅସ୍ଥିର ମନ ଯେମିତି ଅନେକଟା ହାଲୁକା ହେଇଯାଇଚି । ଯେମିତି ଗୋଟାଏ କିଛିର ସ୍ଥିର ସିଦ୍ଧାନ୍ତ ନର୍ମଦା ୟା ଭିତରେ କରିପାରିଚି ।

 

ନର୍ମଦା ହସିଚି, ହସାଇଚି । କୌଣସି ମୁହୂର୍ତ୍ତରେ ଶରୀର କଥା ପଡ଼ିଲେ ଜୋର କରି ତାକୁ ମତେଇ ଅନ୍ୟ କଥାର ଅବତାରଣା କରିଚି ।

 

—‘ଦେଖ ଶାନ୍ତନୁ କେମିତି ହସୁଚି’ (ଶଶୀର ପୁଅ ନାଁ ଶାନ୍ତନୁ)

 

—‘ହଁ ହସୁଚି—’

 

—‘ତୁମକୁ ଏବେ ସେ ଅଚିହ୍ନା ବାରୁ ନାହିଁ ।’

 

— ‘ଚିହ୍ନି ନେଲାଣି ହୁଏ ତ ।’

 

—‘ବଡ଼ ହେଲେ କ’ଣ ବୋଲି ଡାକିବ ସେ ତୁମକୁ ?’

 

—‘କେଜାଣି ।’

 

ନର୍ମଦା ହସେ । କ’ଣ କହିବାକୁ ଯାଇ ନିଜକୁ ସମ୍ଭାଳି ନିଏ ।

 

—‘ଦି’ପହରେ ଗୋଟାଏ ଖେଳନା ଭାଙ୍ଗିଦେଇଚି । ଆଜିକାଲି ସେ ବଡ଼ ଦୁଷ୍ଟ ହେଲାଣି-।’

 

—‘ଭାଙ୍ଗିଦଉ, ଆଉ ଗୋଟାଏ ଆଣିଦେବି ।’

 

—‘ତମେ କିନ୍ତୁ ତାକୁ ଭାରି ମୁହଁ ଦଉଚ । ଏମିତି କଲେ ପିଲାଟା ମଣିଷ ହେଇପାରିବ ନାହିଁ ।

 

ହସେ ଅମର । ନର୍ମଦା କହେ—‘ତମକୁ ଦେଖିଲେ ସେ ଯେତେ କାନ୍ଦୁଥାଉ ପଛେ ବନ୍ଦ ହେଇ ଯାଏ, ବରଂ ହସେ ।’

 

—‘କିନ୍ତୁ ତା ହସଟା ଠିକ୍ ତା’ର ବାପ ରକମ୍ । ଦେଖିବ ବଡ଼ ହେଲେ ପିଲାଟା ଶଶୀ ଭଳି ହେଇଯିବ ।’

 

ଗମ୍ଭୀର ହୋଇଯାଏ ନର୍ମଦା—ଅମର ପୁଣି କହେ—‘ଯା’ହଉ, ହୁଏତ ଶଶୀର ସ୍ମୃତି ରଖି ପାରିବ ଏ ପିଲାଟା ।’

 

—‘କବିତା ସାଙ୍ଗରେ ଦେଖାହେଲା ଆଜି ?’

 

ଅମର ବୁଝିପାରେ, ନର୍ମଦା କଥା ବଦଳେଇବାକୁ ଚାହେଁ ।

 

ସେ କହିଲା—‘ହଁ, ଦେଖାହେଲା । କିନ୍ତୁ କଥାବାର୍ତ୍ତା ହେଇପାରିଲା ନାହିଁ ।’

 

—‘କେବେ ତ ତା’ ସାଙ୍ଗରେ କଥାବାର୍ତ୍ତା ହେଇପାରୁ ନାହିଁ । ତା’ ହେଲେ ଆଉ ତା’ ପାଖକୁ ଯିବା ଦରକାର ନାହିଁ’ ।

 

—‘କିନ୍ତୁ ତାକୁ ସାହାଯ୍ୟ କରିବା ତ ଉଚିତ ।’

 

—‘ନାଁ, ଉଚିତ ନୁହେଁ । ସେ ସେଇମାନଙ୍କ ଦଳର ଯେଉଁମାନେ ମଣିଷକୁ ମଣିଷ-ଆଖିରେ ଦେଖିବାକୁ ଚାହାନ୍ତି ନି ।’

 

—‘ଏତେ କଥା ମୁଁ ଜାଣି ନାହିଁ । ମୁଁ ଜାଣି ନ ଥିଲି କି ଶଶୀ ତାକୁ କିଛି କିଛି ଆର୍ଥିକ ସାହାଯ୍ୟ କରୁଥିଲା ବୋଲି । ଯେତେବେଳେ ଜାଣିଲି ସେତେବେଳେ ନିଶ୍ଚେଷ୍ଟ ହେଇ ବସିରହିବା ଠିକ୍ କି ?’

 

—‘କିନ୍ତୁ ଲୋକେ କ’ଣ କହିବେ ସେ କଥା ବିଚାର କରିଚ ?’ ଯିଏ ସାହାଯ୍ୟ ନବାକୁ ଚାହେଁନି ତାକୁ ଅଯାଚିତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଯିବାଟା ଲୋକ-ଚକ୍ଷୁରେ ସନ୍ଦେହ ସୃଷ୍ଟି କରିବ ।’

 

—‘ଏତେ ଦୂର ଆଗେଇ ଆସି ଲୋକ ଅପବାଦଟାକୁ ବି ତମେ ଭୟ କରୁଚ ନର୍ମଦା ? ଶଶି ପ୍ରତି କର୍ତ୍ତବ୍ୟଠାରୁ ଲୋକ ଅପବାଦଟା କ’ଣ ଏତେ ବେଶୀ ।’

 

ଏଇଥର କ୍ଷୁର୍ଣ୍ଣ ହୋଇ ଉଠିଲା ନର୍ମଦା । ବାରମ୍ବାର ଶଶୀ କଥା ଉତ୍‍ଥାପନ କରି ସେ ତାକୁ ଆଘାତ କରିଥିଲା ହୁଏତ । ପୁଣି କଥା ଗଡ଼େଇ ଆରମ୍ଭ କଲା ନର୍ମଦା ।

 

—‘ତମ ଚାକିରି କଥା କ’ଣ ହେଲା କୁହ ? Promotion ର ଆଶା ଅଛି ?’

 

ଏଇଥର ଶଶୀ କଥା ଏକାବେଳେକେ ଉଠିଲା ନାହିଁ । ଏମିତି ଛୋଟ ବଡ଼ କଥାରେ ହଠାତ୍ ଶଶୀ କଥା ଉଠେ । ନର୍ମଦାର କଥା ବଦଳେଇଦେବା ଭଙ୍ଗିରେ ପୁଣି ଚାପା ପଡ଼ିଯାଏ । ଅମର ଦେଖେ ‘ଶଶୀ’ କଥାରେ ନର୍ମଦା ଦୁଃଖିତ ହୁଏ ନାହିଁ, ବରଂ ବିରକ୍ତ ହୁଏ ।

 

କିନ୍ତୁ ଏଇଟା କ’ଣ ସମ୍ଭବ—

 

‘ହଁ ସମ୍ଭବ’ । ପୂରବୀ ରାଉତରାୟ ସେଦିନ କହିଥିଲା । ଅମର ସେଦିନ ତାକୁ ଏଇ କଥା ହିଁ ପଚାରିଥିଲା । ‘ନର୍ମଦା’ ପରିବର୍ତ୍ତରେ ତା’ର ଜଣେ ବାନ୍ଧବୀ ବୋଲି ପରିଚୟ ଦେଇଥିଲା ନର୍ମଦାର ।

 

—‘କିନ୍ତୁ କାହିଁକି ?’ ଅମର ପଚାରିଲା ।

 

—‘ମୁଁ ବି ଜଣେ ନାରୀ ଅମର ବାବୁ । ମୁଁ ନିଜ ଇଚ୍ଛାରେ ମୋ’ର ସ୍ୱାମୀ ବରଣ କରିଚି । ନିଜ ଖୁସିନେଇ ମୁଁ ନିଜକୁ ଚଳେଇଚି । କାହାରି ନିନ୍ଦା, କୁତ୍ସାକୁ ମୁଁ ଭ୍ରୂକ୍ଷେପ କରି ନାହିଁ । କିନ୍ତୁ ଅନେକ ଅଛନ୍ତି ଯେଉଁମାନେ Risk ନବାକୁ ମୋଟେ ସାହସ କରନ୍ତି ନାହିଁ, ସେମାନଙ୍କ ଭିତରୁ ଆପଣଙ୍କ ବାନ୍ଧବୀ ଜଣେ ।

 

‘ଅଥଚ ଦିନେ ବାନ୍ଧବୀଙ୍କର ଖୁବ ସତ୍‍ସାହସ ଥିଲା ।’

 

—‘ଥିଲା, କିନ୍ତୁ ତାଙ୍କର ପାରିପାରିର୍ଶ୍ୱିକ ଅବସ୍ଥା କଥା ଆପଣ ବୁଝୁ ନାହାନ୍ତି କାହିଁକି ? ସ୍ୱାମୀ ତାଙ୍କର ମରିଗଲେ, ଏଇଟା ସତ; କିନ୍ତୁ ନାରୀତ୍ୱ ତାଙ୍କର ମରି ନ ଥିଲା । ତାକୁ ଆତ୍ମ ପ୍ରକାଶ କରିବାକୁ ସେ ବାଟ ପାଉ ନଥିଲେ । ଏବଂ ତାଙ୍କର ସ୍ୱାମୀ, ସେ ଯିଏ ହୁଅନ୍ତୁ ନା କାହିଁକି, ତାଙ୍କ ଅଲକ୍ଷ୍ୟରେ ତାଙ୍କର ଭାବ ପ୍ରକାଶ କରି ସତ୍‍ସାହସଟାକୁ କାଢ଼ି ନେଇଥିଲେ ।’

 

—‘କେମିତି ?’

 

—‘ଏକ ସୁସ୍ଥ ସୁନ୍ଦର ଘର ବାନ୍ଧିବାର ଚିତ୍ର ହୁଏତ ସେ ତାଙ୍କ ଆଗରେ ଥୋଇଥିବେ । ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ଚିବାର ପରିକଳ୍ପନା ତାଙ୍କୁ ଶୁଣେଇଥିବେ । ଦେହର ଭୋକ ମନର ଭୋକକୁ ଅଧିକାଂଶ ସମୟରେ ଚାପିଦିଏ । ପରିଣତରେ ଏକ ବିକୃତ ବିକଳାଙ୍ଗ ମାନସିକ ଅବସ୍ଥାର ସୃଷ୍ଟି ହୁଏ । ସେଇଥିପାଇଁ ତ ସେ ଦିନର ଆଲୁଅକୁ ଭୟ କରି ରାତିର ଅନ୍ଧାରରେ ଆପଣଙ୍କ ଛାତି ଉପରେ ଶୋଇଥିଲେ ।’

 

—‘ନାଁ, ସେ ମନ ଚାହିଁ ନ ଥିଲେ, ଚାହିଁଥିଲେ ଦେହ ।’

 

—‘ତା’ ହେଲେ ମୋଟେ ଆପଣ ତାଙ୍କୁ ବୁଝି ନାହାନ୍ତି । ସେତେବେଳେ ତାଙ୍କର ଉତ୍ତେଜନା ବା ଉତ୍ତାପଟାକୁ ଆପଣ ଲକ୍ଷ୍ୟ କରିଚନ୍ତି । କିନ୍ତୁ ଆନ୍ଦୋଳନ ଆଉ ବିହ୍ୱଳତାକୁ ଏଡ଼େଇ ଦେଇଚନ୍ତି ।

 

—‘ତେବେ ମୁଁ କ’ଣ ଠିକ୍ କରି ନାହିଁ ବୋଲି ଆପଣ କହୁଚନ୍ତି ?’ ଅମର ପୂରବୀକୁ ପଚାରିଲା ଆଶ୍ଚର୍ଯ୍ୟ ହେଇ ।

 

ହସିଲା ପୂରବୀ । କହିଲା—‘ଠିକ୍ କରିଛନ୍ତି କି ଭୁଲ କରିଚନ୍ତି ସେଇଟା ଆପଣଙ୍କ ମନର ଅବସ୍ଥା ଉପରେ ନିର୍ଭରକରେ, ସେଇଟା ଆପଣଙ୍କର ବିଚାର ଶକ୍ତି ଉପରେ ନିର୍ଭର କରେ ।

 

‘ଗରମ ଚା’–ଷ୍ଟେସନଟାଏ ଆସିଯାଇଚି । ମୁହଁ ଗଳେଇ ବାହାରକୁ ଚାହିଁଲା ଅମର । ଅଥଚ ଷ୍ଟେସନର ନାଁ ପଢ଼ିସାରି ଏକାବେଳକେ ଚମକି ପଡ଼ିଲା ସିଏ । ଚାରିଆଡ଼କୁ ଚାହିଁଲା ଚୋରଙ୍କ ଭଳି । କିଏ ଯଦି ଚିହ୍ନାଲୋକ ଆସିଯାଏ ।

 

ହଁ, ଏଇଠୁ ମାଇଲଟିଏ ଦୂର ସେଇ ଗାଁ, ମଧୁପୁର, ଯୋଉ ଗାଁରେ ସେ ଖେଳିଚି, ବୁଲିଚି-। ସେଇ ଗାଁର ଗୋହିରୀ, ସେଇ ଗାଁର ଲୋକଙ୍କ ଆଖିରେ ଆଖିରେ ଇସାରା, ହସ, ପିଲାମାନଙ୍କ ଦୂରଛଡ଼ା ହେଇ ରହିବା ।

 

ଆଉ ସେଇ ଗାଁ ମୁଣ୍ଡର ପୋଖରୀ, ବରଗଛ ସବୁ କ୍ଷଣକପାଇଁ ଭାସିଆସିଲା, ପୁଣି ମିଳେଇ ଗଲା । ଆଜି ଜୀବନରେ ତା’ର ପ୍ରଥମ ଥର ପାଇଁ ଗାଁକୁ ଦେଖିବାକୁ ଏକ ଦୁର୍ବାର ଆକର୍ଷଣ ଜନ୍ମିଲା; କିନ୍ତୁ ସେଠି ତାକୁ ଧରି ରଖିବାର ଶେଷ ଆକର୍ଷଣ ଟିକକ ମଧ୍ୟ ଲିଭିଯାଇଚି ।

 

ରେବ ଆଉ ନାହିଁ ।

 

ରେବ ! ସେଇ ରେବ !! ଯାହାକୁ ସେ ବୋଉ ବୋଲି ଡାକୁଥିଲା । ତା’ର ମୁହଁଟା ଅମର ଆଖି ଆଗରେ ଭାସି ଉଠିଲା । ସେ କର୍ତ୍ତବ୍ୟ ନ ଭୁଲି ବି ଭୁଲିଚି ।

 

ହଁ, ଭୁଲିଚି ଅନେକ କିଛି । ରେବ କାନ୍ଦିଚି, ଫେରି ଆସିବା ପାଇଁ ଚିଠି ଲେଖିଚି । କିନ୍ତୁ ଅମର ଫେରିନି ।

 

—‘ମୁଁ ତୋର ବୋଉରେ, ମୋତେ ତୁ ଏମିତି କନ୍ଦଉଚୁ କାହିଁକି ?’

 

—‘ତୁ ମୋର ବୋଉ ନୋହୁ ।’

 

—‘ଅମୁ ?’ ରେବ ସମସ୍ତ ଶକ୍ତି ଦେଇ ଚିତ୍କାର କରି ଉଠିଥିଲା । ଏତେ ପରିଶ୍ରମ ତା’ର ବ୍ୟର୍ଥ ହେଇଚି । ଏତେ ସାଧନା ତା’ର ନଷ୍ଟ ହୋଇଚି । ଯାହାକୁ ଆଜି ପର୍ଯ୍ୟନ୍ତ ଛାତିର ରକ୍ତ ଦେଇ ପାଳି ଆସିଥିଲା, ସେ କହୁଚି ସେ ତା’ର କେହି ନୁହେଁ ।

 

ମଧୁପୁର ଗାଁର ଲୋକଟିଏ ଦିନେ ଦେଖିଥିଲା ଅମରକୁ । ସେଇ ଯାଇଁ ରେବକୁ ତା’ ଗାଁରେ ଖବର ଦେଲା । ଆଉ ଖବର ପାଇ ଦୌଡ଼ି ଆସିଥିଲା ରେବ ଅମରକୁ ଫେରେଇ ନବ ବୋଲି ।

 

—‘କାହିଁକି ଏମିତି ବାୟା ବାତୁଳଙ୍କ ରକମ ଘୂରି ବୁଲୁଚୁ ତୁ ? ତୋ’ର ଘର ଅଛି, ଦୁଆର ଅଛି–ତୋ’ର ମା’ ଅଛି, ଏମାନଙ୍କୁ ତୁ ପର କରିଦଉଚୁ କାହିଁକି ?’

 

ଅମରର ଏତେ ଦିନର ସଞ୍ଚିତ ରୁଦ୍ଧ ବେଦନା ବାଟ ଖୋଜୁଥିଲା । ଆଘାତ ପାଇଥିବା ସାପ ଭଳି ରାଗରେ, ହିଂସାରେ, ଯନ୍ତ୍ରଣା କାତର ହେଇ ସେ ଚୋଟ ପରେ ଚୋଟ ବସେଇ ଜର୍ଜରିତ କରିଦେବାକୁ ଚାହୁଁଥିଲା ରେବକୁ ।

 

—‘ତୁ କୁଆଡ଼େ ଆସିଲୁ ?

 

—‘ମୁଁ ଆସିଲି ତୋତେ ନବାପାଇଁ, ଅନେକ ଦିନ ହେଲା ତୁ ଘରକୁ ଯାଇନୁ ।’

 

—‘ସେଟା ମୋ’ର ଘର ନୁହେଁ–’

 

—‘ଅମୁ !’

 

–‘ନା, ସେଟା ମୋର ଘର ନୁହେଁ କି ତୁ ମୋର ମା’ ନୋହୁ ।’ କାନ୍ଦି ପକେଇଥିଲା ରେବ-। ସେଇ ରେବ ଆଜି କିନ୍ତୁ ନାହିଁ । ଷ୍ଟେସନ ଛାଡ଼ି ଅନେକ ଆଗକୁ ଚାଲି ଆସିଲାଣି ଟ୍ରେନଟା; କିନ୍ତୁ ଆଜି ପ୍ରାୟ ଛ’ମାସ ପରେ ସେଇ ରେବ କଥା ଭାବି ମନଟା ଦୁଃଖରେ ପୂରି ଉଠିଚି । ଆଘାତ ନେଇ ରେବ ଗଲା । ଏଇ ଛ’ମାସ ଭିତରେ ଥରେ ହେଲେ ବି ସେ ଆସିନି । ତା’ର ପଇସା ସେ ନେଇନି । ଟଙ୍କା ସବୁ ଫେରିଆସିଚି, ଆଉ ତା’ପରେ ସେ ଖବର ପାଇଲା ରେବ ମରିଚି-। ସବୁ ସମ୍ପତ୍ତିବାଡ଼ି ସେ ଗାଁର ମଠ ନାଁରେ କରିଯାଇଚି ।

 

ତା’ର ଆଉ କିଛି କରିବାର ନଥିଲା ।

 

ରେବକୁ ସେ ଆଘାତ ଦେଇଥିଲା, ଅପମାନିତ କରିଥିଲା । ରେବ ଖାଲି କାନ୍ଦିଥିଲା ସିନା କିନ୍ତୁ ଫେରି ଚାହିଁ ନ ଥିଲା ।

 

‘ତୁ ଭୁଲ କରିଥିଲୁ । ତୁଳାରେ ଦୁଧ ଖୋଇ ମୋତେ ନ ବଞ୍ଚେଇ ବରଂ ସେଇଠି ଛାଡ଼ିଆସିବା ତୋ’ର ଉଚିତ ଥିଲା । ମୁଁ ମନଗଢ଼ା ସମ୍ପର୍କକୁ ବିଶ୍ୱାସ କରେ ନା । ମୁଁ ଚାହେଁ ରକ୍ତର ସମ୍ପର୍କ । ଆଜିପର୍ଯ୍ୟନ୍ତ ମୁଁ ତୋହରି ସ୍ୱାମୀକୁ ବାପ ବୋଲି ଜାଣିଚି । ଲୋକ ଆଖିରେ ପରିଚିତ ହେଇଚି ସେଇ ହିସାବରେ । ତମରିମାନଙ୍କ ପଦବୀକୁ ମୁଁ ନିଜର ପଦବୀ ହିସାବରେ ଗ୍ରହଣ କରିଚି-।’

 

‘ଏତକ ଯଦି କରିପାରୁଥିଲୁ ତା’ହେଲେ ସେଇ ସେତକ ସତ ଲୁଚେଇପାରିଲୁ ନାହିଁ କାହିଁକି ? ତୋହର ମୁହଁର ସେ କଥାକୁ ମୁଁ ସହ୍ୟ କରିପାରି ନ ଥିଲି । ଆଉ ତୁ ଜାଣିଚୁ—ସେଦିନ ତୋ ମୁହଁରୁ ମୁଁ ମୋ କଥା ଶୁଣି ଗାଁ ପୋଖରୀ ବରଗଛ ଡାଳରେ ଦଉଡ଼ି ଦେଇଦେବି ବୋଲି ଭାବିଥିଲି । କିନ୍ତୁ ହେଲା ନାହିଁ, ମରିପାରିଲି ନାହିଁ । ତୋ ପାଖକୁ ବି ଫେରିପାରିଲି ନାହିଁ ।’

 

‘ତୁ ମୋତେ ଭଲ ପାଉଥିଲୁ ? ମୋ’ ଭଳି ସ୍ନେହ କରୁଥିଲୁ ? ତା’ହେଲେ ଏକଥା କହିପାରିଲୁ କେମିତି ? ନା ମୁଁ ତୋର କେହି ନୁହେଁ । କେହି ହେଇଥିଲେ ମୁଁ ଆଜି ଜୀବନର ଗ୍ଲାନିଟାକୁ ହସି ଉଡ଼େଇ ଦେଇଥା’ନ୍ତି— । କିନ୍ତୁ ପ୍ରଥମେ ତୁଇ ତ ମୋତେ ସୂଚେଇ ଦେଲୁ ଯେ ମୁଁ ତୋ’ର ପୁଅ ନୁହେଁ, କି ତୁ ମୋର ମା’ ନୋହୁ । ପ୍ରଥମ କରି ତୁଇ ତ ମୋ’ ଜୀବନର ଗ୍ଳାନିକୁ ମୋରି ଆଗରେ ଖୋଲି ଧରିଲୁ— ।’

 

‘ହଁ, ମୁଁ ତୋତେ ଜବରଦସ୍ତି କରିଥିଲି, ବାଧ୍ୟ କରିଥିଲି ମୋ’ କଥା କହିବାପାଇଁ, ହେଲେ ତୁ ପରା ମା’ । ପୁଅ ଆଗରେ ତା’ର ଜୀବନର ଏତେ ବଡ଼ ଦୁର୍ଘଟଣା କହିବା ପୂର୍ବରୁ ତୋ କଣ୍ଠ ରୁଦ୍ଧ ହେଇଆସିଲା ନାହିଁ ? ତୁ ଭାବିପାରିଲୁ ନାହିଁ, ଯାହାକୁ ତୁ ଏତେ ସ୍ନେହ କରୁଥିଲୁ, ସେ ଏତକ ଶୁଣିଲେ ତା’ ମନଟା କେମିତି ଡହଳବିକଳ ହବ, କେମିତି କାନ୍ଦିବ ?’

 

ବର୍ତ୍ତମାନ ତୁ କାନ୍ଦୁଚୁ, କାରଣ ମୁଁ ତୋତେ ନିଷ୍ଠୁର ଭାବରେ ଏ କଥାଗୁଡ଼ାକ କହୁଚି । ଆଜି ପର୍ଯ୍ୟନ୍ତ ମୁଁ ବି କାନ୍ଦୁଚି, ଆଉ ମଲାପର୍ଯ୍ୟନ୍ତ ହୁଏତ କାନ୍ଦୁଥିବି, ପ୍ରତ୍ୟେକ ମୁହୂର୍ତ୍ତରେ ଟିକିଏ ଆଗେଇଲା ବେଳକୁ ମନେପଡ଼ିଯାଉଚି ତୋରି କଥା । ମୋ’ର ମା’ ବାପର ଠିକଣା ନାହିଁ । ମୁଁ କିଏ କେହି ଜାଣନ୍ତି ନାହିଁ । ତୁ ବି ନିଜେ ଜାଣୁ ନାହିଁ ।

 

ରେବ କାନ୍ଦୁଥିଲା । କାନ୍ଦି କାନ୍ଦି ସେ ଫେରିଗଲା । ଆଉ ସେଇଦିନ, କେବଳ ସେଇଦିନକ ପାଇଁ ପ୍ରାଣଭରି କାନ୍ଦିଥିଲା ଅମର । ଅଲକ୍ଷିତ ଭାବରେ ତା’ହାତ ଆଖି ପାଖକୁ ଚାଲିଗଲା ।

 

ଆରେ ! ବର୍ତ୍ତମାନ ବି ସିଏ କାନ୍ଦୁଛି; କିନ୍ତୁ କାହାପାଇଁ ସେ କାନ୍ଦୁଚି ? ରେବ ପାଇଁ ! ନାଁ, ନିଜ ଜୀବନର ଇତିହାସକୁ ଆଉ ଥରେ ବାସ୍ତବତା ଭିତରକୁ ଟାଣିଆଣିଚି ବୋଲି ସେଇ ଦୁଃଖରେ ! ନିଜେ ମଧ୍ୟ ଭାବି ଠିକ୍‌ କରିପାରିଲା ନାହିଁ ସିଏ । ତଥାପି ସେ କାନ୍ଦୁଚି, ତା’ଆଖିରୁ ଲୁହ ବୋହୁଚି ।

 

‘ଏଇ କାନ୍ଦିବାଟା ମଣିଷ ମନର ଦୁର୍ବଳତାକୁ ପ୍ରକାଶ କରେଇ ଦିଏ ।’ ଏଇଟା ପୂରବୀ ରାଉତରାୟର କଥା । ସେ କହେ, ‘ମଣିଷ ଯେତିକି ଦୁର୍ବଳ ତା’ ଆଖିରୁ ଲୁହ ବହେ ସେତିକି ।’

 

ଅମର କହିଲା—‘ଆଶ୍ଚର୍ଯ୍ୟ, ଆପଣ କ’ଣ କେବେ କାନ୍ଦନ୍ତି ନାହିଁ ? ଆପଣଙ୍କ ମନରେ କେବେ କ’ଣ କଷ୍ଟ ହୁଏ ନାହିଁ ?’

 

‘କଷ୍ଟ ମୁଁ ପାଇଚି ଅନେକ ଥର; କିନ୍ତୁ ସେଇ ଦୁଃଖରେ ମୁଁ ଜୀବନଟାକୁ ଅଚ୍ଛନ୍ନ କରିଦେଇନି, କାନ୍ଦିନି । ମୁଁ ଜାଣେ ଏ କଷ୍ଟ ସବୁଦିନ ପାଇଁ ନୁହେଁ, ଏ ଦୁଃଖ ଚିର ସ୍ଥାୟୀ ନୁହେଁ ।’

 

ଆଶ୍ଚର୍ଯ୍ୟ ଯୁକ୍ତି ପୂରବୀ ରାଉତରାୟର । ସେ ଦେଖିଚି ଜୀବନକୁ ସହଜ ଆଉ ସରଳତାର ମଧ୍ୟ ଦେଇ । ସେଇଥିପାଇଁ ସେ ସୁଖୀ । ଦୁଃଖଟା ତା’ ପାଖରୁ ଅନେକ ଦୂରରେ ।

 

ସେ କହୁଥିଲା—‘ଭଲ ପାଇ ମୁଁ ବାହାହେଲି, ବେଦୀରେ ବସି ନୁହେଁ । Registered Marriage କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ମନ ମୋ’ର ଅମରବାବୁ । Registration Officeରୁ ବାହାରି ଆସିବା ପରେ ପରେ ଏ ବାହାଘରର ନୂତନତ୍ୱ ମୁଁ ମୋଟେ ଦେଖିବାକୁ ପାଇଲି ନାହିଁ । ଯେଉଁ ଉତ୍କଣ୍ଠା ନେଇ ମୁଁ ସେ ଘର ଭିତରେ ଢୁକିଥିଲି, ଦସ୍ତଖତ କରିସାରିବା ପରେ ପରେ ସେ ଉତ୍କଣ୍ଠା ମୋର ଅଧେ କମିଗଲା । ଉତ୍ତେଜନା କୁଆଡ଼େ ଉଭେଇ ଗଲା । ଯାହାକୁ ବାହାଘର ପୂର୍ବରୁ ଏତେ ଭଲ ପାଉଥିଲ ତାକୁ ଏତେ ପାଖରେ ପାଇ, ଏତେ ଆପଣାର କରି ପାଇ ସୁଦ୍ଧା ମୁଁ ଯେମିତି ଅସ୍ୱସ୍ତି ବୋଧକଲି । ଗୋଟାଏ କେମିତି ବାନ୍ଧି ହେଇଯିବା ଭଳି ମୋତେ ଲାଗିଲା ।’

 

‘ତା’ ପରେ ନିହାତି ଛୋଟ ଛୋଟ କଥା ନେଇ ଆମ ଦୁଇ ଜଣଙ୍କର ମନାନ୍ତର ହେଲା । ବାହାଘରର ମାତ୍ର ମାସ କେତୁଟା ନ ଯାଉଣୁ ଶେଷରେ ଏମିତି ହେଲା ଯେ ଦୁଇ ଜଣ ଏକା ସାଙ୍ଗରେ ରହିବା ଦୁର୍ବହ ହେଇପଡ଼ିଲା । କହିପାରିଲେ ଏମିତି କାହିଁକି ହେଲା ?’

 

—‘ମୋତେ ପଚାରୁଚନ୍ତି ?’

 

—‘ହଁ ଆପଣଙ୍କୁ ।’

 

—ମୁଁ ହୁଏତ ଠିକ୍‌ କହିପାରିବି ନାହିଁ । ତେବେ ଏତକ କହିପାରେଁ—ଥିଏଟର ବା ସିନେମାର ଦର୍ଶକ ଭଳି ଜୀବନଟାକୁ ଆପଣ ଖାଲି ଦେଖିଚନ୍ତି; କିନ୍ତୁ ଉପଲବ୍‌ଧି କରିପାରି ନାହାନ୍ତି-। ଉଡ଼ି ବୁଲିବାରେ ସୁଖ ପାଇଚନ୍ତି; କିନ୍ତୁ ବନ୍ଧନର ମଧୁରତା ଆପଣଙ୍କୁ ଦୁର୍ବହ ବୋଧ ହେଇଚି-।’

 

—‘ତା’ ମାନେ ?’

 

—‘ତା’ ମାନେ ଆପଣ ଖାଲି ଚାଖିଚନ୍ତି, କିନ୍ତୁ ଉପଲବ୍‌ଧି କରିପାରି ନାହାନ୍ତି । ଉଡ଼ି ବୁଲିବାରେ ସୁଖ ପାଇଚନ୍ତି, କିନ୍ତୁ ବନ୍ଧନର ମଧୁରତା ଆପଣଙ୍କୁ ଦୁର୍ବହ ବୋଧ ହେଇଚି ।

 

—‘ତା’ ମାନେ ?’

 

‘ତା’ ମାନେ ଆପଣ ଖାଲି ଚାଖିଚନ୍ତି । କିନ୍ତୁ ଭଲ ହଉ ମନ୍ଦ ହଉ ତାକୁ ଖାଇ ହଜମ କରିବାକୁ ଚେଷ୍ଟା କରି ନାହାନ୍ତି ।’

 

—‘ତା’ ହେଲେ କ’ଣ ବା ମୁଁ ପାଇଲି ?’

 

—‘ପାଇଚନ୍ତି ଖାଲି ରସନାର ପରିତୃପ୍ତି, କିନ୍ତୁ ପେଟ ଆପଣଙ୍କର ଏବେ ବି ଖାଲି ଅଛି-। ସେଇଥିପାଇଁ ଖୋଜି ବୁଲିବାର ପ୍ରେରଣା ଆପଣ ପାଉଚନ୍ତି । ଦୁଃଖ ଆପଣଙ୍କୁ ସ୍ପର୍ଶ କରି ନାହିଁ-।’

 

ଏଇଟା ହିଁ ଥିଲା ଶେଷ କଥା । ଗମ୍ଭୀର ହେଇ ପୂରବୀ ରାଉତରାୟ ଅନେକ କିଛି ଭାବିଥିଲା ହୁଏତ । ଶେଷ ଦେଖା କରିବାକୁ ଆସି ସେ ଅମରଠାରୁ ଏଇଭଳି ଆଘାତଟାଏ ପାଇଥିଲା ।

 

ଗାଡ଼ି ସେମିତି ଦ୍ରୁତ ଗତିରେ ଚାଲିଚି । ଆହୁରି ଅନେକ ବାଟ ଯିବାକୁ ହବ । ରାତି ଘନେଇ ଆସିଲାଣି । ଆଖି ବୁଜି ଟିକିଏ ଶୋଇ ପଡ଼ିବାକୁ ଚେଷ୍ଟାକଲା ଅମର ।

 

–ଏଗାର–

 

ଅମରର ଡାଏରୀରୁ ମୁଁ ଏତିକି ବାଟ ଆଗେଇ ଆସିଚି । ପ୍ରତିଦିନର ଘଟଣା ମଧ୍ୟ ମୁଁ ଲେଖିପାରି ନାହିଁ । ତାହାରି ଡାଏରୀ ଭିତରୁ ଯୋଉ ଚରିତ୍ରଗୁଡ଼ିକ ମୋତେ ଭଲ ଲାଗିଚି ଆଉ ଆକର୍ଷଣୀୟ ବୋଧ ହେଇଚି ସେଗୁଡ଼ିକୁ ମୁଁ ଧରି ରଖିଚି । ସେଇ ଚରିତ୍ରଗୁଡ଼ିକ ଅମରର ଚରିତ୍ର ବିଶ୍ଳେଷଣ କରିବାକୁ ଅନେକ ସାହାଯ୍ୟ କରିଚନ୍ତି । ଅମର ପ୍ରତି ମୋର ଏ ବନ୍ଧୁତା ହିଁ ମୋତେ ତା’ର ଚରିତ୍ରକୁ ବୁଝିବାକୁ ପ୍ରେରଣା ଦେଇଚି ।

 

ତା’ର ଡାଏରୀରେ କୌଣସି ଧାରାବାହିକ ଲେଖା ନାହିଁ, ବା ପ୍ରତିଦିନ ସେ ଡାଏରୀ ଲେଖି ନାହିଁ । ଯୋଉଦିନ ତା’ର ମନ ହେଇଚି ସେଇଦିନ ଗୁଡ଼ାଏ ଲେଖିପକେଇଚି । ପଛ କଥା ବି (ଯାହା ତା’ର ଚିନ୍ତାଧାରା ଭିତରେ ସୀମିତ) ସେ ଗୋଟାଏ ଦିନରେ ଲେଖିଚି । ଅନେକ ଲୋକଙ୍କ ସଂସ୍ପର୍ଶରେ ସେ ଆସିଚି, କଥାବାର୍ତ୍ତା କରିଚି । ସେମାନଙ୍କ କଥା ବି ଗୋଟାଏ ଗୋଟାଏ ଜାଗାରେ ଲେଖି ପକେଇଚି । କିନ୍ତୁ ମୋର ମନେ ହୁଏ ସେମାନେ ତାକୁ ବିଶେଷ ପ୍ରଭାବିତ କରିପାରି ନାହାନ୍ତି-। ସେଇଥିପାଇଁ ସେମାନଙ୍କୁ ମୁଁ ଉଲ୍ଲେଖ କରି ନାହିଁ ।

 

ପ୍ରଭାବିତ କରିଚି କେବଳ ଏଇ କେତୋଟି ଚରିତ୍ର–ଅବଶ୍ୟ ମୋର ଯାହା ଧାରଣା, ତେଣୁ ସେଇମାନଙ୍କ କଥା ଲେଖିଲି । ସେମାନେ ଏବେ ବି ଅଛନ୍ତି । ହୁଏତ ସୁଖରେ ଅଛନ୍ତି । ସେମାନଙ୍କ ନାଁକୁ କଳୁଷିତ ନ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିଚି । ଏପରିକି ସମସ୍ତଙ୍କର ନାଁ ମୁଁ ନିଜ ଇଚ୍ଛା ଅନୁସାରେ ଦେଇଚି । ବାସ୍ତବ ଲୋକଙ୍କ ସାଙ୍ଗରେ ଏମାନଙ୍କର ନାଁର କୌଣସି ସାମଞ୍ଜସ୍ୟ ନାହିଁ । ତେଣୁ ସେମାନଙ୍କର କୌଣସି ଭୟ କରିବାର ନାହିଁ ।

 

କିନ୍ତୁ ମୁଁ ସବୁଠାରୁ ଆଶ୍ଚର୍ଯ୍ୟ ହେଉଚି ଏ ବିଦ୍ରୋହୀ ଗୋଷ୍ଠୀ ସଂସ୍ପର୍ଶରେ ଅମର ଆସିଲା କିପରି ? ଯାହା ସାଙ୍ଗରେ ମିଶିଚି, କଥା କହିଚି, ସେମାନଙ୍କର ପଛରେ ଗୋଟାଏ କିଛି ଇତିହାସ ରହିଚି । ଆଉ ଅମର ଭଳି ଲୋକ ସେମାନଙ୍କୁ ଖୋଜି ଖୋଜି ପାଇଚି ବା ଏମିତି ବି ହୋଇପାରେ ଯେ ପ୍ରତ୍ୟେକ ଲୋକ ପଛରେ ଇତିହାସ ଥାଇପାରେ ।

 

ଅମର ଭଳିଆ ଗୋଟାଏ ଚରିତ୍ର ମୋତେ ଭଲ ଲାଗିଚି କି ଖରାପ ଲାଗିଚି ସେ କଥା ମୁଁ ଭାବୁ ନାହିଁ । ମୁଁ ତା’ର ଆଶ୍ଚର୍ଯ୍ୟ ପରିଣତି ବିଷୟରେ ଭାବୁଚି । ନିଜକୁ ନିଜେ ଶେଷ କରିଦବାରେ ସେ କିଛି ଲାଭ ପାଇନି । କିନ୍ତୁ ଅନେକ ତର ଏଇଭଳିଆ ଗୋଟାଏ ଅନୁଭୂତି ତା’ମନରେ ଜାଗିଚି ।

 

ୟା’ ପରେ ଯାହା ସେ ଲେଖିଚି ଅନେକଟା ଖାପଛଡ଼ା ଆଉ ସଂଗତିହୀନ ଭଳିଆ ଲାଗୁଚି । ଯୋଗସୂତ୍ର ନ ଥିଲାଭଳିଆ ମନେ ହଉଚି । ୟା’ ପୂର୍ବରୁ ଅନେକ ଜାଗାରେ ମଧ୍ୟ ସେଇମିତି ସେ ଲେଖିଚି; କିନ୍ତୁ ମୁଁ ତାକୁ ବାଦ ଦେଇ ଦେଇଚି । ସ୍ଥାନ ବିଶେଷରେ ତାକୁ ମୁଁ ବିଶ୍ଳେଷଣ କରିଦେଇଚି । ଅବଶ୍ୟ ସେଇଟା ମୋ’ର ଏକାନ୍ତ ଅନୁଭୂତି ଏବଂ ଅଭିଜ୍ଞତାରୁ ମୁଁ ଲେଖିଚି । ମୁଁ ଯାହା ଲେଖିଚି ହୁଏତ ଅମର ତାକୁ ଭାବି ନ ଥାଇପାରେ ।

 

ବର୍ତ୍ତମାନ ସେ ଆଉ ନାହିଁ । ମରିବାର ତା’ର ଆଜିକୁ ପନ୍ଦର ଦିନ ହେଇଗଲାଣି । କବିତା ବି ନାହିଁ । ସେ ଏଠୁ ତା’ର ବସା ଉଠେଇ ଚାଲିଗଲାଣି; ଅମର ଦିନ ମଲା ସେଇଦିନ ସନ୍ଧ୍ୟାରେ ଇଚ୍ଛା ଥିଲା କବିତାକୁ ଯାଇ ପଚାରିବି ଅମର ବିଷୟରେ । କିନ୍ତୁ ଡାଏରୀର ସବୁଟା ପଢ଼ିସାରି ମୁଁ ଜାଣି ପାରୁଚି କବିତା କିଛି ଜାଣେ ନାହିଁ । ଅମର ବିଷୟରେ ମୁଁ ଯେମିତି ଅଜ୍ଞ ସେ ବି ସେମିତି ।

 

ପୂରବୀ ରାଉତରାୟର ଗୋଟାଏ ଚିଠି କେମିତି ଏ ଡାଏରୀ ଭିତରେ ଥିଲା । ସେଇଟା ବୋଧହୁଏ ତା’ର ଶେଷ ଚିଠି । କିନ୍ତୁ ଡାଏରୀ ଭିତରକୁ କେମିତି ଆସିଲା ମୁଁ ଜାଣି ନାହିଁ । ଅମର ତାକୁ ଇଚ୍ଛା କରି ରଖିଥାଇପାରେ । ନ ହେଲେ ଡାଏରୀ ଲେଖୁ ଲେଖୁ ଚିଠିଟା ପାଇ ତାକୁ ପଢ଼ିସାରି ତା’ରି ଭିତରେ ରଖିଦେଇଚି । ସେ ଚିଠିରେ ଏମିତି ଲେଖା ଥିଲା—

 

‘ଆପଣଙ୍କ ଚିଠି ପାଇଲି । ବାସ୍ତବିକ୍‌ ଖୁସି ହେଲି । ସେଦିନ ଆପଣଙ୍କୁ ଷ୍ଟେସନରେ ଛାଡ଼ିଦେଇ ଆସି ଘରେ ପହଞ୍ଚିଲି । ଆଉ ଶୋଇ ମୋର ଗୋଟାଏ ଅଦ୍ଭୁତ ମନୋବୃତ୍ତି ମନରେ ଜାଗିଲା । ଆପଣଙ୍କ କଥା ମୋ ମନରେ ଗୋଟାଏ ବିରାଟ ଦାଗ କାଟି ଦେଇଚି । ଆପଣ କହିଥିଲେ ମୁଁ ଖାଲି ଚାଖୁଚି । ଅଥଚ ପେଟ ଭର୍ତ୍ତି କରୁ ନାହିଁ । ହଁ, ସେଇ କଥା ହିଁ ମୋତେ ବାରମ୍ୱାର ଆଘାତ କଲା । ସେତେବେଳେ ଭାବିଲି—‘ଖୋଜୁ ଖୋଜୁ ଯଦି ଆପଣଙ୍କୁ ପାଇଥାନ୍ତି ! ଆପଣ ଆଶ୍ଚର୍ଯ୍ୟ ହେବେ ହୁଏତ ମଣିଷର ବେଳେ ବେଳେ ଏକ ପ୍ରକାର ଅଦ୍ଭୁତ ମାନସିକ ଅବସ୍ଥା ଆସିଥାଏ । କିନ୍ତୁ କେବଳ ସେଇ ଥରକ ପାଇଁ ମୋ’ ମନରେ ଆପଣଙ୍କୁ ପାଇବା ଲାଗି ଗୋଟିଏ ଦୁର୍ବାର ଆକାଙ୍‌କ୍ଷା ଜାଗିଲା ।

 

ତାହାରି ସମ୍ଭାବନା ବିଷୟ ଭାବୁ ମୋତେ ହସ ଲାଗିଲା । ଆପଣଙ୍କର ଏବଂ ମୋର ରାସ୍ତା, ଚିନ୍ତାଧାରା ଓ ଗତି ଏକାବେଳକେ ଅଲଗା । ସେତିକିବେଳେ ମୁଁ ଭାବିବାକୁ ଲାଗିଲି—ସତରେ ମୁଁ ଚାହେଁ କଣ ?

 

ମୁଁ ଚାହେଁ ପୁରୁଷର ଚଞ୍ଚଳତା; କିନ୍ତୁ ଆପଣଙ୍କ ପାଖରେ ସେଇଟା ନାହିଁ । ଅଛି ପ୍ରଶନ୍ତି ଓ ଗମ୍ଭୀରତା ତେଣୁ ଆପଣଙ୍କୁ ପାଇ ସୁଖୀ ହବା ପକ୍ଷରେ ଏକାବେଳକେ ଅସମ୍ଭବ ।

 

ରାଗିବେ ନାହିଁ । କ୍ଷମା ଦେବେ । ଆପଣ ମୋର ବନ୍ଧୁ, କେବଳ ବନ୍ଧୁ ।

 

ଚିଠିଟା ପଢ଼ିଲି; କିନ୍ତୁ ବୁଝିପାରିଲି ନାହିଁ । ଅମର ତାକୁ ଚିଠି ଦେଇଥିଲା । କ’ଣ ଥିଲା ତାର ବିଷୟବସ୍ତୁ । ଆଶ୍ଚର୍ଯ୍ୟ ଏଇ ପୂରବୀ ରାଉତରାୟ । ମନର କୌଣସି ଗ୍ଲାନିକୁ ସେ ଲୁଚେଇ ରଖିବାକୁ ଚାହେଁ ନାହିଁ ।

 

ହଁ, ଅମର କଥା ମୁଁ କହୁଚି । ବାକୀ ଅଂଶତକ ମୋତେ ସଜେଇ ରଖିଯିବାକୁ ହବ । ଯିଏ ବଢ଼ିବ, ସିଏ ଅମରକୁ ଘୃଣା କରିବ କି ନିନ୍ଦା କରିବ ସେ ପ୍ରଶ୍ନ ମନରେ ମୋର ଉଠୁନି । ଉଠୁଛି କେବଳ ଗୋଟାଏ କଥା, ଅମର ଯୋଉ ଭୁଲଟାଏ କରିଗଲା ତାକୁ ଲୋକେ କ୍ଷମା କରିବେ ତ ?

 

ସେ ଏମିତି ଭୁଲଟାଏ କରିଯାଇଚି, ଯାହାକି ଆଉ କେବେ ସଂଶୋଧନ ହୋଇପାରିବ ନାହିଁ । କାହାରି ଡାକ କାହାରି ଅନୁରୋଧ ତାକୁ ଆଉ ଶୁଭିବ ନାହିଁ ।

 

ଡାଏରୀର ବାକୀ ଅଂଶତକରେ ମୋହରି କଥା ବେଶୀ ଉଲ୍ଲେଖ କରିଚି । ମୋ ସାଙ୍ଗରେ କିପରି ତାର ପରିଚୟ ହେଲା, କିପରି ଘନିଷ୍ଠତା ବଢ଼ିଲା—ସେଇ କଥାଗୁଡ଼ାକ ସେ ଲେଖିଟି ଅନେକଥର ।

 

ହଁ, ବଦଳି ହେଇ ଆସି ସେ ପ୍ରଥମେ ଅଫିସର ଗୋଟାଏ ଛୋଟିଆ ଘର ନେଇ ରହୁଥିଲା । ମୁହିଁ ତାକୁ ପ୍ରଥମେ ଘରର ସନ୍ଧାନ ଦେଲି । ଏକା ଅଫିସରେ କାମ କରି ଲୋକଟା ଉପରେ କେମିତି ଟିକିଏ ମାୟା ହେଇ ଯାଇଥିଲା । ସେ ବି କୌଣସି ପ୍ରକାର ଦ୍ୱିରୁକ୍ତି ନକରି ଉଠିଆସିଥିଲା ମୋ ଠିକ୍‌ କରୁଥିବା ଘରକୁ; କିନ୍ତୁ ମୁଁ ଜାଣି ନ ଥିଲି ଏଇ କବିତା ସାଙ୍ଗରେ ତାର ଆଗରୁ ଏତେ ପରିଚୟ ଆଉ ଘନିଷ୍ଠତା ଥିଲା ବୋଲି । ସେଇ କଥା ସେ ଗୋଟାଏ ଜାଗାରେ ଲେଖିଚି ।

 

‘ମୁଁ ଜାଣି ନଥିଲି କବିତା ଏଇ ସହରରେ ଆଉ ମୋର ଏତେ ପାଖରେ ଅଛି ବୋଲି । ଯଦି ଜାଣିଥାନ୍ତି, ତେବେ ମୁଁ ଏଠିକି ଆସି ନଥାନ୍ତି । ତେବେ ମୁଁ ତାକୁ ଆବିଷ୍କାର କଲି ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତିରେ । ପ୍ରାୟ ଦୁଇ ବର୍ଷ ତଳେ ଯାହା ତାର ମୋର ସାକ୍ଷାତ । ତେଣୁ ତାର ଖବର ମୁଁ କିଛି ରଖି ନ ଥିଲି । ସେଦିନ ମୋର ଚାକରାଣୀ ଆସି କହିଲା—‘ବାବୁ, ସେ ପାଖରେ ସେ ଯୋଉ ନର୍ସ ଅଛନ୍ତି, ସେ ଆପଣଙ୍କ କଥା ପଚାରୁଥିଲେ ।

 

ଚମକି ପଡ଼ିଲି । ସେତେବେଳେ କିନ୍ତୁ କବିତା କଥା ମୋ ମନକୁ ମୋଟେ ଆସି ନ ଥିଲା-। ଦୁଇ ଦିନ ତିନି ଦିନ ପରେ ଦିନେ ହଠାତ୍‌ ସେ ଘରକୁ ପଶି ଆସିଲା, ଆଉଁ ଭୂଇଁରେ ମୁଣ୍ଡ ଲଗେଇ ମୋତେ ନମସ୍କାର କଲା ।

 

ପଚାରିଲି—‘ତୁମେ ଏଇଠି ଅଛ ?’

 

ହସି ହସି ସେ କହିଲା—‘ହଁ, ପାଶ୍‌ କରି ପ୍ରଥମ ମୁର୍ ଏଇଠି Join କରିଚି ଆଜିକୁ ପ୍ରାୟ ଆଠ ମାସ ହେଲା ।’

 

କହିଲା—‘ହଉ ଭଲ ହେଲା ।’

 

ତାପରେ ସେ ଚାଲିଗଲା; କିନ୍ତୁ ନର୍ମଦା କଥା ସେ ମୋଟେ ପଚାରିଲା ନାହିଁ । ମୁଁ ବି ସେହି ପ୍ରଶ୍ନଟାକୁ ମନେ ମନେ ବଡ଼ ଭୟ କରୁଥିଲି ।

 

ଏଇ ହଉଚି କବିତା ପ୍ରସଙ୍ଗରେ ଅମରର ଦ୍ୱିତୀୟ ଥର ପାଇଁ ଦେଖା ସାକ୍ଷାତରେ କାହାଣୀ । ଏଇଠୁଁ ସମ୍ୱନ୍ଧଟା ପୁଣି ମୋଡ଼ିଲା କି ଛିଡ଼ିଲା ସେ ବିଷୟରେ ଅମର କିଛି ଲେଖି ନାହିଁ । ଦିନକରେ ସେ ଲେଖିଛି—

 

‘ଅନେକ ଦିନଧରି ଏମିତି ସେ ଯାଉଣୁ ଆସୁଣୁ ନମସ୍କାର କଲା । ନିଜ ହାତରେ ରାନ୍ଧି, କେତେବେଳେ ଭଜା, କେତେବେଳେ ତରକାରୀ ଏମିତି ପଠେଇବାକୁ ଲାଗିଲା । ସେତେବେଳେ ମୋତେ କିନ୍ତୁ ବଡ଼ ଅସ୍ୱସ୍ତି ଲାଗୁଥିଲା । ପୁଣି କାଲିକାର ଘଟଣାରେ ମୁଁ ଅନେକଟା ବିବ୍ରତ ହେଇପଡ଼ୁଛି ।

 

କାଲି ସେଇ ଚାକରାଣୀ ହାତରେ କହି ପଠେଇଲା—ବାବୁଙ୍କୁ କହିବୁ ସେ ସନ୍ଧ୍ୟାବେଳେ ଅଫିସରୁ ଆସି ରହିଥିବେ । ମୋର ଟିକିଏ କାମ ଅଛି । ଏହି କଥାଟା ଶୁଣି ହଠାତ୍ ଯେମିତି ମୋର ରକ୍ତପ୍ରବାହ ବନ୍ଦ ହେଇଗଲା । କଣ କହିବ କବିତା ? ଇଚ୍ଛାହେଲା ତା କଥା ନ ଶୁଣି ସିନେମା ଚାଲିଯିବି । କିନ୍ତୁ ଏତେଦିନ ପର୍ଯ୍ୟନ୍ତ ମୁଁ ନିଜକୁ ନିଜେ ବୁଝିପାରି ନାହିଁ, ତେଣୁ ଅନେକ ସମୟରେ ଯାହା ଭାବିଚନ୍ତି ଠିକ୍‌ କରିଥାଏ, ତାକୁ କାମରେ ଲଗେଇ ପାରେ ନାହିଁ ।

 

ସନ୍ଧ୍ୟା ପରେ ମୁଁ କୁଆଡ଼େ ନ ଯାଇ ବସାକୁ ଫେରିଆସିଲି । ଆସି ଦେଖିଲି, ସେ ଯେମିତି ମୋତେ ଅନେକ ବସିଛି । ବସାରେ ପହଞ୍ଚିବା ମାତ୍ରେ ସେ ତାର ବସାରୁ ଆସିଲା ।

ମୁଁ ପଚାରିଲି—‘ମୋତେ ତମର କିଛି କହିବାର ଅଛି ?’

ସେ କହିଲା—‘ନା, ଦବାର ଅଛି ।’

ରୀତିମତ୍‌ ଆଶ୍ଚର୍ଯ୍ୟ ହେଇଗଲି । କ’ଣ ସେ ଦବ ?

ସେ ମୋତେ ରୁମାଲଟାଏ ଦେଲା—ଫୁଲ ପଡ଼ିଚି ।

ରୁମାଲ କଥା କାହିଁକି ଯେ ସେ ଅନେକ ଜାଗାରେ ଲେଖିଚି, ମୁଁ ବୁଝିପାରି ନାହିଁ ।

‘ରୁମାଲଟା ଆଜି ପର୍ଯ୍ୟନ୍ତ ବି ମୋ ପାଖରେ ଅଛି । ଚେଷ୍ଟା କରିଚି ତାକୁ କାହାକୁ ଦେଇ ଦବାକୁ, ନହେଲେ ନଷ୍ଟ କରିଦେବାକୁ । କିନ୍ତୁ ପାରି ନାହିଁ । କାହିଁକି ପାରି ନାହିଁ ସେ କଥା ବି ମୁଁ କହିପାରୁ ନାହିଁ, ଅଥଚ ପାରୁ ନାହିଁ । ଯେତେଥର ସେଇଟାକୁ ଦେଖିଚି, ସେତେଥର ମୋର ମନେହେଇଚି—ସେଥିରେ ଆମନ୍ତ୍ରଣର ସୁର ନାହିଁ, ବିକେଇବାର ଅଭିସନ୍ଧି ନାହିଁ । ଅଛି ଯେମିତି ଗୋଟାଏ ବ୍ୟଥାର ଦୀର୍ଘଶ୍ୱାସ । ଅବଶ୍ୟ ଏଇଟା ଖାଲି ମୋ’ର ବିଚାର ।’

କବିତା ସାଙ୍ଗରେ ତା’ର ଏ ବନ୍ଧୁତା ମୁଁ ମୋଟେ ଜାଣି ପାରି ନ ଥିଲି । ଅମର ବୋଧହୁଏ କାହାକୁ ବି ଜାଣିବାକୁ ଦେଇ ନଥିବ । ପ୍ରାୟ ଚାରି ମାସ ଖଣ୍ଡେ ତଳେ କବିତାକୁ ଦେଖିଥିଲି ତା’ ଘର ସାମନାରେ । କିନ୍ତୁ କୌଣସି ପ୍ରକାର ସନ୍ଦେହ ମୁଁ କରି ନଥିଲି ।

କବିତା ବିଷୟରେ ଏ ସାହିରେ ସମସ୍ତଙ୍କର ଭଲ ଧାରଣା ଅଛି । କେହି ଆଜି ପର୍ଯ୍ୟନ୍ତ ତାକୁ ସନ୍ଦେହ କରି ନାହାନ୍ତି ବା ତା ନାଁରେ କୁତ୍ସାରଟନା କରି ନାହାନ୍ତି । ସେ ସମସ୍ତଙ୍କ ଘରକୁ ଯାଏ-। ସମସ୍ତଙ୍କ ସାଙ୍ଗରେ ମିଶେ । ଏ ସାହିର ସମସ୍ତଙ୍କୁ ସେ ଭାଇ ବନ୍ଧୁ ହିସାବରେ ଧରି ନେଇଥିଲା-

ପରପାଇଁ ଆଖିରୁ ଲୁହ ଢାଳିଯିବା ଥିଲା ବୋଧହୁଏ ତା’ର ଏକମାତ୍ର ବ୍ରତ । ଖାଲି ଲୁହ ଢାଳିବା ନୁହେଁ । ନିଜର ସମସ୍ତ ସୁବିଧା, ସମସ୍ତ ଆନନ୍ଦର ବିନିମୟରେ ସେ ଏ ସାହିର ଲୋକମାନଙ୍କ ମନରେ ଏକ ଦୃଢ଼ ଆସନ ପାତି ବସିଥିଲା ।

‘କବିତା ବିଷୟରେ ମୁଁ ଯାହା ଶୁଣିଲି, ତା’ର ପୂର୍ବ ପରିଚିତ ହିସାବରେ ବରଂ ମୁଁ ଗର୍ବ ଅନୁଭବ କରେଁ, କିନ୍ତୁ ତା’ ସାଙ୍ଗରେ ଘନିଷ୍ଠ ହବା ବା ଆଉ ଟିକିଏ ପାଖେଇ ଯିବାକୁ ମୁଁ ସାହସ କରିପାରୁ ନାହିଁ । ଆହୁରି ମୁଁ ଆଶ୍ଚର୍ଯ୍ୟ ହଉଚି ଯେ ଦିନେ ହେଲେବି ସେ ମୋ ଆଗରେ ନର୍ମଦା ବିଷୟ ଉତ୍‌ଥାପନ କରି ନାହିଁ । ସେ ମୋତେ ଅନେକ ଥର ଖାଇବାକୁ ଦେଇଚି । ମୋର ସୁବିଧା ଅସୁବିଧା ବୁଝିଚି । ମୋ ସାଙ୍ଗରେ ଘନିଷ୍ଠତା କରିବାକୁ ଚେଷ୍ଟା କରିଚି ଅଥଚ ନର୍ମଦା ବିଷୟରେ ଥରେ ହେଲେ ମୋତେ ପଚାରି ନାହିଁ ।’

ଅମର ଏମିତି ଅନେକ ଜାଗାରେ ଏଇଭଳି କଥା ଉତ୍‌ଥାପନ କରିଚି । କିନ୍ତୁ କବିତାକୁ ସେ ବୁଝିନି ବା ବୁଝି ନପାରିବାର ଛଳନା କରିଚି; ସେ କଥା ମୁଁ କହିପାରୁନି ।

ଗତ ମାସକ ତଳେ ଅମର ଟାଇଫଏଡରେ ପଡ଼ିଥିଲା । ପ୍ରଥମେ ଯେତେବେଳେ ଖୁବ୍‌ ଜର ହୁଏ, ସେ ମୋତେ ଡକେଇ ପଠେଇଥିଲା । ଆଉ ମୁଁ ଯାଇ ଦେଖିଲି, ମୋ ପୂର୍ବରୁ କବିତା ଯାଇ ତା’ର ସେବା ଶୁଶ୍ରୁଷାରେ ଲାଗିଚି । ସେତେବେଳେ ମୁଁ ସନ୍ଦେହ କରି ନଥିଲି ବା ଆଶ୍ଚର୍ଯ୍ୟ ହେଇ ନ ଥିଲି, କାରଣ ମୁଁ ଜାଣେ କବିତାର ଏଭଳି ସେବା ଶୁଶ୍ରୁଷା ଅନ୍ତତଃ ତା’ର ପଡ଼ାପଡ଼ୋଶୀମାନଙ୍କ ପାଇଁ କିଛି ନୁଆ ନୁହେଁ ।

 

ଡାକ୍ତର ମୁଁ ଡାକି ଆଣିଥିଲି । ସେବା ଶୁଶ୍ରୁଷା ସାଙ୍ଗରେ ଚିକିତ୍ସା ବି ଚାଲିଲା । ଚିକିତ୍ସାର ସୁବିଧା ପାଇଁ ଯେତେବେଳେ ଡାକ୍ତର ହସ୍‌ପିଟାଲ୍‌କୁ ଅମରକୁ ନେଇଯିବାକୁ କହିଲେ ସେତେବେଳେ କବିତା ରାଜି ହେଇ ନ ଥିଲା ।

 

ମୋତେ କହିଲା—‘ନା ବିନୟ ବାବୁ, ତାଙ୍କୁ ଏଠୁ ନିଅନ୍ତୁ ନାହିଁ ।’

 

ମୁଁ ଆଶ୍ଚର୍ଯ୍ୟ ହେଇଗଲି । ମନା କରିବାର କାରଣ ମୁଁ ବୁଝିପାରିଲି ନାହିଁ । ସେତେବେଳେ ହୁଏତ ମୋ’ ମନରେ ଟିକିଏ ସନ୍ଦେହ ଉଙ୍କି ମାରିଥିଲା । କିନ୍ତୁ ସେଇ ସନ୍ଦେହଟାକୁ ମୁଁ ପ୍ରଶ୍ରୟ ଦବାକୁ ଇଚ୍ଛା କଲି । ବେଶ୍‌ ତ ! ଏଥିରେ କ୍ଷତି ବା କ’ଣ ।

 

ତଥାପି କହିଲି—‘ଶୁଣ କବିତା, ଡାକ୍ତରଖାନା ଗଲେ ଅମରବାବୁଙ୍କର ଭଲ ହବ । ଅନ୍ତତଃ ପଇସା ଖର୍ଚ୍ଚରୁ ତ ଉଦ୍ଧାର ମିଳିବ । ତା’ଛଡ଼ା ତମେ ଆମେ ପର । କେତେବେଳେ କିଏ ହୁଏତ ଆମକୁ କହିପାରେ ଆମେ ଅବହେଳା କରିଚୁ ବୋଲି ।’

 

କିନ୍ତୁ ସେ ରାଜି ହେଲାନି । ସେତେବେଳକାର ତା’ର ସେବା ମନୋବୃତ୍ତି ମୋ’ର ସନ୍ଦେହକୁ ମୋଟେ ସ୍ଥାନ ଦେଇପାରିଲା ନାହିଁ ।

 

ଅମର ରୋଗରୁ ଉଠିବା ପରେ ପରେ ଡାଏରୀ ଲେଖିଚି । ତା’ର ରୋଗାକ୍ରାନ୍ତ ଦିନଗୁଡ଼ିକୁ ସ୍ମୃତିରୁ ଟାଣିଆଣି ବାସ୍ତବତାରେ ରୂପ ଦେବାକୁ ଚେଷ୍ଟା କରିଚି ।

 

ଅନେକଦିନ ପରେ ମୁଁ ଆଜି ଟିକିଏ ସୁସ୍ଥ ହେଇଚି । ଅବଶ୍ୟ, ଜର ଛାଡ଼ିଗଲାଣି ଅନେକ ଦିନରୁ, କିନ୍ତୁ ମନର ଅବସାଦ ଆଉ ଦେହର ଅବସନ୍ନତା ମୋତେ କାବୁ କରି ରଖିଥିଲା । ଏବେ ମଧ୍ୟ ମୁଁ ଭଲ ଭାବରେ ଚାଲବୁଲ କରିପାରୁ ନାହିଁ ।’

 

‘କେତେ ଦିନ ଯେ ମୁଁ ରୋଗରେ ପଡ଼ିଥିଲି ମୁଁ ଜାଣି ନାହିଁ ବା ଜାଣିବାକୁ ଚେଷ୍ଟା କରି ନାହିଁ । କିନ୍ତୁ ସେଇ କେତେଦିନ ଭିତରେ ମୁଁ ଗୋଟାଏ ନୂତନ ଅନୁଭୂତି, ନୂତନ ପୁଲକର ଆସ୍ୱାଦ ପାଇଚି । ସେ ଅନୁଭୂତିଠାରୁ ମୁଁ ଦୂରେଇ ଯିବାକୁ ଇଚ୍ଛା କରେଁ ନାହିଁ, ଭଲ ପାଏନି; ସେଇଟା ହଉଚି କବିତାର ପରିଚର୍ଯ୍ୟା ।’

 

‘କେତେ ଦିନ କେତେ ରାତି, ନିଜର ଖିଆପିଆ ଭୁଲି, ଆରାମ କରିବା, ଶୋଇବା ପରିତ୍ୟାଗ କରି ସେ ମୋ’ର ପରିଚର୍ଯ୍ୟା କରିଚି ସେ କଥା ମୁଁ ଠିକ୍‌ କହିପାରିବିନି, କିନ୍ତୁ ଯେତେଥର ମୋର ଜ୍ଞାନ ହେଇଚି—ଏଇ ଦୀର୍ଘ ରୋଗ ଭୋଗ ଭିତରେ, ସେତେଥର ଦେଖିଚି କେତେବେଳେ ମୋ ମୁଣ୍ଡ ପାଖରେ, କେତେବେଳେ ମୋ ଗୋଡ଼ ପାଖରେ ବସି ମୋ’ର ଦେହରେ ହାତ ବୁଲାଉଚି-।’

 

‘ଦିନକର ଘଟଣା କହୁଚି । ଜର ଛାଡ଼ିବାର ପ୍ରାୟ ଦୁଇ ଚାରି ଦିନ ପରେ ଦିନେ ରାତିରେ ମୋ ନିଦ ଭାଙ୍ଗିଗଲା । ଅନୁଭବ କଲି, ମୋ ପାଦ ଦୁଇଟା ଉପରେ ଗୋଟାଏ ଅଶ୍ରୁଳ ମୁହଁ । ଅନୁମାନ କଲି ସେ କବିତା । ମୋ ପାଦ ଉପରେ ମୁହଁ ଘଷି ଘଷି ସେ କାନ୍ଦି ଚାଲିଚି । ମୁଁ କିଛି କହିପାରିଲିନି । ତାକୁ ସାନ୍ତ୍ୱନା ଦେଇ ପାରିଲିନି । ସେ ସେଇମିତି କାନ୍ଦି ଚାଲିଥିଲା ।’

 

ଅନେକ ଛୋଟ ବଡ଼ ଘଟଣା ଅମର ଲିପିବଦ୍ଧ କରି ଯାଇଚି । ଯେତିକି ଦରକାର କେବଳ ସେତିକି ମୁଁ ପ୍ରକାଶ କରିଚି । ବାକୀ ସବୁ ସେଇ ଡାଏରୀ ଭିତରେ ପଡ଼ିରହିଚି । ଅମର ଡାଏରୀ ପ୍ରାୟ ସରି ଆସୁଚି । ମୋର ବକ୍ତବ୍ୟ ମଧ୍ୟ ଶେଷ ହେଇ ଆସୁଚି । ଶେଷ ଦିନର କଥା ମୁଁ କହୁଚି—

 

‘ଏତେଦିନର ଚିନ୍ତାଧାରାରେ ଆଜି ମୁଁ ପରିସମାପ୍ତ, ଘଟେଇବାକୁ ଯାଉଚି । ନିଜ ହାତରେ ମୋର ମୃତ୍ୟୁକୁ ମୁଁ ଆମନ୍ତ୍ରଣ କରିବାକୁ ଯାଉଚି । ମୁଁ ଆଜି ଆତ୍ମହତ୍ୟା କରୁଚି । ମୋ’ର ଏ ଭଳି ନିଷ୍ପତ୍ତି ଯେତିକି ଆକସ୍ମିକ ସେତିକି ଆଶ୍ଚର୍ଯ୍ୟଜନକ । ଏତେ ଦିନ ଧରି ଯୋଉ ଜିନିଷଟା ଚିନ୍ତାକରି ଆସିଥିଲି, ତା’ର ସମାଧାନ ଏତେ ଚଞ୍ଚଳ ହବ ବୋଲି ମୁଁ ନିଜେ ମଧ୍ୟ ଭାବିପାରୁ ନାହିଁ ।’

 

‘ଆଜି ମୁଁ ମୃତ୍ୟୁର ଦ୍ୱାରଦେଶରେ ଠିଆହୋଇ ସବୁ ପ୍ରକାରର ଗ୍ଳାନି, ଦୁଶ୍ଚିନ୍ତା, ଦୁଃଖକୁ ଧୋଇ ପୋଛିଦବାକୁ ଚେଷ୍ଟା କରୁଚି । ମୋର ଏ ମରଣ ସୁଖ-ମରଣ ହଉ ।’

 

‘ମୋର ମନେପଡ଼ୁଚି ଆଜି ବିନୟ ବାବୁଙ୍କ ସାଙ୍ଗରେ ଅଫିସରୁ ଫେରୁ ଫେରୁ ଆତ୍ମହତ୍ୟା କରୁଥିବା ଲୋକଙ୍କୁ ମୁଁ ଘୃଣା କରୁଥିଲି । କିନ୍ତୁ ଘଟଣାଚକ୍ରର ଆବର୍ତ୍ତରେ ପଡ଼ି ମୁଁ ଆଜି ଶେଷ ହେଇଯିବାକୁ ବସିଚି । ତା’ଛଡ଼ା ମୋ’ର ଆଉ ଅନ୍ୟ ଉପାୟ ନାହିଁ ।

 

‘ଏଇ ମାତ୍ର ଘଣ୍ଟାକ ଆଗରୁ କବିତା ଆସିଥିଲା । ସେତେବେଳେ କିନ୍ତୁ ମୁଁ ଏ କଥା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । କବିତା ଏକ ସୁନ୍ଦର ଚିତ୍ର ମୋ’ ଆଗରେ ଥୋଇଦେଇ ଗଲା, ଅଥଚ ମୁଁ ତାକୁ ଚିରି ଫୋପାଡ଼ି ଦବାକୁ ଆପ୍ରାଣ ଚେଷ୍ଟା କରୁଚି ।’

 

‘ଖାଇସାରି ଶୋଇବାକୁ ଯାଉଚି । ବାହାରେ କବାଟର ଜଞ୍ଜିର ଧଡ଼୍‌ ଧଡ଼୍‌ ହେଲା । ମୁଁ ଯାଇ କବାଟ ଖୋଲିଦେଲି । ଦେଖିଲି, କବିତା ମୁହଁରୁ ସେ ଯେମିତି ଅନେକଟା ଉତ୍ତେଜିତ ବୋଲି ମୋର ମନେ ହେଲା । ଘର ଭିତରକୁ ପଶି ଆସି କବାଟ ସେ ବନ୍ଦ କରିଦେଲା । ମୁଁ ଆଶ୍ଚର୍ଯ୍ୟ ହେଇଗଲି । ତା’ପରେ ସେ ମୋ’ର ହାତ ଧରି ଟାଣି ନେଇଗଲା ଶୋଇବା ଘରକୁ । ସେଇଠି !’

 

ଏଇଠି, ହଁ ଏଇଠାରେ ସେ ମୋତେ ନିବିଡ଼ ଭାବରେ କୁଣ୍ଢେଇ ଧରିଲା । ଉତ୍ତେଜନାରେ ନିଃଶ୍ୱାସ ତା’ର ଖୁବ୍‌ ପ୍ରଖର ଥିଲା । ସେ ମୋତେ ଫିସ୍‌ଫିସ୍‌ କରି କହିଲା—

 

‘ମୁଁ ଆଉ ପାରୁ ନାହିଁ ଅମର, ମୁଁ ଆଉ ପାରୁ ନାହିଁ । ମୋତେ ତୁମେ ଗ୍ରହଣ କର ।’’

 

ଜୀବନରେ ଏତେ ଆଶ୍ଚର୍ଯ୍ୟ ମୁଁ କେବେ ହେଇ ନ ଥିଲି । ତାକୁ ମୁଁ ଖଟ ଉପରେ ମୋ’ ପାଖରେ ବସେଇଦେଲି ।

 

ସେ କହିଲା—‘ତୁମେ ମୋତେ ସେଦିନ ନମିଅପା ଘରେ ପ୍ରତ୍ୟାଖ୍ୟାନ କଲ; ଅଥଚ ସେତେବେଳେ ମୋ’ମନରେ ଏତେ ଟିକିଏ ଦୁଃଖ ନଥିଲା । ବରଂ ମୁଁ ତମକୁ ଘୃଣା କରୁଥିଲି । କାରଣ କ’ଣ ଜାଣ ? ତମେ ସେତେବେଳେ ନମି ଅପାର ଅଞ୍ଚଳ ତଳେ ବନ୍ଧାଥିଲ । ତା’ପାଖରେ ତମେ ଅତ୍ୟନ୍ତ ଦୁର୍ବଳ ଥିଲ । ତମର ନିଜତ୍ୱ ଥିଲା କି ନାହିଁ ସନ୍ଦେହ ।’

 

‘ତମେ ଜାଣ ନାହିଁ ଅମର, ନାରୀ କ’ଣ ଚାହେଁ । ନାରୀ ଚାହେଁ ତା’ର ପୁରୁଷ ଉପରେ ଏକାନ୍ତ ଆଧିପତ୍ୟ । ସେଠି ସେ କାହାରି ଶାସନକୁ ମାନିନବାକୁ ପ୍ରସ୍ତୁତ ନୁହେଁ । ତା’ର ପୁରୁଷ ଉପରେ ଆଉ କାହାରି ପ୍ରଭୁତ୍ୱକୁ ସେ ବରଦାସ୍ତ କରିପାରେ ନା ।’

 

‘ଆଉ ସେଇଥିପାଇଁ ତମକୁ ମୁଁ ସେଠି ଭଲ ପାଇ ନ ଥିଲି । ମୋଟେ ଚେଷ୍ଟା ବି କରି ନ ଥିଲି । କିନ୍ତୁ ତମର ଚରିତ୍ର ନେଇ ମୋର କୌତୁକ ଜାତ ହେଲା । ତମକୁ ବିଶ୍ଳେଷଣ କରିବାକୁ ମୁଁ ଚେଷ୍ଟା କଲି । ବୁଝିବାକୁ ଚେଷ୍ଟା କଲି । ତା’ପରେ ଏଇଠି ତମର ଦେଖା ହେଲା । ସେତିକିବେଳେ ଦେଖିଲି ତମେ ନର୍ମଦାକୁ ଛାଡ଼ିପାର, ଅବହେଳା କରିପାର । ମୋ’ର ଧାରଣା ବଦଳିଗଲା । ଆଉ ସେଇ ସେବା ଶୁଶ୍ରୁଷାର ଦିନଗୁଡ଼ାକରେ ତମକୁ ଏକାନ୍ତ ନିବିଡ଼ କରି ଭଲପାଇ ବସିଲି ।’

 

ସବୁ କଥା କହିସାରିବା ପର୍ଯ୍ୟନ୍ତ ମୁଁ ମୂକ ହେଇ ବସିଲି । ସବୁ ଶୁଣିଲି । ଏତକ ବୁଝିଲି, କବିତାର ଏ ଭଲ ପାଇବା ଭିତରେ କୌଣସି ଫାଙ୍କ ନାହିଁ, କୌଣସି ପ୍ରକାର ଛଳନା ନାହିଁ; କିନ୍ତୁ ସେଇ ମୋ’ର ଦୁର୍ବୋଧ୍ୟ ଗ୍ଳାନି ମୋତେ ପାଦେ ସୁଦ୍ଧା ଆଗେଇବାକୁ ଦେଲା ନାହିଁ । ଅଥଚ କବିତାକୁ ପ୍ରତ୍ୟାଖ୍ୟାନ କରିବାକୁ ମୋ’ର ବିବେକ ମୋତେ ବାଧାଦେଲା । ତେଣୁ ଗୋଟାଏ ଖିଆଲରେ ତାକୁ ମୋ’ର ଜୀବନର ଇତିହାସ କହିବସିଲି । ଯାହା ଆଜିପର୍ଯ୍ୟନ୍ତ ସମସ୍ତଙ୍କ ଅଗୋଚରରେ ଥିଲା ସେଇଟାକୁ ତା’ ଆଗରେ ପ୍ରକାଶ କରିଦେଲି ।’

 

‘ସେ ହସିଲା, କହିଲା—‘ତମେ ଜାଣିଚ ମୋର ଇତିହାସ ?’

 

‘ମୁଁ କହିଲି—‘ହଁ ଜାଣିଚି—ତମେ ବିଧବା ।’

 

ଆଶ୍ଚର୍ଯ୍ୟ ହେଇ ସେ ପଚାରିଲା—‘କିଏ କହିଲା ?’’

 

ମୁଁ କହିଲି—‘ଶଶୀ ମୋତେ କହୁଥିଲା ।’

 

ହସି ହସି ସେ କହିଲା—‘ସେ ମିଛ କହିଛନ୍ତି, ମୁଁ ବିଧବା ନୁହେଁ । ବିବାହ କଥା ଏ ପର୍ଯ୍ୟନ୍ତ ବି ମୁଁ ଭାବି ନାହିଁ । କିନ୍ତୁ ଅସଲ କଥା ହଉଚି ତମରି ପରି ମୁଁ ଜଣେ । ଡାକ୍ତରଖାନାର ପ୍ରସୂତିଭବନରେ ମୋ’ର ଜନ୍ମ । ମା’ ହୁଏତ ସେଇଠି ମରିଯାଇଥିଲା । ଆଉ ମୋତେ ନେଇ ଜଣେ ନର୍ସ ପାଳିଥିଲା ।’

 

‘କିନ୍ତୁ ଶଶୀ ମୋତେ କାହିଁକି ମିଛ କହିଲା ?’’

 

‘ହୁଏତ ସେ ଭୟ କରୁଥିଲେ—କାଳେ ଏମିତି ଜଣେ ନଷ୍ଟଜାତକକୁ ତମେ ବିବାହ ନ କରିପାର ବୋଲି । ଅସଲରେ ତାଙ୍କ ସାଙ୍ଗରେ ମୋ’ର ପରିଚୟ ମାତ୍ର କେତେଦିନ ତଳେ । ଯୋଉଦିନ ନମିଅପାକୁ ନେଇ ସେ ପ୍ରସୂତି ଭବନରେ ଛାଡ଼ିଲେ ସେଇ ଦିନଠାରୁ ତାଙ୍କୁ ସବୁ କଥା ମୋ ମା’ କହିଥିଲା ।

 

‘ତାପରେ ସେ କହିଲା—‘ମୋର ଇତିହାସ ତମେ ଶୁଣିଲ ତ ! କୁହ, କୁହ ଅମର ! କିଛି କୁହ !

 

‘ଗୋଟାଏ ଖିଆଲରେ ତା ପାଖରୁ କାଲି ସକାଳ ପର୍ଯନ୍ତ ମୁଁ ସମୟ ନେଇଚି । କିନ୍ତୁ କାଲି ସକାଳୁ ସେ ମୋତେ ଆଉ ଦେଖିବାକୁ ପାଇବ ନାହିଁ । ଦେଖିବ, ଏଇ ମୋର ଶବଟା ।’’

 

‘କାହିଁକି ମୁଁ ମରିବାକୁ ଯାଉଚି, ସେ କଥା ବି ମୁଁ ଠିକ୍‌ ନିର୍ଦ୍ଦିଷ୍ଟ କରି କହିପାରୁ ନାହିଁ । ଖାଲି ଏତକ ମୋର ମନେହେଉଚି ଯେ, ଜୀବନର ସ୍ୱାଦ ମୋ’ର ଚାଲିଯାଇଚି । ଏଇ ବିସ୍ୱାଦ ଜୀବନଟାକୁ ନେଇ ଅଧିକ ଦିନ ବଞ୍ଚିରହିବା ଦୁର୍ବହ, ଦୁର୍ବିସହ ହେଇପଡ଼ିବ ମୋ ପକ୍ଷରେ ।’

 

‘ସେଇ ଗୋଟାଏ କଥା । ସେଇ ଗୋଟାଏ ପ୍ରତିଶ୍ରୁତି ମୁଁ ଚାହିଁଥିଲି କବିତା ପାଖରୁ । ସେଇ ସେତକ ପାଇଥିଲେ ଆଜି କବିତାକୁ ନେଇ ତା’ର ସଂସାର କରିବାର ସ୍ୱପ୍ନ ଦେଖିଥା’ନ୍ତି । ମୁଁ ଚାହିଁଥିଲି—ମୋ’ର ଜୀବନୀ ଶୁଣିସାରି କବିତା କହିଥା’ନ୍ତା—‘ମୋର ପରିଚୟ ଦରକାର ନାହିଁ । କାହାରି ବଂଶାବଳୀର ସ୍ୱାକ୍ଷର ବି ଦରକାର ନାହିଁ । ମୋର ଦରକାର ଖାଲି ତୁମେ–ତୁମେ ।’ ସେ ନୁହେଁ ଯେ କୌଣସି କୁତ୍ସିତ କଦାକାର ନାରୀ କହିଥିଲେ ବି ମୁଁ ତାକୁ ନିଜର କରିପାରିଥା’ନ୍ତି ।’

 

‘କିଏ ହୁଏତ ମୋ ଡାଏରୀ ପଢ଼ି କହିପାରେ କବିତାର ଇଙ୍ଗିତରେ ସେଇ କଥା ହିଁ ଥିଲା-। କିନ୍ତୁ ମୁଁ ଇଙ୍ଗିତ ଚାହେଁ ନାହିଁ—ଚାହେଁ ସ୍ପଷ୍ଟ ସ୍ୱୀକାରୋକ୍ତି ! ଅଥଚ ତା’ ହେଲା ନାହିଁ । କବିତା ମୋ ଆଗରେ ତା’ ଜୀବନୀ କହି ବସିଲା । ସେଇ ଗ୍ଳାନିକର ଜୀବନୀ ।’

 

‘ଏ ଦୁନିଆରେ ସମସ୍ତେ ଖାଲି ନିଜ ନିଜର ବକ୍ତବ୍ୟ କହି ଚାଲିଛନ୍ତି । କିନ୍ତୁ ମୁଁ ସମସ୍ତଙ୍କର ବକ୍ତବ୍ୟ ଶୁଣିଯାଇଚି, ପାଟି ଫିଟେଇ ନାହିଁ । ଦେଖି ଯାଇଚି, ସମାଲୋଚନା କରି ନାହିଁ-। ଅନୁଭବ କରିଚି, ସମବେଦନା ପ୍ରକାଶ କରି ନାହିଁ । ଯୋଉ ଥରକ ପାଇଁ ପାଟି ଖୋଲିଥିଲି, ସେ ଥରଟା ବି ମୁଁ ଅତି ନିଷ୍ଠୁର ଭାବରେ ପ୍ରତାରିତ ହେଇଚି ।’

 

‘ଆଜି ମୁଁ ପ୍ରଥମ ଥର ପାଇଁ ପଛକୁ ଫେରି ଅନଉଚି । ମୋ’ର ଏ ତିରିଶ ବର୍ଷ ଭିତରେ ମୁଁ ପାଇଚି କ’ଣ ? ଖାଲି ‘ଶୁଣିଯାଅ’ର ଅନୁରୋଧ ମୁଁ ଶୁଣିଚି, ’ଦେଖିଯାଅ’ର ଆମନ୍ତ୍ରଣ ପାଇଚି । କିନ୍ତୁ କେତେବେଳେ ଥରକ ପାଇଁ ମୋ’କଥା ମୁଁ ଆରମ୍ଭ କଲେ ସମସ୍ତେ ବାଟ କାଟି ଚାଲି ଯାଇଚନ୍ତି-।’

 

‘ମୁଁ ପରାହତ । ଜୀବନ ଯୁଦ୍ଧରେ କ୍ଷତବିକ୍ଷତ । ମୁଁ ପରାସ୍ତ । ଏଇ ଲହୁଲୁହାଣ ଜୀବନଟାକୁ ଟାଣିଓଟାରି ବଞ୍ଚିବାକୁ ଚାହେଁନା । ଅବଶ୍ୟ ଅନେକ ଅଛନ୍ତି ଯୋଉମାନେ କି ଅତି ଦୁଃଖରେ, ନ ପାଇବାର ବିଫଳତାରେ ଆତ୍ମହତ୍ୟା କରନ୍ତି । କିନ୍ତୁ ମୋ’ର କୌଣସି ଦୁଃଖ ନାହିଁ । ପକ୍ଷାଘାତ ରୋଗୀ ପରି ଦୁଃଖ ସୁଖ, ହର୍ଷ ବିଷାଦ କିଛି ମୋତେ ଛୁଇଁପାରୁ ନାହିଁ ।’

 

‘କବିତାକୁ ମୁଁ ଠକିବି । ଏ ସ୍ୱୀକାର କରୁଚି । କିନ୍ତୁ ତାକୁ ପାଇ ସୁଖୀ ହବା ମୋ’ ପକ୍ଷରେ ଏକାବେଳକେ ଅସମ୍ଭବ ହୋଇଥା’ନ୍ତା । ତା’ର ମୋ’ର ଉତ୍ପତ୍ତି ଏକାବେଳକେ ଅସମ୍ଭବ ହେଇଥା’ନ୍ତା-। ତା’ର ମୋ’ର ଉତ୍ପତ୍ତି ଏକ ହେଇପାରେ, ମାତ୍ର ଗତି ଓ ଚିନ୍ତାଧାରା ଉଦୟାସ୍ତର ପାର୍ଥକ୍ୟ-। ଅନେକ ଲୋକ ମୁ ଖୋଜିଚି ମୋର କଥା ଶୁଣେଇବାକୁ ପାଇଁ; କିନ୍ତୁ ଦେଖିଲି ମୋ’ କଥା ଶୁଣିବା କାହାରି ଧୈର୍ଯ୍ୟ ନାହିଁ ।’

 

‘କବିତାକୁ ଦେଖିଲି, ନର୍ମଦାକୁ ଦେଖିଲି, ଆଉ ପୂରବୀ ରାଉତରାୟକୁ ବି ଦେଖିଲି । ସମସ୍ତଙ୍କ ମୁହଁରୁ ମୁଁ ଗୋଟାଏ କଥା ଶୁଣିଲି । ଗୋଟାଏ ଭାବ ଦେଖିବାକୁ ପାଇଲି । ଜଣେ ମା, ଜଣେ ଶିକ୍ଷୟତ୍ରୀ, ଆଉ ଜଣେ ସେବିକା । କିନ୍ତୁ ସମସ୍ତଙ୍କ ପାଖରେ ଲାଖି ରହିଚି ସେଇ ଗୋଟିଏ ପିପାସା । ସେଇ ଗୋଟିଏ ଉତ୍କଣ୍ଠା । ଯୁକ୍ତି ଦେଇ ହୁଏତ ସେମାନେ ନାହିଁ କରିପାରନ୍ତି; କିନ୍ତୁ ମୁଁ ଜୋର ଦେଇ କହିପାରେ—ସେମାନଙ୍କ କ୍ଷୁଧା ମାତ୍ର ଗୋଟାଏ । ନିତ୍ୟ ନୂତନତାର ସ୍ୱାଦ, ଭଲ ପାଇବାର ତୃଷା, ସେଇମାନେ ସେତକ ପାଇଁ ନିଜର ପରିସ୍ଥିତି, ଅବସ୍ଥାକୁ ଭୁଲି ସବୁ କିଛି କରିବାକୁ ପ୍ରସ୍ତୁତ ହଉଚନ୍ତି ।’

 

ସବୁ ନାରୀଙ୍କର ମୁଁ ଗୋଟାଏ ଜିନିଷ ଲକ୍ଷ୍ୟ କଲି । ବିଚାର ବୁଦ୍ଧି ଆସିବା ପରେ ତା’ର ଏକମାତ୍ର ଲକ୍ଷ୍ୟ ହେଲା ପ୍ରିୟା ହବା, ଆଉ ମା’ ହବା (କହିବାକୁ ଦୁଃଖ ଲାଗୁଚି ତଥାପି) । ପ୍ରିୟା ହବା ବା ସ୍ତ୍ରୀ ହବାର ପରିଣତି ମାତ୍ର; କିନ୍ତୁ ପରିକଳ୍ପିତ ନୁହେଁ ।

 

‘ପୃଥିବୀରେ ମୋ’ଭଳି, କବିତା ଭଳି, ଅନେକ ସ୍ୱାକ୍ଷରହୀନ ଅଛନ୍ତି । ସମସ୍ତେ ଖାଲି ହୁଏତ ଏଇ ଗ୍ଳାନି ନେଇ ବଞ୍ଚିଚନ୍ତି । ବାହାରକୁ ଦେଖେଇହବା ପାଇଁ ‘କବିତା’ ଭଳି ବ୍ୟବହାର କରୁଚନ୍ତି, ହସୁଚନ୍ତି । କିନ୍ତୁ ସେମାନଙ୍କୁ ମୁଁ କେବେ କ୍ଷମା କରିପାରୁ ନାହିଁ, କାରଣ ମୁଁ ନିଜକୁ ମଧ୍ୟ କ୍ଷମା କରି ନାହିଁ ।

 

ମୁଁ ଆତ୍ମହତ୍ୟା କରୁଚି—ଏଇ ଦୁନିଆ ଏଇଭଳି ଅଗଣିତଙ୍କ ମଧ୍ୟରୁ ଜଣକର ନାମ ଲୋପ କରିଦବାପାଇଁ,

 

‘ଲେଖୁଁ ଲେଖୁଁ ଅନେକ ଲେଖିଗଲିଣି । କ’ଣ ଲେଖିଗଲି ତାକୁ ଆଉ ଥରେ ପଢ଼ିବାପାଇଁ ମୋ’ର ସମୟ ନାହିଁ । ଯଦି କେହି ଉତ୍ତମ ପୁରୁଷ ଏ ଡାଏରୀଟି ପଢ଼ିବ ସେ ହୁଏତ ମୋତେ ଘୃଣା କରିବ । ମୋତେ ଦୁର୍ବଳ କହିବ । କିନ୍ତୁ ମୋ ପାଇଁ ମୁଁ ଏତିକି କହିବି—ମୁଁ ଏ ଯୁଗର ଗୋଟାଏ ପ୍ରଶ୍ନବାଚୀ, ମୁଁ ନିଶ୍ଚିହ୍ନ ହେଇଯିବାକୁ ଯାଉଚି । ବଞ୍ଚିଥିବାବେଳେ କହି ମୋତେ ପଚାରି ନାହାନ୍ତି—ମଲାବେଳେ ବି କେହି କାରଣ ନ ଖୋଜନ୍ତୁ ।’

 

‘ଅନେକ କାମ ମୋର ବାକୀ ରହିଗଲା । ପୂରବୀ ରାଉତରାୟର ଖୋଜିବାର ଶେଷ କେଉଁଠି ମୁଁ ଜାଣିପାରିଲି ନାହିଁ । ନର୍ମଦାର ଧୈର୍ଯ୍ୟ ମୁଁ ଦେଖିପାରିଲି ନାହିଁ । ‘କବିତା’ର ଅନୁରୋଧ ମୁଁ ରକ୍ଷା କରିପାରିଲି ନାହିଁ । ମୁଁ କିଛି କରିପାରିଲି ନାହିଁ । ଏଇ କିଛି ନ କରିପାରିବାର ଏ ମାତ୍ର ଅବଶୋଷ ନେଇ ପୃଥିବୀପୃଷ୍ଠରୁ ବିଦାୟ ନଉଚି ।

 

ଆଉ ଏଇ ବ୍ୟର୍ଥତା ନେଇ ହିଁ ମୁଁ ଚାଲିଯାଉଛି । ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି—

 

—ଅମର—

 

(ପଦବୀ ଲେଖିଲି ନାହିଁ । କାରଣ ନିଜର ପଦବୀ ମୁଁ ଜାଣେ ନାହିଁ)

Image